ସକାଳେ ଉଠି ସମସ୍ତେ ଚତୁର୍ଦ୍ଦିଗରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କଲେ । ମନେ ହେଉଥିଲା ଏହା ଏକ ଜନମାନବ ଶୁନ୍ୟ ଦ୍ୱୀପ । ତେଣୁ ସେମାନେ ନିର୍ଭୟରେ ଘୁରି ବୁଲିଲେ । ଦ୍ୱୀପଟି ପାଣି ଓ ନାନା ପ୍ରକାର ଫଳରେ ପୂର୍ଣ୍ଣ ଥିଲା । ଅଙ୍ଗୁରଲତା ଚାରିଆଡେ ମାଡିଥାଏ । ସେମାନେ ବୁଲୁବୁଲୁ ବଣୁଆ ଛେଳିମାନଙ୍କୁ ଦେଖିଲେ । ନୌକାକୁ ଯାଇ ଅସ୍ତ୍ର ଶସ୍ତ୍ର ନେଇ ଆସି ଅନେକେ ପଶୁ ମାରିଲେ ଓ ରାନ୍ଧି ଖାଇଲେ । ସେମାନେ ସେଠାରେ ବଡ ଖୁସିରେ ଥା’ନ୍ତି । ଅନେକ ଦୂରରେ ଜନମାନବମାନେ ଥିବାର ଲାଗିଲା । ସଂଧ୍ୟାବେଳକୁ ଦେଖାଗଲା ଯେ ବହୁ ଦୂରରେ ଘରମାନଙ୍କରୁ ଧୁଆଁ ବାହାରୁଛି । ମନେ ହେଲା ଲୋକମାନେ ରନ୍ଧାବଢା କରୁଛନ୍ତି ।
ପ୍ରଭାତ ହେବା ପରେ ରୂପଧର ତାଙ୍କ ସୈନ୍ୟମାନଙ୍କୁ କହିଲେ, “ମୁଁ କିଛି ସୈନ୍ୟ ନେଇ ସାରା ଦ୍ୱୀପଟି ବୁଲି ଦେଖିବି । ସଭ୍ୟସମାଜର ଲୋକେ ଏଠାରେ ରହିଛନ୍ତି ନା ପାହାଡି ଆଦିବାସୀ ରହିଛନ୍ତି ତାହା ଦେଖି ମୁଁ ଫେରିବି । ମାତ୍ର ସେ ପର୍ଯ୍ୟନ୍ତ ତୁମେମାନେ ନୌକାକୁ ରକ୍ଷା କରି ଏଠାରେ ରହିଥାଅ ।”
ଦ୍ୱୀପକୁ ଯାଇ ରୂପଧର ବୁଝିପାରିଲେ କି ସେଠାରେ ମଣିଷଠାରୁ ଅଧିକ ବଳବାନ୍ କୌଣସି ପ୍ରାଣୀ ନିଶ୍ଚୟ ରହନ୍ତି । କାରଣ ଅତି ବିଶାଳ ଶିଳା ଖଣ୍ଡମାନ ପାହାଡରୁ ଭାଙ୍ଗି ଆଣି ତଳେ ଜମା କରା ହୋଇଥିଲା । ମହାଦ୍ରୁମ କେତୋଟି କେହି ଉପାଡି ପକାଇ ଖରାରେ ଶୁଖିବା ପାଇଁ ଛାଡିଦେଇଥିଲା । ଏସବୁ ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହେଲେ ।
କିଛି ଦୂର ଯିବା ପରେ ରୂପଧର ଦେଖିଲେ ଯେ ବିଚିତ୍ର ଗୁମ୍ଫାଟିଏ ଅଛି, ତା’ ଚାରିପାଖରେ ଲତା ମାଡିଛି । ସେ ସେହିଠାରେ ନୌକା ରଖି ସଙ୍ଗରେ ବାରଜଣ ସାହସୀ ସୈନ୍ୟକୁ ନେଇ ଗଲେ । ସଙ୍ଗରେ କିଛି ପାନୀୟ ମଧ୍ୟ ନେଇଗଲେ । ସେହି ପାନୀୟ ସେ ଜଣେ ମନ୍ଦିର ପୂଜାରୀଙ୍କଠାରୁ ପାଇଥିଲେ । ସେ ନଗର ଆକ୍ରମଣ କରି ଅନେକେ ଲୋକକୁ ମାରି ପକାଇଥିଲେ । କିନ୍ତୁ ପୁଜାରୀକୁ ଛାଡି ଦେବାରୁ ସେ କୃତଜ୍ଞତା ସ୍ୱରୂପ ଏହା ଦେଇଥିଲା । ସେଥିରେ କୋଡିଏ ଗୁଣ ପାଣି ମିଶାଇ ପିଇଲେ ମଧ୍ୟ ତାହାର ସ୍ୱାଦ ଓ ସୁଗନ୍ଧ ନଷ୍ଟ ହୁଏ ନାହିଁ ।
ସେମାନେ ଗୁମ୍ଫାରେ ପ୍ରବେଶ କରି ଦେଖିଲେ ସେଠାରେ କେହିବି ମଣିଷ ନାହିଁ । ଗୁଡାଏ ଛେଳି ରହିଛନ୍ତି ଓ ଏକ ବଡ ପାତ୍ରରେ ଦୁଗ୍ଧ ଭର୍ତ୍ତି ହୋଇ ରହିଛି । ସୈନ୍ୟମାନେ କହିଲେ “ଏଠାରେ ତ କାହିଁ କେହି ମଧ୍ୟ ମଣିଷ ନାହାଁନ୍ତି, ଚାଲ ଏ ଦୁଗ୍ଧ ପାତ୍ର ଓ କେତେକ ଛେଳି ଧରି ଆମେ ବରଂ ଏଠାରୁ ପଳାଇବା ।”
କିନ୍ତୁ ରୂପଧର ସେପରି କରିବାକୁ ଦେଲେ ନାହିଁ । ଅନ୍ୟ ପାତ୍ର ମାନଙ୍କରେ ବହୁତ ଲହୁଣୀ ଥିଲା; ସୈନ୍ୟମାନେ ସେସବୁ ଆରାମ୍ରେ ବସି ଖାଇଲେ । ତା’ପରେ ସେମାନେ ଅପେକ୍ଷା କରି ରହିଲେ କେତେବେଳେ ଗୁମ୍ଫାବାସୀ ସବୁ ଆସିବେ । ରୂପଧରଙ୍କର ମନେ ହେଲା, ବୋଧହୁଏ ସେହି ଗୁମ୍ଫା ଭିତରେ ମନୁଷ୍ୟ କେହି ନାହାଁନ୍ତି, ଅନ୍ୟକିଛି ପ୍ରାଣୀଙ୍କର ତାହା ଆବାସସ୍ଥାନ । ସେ ଭାବିଲେ ଗୁମ୍ଫାବାସୀ ଯଦି କୌଣସି ରାକ୍ଷସ ହୋଇଥିବ ତେବେ ଅଚାନକ ଆକ୍ରମଣ କରି ସମସ୍ତିଙ୍କୁ ମାରି ପକାଇବ ।