ଯାହାହେଉ, ରୂପଧର ନିର୍ଭୟ ଥିଲେ । ଟ୍ରୋଜନରେ କାଠଘୋଡାର ବୁଦ୍ଧି ତାଙ୍କରି ଥିଲା ଏବଂ ସେଥିଯୋଗୁଁ ଗ୍ରୀକ୍ମାନେ ବିଜୟଲାଭ କଲେ । ସେ ଯାହାବି ହେଉ ଏବେ ସେ ଗୁମ୍ଫାବାସୀଙ୍କ ପାଇଁ ଅପେକ୍ଷା କରି ରହିଲେ ।
ଶେଷକୁ ଗୁମ୍ଫାବାସୀ ପ୍ରାଣୀଟି ଆସିଲା । ସେମାନେ ତ ଆଗରୁ ଏଭଳି ପ୍ରାଣୀକୁ କେବେବି ଦେଖି ନଥିଲେ । ଭୟଙ୍କର ଏକ ଶବ୍ଦ ସହ ଗୁମ୍ଫା ଭିତରେ ଆସି କିଛି ପଡିଲା । ଦେଖାଗଲା ତାହା ଶୁଖିଲା କାଠର ଏକ ବଡ ବିଡା । ତା’ପରେ ସେ ପ୍ରାଣୀଟି ଗୁମ୍ଫା ଭିତରକୁ ପଶିଲା । ବିଲେଇକୁ ଦେଖି ମୂଷାମାନେ ଡିଆଁମାରିବା ପରି ଗ୍ରୀକ୍ ସୈନ୍ୟମାନେ ଭୟରେ ଏଠି ସେଠି ଯାଇ ଲୁଚିଲେ । ରୂପଧର ବଡ ନିର୍ଭୀକ ସ୍ୱଭାବର ଥିଲେ । ସେ ପ୍ରାଣୀଟି ବିଷୟରେ ଅଧିକ ଜାଣିବାକୁ ଚାହିଁଲେ ଓ ଲୁଚିରହି ତାକୁ ପର୍ଯ୍ୟବେକ୍ଷଣ କଲେ ।
ସେ ପ୍ରାଣୀଟିର ଉଚ୍ଚତା ତାଳଗଛ ପରି ଥିଲା । ତା’ର କପାଳରେ ଗୋଟିଏ ଆଖି ସର୍ବଦା ଜଳୁଥାଏ । ସେ ଛେଳିମାନଙ୍କୁ ଗୁମ୍ଫା ଭିତରକୁ ଡାକି ଆଣିଲା ଓ ଗୁମ୍ଫା ମୁହଁରେ ପଥର ମାଡି ଦେଲା । ତା’ପରେ ସେ ଛେଳି ମାନଙ୍କଠାରୁ ଦୁଗ୍ଧ ଦୋହନ କରିବାରେ ଲାଗିଲା ।
ସେହି ବ୍ୟକ୍ତି ଜଣକ ଏକଲୋଚନ ଜାତିର ଥିଲା । ସେମାନେ ନିଜ ନିଜର ସୁଖଃଦୁଃଖ ନେଇ ଚଳନ୍ତି । କାହାରି କାହା ସହିତ କିଛିବି ସମ୍ପର୍କ ନଥାଏ । ନିଜ ନିଜ ଗୁମ୍ଫାରେ ରହନ୍ତି ଓ ଅନ୍ୟର କ୍ଷତି କରନ୍ତି ନାହିଁ । ସମବେତ ଜୀବନ ପ୍ରାୟ ସେମାନଙ୍କର ନାହିଁ ।
ସେଠାକାର ଜମି ବଡ ଉର୍ବର । ତେଣୁ ଚାଷ ନକରି ମଧ୍ୟ ସେମାନେ ଖୁସିରେ ଯଥେଷ୍ଟ ଖାଦ୍ୟ ସଂଗ୍ରହ କରନ୍ତି । ବର୍ଷକରେ ଥରେ ଫସଲ କାଟନ୍ତି । ଫସଲ ଆପେ ଆପେ ବଢିଥାଏ । କିନ୍ତୁ ବର୍ଷସାରା ପଶୁଜନ୍ତୁଙ୍କୁ ନେଇଥାନ୍ତି । ଦୁଧ ଦୁହିଁ ଚଳନ୍ତି । ଏତେ ଦିନ ସମୁଦ୍ର ତଟରେ ବାସ କଲେ ମଧ୍ୟ ନୌକାର ଚଳନ ଜାଣନ୍ତି ନାହିଁ । ସେମାନଙ୍କର ସାମାଜିକ ଜୀବନ ମୋଟେ ନାହିଁ କହିଲେ ଚଳେ ।
ସେ ଅଦ୍ଭୁତ ତଥା ଭୟଙ୍କର ପ୍ରାଣୀକୁ ଦେଖି ରୂପଧରଙ୍କ ସୈନ୍ୟମାନେ ଭୟରେ ଶେତା ପଡିଗଲେ । ରୂପଧର ସେମାନଙ୍କୁ ଇଙ୍ଗିତରେ ସାହସ ଦେଉଥାନ୍ତି । ସେମାନେ କାଳେ ଭୟରେ ଚିତ୍କାର କରିବେ, ତାଙ୍କର ସେ ଭୟ ମଧ୍ୟ ଥାଏ ।
ପ୍ରାଣୀଟି ଢଳି ଢଳି ଚାଲୁଥାଏ । ମନକୁ ମନ କ’ଣ ସବୁ କହୁଥାଏ । ସେ ମୃଦୁ କଣ୍ଠରେ କହିଲେ ବି ତା’ ଆବାଜ୍ରେ ଗୁମ୍ଫା ଭିତରଯାକ ଥରି ଉଠୁଥାଏ ।
ପ୍ରାଣୀଟି ଦୁଧ ଦୁହିଁବା ପରେ ଅଧେ ଗୋଟିଏ ପାତ୍ରରେ ଢାଳି ଲହୁଣୀ କାଢିଲା । ଅଧେ ପିଇବା ପାଇଁ ରଖିଲା ଓ ଚୁଲି ଲଗାଇଲା । ଚୁଲିର ନିଆଁରେ ଗ୍ରୀକ୍ ସୈନ୍ୟମାନଙ୍କୁ ସେ ଦେଖି ପାରି ବଡ ଭୟଙ୍କର ଶବ୍ଦ କରି ଚିତ୍କାର କଲା, “ତୁମେ ସବୁ କିଏ? ଏଠାରେ କ’ଣ କରୁଛ?” ତା’ର ଏହି ଚିତ୍କାରରେ ଗୁମ୍ଫା କମ୍ପି ଉଠିଲା ।