ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରୂପଧରଙ୍କ ଯାତ୍ରା

ତୁରନ୍ତ ପଦ୍ମମୁଖୀ ସେ ବୃଦ୍ଧାଙ୍କୁ କହିଲେ, “ଧାଇମା, ତାଙ୍କ ପାଇଁ ପଲଙ୍କ ଏଠିକୁ ନେଇଆସ । ସେଥିରେ କେବଳ କମ୍ବଳ ବିଛାଇଦିଅ ।”

ଏହା ଶୁଣି ରୂପଧର ଉତ୍ତେଜିତ ହୋଇ କହିଲେ, “ମୋ ପଲଙ୍କକୁ କିଏ ସେ ଉଠାଇ କେଉଁଠାରେ ରଖିଛି? ଏହାକୁ ତ ଉଠାଇବା ମୋଟେ ସମ୍ଭବ ନୁହେଁ ।”

ପ୍ରକୃତରେ ସେହି ପଲଙ୍କରେ ଏକ ରହସ୍ୟ ଛପି ରହିଥିଲା । ଯେତେବେଳେ ରୂପଧର ଏହି ଭବନ ନିର୍ମାଣ କରୁଥିଲେ, ସେହି ସମୟରେ ଶୟନାଗାର ପାଇଁ ନିର୍ଦ୍ଧାରିତ ସ୍ଥାନରେ ଏକ ବିରାଟ ବୃକ୍ଷ ଥିଲା । ଏହାକୁ ଛେଦନ କରାଯିବା ସମୟରେ, ବୃକ୍ଷର ନିମ୍ନାଂଶଟିକୁ ଭୂମିରୁ ଉତ୍ପାଟନ କରାଯାଇ ନ ଥିଲା । ଏହାକୁ ଏକ ସୁନ୍ଦର ଆକୃତିରେ ଖୋଦେଇ କରାଯାଇ, ସେଥିରେ ଏକ ପଲଙ୍କ ପ୍ରସ୍ତୁତ ହୋଇଥିଲା । ପଦ୍ମମୁଖୀ ଜାଣିବା ପାଇଁ ଚାହୁଁଥିଲେ, ପ୍ରକୃତରେ ଏହି ରହସ୍ୟ ଏହି ବ୍ୟକ୍ତି ଜଣକ ଜାଣିଛନ୍ତି, କି ନାହିଁ? ଏବେ ତାଙ୍କର ସବୁ ସନ୍ଦେହ ଦୂରେଇ ଗଲା । ପତିଙ୍କୁ ଆଲିଙ୍ଗନ କରି ସେ କହିଲେ, “ହେ ପ୍ରିୟ ମୋତେ କ୍ଷମା କର । କାଳେ କେଉଁ ସମୟରେ ମୁଁ ପଥ ଭୁଲିଯିବି, ଠକାମୀରେ ପଡିଯିବି, ଏଇ ଆଶଙ୍କାରେ ମୁଁ ଜୀବନ୍ମୃତ ଅବସ୍ଥାରେ ଥିଲି ।”

ପତ୍ନୀଙ୍କର ଏହି ସତର୍କତା, ରୂପଧରଙ୍କୁ ଆହୁରି ଅଧିକ ଆନନ୍ଦିତ କଲା । ଏବେ ସେ ଠିକ୍ ବୁଝିପାରିଲେ, ପତ୍ନୀଙ୍କର ପୂର୍ବଆଚରଣର ରହସ୍ୟ । ସେଦିନ ରାତିରେ ପଦ୍ମମୁଖୀ ପତିଙ୍କୁ, ନିଜର ଦୀର୍ଘ କୋଡିଏ ବର୍ଷର ଦୁଃଖଦ ଅନୁଭୂତି ଶୁଣାଇଲେ ଓ ପତିଙ୍କର ଅଭିଜ୍ଞତା ମଧ୍ୟ ସେ ଜାଣିବାକୁ ପାଇଲେ । ପ୍ରଭାତ ହେବା ପୂର୍ବରୁ ରୂପଧର କବଚ ପରିଧାନ କରି, ଧୀରମତି ଓ ଅନ୍ୟ ସମସ୍ତଙ୍କୁ ପ୍ରସ୍ତୁତ ହେବା ପାଇଁ କହିଲେ । କେହି ଦେଖିବା ଆଗରୁ, ସେମାନେ ସେ ନଗର ପରିତ୍ୟାଗ କରି ସାରିଥିଲେ ।

ସେମାନେ ରୂପଧରଙ୍କ ପିତା ପିପୀଲ୍ଲକଙ୍କ ନିକଟରେ ଯାଇ ପହଁଚିଲେ । ପିପୀଲ୍ଲକ ବହୁ ପୂର୍ବରୁ ଶାସନଦାୟିତ୍ୱ ବହନ କରିଥିଲେ । ଏବେ ସେଠାରେ ବୃକ୍ଷ-ଲତା ଗୁଡିକର ଯତ୍ନ ନେବା ସହିତ ଏହି ଅରଣ୍ୟରେ କୁଟୀର ନିର୍ମାଣ କରି ରହୁଥାନ୍ତି । ବୃଦ୍ଧ ପିପୀଲ୍ଲକ, ଏକ ବୃକ୍ଷ ରୋପଣ କରୁଥିବା ସମୟରେ ରୂପଧର ଓ ଅନ୍ୟମାନେ ଯାଇ ସେଠାରେ ପହଁଚିଲେ । ଆର୍ଥିକ ଅବସ୍ଥା ଶୋଚନୀୟହେତୁ, ତାଙ୍କର ପୋଷାକ ଚିରାଫଟା ଥିଲା ।

ତାଙ୍କୁ ଦେଖୁଦେଖୁ ରୂପଧରଙ୍କ ଆଖିରୁ ଅଶ୍ରୁ ନିଗିଡି ପଡିଲା । ମନ କହୁଥାଏ, ସଙ୍ଗେସଙ୍ଗେ ପିତାଙ୍କୁ ଆଲିଙ୍ଗନ କରି ସବୁ ଘଟଣା କହିଦେବାପାଇଁ । କିନ୍ତୁ ସନ୍ଦେହ ହେଉଥାଏ, ସେ କାଳେ ତାଙ୍କୁ ଚିହ୍ନିପାରିବେ କି ନାହିଁ । ତେଣୁ ପ୍ରଥମେ ପିତାଙ୍କ ସ୍ମୃତି ଶକ୍ତି ପରୀକ୍ଷାର କୌତୁହଳରେ ସେ ତାଙ୍କ ନିକଟକୁ ଯାଇ କହିଲେ, “ମହାଶୟ, ଆପଣ ଏଇ ଗଛଗୁଡିକୁ ଖୁବ୍ ଯତ୍ନର ସହିତ ଦେଖା ରଖା କରୁଛନ୍ତି । କିନ୍ତୁ ମନେ ହେଉଛି, ଆପଣଙ୍କର ଦେଖା ଚାହାଁ କରିବା ପାଇଁ ଏଠାରେ କେହିବି ନାହାଁନ୍ତି । କ’ଣ ତୁମର ମାଲିକ ତୁମ କାମରେ ସନ୍ତୁଷ୍ଟ ନୁହଁନ୍ତି?”

ବୃଦ୍ଧ ଉପରକୁ ମୁହଁ ତୋଳି ପଚାରିଲେ “ପୁତ୍ର! ତୁମେ କିଏ? କେଉଁ ଦେଶର ଅଧିବାସୀ?” ତହୁଁ ରୂପଧର କହିଲେ “ମୁଁ ଜଣେ ପରିଭ୍ରମଣକାରୀ । ପାଂଚବର୍ଷତଳେ ରୂପଧର ନାମକ ଜଣେ ବ୍ୟକ୍ତିଙ୍କ ସହ ମୋର ସାକ୍ଷାତ ହୋଇଥିଲା । ଶୁଣିଥିଲି, ସେ କୁଆଡେ ଏହି ଦେଶର ଅଧିବାସୀ ଅଟନ୍ତି । ତାଙ୍କୁ ଭେଟିବା ଆଶାରେ ମୁଁ ଏଠାକୁ ଆସିଛି ।”

ପୁତ୍ର ରୂପଧରଙ୍କ ନାମ ଶୁଣିବାମାତ୍ରେ ବୃଦ୍ଧ ମାଟିବୋଳା ପାପୁଲିରେ ନିଜ ମୁହଁକୁ ଘୋଡେଇ, ରୋଦନ କରି ଉଠିଲେ । ଏସବୁ ଘଟଣା ଦେଖି ସେ ରୂପଧର ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଲେ । ତା’ପରେ ସେ ଅବିଳମ୍ବେ ନିଜ ପିତାଙ୍କୁ କୁଣ୍ଢାଇ ପକାଇ କହିଲେ, “ପିତ୍ରାଶ୍ରୀ, ମୁଁ ନିଜେ ରୂପାଧର । ମୁଁ କୋଡିଏ ବର୍ଷ କାଳ ଦୁଃଖ ଯାତନା ସହ୍ୟ କରି ସ୍ୱଦେଶକୁ ଫେରିଛି । ସବୁ ଶତ୍ରୁଙ୍କୁ ମୁଁ ନିପାତ କରି ଦେଇଛି ।”

ପିପୀଲ୍ଲକ ଭୟଭୀତ ହୋଇ କହିଲେ “ତୁମେ ଏପରି କାହିଁକି କଲ, ପୁତ୍ର! ଏଠିକା ଅଧିବାସୀ ମାନେ ତୁମକୁ ଜୀବନରେ ଆଉ ରଖିବେ ନାହିଁ । ପାଖ ପଡୋଶୀ ଶାସକମାନଙ୍କ ସହାୟତାରେ ସେମାନେ ତୁମକୁ ଆକ୍ରମଣ କରି ଶେଷ କରିଦେବେ ।”

“ଆପଣ ନିଜ ମନରୁ ସେ ଭୟ ତ୍ୟାଗ କରନ୍ତୁ । ମୋ ସହିତ ଚାଲନ୍ତୁ, ଆମେ ଭୋଜନ କରିବା । ଚାକରଙ୍କୁ ମୁଁ ଭୋଜନ ବ୍ୟବସ୍ଥା ପାଇଁ ଅନୁମତି ଦେଇ ଆସିଥିଲି ।” ଏପରି କହି ରୂପଧର ପିତାଙ୍କୁ ସାଙ୍ଗରେ ଆଣିଲେ । ପଶୁପାଳକ ଓ ମେଷ-ରଖୁଆଳ ରୋଷେଇ ସମାପ୍ତ କରିଥାନ୍ତି । ପିପୀଲ୍ଲକ ପରିଷ୍କାର ରୂପେ ଧୁଆଧୋଇ ହୋଇ ଆସିବାରୁ, ରୂପଧର ଲକ୍ଷ୍ୟ କଲେ, ତାଙ୍କ ପିତା ଏବେ ବି ବଳିଷ୍ଠ ଓ ଦୃଢ ଅଛନ୍ତି । ତାଙ୍କର ଶରୀରଗଠନ ରୂପଧରଙ୍କୁ ବିସ୍ମିତ କଲା । ତା’ପରେ ସମସ୍ତେ ଏକତ୍ର ଭୋଜନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ