ତାଙ୍କର ସବୁକଥା ଶୁଣି ରୂପଧର କହିଲେ “ଠିକ୍ ଅଛି ଯାହା ହେବାର କଥା ତାହା ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି । କିନ୍ତୁ ଗୋଟିଏ କଥା କୁହନ୍ତୁ । ଏଠାରେ ମୋ ମା’ର ପ୍ରେତାତ୍ମା ଠିଆ ହୋଇଛି । କିନ୍ତୁ ସେ ବଳୀ ଆଡକୁ ଚାହିଁଛି ସିନା ହେଲେ ମୋ ଆଡକୁ ସେ ଟିକିଏ ହେଲେବି ଚାହୁଁନାହିଁ । ତେଣୁ ଆପଣ ଏପରି କିଛି କରନ୍ତୁ, ଯଦ୍ୱାରା ମୋ ମା’ ମୋତେ ଚିହ୍ନିପାରିବ ।”
“ପୁତ୍ର, ମନେ ରଖ ଯେ ବଳୀ ଯେପର୍ଯ୍ୟନ୍ତ ସେମାନେ ସ୍ୱୀକାର ନକରିଛନ୍ତି ସେପର୍ଯ୍ୟନ୍ତ ସେମାନେ ଚିହ୍ନି ପାରିବେ ନାହିଁ ।” ଏତିକି କହି ସାଙ୍କେତିକ ଯମଲୋକକୁ ଚାଲିଗଲେ ।
ରୂପଧରଙ୍କ ମା’ ବଳୀ ନ ନେବା ପର୍ଯ୍ୟନ୍ତ ସେ ସେହିଠାରେହିଁ ଠିଆ ହୋଇ ଦେଖୁଥା’ନ୍ତି । କିଛି ସମୟ ପରେ ସେ ବଳୀ ଗ୍ରହଣ କଲେ ଓ ମୁହଁ ଟେକି ରୂପଧରକୁ ଚିହ୍ନିଲେ । ସେ କହିଲେ, “ପୁଅ, ତୁ ଜୀବିତ ହୋଇ ମଧ୍ୟ କିପରି ଏହି ଯମଲୋକକୁ ଆସିଲୁ? ସିଧା ଟ୍ରୋୟରୁ ଏଠାକୁ ଆସିଲୁ? ଇଥାକା ଏତେ ପର୍ଯ୍ୟନ୍ତ ଫେରି ନାହୁଁ । ତୋ ସ୍ତ୍ରୀ ସହିତ ତୋର ଦେଖା ହୋଇନାହିଁ?”
“ମା’, ମୁଁ ବଡ କଷ୍ଟ ଓ ଯାତନା ମଧ୍ୟରେ ଯାତ୍ରା କରି ଚାଲିଛି । ଏଠାରେ ଥିବା ସାଙ୍କେତିକଙ୍କ ସହିତ ପରାମର୍ଶ କରିବାକୁ ଆସିଥିଲି । ମା’, ତୁମ ଦେହାନ୍ତ କିପରି ହେଲା? ତୁମର କ’ଣ ହୋଇଥିଲା?” ବାବା କିପରି ଅଛନ୍ତି? ମୋ ପୁଅ କ’ଣ କରୁଛି? କ’ଣ ମୋହରି ଅପେକ୍ଷାରେ ସେ ଅଛି? ଅଥବା ମୁଁ ଆସିବାର ସମ୍ଭାବନା କମ୍ ବୋଲି ଅନ୍ୟ କୌଣସି ଲୋକ ପାଖକୁ ସେ ଚାଲି ଗଲା? ମୋର ସ୍ତ୍ରୀ କ’ଣ କହୁଛି? ପୁତ୍ର ସହିତ ସମ୍ପତ୍ତିବାଡି ଦେଖାଶୁଣା କରୁଛି ନା ଅନ୍ୟ କାହାକୁ ବିବାହ କରି ଚାଲିଗଲା?” ରୂପଧର ଏହିପରି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଲେ ।
ମା’ କହିଲେ, “ସେ ତୋରି ଘରେ ଅଛି । ତୁ କ’ଣ ଜାଣୁନା କି ସେ କେତେ ସହନଶୀଳା? ରାତିଦିନ ତା’ର ମନ ଭିତର ପୋଡିଜଳି ଯାଉଛି । ତୋର ସମ୍ପତ୍ତି ବାଡି ତୋରି ନାମରେହିଁ ରହିଛି ତୋ ପୁଅ ବିଜୟଧ୍ୱଜ ତୋର ଉତ୍ତରାଧିକାରୀ ହୋଇ ଅଛି ଓ ରାଜାଙ୍କର ସମସ୍ତ କାମ ସମ୍ଭାଳୁଛି । ତୋ ବାପା ସର୍ବଦା ମାଟିରେ ଶୋଇ ରହନ୍ତି, ଅଥବା ଅଙ୍ଗୁର ବଗିଚାରେ ବୁଲୁଥା’ନ୍ତି ତୋ’ ଫେରିବା କଥା ମଧ୍ୟ ତାଙ୍କର ମନେ ନଥାଏ । ମୋ ବିଷୟରେ ପଚାରୁଛୁ? ମୁଁ କୌଣସି ରୋଗରେ ମରିନାହିଁ । ତୋତେ ଝୁରି ଝୁରି ମରିଛି ।”
ରୂପଧରଙ୍କର ଇଚ୍ଛା ହେଲା ମା’ଙ୍କୁ ଟିକିଏ ଆଲିଙ୍ଗନ କରନ୍ତେ; ସେ ସେଥିଲାଗି ଚେଷ୍ଟା ମଧ୍ୟ କଲେ, କିନ୍ତୁ ସେ ତାଙ୍କ ଉଦ୍ଧେଶ୍ୟରେ ସଫଳ ହେଲେ ନାହିଁ । ତିନିଥର ଚେଷ୍ଟା କରି ମଧ୍ୟ ପାରିଲେ ନାହିଁ ।
ତା’ପରେ ସେ କାନ୍ଦି କାନ୍ଦି ବଡ ଦୁଃଖୀ ହୋଇ ମା’ଙ୍କୁ କହିଲେ, “ଥରେ ହେଲେ ମୋତେ ଆଲିଙ୍ଗନ କରିବାକୁ ଦିଅ ମା’ କାହିଁକି ତୁମେ ଏମିତି ମୋଠାରୁ ଦୂରକୁ ଚାଲିଯାଉଛ?”
“ପୁଅ, ଜୀବିତ ବ୍ୟକ୍ତି ମୃତ ବ୍ୟକ୍ତିକୁ କିପରି ବା ଆଲିଙ୍ଗନ କରିପାରିବ? ତୁ ଯାହାର ଶରୀରକୁ ଆଲିଙ୍ଗନ କରିବାକୁ ଚାହୁଁଛୁ ତା’ର ଶରୀର ତ ପୋଡି ଜଳି କେବେଠାରୁ ଭସ୍ମ ହୋଇଗଲାଣି । ବରଂ ଯେତେ ଶୀଘ୍ର ପାରୁ ଏହି ଅନ୍ଧକାର ପୂର୍ଣ୍ଣ ରାଜ୍ୟରୁ ତୁ ବହୁଦୂରକୁ ଚାଲିଯା । ଏଠାରେ ଦେଖିଥିବା ଓ ଶୁଣିଥିବା କଥାସବୁ ତୁ ତୋ ସ୍ତ୍ରୀକୁ କେବେବି କହିବୁ ନାହିଁ ।”