ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରୂପଧରଙ୍କ ଯାତ୍ରା

ରୂପଧର କହିଲେ “ତୁମ ପୁଅ ନବଯୋଧ ବଡ ପରାକ୍ରମୀ । ନବଯୋଦ୍ଧ ବ୍ୟତୀତ ସେପରି ବ୍ୟୁହ ରଚନା କରିବା ଭଳି ଆଉ ଦ୍ୱିତୀୟ ଯୋଦ୍ଧା ନାହିଁ । ସେ ବହୁତ ବଡ ବଡ ଯୋଦ୍ଧାଙ୍କୁ ଅତି ସହଜରେ ହରାଇଲା । କାଠଘୋଡା ମଧ୍ୟରେ ଥିବା ସୈନ୍ୟମାନଙ୍କ ମଧ୍ୟରେ ବି ସିଏ ଥିଲା । ନିର୍ଭୟ ନବଯୋଧ ଯୁଦ୍ଧ କରିବାକୁ ସଦା ତତ୍ପର । ଟ୍ରୋୟ ଯୁଦ୍ଧରେ କେତେ ମଲେ ବା କେତେ ଆଘାତ ପାଇ ବଂଚିଲେ ତା’ର କୌଣସି ହିସାବ ନାହିଁ । କିନ୍ତୁ ଏତେ ଯୁଦ୍ଧ ମଧ୍ୟରେ ତା’ର ଛୋଟ ଆଘାତଟିଏ ସୁଧା ହୋଇ ନାହିଁ ।”

ଏସବୁ କଥା ଶୁଣି ବଜ୍ରକାୟଙ୍କର ପ୍ରେତାତ୍ମା ବଡ ଖୁସି ହେଲେ । ତା’ପରେ ସେ ସେଠାରୁ ଚାଲିଗଲେ । ଅନ୍ୟମାନଙ୍କ ସହ ଦେଖାକରି ସେ ନୌକାକୁ ଫେରି ଆସିଲେ, ନୌକାଟି ଏଣିକି ପୁଣି ଯାତ୍ରା ଆରମ୍ଭ କରି ସୁକେଶିନୀଙ୍କ ଘରେ ଯାଇ ପହଁଚିଲା ।

ସୁକେଶିନୀ ଖୁସି ହୋଇ ରୂପଧର ଓ ତାଙ୍କ ଅନୁଚରବର୍ଗଙ୍କୁ ସ୍ୱାଗତ କଲେ । ସେ ସେମାନଙ୍କୁ ପ୍ରଶଂସା କରୁ କରୁ କହିଲେ, “ତୁମେ ଅସାମାନ୍ୟ ପରାକ୍ରମୀ । ସାଧାରଣତଃ ମନୁଷ୍ୟ ଥରେ ମାତ୍ର ଯମପୁରକୁ ଯାଏ । ତୁମେ ମାନେ କିନ୍ତୁ ଦୁଇଥର ଯିବ । ଆଜି ରାତ୍ରିରେ ତୁମେମାନେ ମୋ ପାଖରେ ରହି ଖୁସିରେ ଖିଆପିଆ କରି ବିଶ୍ରାମ କର । କାଲି ସକାଳେ ପଛେ ଏଠାରୁ ବାହାରି ତୁମେ ଯାତ୍ରା କରିବ ।”

ସେଦିନ ଗ୍ରୀକ୍ମାନେ ସାରାଦିନ ସୁସ୍ୱାଦୁ ଭୋଜନ କରି ଆନନ୍ଦରେ ରହିଲେ । ସଂଧ୍ୟା ସୁଦ୍ଧା ନୌକା ନିକଟକୁ ସେମାନେ ଫେରିଗଲେ । ସେଠାରେ ସମୁଦ୍ରତଟର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଉପରେ ସେମାନେ ସମସ୍ତେ ଆରାମରେ ଶୋଇଗଲେ । ରୂପଧର କିନ୍ତୁ ସୁକେଶିନୀଙ୍କ ଘରେ ରହିଲେ ଓ ଯମପୁରର ସମସ୍ତ ଘଟଣା ସୁକେଶିନୀଙ୍କୁ କହିଲେ । ସମସ୍ତ ଘଟଣା ଶୁଣି ସାରି ସେ କହିଲେ, “ଏସବୁ ତ ଅତୀତର ଘଟଣା । ଏବେ ବରଂ ଚିନ୍ତାକର ଯେ ଭବିଷ୍ୟତରେ କି ପ୍ରକାରର ଅନୁଭୂତି ମଧ୍ୟ ଦେଇ ଯିବ । ମୋ କଥା ତୁମେ ଏବେ ମନ ଦେଇ ଶୁଣ ।”

ତୁମେ ଏଠାରୁ ଯାତ୍ରା କରିବା ପରେ ପ୍ରଥମେ ନାଗକନ୍ୟାମାନଙ୍କ ଦେଶ ଭିତର ଦେଇ ଯିବ । ସେମାନଙ୍କ କଣ୍ଠରେ ସମ୍ମୋହନ ଶକ୍ତି ଅଛି । ସେମାନଙ୍କ କଣ୍ଠ ଯିଏ ଥରେ ଶୁଣିବ ସେ ଆକର୍ଷିତ ହୋଇ ତାଙ୍କ ପାଖକୁ ଯିବ ଏବଂ ଜାଣ ଯେ ସେହିଦିନ ତା’ର ମୃତ୍ୟୁ ସୁନିଶ୍ଚିତ । ସେମାନଙ୍କ ଦ୍ୱୀପରେ ପହଁଚିବା ପୂର୍ବରୁ ତୁମେ ତୁମ ଲୋକମାନଙ୍କୁ କହିବ ଯେ, ସେମାନେ ସେମାନଙ୍କ କାନକୁ ଭଲ ଭାବରେ ବନ୍ଦ କରିଦେବେ ଯେପରିକି ସେ ନାଗକନ୍ୟାମାନଙ୍କ ଗୀତ ସେମାନଙ୍କୁ ଆଦୌ ଶୁଣା ନଯିବ । ଯଦି ତୁମ ମଧ୍ୟରେ ନାଗକନ୍ୟାଙ୍କ ଗୀତ ଶୁଣିବାକୁ ଇଚ୍ଛା ହେବ, ତେବେ ତୁମେ ତୁମର ଅନୁଚରମାନଙ୍କୁ କହିବ କି ସେମାନେ ତୁମକୁ ଭଲ କରି ବାନ୍ଧି ଦେବେ । ପ୍ରଥମରୁହିଁ ସେମାନଙ୍କୁ କହିବ କି “ମୁଁ ଯେତେ ଚିତ୍କାର କରେ, ବା ଗାଳିଦିଏ ବା ଯାହାକରେ ତୁମେ ମୋତେ କିନ୍ତୁ ମୋଟେ ଖୋଲିବ ନାହିଁ ।” ତେବେ ଯାଇ ତୁମେ ସେହିପରି ଭାବରେ ସେମାନଙ୍କ ଗୀତ ଶୁଣି ପାରିବ, ତଦ୍ୱାରା ତୁମର କୌଣସି କ୍ଷତି ହେବ ନାହିଁ ।

ନାଗକନ୍ୟାମାନଙ୍କ ଦ୍ୱୀପ ଅତିକ୍ରମ କରି ଯିବା ପରେ ତୁମକୁ ସମୁଦ୍ରରେ ଦୁଇଟି ପଥ ଦେଖାଦେବ ମୁଁ କହିପାରିବି ନାହିଁ ତୁମେ କେଉଁ ପଥଟି ବାଛିବ ଗୋଟିଏ ପଥ ଦୁଇଟି ପାହାଡ ମଝିରେ ଯାଇଛି । କୌଣସି ବ୍ୟକ୍ତି ଯଦି ଦୁଇ ପାହାଡ ମଝିରେ ଯାତ୍ରା କରିବାକୁ ଚେଷ୍ଟା କରିବ ତେବେ ଦୁଇଟିଯାକ ପାହାଡ ପରସ୍ପର ସହିତ ଚାପି ହୋଇ ମଣିଷକୁ ମାରି ଦେବେ । କାରଣ ସେହି ପାହାଡଗୁଡିକ ଉଭୟ ଗତିଶୀଳ ଓ ଜୀବନ୍ତ ମଧ୍ୟ । ଏବେ ତୁମର ଦ୍ୱିତୀୟ ପଥ ହେଉଛି ବିଧ୍ୱଂସିନୀ ପାହାଡର କଡ ଦେଇ ଯିବ । ଏହି ପର୍ବତଟି ବହୁତ ଉଚ୍ଚ । ପର୍ବତଟିର ଶିଖର ଦେଶ ସର୍ବଦା ମେଘରେ ଆବୃତ ଥାଏ । ତେଣୁ ତାହା ଆଦୌ ଦେଖାଯାଏ ନାହିଁ । ଏହି ପର୍ବତ ଉପରକୁ ଆଜି ପର୍ଯ୍ୟନ୍ତ କେହିବି ଚଢି ନାହାଁନ୍ତି । କାରଣ ଏହି ପର୍ବତର ଦେହ ପିଚ୍ଛିଳ; ସେଠାରେ ଗୁମ୍ଫାଟିଏ ରହିଛି । ତା’ର ମୁଖ ପଶ୍ଚିମ ପଟକୁ ଅଛି । ସେଥିରେ ବିଧ୍ୱଂସିନୀ ନାମକ ଜଣେ ରାକ୍ଷସୀ ଅଛି । କେବେକେବେ କୁକୁରଛୁଆ ପରି ସେ ଖାଲି କୁଉଁ କୁଉଁ ଶବ୍ଦ କରେ । କିନ୍ତୁ ତାକୁ ଦେଖିଲେ ଭାରି ଭୟ ଲାଗେ । ତାହାର ଛଅଟି ମୁଣ୍ଡ ଓ ବାରଟି ପାଦ ଅଛି । ସେହି ଗୁମ୍ଫାଟି ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ତେଣୁ ବଡ ଧନୁର୍ଦ୍ଧାରୀ ମଧ୍ୟ ତା’ ପାଖକୁ ବାଣ ପେଶି ପାରନ୍ତି ନାହିଁ । ବିଧ୍ୱଂସିନୀ ଅଂଟା ପାଖରୁ ଉପରକୁ ଗୁମ୍ଫା ମଧ୍ୟରୁ ବାହାର କରେ; ବେକଗୁଡିକ ସାପ ପରି ତଳକୁ ଲମ୍ବି ଆସି ମାଛ ଓ ନାନା ଜନ୍ତୁ ଧରି ଖାଏ, ଏପର୍ଯ୍ୟନ୍ତ କେହି ହେଲେ ମଧ୍ୟ ସେଠାରୁ ଜୀବନ୍ତ ଫେରି ନାହିଁ ।

ସେହି ପର୍ବତ ପାଖରେ ଗୋଟିଏ ବଡ ପାଣି ଭଉଁରୀ ଅଛି । ସେଥିରେ ଯଦି କୌଣସି ନୌକା ପଡିଯାଏ ତେବେ ଭଉଁରୀ ଭିତରେ ତାହା ମୋଡିମାଡି ହୋଇ ଧ୍ୱଂସ ପାଏ, ତେଣୁ ତୁମ ନୌକାକୁ ଭଉଁରୀ ଉପରେ ଆଦୌ ଚଳାଇ ନେବ ନାହିଁ । ବରଂ ବିଧ୍ୱଂସିନୀ ପର୍ବତର ପାଖ ଦେଇ ଯିବ । ନୌକା ଯେତେ ଶୀଘ୍ର ଗଲେ ମଧ୍ୟ ବିଧ୍ୱଂସିନୀ ତା’ର ଛଅମୁହଁରେ ଛଅଜଣ ମଣିଷଙ୍କୁ ଧରି ନେବ । ବାକି ସମସ୍ତେ ସୁବିଧାରେ ଯାଇପାରିବେ ।

ଏହାପରେ ତୁମେ ତ୍ରିନାସିଆ ଦ୍ୱୀପରେ ଯାଇ ପହଁଚିବ ସେଠାରେ ତୁମେ ସୂର୍ଯ୍ୟ ଭଗବାନଙ୍କର ଗାଈ ଓ ଛେଳିମାନଙ୍କର ଗୋଠ ଦେଖିବାକୁ ପାଇବ । ସୂର୍ଯ୍ୟଙ୍କର ଦୁଇ କନ୍ୟା ହେଲେ ସେମାନଙ୍କର ଜଗୁଆଳୀ । ସେହିପଶୁମାନେ ଶାଶ୍ୱତ । ତୁମେ ଓ ତୁମର ଅନୁଚରମାନେ ସେହି ପଶୁମାନଙ୍କଠାରୁ ଦୂରରେ ରହିବ ନହେଲେ କାହାର ପତା ମଧ୍ୟ ରହିବ ନାହିଁ ।”

ଏସବୁ ଜ୍ଞାନ ଭବିଷ୍ୟତରେ ଆବଶ୍ୟକ ହେବ ଭାବି ସୁକେଶିନୀ ସମସ୍ତ ବିପଦ ଆପଦ ବିଷୟରେ କହିଲେ ଓ ରୂପଧର ଟିକି ନିଖି କରି ସେ ସମସ୍ତ କଥା ମନେ ରଖିଲେ । ସକାଳ ହେବାରୁ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ରୂପଧର ନିଜର ସହଚରଙ୍କ ସହିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ନାବ ଖୋଲିଲେ । ସୁକେଶିନୀଙ୍କ ଦୟାରୁ ଅନୁକୂଳ ବାୟୁ ମଧ୍ୟ ବହିଲା । କ୍ରମେ ନୌକା ଆଗକୁ ଚାଲିଲା ।

ପ୍ରଥମ ବିପଦ ଥିଲା ନାଗକନ୍ୟାଙ୍କ ଦ୍ୱୀପ । ସେଠାରେ ନୌକା ପହଁଚିବା ପୂର୍ବରୁ ରୂପଧର ନାବିକମାନଙ୍କୁ ସୁକେଶିନୀ କହିଥିବା କଥାସବୁ କହି ସେମାନଙ୍କୁ ସାବଧାନ କରାଇ ଦେଲେ; ସେ ସେମାନଙ୍କ କାନରେ ମହମ ଭରି ଦେଲେ । ତା’ପରେ ସେମାନେ ରୂପଧରଙ୍କୁ ମୋଟା ଦଉଡିରେ ପାଲର ସ୍ତମ୍ଭରେ କଷିକରି ବାନ୍ଧି ଦେଲେ । ରୂପଧର କହିଲେ “ମୁଁ ନିଜକୁ ମୁକ୍ତ କରିବାକୁ ଚାହିଁଲେ ମଧ୍ୟ ମୋତେ କଷିକରି ବାନ୍ଧି ଦେବ । ମୋତେ କୌଣସି ମତେ ମୁକ୍ତି ଦେବ ନାହିଁ ।”

ନୌକା ଆଗକୁ ବଢିଲା । ନାଗକନ୍ୟାମାନେ ନୌକାକୁ ଦେଖିବା ମାତ୍ରେ ମଧୁର ସ୍ୱରରେ ଗାନ କରିବାକୁ ଆରମ୍ଭ କଲେ । ସେମାନେ କହୁଥା’ନ୍ତି, “ଆମର ମଧୁର ଗୀତ ଶୁଣ,” ସେମାନଙ୍କ ମଧୁର ଗୀତ ଶୁଣି ତାଙ୍କର ମନ ତଲ୍ଲୀନ ହୋଇଗଲା । ସେ ଛଟପଟ ହୋଇ ତାଙ୍କ ଅନୁଚରଙ୍କୁ କହିଲେ “ମୋତେ ଛାଡିଦିଅ ।” କିନ୍ତୁ ଅନୁଚରମାନେ ତାଙ୍କର ପୂର୍ବାଦେଶ ପାଳନ କରିବାକୁ ଯାଇ, ତାଙ୍କ ଆହୁରି ଜୋର୍ କରି ବାନ୍ଧି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ