ଇତ୍ୟବସରରେ ରୂପଧରଙ୍କ ଦ୍ୱାରା ସଂଗଠିତ ହତ୍ୟା ସମାଚାର ସାରା ନଗରରେ ଖେଳିଗଲା । ଲୋକମାନେ କୋଳାହଳ କରି ରୂପଧରଙ୍କ ଘର ଆଡକୁ ଧାଇଁଲେ । ସେତେବେଳେ ସେଠିକାର ଦୃଶ୍ୟ ଅତ୍ୟନ୍ତ ଭୟାବହ ଥିଲା । ଯେଉଁଆଡେ ଚାହିଁଲେ, ସେହିଆଡେ ଖାଲି ଶବ ହିଁ ଶବ ବିଛାଡି ହୋଇ ପଡିଥିଲା । ସେମାନେ କେହି ଜାଣିପାରୁନଥାନ୍ତି, ଏହି ହତ୍ୟାକାଣ୍ଡ କିପରି ଘଟିଛି ଓ କିଏ ଏହାର କର୍ତ୍ତା । ପଦ୍ମମୁଖୀ, ଧୀରମତି ତଥା ଅନ୍ୟାନ୍ୟ ଦାସ-ଦାସୀଙ୍କୁ ସେଠାରେ ନ ଥିବାର ଦେଖି, ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହୁ ନ ଥାଏ । ଯିଏ ଯାହାର ସମ୍ପର୍କୀୟର ଶବ ଚିହ୍ନଟ କରି ନେଇଯାଉଥାନ୍ତି । କିନ୍ତୁ ଦୁର୍ବୁଦ୍ଧିର ପିତା ସନ୍ଦେହ ପ୍ରକଟ କଲେ । ତାଙ୍କ ଭାବନାରେ ଏହି କାଣ୍ଡ କେବଳ ରୂପଧରଙ୍କ ଦ୍ୱାରା ହିଁ ସଂଘଟିତ ହୋଇଛି । ସେଠାରେ ମଧ୍ୟ ଏପରି ଅନ୍ୟ କିଛି ପ୍ରମାଣ ମିଳିଲା, ଯାହାକି ତାଙ୍କର ସନ୍ଦେହକୁ ପ୍ରମାଣିତ କଲା ।
ଦୂରଦୂରାନ୍ତରରୁ ଆସିଥିବା ଲୋକମାନେ, ତାଙ୍କ ସମ୍ପର୍କୀୟଙ୍କ ଶବଗୁଡିକୁ ନୌକାରେ, ନିଜ ନିଜ ଦେଶକୁ ପଠାଇଦେଲେ ।
ଏହାପରେ ସେ ନଗରରେ ସଭା ହେଲା । ଦୁର୍ବୁଦ୍ଧିର ପିତା ସମସ୍ତଙ୍କୁ ଉତ୍ତେଜିତ କରାଇବାକୁ ଯାଇ କହିଲେ, “ବନ୍ଧୁଗଣ । କେବଳ ରୂପଧରହିଁ ଏସବୁ ହତ୍ୟାକାଣ୍ଡର କାରଣ, ଏହା ନିଃସନ୍ଦେହ ଅଟେ । ଏହି ନାରକୀୟ ଘଟଣା ଅତ୍ୟନ୍ତ ଦାରୁଣ । ରୂପଧର ନିଜ ସାଥିରେ କେତେ ନୌକା, କେତେ ଯୁବକଙ୍କୁ ନେଇ ଯୁଦ୍ଧଭୂମିକୁ ଯାଇଥିଲା । ସେମାନେ ସମସ୍ତେ ବିଧ୍ୱଂସ ହୋଇ ମୃତ୍ୟୁବରଣ କଲେ । ଏବେ ସେ ଏକାକୀ ଦେଶକୁ ଫେରିଆସି, ଦେଶର ସବୁ ବଳିଷ୍ଠ ଯୁବକମାନଙ୍କୁ ହତ୍ୟା କରିଛି । ସେହି ଦୁଷ୍ଟ ପୈଲାସ କି ଏଲିସ୍କୁ ପଳାୟନ କରିବା ପୂର୍ବରୁ, ଆମେ ତାକୁ ଧରିବା ନିହାତି ଆବଶ୍ୟକ । ଆମର ପ୍ରତିଶୋଧ ଦରକାର । ଆମ ପୁତ୍ରମାନଙ୍କର ହତ୍ୟାକାରୀକୁ ଯଦି ଆମେ ସମୁଚିତ ଶାସ୍ତି ଦେଇ ନ ପାରିବା, ତେବେ ତା’ଠାରୁ ବଳି ଅପମାନ, ଆଉ କ’ଣ ବା ହୋଇପାରେ? ମୁଁ ପଛକେ ପ୍ରାଣ ହାରିଦେବି, କିନ୍ତୁ ଏହି କଳଙ୍କ କେବେବି ବରଦାସ୍ତ କରି ପାରିବି ନାହିଁ । ପ୍ରତିଶୋଧ ପାଇଁ ସମସ୍ତେ ପ୍ରସ୍ତୁତ ହୋଇଯାଅ ।” ତାଙ୍କର ଏହି ଉତ୍ତପ୍ତ ଭାଷଣ ଓ ଆଖିର ଲୁହଧାର ଲୋକମାନଙ୍କ ମନରେ ପ୍ରତିଶୋଧର ନିଆଁ ଜାଳିଦେଲା ।
ଠିକ୍ ଏହି ସମୟରେ ସେଠାରେ ଗୋଟିଏ ଲୋକ ପହଁଚିଲା । ରୂପଧର ପ୍ରାଣ-ଭିକ୍ଷା ଦେଇ ଦୁଣଜଣଙ୍କୁ ନ ମାରି ଛାଡିଦେଇଥିଲେ । କାରଣ ତାଙ୍କ ବିଚାରରେ ସେମାନେ ନିର୍ଦୋଷ ଥିଲେ । ଏହି ବ୍ୟକ୍ତି, ସେମାନଙ୍କ ମଧ୍ୟରୁ ଜଣେ । ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଲା, “ହେ ଇଥାକା ନାଗରିକ ବୃନ୍ଦ, ମୋର କଥା ଧ୍ୟାନର ସହିତ ଶୁଣ । ଯେଉଁ ସମୟରେ ଏହି ହତ୍ୟାକାଣ୍ଡ ହୋଇଛି, ମୁଁ ସେତେବେଳେ ସେଠାରେ ଉପସ୍ଥିତ ଥିଲି । ମୁଁ ସ୍ୱଚକ୍ଷୁରେ ଦେଖିଛି ରୂପଧରଙ୍କ ସମୀପରେ ବୁଦ୍ଧିମତୀ ଦେବୀ ମଧ୍ୟ ଦଣ୍ଡାୟମାନ ଥିଲେ । ଏହି ହତ୍ୟାକାଣ୍ଡ ଦୈବ-ନିର୍ଦ୍ଧାରିତ ଅଟେ । ତେଣୁ ରକ୍ତପାତ ଓ ପ୍ରତିଶୋଧର ବିଚାର ତ୍ୟାଗ କରନ୍ତୁ ।”
ଏହି କଥା ଶୁଣି ସମସ୍ତଙ୍କର ମୁଖ ବିବର୍ଣ୍ଣ ହୋଇଗଲା ।
ଜଣେ ବୃଦ୍ଧ ଉଠିପଡି କହିଲେ, “ଯାହା ହେବାର ଥିଲା ତାହା ତ ଘଟିଯାଇଛି, ଏବେ ଆଉ କାହିଁକି ଅଯଥା ହତ୍ୟା, ରକ୍ତପାତ? ସତ କହିବାକୁ ଗଲେ, ତୁମ ପୁତ୍ରର ଭୁଲ୍ ରହିଛି । ପ୍ରଥମରୁ ନିଜ ପୁତ୍ରକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ମୁଁ ତୁମକୁ ଅନେକ ଥର ଚେତାବନୀ ଦେଇଛି । ମାତ୍ର ତୁମେ ଶୁଣି ନ ଶୁଣିବା ପରି ରହିଗଲ । ତୁମ ପୁତ୍ର ଭାବୁଥିଲା, ରୂପଧର ଆଉ ଫେରିବ ନାହିଁ । ଏହି ସାହସରେ ସେ ତା ଧନସମ୍ପତ୍ତି ବରବାଦ କରି, ତା ପତ୍ନୀଙ୍କୁ ଅପମାନିତ କରୁ ଥିଲା । ତା’ର ପ୍ରତିଫଳ ସେ ଏବେ ଠିକ୍ ପାଇଛି ।”
ବୃଦ୍ଧାଙ୍କ କଥାରେ ପ୍ରାୟ ଅର୍ଦ୍ଧେକ ଲୋକ ପ୍ରଭାବିତ ହୋଇ ସେ ସ୍ଥାନ ପରିତ୍ୟାଗ କରି ଚାଲିଗଲେ । ଅବଶିଷ୍ଟ ଜନତା ପ୍ରତିଶୋଧ ନେବାପାଇଁ ନିଷ୍ପତି ନେଲେ । ଦୁର୍ବୁଦ୍ଧିର ପିତାଙ୍କ ନେତୃତ୍ୱରେ ହତିଆର ଧରି, ସେମାନେ ଅରଣ୍ୟ ନିବାସ ଅଭିମୁଖେ ବାହାରିଲେ । ଆଗରୁ ପ୍ରସ୍ତୁତଥିବା ପିପୀଲ୍ଲକ, ରୂପଧର, ଧୀରମତି ତଥା ଅନ୍ୟମାନେ ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଲେ ।
ଧୀରମତି ଉତ୍ସାହିତ ହୋଇ ପିତାଙ୍କୁ କହିଲେ, “ପିତାଶ୍ରୀ, ଆଜି ଏମାନଙ୍କୁ ମୁଁ ମୋର ପରାକ୍ରମ ଦେଖାଇବି ।”
ପିପୀଲ୍ଲକ ଆନନ୍ଦିତ ହୋଇ କହିଲେ, “ଆଜି ବଡ ସୌଭାଗ୍ୟର ଦିନ ଅଟେ । ମୋର ପୁତ୍ର, ନାତିଙ୍କର ଏହି ବଳ-ବିକ୍ରମର ପ୍ରଦର୍ଶନ, ମୋ ଜୀବନକାଳରେ ମୁଁ ଦେଖିପାରିବି ।” ଉତ୍ସାହିତ ହୋଇ ସେ ଦୁର୍ବୁଦ୍ଧିର ପିତାଙ୍କୁ ଲକ୍ଷ୍ୟ କରି ବର୍ଚ୍ଛା ନିକ୍ଷେପ କଲେ । ଏଇ ପ୍ରହାରରେ ସେ ଧରାଶାୟୀ ହୋଇଗଲା । ରୂପଧର ଓ ଅନ୍ୟମାନେ, ଅବଶିଷ୍ଟ ଲୋକଙ୍କୁ ଆକ୍ରମଣ କଲେ । କିନ୍ତୁ ଠିକ୍ ଏହି ସମୟରେ ଦେବୀ ବୁଦ୍ଧିମତୀଙ୍କର କଣ୍ଠସ୍ୱର ଭାସି ଆସିଲା ।
“ହେ ଇଥାକା ଅଧିବାସୀ ଗଣ । ଏହି ରକ୍ତପାତ ବନ୍ଦ କର ।” ତାଙ୍କ କଣ୍ଠସ୍ୱର ଶୁଣି ସମସ୍ତେ ସ୍ତବ୍ଧ ହୋଇ ଗଲେ । ସେମାନଙ୍କ ହାତରୁ ଅସ୍ତ୍ର ଖସି ପଡିଲା । ନୀରବରେ ନଗରକୁ ଧୀରେ ଧୀରେ ଫେରିଗଲେ ।
ଏହାପରେ ରୂପଧରଙ୍କ ଜୀବନରେ ଆଉ ଶତ୍ରୁ ଭୟ ରହିଲା ନାହିଁ । ସେ ପିତା, ପତ୍ନୀ ଓ ପୁତ୍ରଙ୍କ ସହିତ ସୁଖୀ ଓ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବା ଆରମ୍ଭ କଲେ ।