(ରୂପଧର ସୁକେଶିନୀଙ୍କ ନିକଟରେ ଅତିଥି ହୋଇ କିଛିଦିନ ରହିଲେ । ତାଙ୍କର ସହଯୋଗ ଫଳରେ ସେ ସ୍ୱଦେଶ ଲେଉଟିଲେ । ସୁକେଶିନୀଙ୍କ କଥା ମାନି ସେ ଯମଲୋକ ଗଲେ । ସେଠାରେ ତାଙ୍କ ମାତାଙ୍କ ପ୍ରେତାତ୍ମାଙ୍କ ସହିତ କଥାବାର୍ତ୍ତା ହେଲା । ତାଙ୍କଠାରୁ ସେ ପରିବାରର ସମସ୍ତଙ୍କ ବିଷୟରେ ଖବର ପାଇଲେ । ତା’ପରେ ଆଗକୁ ପଢନ୍ତୁ…)
ରୂପଧର ଯେତେବେଳେ ତାଙ୍କ ମା’ଙ୍କ ସହିତ କଥାବାର୍ତ୍ତା କରିବାରେ ବ୍ୟସ୍ତ ଥିଲେ ସେତେବେଳେ ଅନ୍ୟ ପ୍ରେତାତ୍ମାମାନେ ବଳୀ ନେବାକୁ ସେଠାକୁ ଆସିଥାନ୍ତି । ରୂପଧର ସମସ୍ତଙ୍କ ସହିତ କଥା କହିଲେ ଓ ଅନେକ ଖବର ମଧ୍ୟ ସେ ସଂଗ୍ରହ କଲେ । ସେମାନଙ୍କ ମଧ୍ୟରେ ନବଦ୍ୟୋତଙ୍କ ମା’ ଓ ଭୁବନେଶ୍ୱରୀଙ୍କ ମା’ ବି ଥିଲେ ।
ବଳୀ ଗ୍ରହଣ କରିବା ପରେ ଅନେକେ ପୁଣି ନିଜ ଜଗତକୁ ଫେରି ଗଲେ, ଇତିମଧ୍ୟରେ ସମ୍ରାଟଙ୍କ ପ୍ରେତାତ୍ମା ମଧ୍ୟ ସେଠାକୁ ଆସିଥିଲେ । ବଳୀଗ୍ରହଣ କରିବା ପରେହିଁ ସେ ରୂପଧରଙ୍କୁ ଚିହ୍ନିପାରିଲେ । ସେ ଜୋର୍ରେ କାନ୍ଦିଉଠିଲେ ଓ ରୂପଧରଙ୍କ ସହିତ ହାତ ମିଳାଇବାକୁ ଚାହିଁଲେ । କିନ୍ତୁ ପ୍ରେତାତ୍ମା ଓ ଜୀବିତ ବ୍ୟକ୍ତିଙ୍କ ମଧ୍ୟରେ ଏସବୁ ତ ଆଦୌ ସମ୍ଭବ ନୁହେଁ ।
ରୂପଧର ବିସ୍ମିତ ହୋଇ ପଚାରିଲେ, “ମହାରାଜ ଆପଣ ଏଠାକୁ କେବେ ଓ କିପରି ଆସିଲେ?”
“ଅଜବଳ ନାମକ ଏକ ଦୁଷ୍ଟ ବ୍ୟକ୍ତି ଓ ମୋର ଧର୍ମପତ୍ନୀ ଦୁହେଁ ମିଶି ମୋତେ ମାରିବାର ଷଡଯନ୍ତ୍ର କରିଥିଲେ । ଅତିଥିଭାବରେ ନିମନ୍ତ୍ରଣ କରି ଭୋଜନ କରିବା ପରେ ସେମାନେ ମୋତେ ହତ୍ୟା କଲେ । ମୋ ସହିତ ମୋ ପରିବାର ଲୋକଙ୍କୁ ମଧ୍ୟ ସେମାନେ ମାରିଦେଲେ, ତୁମେ ତ ଯୁଦ୍ଧରେ ଅନେକ ଦାରୁଣ, ନିଷ୍ଠୁର ହତ୍ୟାସବୁ ଦେଖିଛ? କିନ୍ତୁ ଏଭଳି ହତ୍ୟା କଥା କେବେ କେଉଁଠି ତୁମେ ଶୁଣିଛ କି? ଏସବୁ ମଣିଷର କଳ୍ପନାତୀତ ।” ଏତିକି କହି ସେ ରାଜା ହଠାତ୍ କାନ୍ଦି ପକାଇଲେ ।
ତାଙ୍କର ସବୁକଥା ଶୁଣି ରୂପଧର କହିଲେ “ଆଜ୍ଞା ହଁ, ସେଥିପାଇଁ ଶାସ୍ତ୍ର କହେ ଯେ ସ୍ତ୍ରୀବୁଦ୍ଧି ପ୍ରଳୟଙ୍କରୀ । ଆପଣ ଯୁଦ୍ଧରୁ ଫେରିବା ପୂର୍ବରୁ ସେମାନେ ଏହି ଭୟଙ୍କର ଯୋଜନା କରିଥିବେ; ଭୂବନେଶ୍ୱରୀ କଥା ଦେଖନ୍ତୁ । କେବଳ ତାଙ୍କରିପାଇଁ କେତେ ଲୋକ ମରିଲେ ।”
ସମ୍ରାଟ କହିଲେ “କିନ୍ତୁ ତୁମ ସ୍ତ୍ରୀ ତ ପତିବ୍ରତା ନାରୀ । ଯେପରି ବିଶ୍ୱାସୀ ସେପରି କଲ୍ୟାଣମୟୀ । ତୁମେ ଯୁଦ୍ଧକୁ ଆସିବାବେଳେ ସେ ତ ନବବଧୁ ଥିଲେ; ପୁଣି ଅଳ୍ପ କେତେମାସ ମଧ୍ୟରେ ମା’ ହେବାକୁ ମଧ୍ୟ ସେ ଯାଉଥିଲେ । ଏବେ ତୁମର ପୁତ୍ର ବହୁତ ବଡ ବୀର ହୋଇଥିବ ।”
ଦୁହେଁ ଏପରି କଥାବାର୍ତ୍ତାରେ ମଗ୍ନ ଥିବାବେଳେ ସେଠାକୁ ବଜ୍ରକାୟ ଓ ପିତୃକୀର୍ତିଙ୍କର ପ୍ରେତାତ୍ମା ଆସିଥିଲେ । ଟ୍ରୋୟ ଯୁଦ୍ଧରେ ମରିଥିବା ଶେଷବୀର ମଧ୍ୟ ସେଠାକୁ ଆସିଥିଲେ ।
ବଜ୍ରକାୟ ରୂପଧରଙ୍କୁ ଚିହ୍ନିବାମାତ୍ରେ ତାଙ୍କ ସହିତ ସେ କଥାବାର୍ତ୍ତା କଲେ । ଅନେକ ବିଷୟରେ ଆଲୋଚନା କରିବା ପରେ ସେ ପଚାରିଲେ, “ମୋ ପୁଅ ଭଲ ଅଛି ତ? ସେ କିପ୍ରକାରର ଯୋଦ୍ଧା?”