ଦୁଇଦିନ ଯାଏଁ ସେମାନେ ଆଦୌ ସୂର୍ଯ୍ୟଙ୍କୁ ଦେଖି ନଥା’ନ୍ତି । ତୃତୀୟଦିନ ସୂର୍ଯ୍ୟୋଦୟ ଦେଖିବା ପରେ ସେମାନଙ୍କ ଦେହରେ ପ୍ରାଣ ସଂଚାର ହେବା ପରି ଲାଗିଲା । ସେମାନେ ମାସ୍ତୁଲ୍ରେ ପାଲ ପୁଣି ବାନ୍ଧି ନୌକା ମେଲିଦେଲେ । ପବନ ବେଗରେ ନୌକା ବେଶ୍ ଚାଲିଥାଏ । ଚାରିଦିନର ଯାତ୍ରା ପରେ ସେମାନେ ମହିଆରେରେ ପହଁଚିଲେ । ସେହିଠାରୁ ଉତ୍ତରରେ ଯାଇଥିଲେ ନିଜ ଦେଶରେ ପହଁଚି ପାରିଥାନ୍ତେ । କିନ୍ତୁ ସେମାନେ ପୁଣି ଆଗକୁ ଚାଲିଲେ । ଭୟଙ୍କର ପବନ ହେତୁ ନୌକାମାନେ ନଅଦିନ ନଅରାତି କାଳ ଭାସି ଭାସି ଏକ ତଟରେ ଆସି ଲାଗିଲେ । ସୈନ୍ୟମାନେ ସ୍ୱଦେଶକୁ ଫେରିବାପାଇଁ ଚାହୁଁଥିଲେ । କିନ୍ତୁ ବାତାବରଣ ସେମାନଙ୍କର ଅନୁକୂଳ ନଥିଲା । ସେମାନଙ୍କର ଭୟ ହେଲା ବହୁତ ଦିନ ଏପରି ନିରୁଦ୍ଦିଷ୍ଟ ଭାବରେ ଭାସିବାକୁ ହେବ । ଅବଶେଷରେ ନୌକାସବୁ ଯାଇ ଯେଉଁ ତଟରେ ଲାଗିଲେ, ସେଠାକାର ବାସିନ୍ଦାମାନେ ଏକ ପ୍ରକାର ଫଳ ଖାଆନ୍ତି ଯାହାରକି ମାଦକଦ୍ରବ୍ୟ ପରି ପ୍ରଭାବ ଥାଏ । ସେହି ଫଳ ଅତ୍ୟନ୍ତ ମିଠା, ତାହା ମଧ୍ୟରେ ମଞ୍ଜି ବା ଟାକୁଆ ଆଦୌ ନାହିଁ । ଏହାକୁ ଖାଇଲେ ମଣିଷ ପୁରୁଣା କଥା ସବୁ ଭୁଲିଯାଏ । ପୃଥିବୀର କୌଣସି ବିଷୟରେ ତା’ର ଚିନ୍ତା ରହେନାହିଁ । ନିଜର କଳ୍ପନା ଜଗତରେ ସେ ଖାଲି ବିହାର କରୁଥାଏ । ନିଜ ପରିବାରର ଭଲମନ୍ଦ ସେ ମନେରଖି ପାରେ ନାହିଁ । ସେ ଫଳ ରସ ଖାଇ ସବୁ ଭୁଲିଯାଏ ଏବଂ ପୁଣି ଖାଏ । ଅତି ଆନନ୍ଦରେ ସେଠି ସେ ରହିଥାଏ ।
ଏସବୁ କଥା ତ ରୂପଧର ଜାଣି ନଥିଲେ । ତାଙ୍କ ଅନୁଚରମାନେ ଖାଦ୍ୟମାନ ତିଆରି କରୁଥା’ନ୍ତି ଓ ଖାଉଥାନ୍ତି । ଥରେ ରୂପଧର ତିନିଜଣ ସୈନ୍ୟଙ୍କୁ ଡାକି କହିଲେ, “ଯାଇ ଦେଖିଆସ, ଏହି ତଟରେ ଥିବା ଗ୍ରାମରେ ଲୋକମାନେ କି ପ୍ରକାରର ।”
ତହୁଁ ସୈନ୍ୟ ତିନିଜଣ ସାହସ କରି ଯାଇ ଜନପଦରେ ପହଁଚିଲେ ଓ ସେଠାକାର ଲୋକମାନଙ୍କ ସହ ମିଶିବାର ଚେଷ୍ଟା କଲେ । ସଫଳ ମଧ୍ୟ ହେଲେ ।
ସେଠାକାର ଲୋକମାନେ ଗ୍ରୀକ୍ମାନଙ୍କର କୌଣସି କ୍ଷତି କଲେ ନାହିଁ; ବରଂ ସେମାନଙ୍କୁ ଡାକି ଡାକି ଖାଇବାକୁ ଦେଲେ । ଖାଦ୍ୟ ଭିତରେ ଉପରୋକ୍ତ ଫଳସବୁ ଦେଲେ । ଗ୍ରୀକ୍ମାନେ ତାକୁ ସବୁ ଖାଇ ଆନନ୍ଦରେ ଗଡିଲେ ଏବଂ ଭୁଲିଗଲେ ସେମାନେ କେଉଁଥି ପାଇଁ ଏଠାକୁ ଆସିଛନ୍ତି । ସେମାନେ ଆନନ୍ଦରେ ଫଳ ଖାଇ ଚାଲିଥା’ନ୍ତି ।
ବହୁତ ସମୟ ବିତି ଯିବାପରେ, ଲୋକମାନେ ନ ଫେରିବାରୁ ରୂପଧର କିଛି ସୈନିକଙ୍କୁ ନେଇ ସେମାନଙ୍କୁ ଖୋଜିବାକୁ ବାହାରିଲେ । ସେଠାରେ ପହଁଚି ସେ ସବୁ ବୁଝିଗଲେ । ସେଠାକାର ବାସିନ୍ଦା ରୂପଧରଙ୍କୁ ମଧ୍ୟ ସେହି ଫଳ ଦେଲେ । କିନ୍ତୁ ସେ ତାହା ଖାଇଲେ ନାହିଁ । କାରଣ ସେ ସନ୍ଦେହ କଲେ ଯେ ଏହି ଫଳ ଯୋଗୁଁ ତାଙ୍କ ସୈନ୍ୟମାନଙ୍କର ଆଜି ହୁଏତ ଏଭଳି ଦଶା ହୋଇଛି ସେହି ସୈନ୍ୟମାନଙ୍କୁ ସେମାନେ ବଳପୂର୍ବକ କାନ୍ଧରେ ପକାଇ ନୌକାକୁ ନେଇ ଆସିଲେ । ସେମାନେ ଚିତ୍କାର କରୁଥା’ନ୍ତି, “ଆମେ ତୁମ ସହିତ ରହିବାକୁ ଚାହୁଁ ନାହୁଁ । ଆମେ ଏଇଠାରେ ରହିବାକୁ ଚାହୁଁ । ଏଠାରେ ଆମକୁ ଭଲ ଲାଗୁଛି ।”
ରୂପଧର ସେମାନଙ୍କ ହାତ ବାନ୍ଧି ଆଣି ନୌକାରେ ପକାଇ ଦେଲେ । ସେମାନେ ନିଶାଗ୍ରସ୍ତ; ଅଧିକ ସମୟ ସେଠାରେ ରହିଲେ ବିପଦ ବୋଲି ଭାବି ଶୀଘ୍ର ଶୀଘ୍ର ରୂପଧର ନୌକା ଚଳାଇଲେ । ବହୁତ ଦିନ ସମୁଦ୍ରରେ ଭାସି ଭାସି ନୌକା ଦିନେ ରାତ୍ରିରେ ଏକ ଦେଶରେ ଯାଇ ଲାଗିଲା । ସେତେବେଳେ କୁହୁଡି ଯୋଗୁଁ କିଛି ଦେଖା ଯାଉ ନଥିଲା । ସେମାନେ କେଉଁ ଦେଶ କିଛି ନ ଜାଣି କୂଳରେ ଥିବା ବାଲି ଉପରେ ସବୁ ଆରାମ୍ରେ ଶୋଇଲେ ।