କିଛି ସମୟ ପରେ ନୌକା ସେ ଦ୍ୱୀପ ଛାଡି ଆଗକୁ ଚାଲିଲା । ତାଙ୍କ ଗୀତ ଆଉ ଶୁଭୁ ନ ଥିଲା । ରୂପଧରଙ୍କୁ ତାଙ୍କ ଅନୁଚରମାନେ ବନ୍ଧନରୁ ମୁକ୍ତ କଲେ ଓ ନିଜ ନିଜ କାନରୁ ମହମ କାଢି ଦେଲେ । ସେଠାରୁ ରୂପଧର ଦେଖିଲେ କିଛି ଦୂରରେ ଏକ ବଡ ଭଉଁରୀ ପାଣିରେ ବୁଲୁଛି । ସେ ବୁଝିପାରିଲେ ଯେ ସେହି ହେଉଛି ଜଳଆବର୍ତ ଯାହାକି ଅନେକ ଲୋକଙ୍କର ମୃତ୍ୟୁର କାରଣ । ତାଙ୍କ ଅନୁଚରମାନେ ସେ ଭଉଁରୀ ଦେଖି ଡରିଗଲେ । ରୂପଧର କହିଲେ, “ଭୟ କରନାହିଁ । ଏକ ଆଖିଆ ରାକ୍ଷସଠାରୁ ତ ଏହା ଅଧିକ ଭୟଙ୍କର ନୁହେଁ । ଏବେ ପର୍ବତ ପାଖ ଦେଇ ନାବ ଚଳାଅ ।” କିନ୍ତୁ ସେ ତାଙ୍କ ଅନୁଚରବର୍ଗଙ୍କୁ ଆଉ କିଛି କହି ନ ଥିଲେ । କାରଣ ସେକଥା କହିବା ମାତ୍ରେ ସେମାନେ ହୁଏତ ପୁଣି ଭୟରେ ମୂର୍ଚ୍ଛା ହୋଇ ଯାନ୍ତେ । ତେଣୁ ସେମାନେ ଜଳ ଆବର୍ତକୁ ନିରୀକ୍ଷଣ କରି କରି ପର୍ବତ ପାଖ ଦେଇ ବହୁତ ଜୋର୍ରେ ନାବ ଚଳାଉ ଥା’ନ୍ତି । ରୂପଧର ନୌକାରେ ଥାଇ ପାହାଡକୁ ଚାହିଁଲେ । ତା’ର ଶିଖର ପ୍ରଦେଶ ମେଘରେ ଢାଙ୍କି ହୋଇଥିବାରୁ କିଛି ଦେଖାଯାଉ ନଥାଏ, ହଠାତ୍ ବିଧ୍ୱଂସିନୀ ରାକ୍ଷସୀର ଛଅ ମୁଣ୍ଡ ତଳକୁ ଝୁଲିପଡି ରୂପଧରଙ୍କ ନୌକାରୁ ଛଅଟି ମଣିଷଙ୍କୁ ଟେକି ନେଇ ଗୁମ୍ଫା ଭିତରକୁ ଗଲା । ଇତିମଧ୍ୟରେ ନୌକା ଆଗକୁ ବଢିଲା । ରୂପଧର ଦେଖିଲେ ଆଗରେ ଏକ ସୁନ୍ଦର ଦ୍ୱୀପ । ସେହି ଦ୍ୱୀପରୁ ଗାଈ ଓ ଛେଳିମାନଙ୍କର ଶବ୍ଦ ଶୁଭୁଥିଲା, ସେତେବେଳେ ରୂପଧରଙ୍କର ସୁକେଶିନୀଙ୍କ କଥା ମନେ ପଡିଲା ।
ରୂପଧର ତାଙ୍କ ଅନୁଚରମାନଙ୍କୁ ଡାକି କହିଲେ, “ବନ୍ଧୁଗଣ, ଆମେ ଏତେ ଭାଗ୍ୟବାନ୍ ନୋହୁଁ କି ଏହି ଦ୍ୱୀପରେ ଓହ୍ଲାଇବା । ଅନେକ ଦୂରରୁ ଆସି ତୁମମାନଙ୍କର ମନ ବିଶ୍ରାମ କରିବା ପାଇଁ ଛଟପଟ କରୁଥିବ । କିନ୍ତୁ ସାଙ୍କେତିକ ଓ ସୁକେଶିନୀ ମୋତେ ସାବଧାନ କରି କହିଛନ୍ତି କି ଏ ଦ୍ୱୀପରେ ଓହ୍ଲାଇବା ବିପଜ୍ଜନକ । ଜାଣି ଶୁଣି ବିପଦ ବରଣ କିପରି କରିବା? ତେଣୁ ତୁମେ ନୌକାକୁ ଏଠାରେ ନରଖି ବାମ ପଟକୁ ଘୁରାଇଦିଅ ।”
ତାଙ୍କ କଥା ଶୁଣି ନାବିକମାନେ ହତାଶହେଲେ; ସେମାନେ ନିରୁତ୍ସାହିତ ହେବାରୁ ମାୟାବୀ କହିଲେ, “ରୂପଧର, ତୁମେ ମନୁଷ୍ୟ ନୁହଁ ପଥର । ତୁମର ବିଶ୍ରାମ ଦରକାର ନାହିଁ । ହେଲେ ଏମାନଙ୍କୁ ଦେଖି ଏମାନଙ୍କ ବିଷୟରେ ଟିକିଏ ବିଚାର କର । ଏମାନେ ଏତେ କ୍ଳାନ୍ତ ଯେ ମନେ ହେଉଛି କେଉଁ ମୁହୂର୍ତ୍ତରେ ଏମାନଙ୍କ ପ୍ରାଣପକ୍ଷୀ ଉଡିଯିବ । ତୁମେ ତ ସେମାନଙ୍କୁ ଓହ୍ଲାଇବାକୁ ମନାକରୁଛ । ସେମାନେ ଏବେ ଖାଦ୍ୟ ପ୍ରସ୍ତୁତ କିପରି ବା କରିବେ? ଏବେ କିଛି ସମୟ ପରେ ରାତି ହୋଇଯିବ । ଯଦି ଝଡ ହେବ ବା ବେଶି ପବନ ହେବ ସେପରିସ୍ଥଳେ ସମୁଦ୍ରରେ ବା କିପରି ରହିବା? ଆମ ଅବସ୍ଥା କ’ଣ ହେବ? ଯାହା ବି ହେଉ ଆମେମାନେ ଏହି ଦ୍ୱୀପରେ ଓହ୍ଲାଇବା ଓ ଖାଦ୍ୟ ପ୍ରସ୍ତୁତ କରି ଖାଇବା । ସକାଳୁ ଉଠି ପୁଣି ଯାତ୍ରା କରିବା । ମାୟାବୀଙ୍କ କଥାକୁ ଅନ୍ୟମାନେ ସମର୍ଥନ କଲେ । ରୂପଧର ଜାଣିଗଲେ କି ବିଧିର ବିଧାନ କେହି ବଦଳାଇ ପାରିବ ନାହିଁ । ସୁତରାଂ ସେ ମାୟାବୀଙ୍କୁ କହିଲେ, “ଯଦି ତୁମମାନଙ୍କର ଇଚ୍ଛା ତାହାହିଁ ହୁଏ, ତେବେ ମୁଁ ଏକେଲା କ’ଣ ବା କରିପାରିବି? କିନ୍ତୁ ତୁମ ସମସ୍ତିଙ୍କୁ ଗୋଟିଏ ଶପଥ ନେବାକୁ ହେବ । ଯଦି ଗାଈ ଓ ଛେଳି ତୁମେ ଦେଖିବ ତାକୁ ଭୁଲ୍ରେ ସୁଧା ଛୁଇଁବ ନାହିଁ । କାରଣ ସେଥିରେ ମହାବିପଦ ଅଛି । ସୁକେଶିନୀ ଯାହା ଖାଦ୍ୟ ଦେଇଛନ୍ତି ସେତିକି ମାତ୍ର ଖାଇବ । ଛେଳି ଧରି କାଟି ଖାଇବା ପାଇଁ ଆଦୌ ଚେଷ୍ଟା କରିବ ନାହିଁ । ଏହି ବିଷୟରେ ତୁମେମାନେ ଶପଥ କରି ମୋତେ କହିବା ପରେ ଯାଇ ଏଠାରେ ଓହ୍ଲାଇବ । ଏହି ଦ୍ୱୀପର ନାମ ତ୍ରିନାଶିୟା ଦ୍ୱୀପ । ତୁମେ ଏହି କଥା ରକ୍ଷା କଲେ ଯାଇ ଏଠାରେ ପାଦ ରଖିବ ।”
ସମସ୍ତେ ମୁକ୍ତ କଣ୍ଠରେ ଶପଥ କଲେ ।