ପଦ୍ମମୁଖୀ ସେଦିନ ଆଉ ଖାଇ ପାରିଲେ ନାହିଁ । ରାତିରେ ଶୋଇ ମଧ୍ୟ ପାରିଲେ ନାହିଁ । ସେ କାନ୍ଦି କାନ୍ଦି କହିଲେ, “ମୁଁ ମୋ ପୁଅକୁ ଜୀବନ୍ତ ଦେଖି ପାରିବି ନା ନାହିଁ ।” ସେହି ଅନ୍ଧକାର ମଧ୍ୟରେ ସେ ଦେଖିଲେ ଯେପରି ତାଙ୍କ ସାନ ଭଉଣୀ ଠିଆ ହୋଇ ତାଙ୍କୁ କହୁଛି, “ଖାଲିଟାରେ କାହିଁକି କାନ୍ଦୁଛ? ତୁମ ପୁଅର କିଛି ହେବ ନାହିଁ । ଶାନ୍ତ ହୋଇ ଯାଅ ।”
ସେଦିନ ଦୁଷ୍ଟମାନେ ନୌକାରେ ଚଢି ନିକଟସ୍ଥ ଏକ ଦ୍ୱୀପରେ ରହି ଧୀରମତିର ପ୍ରତୀକ୍ଷା କଲେ ।
ଧୀରମତି ପ୍ରତାପଙ୍କଠାରୁ ଅନେକ ରତ୍ନ ଉପହାର ସ୍ୱରୂପ ପାଇଲେ । ତା’ପରେ ତାଙ୍କର ନୌକା ନିଜ ଦେଶ ଅଭିମୁଖେ ଫେରିଲା । ନୌକାଯାତ୍ରା ପୂର୍ବରୁ ସେ ଦେବତାମାନଙ୍କୁ ପ୍ରାର୍ଥନା କଲେ, ପୂଜା କଲେ, ଓ ତା’ପରେ ଯାତ୍ରା କଲେ । ନିଜ ଦେଶ ତଟରେ ପହଁଚିବାର ଅଳ୍ପ ପୂର୍ବରୁ ସେ ଓହ୍ଲାଇ ଗଲେ ଓ କହିଲେ, “ତୁମେ ଏଠାରୁ ଯାଇ ନଗରର ତଟରେ ନୌକା ରଖିବ । ମୁଁ ଏଇଠାରୁ ଓହ୍ଲାଇ ଯାଉଛି । ଆମର କ୍ଷେତ ଓ ଗୋଶାଳାର ରକ୍ଷୀ ସହିତ କଥାବାର୍ତ୍ତା କରିବାର ଅଛି । ପରେ ମୁଁ ଫେରିବି ।”
ଧୀରମତି ମେଣ୍ଢା ରଖୁଆଳର ଘରକୁ ଗଲେ । ସେତେବେଳେ ସେ ଓ ରୂପଧର ଖାଦ୍ୟସବୁ ରାନ୍ଧୁଥା’ନ୍ତି । ଧୀରମତିଙ୍କୁ ଦେଖି କୁକୁର ମାନେ ଚିହ୍ନିପାରି ଆନନ୍ଦରେ ନାଚକୁଦ କଲେ ।
ରୂପଧର କହିଲେ “ବୋଧହୁଏ ତୁମର ଜଣା ଶୁଣା କେହି ଆସିଛି । କାରଣ କୁକୁରମାନେ ନ ଭୂକି ଖେଳିବାକୁ ଆରମ୍ଭ କରିଛନ୍ତି ।” ତାଙ୍କ କଥା ନସରଣୁ ଧୀରମତି ଆସି ଦୁଆରମୁହଁରେ ଛିଡା ହୋଇ ଗଲେଣି ।
ତାଙ୍କୁ ଦେଖି ରଖୁଆଳ ଆଶ୍ଚର୍ଯ୍ୟ ହେଲା ଓ ଖୁସିରେ ଦୌଡି ଦୌଡି ମୁନିବଙ୍କ ପାଖକୁ ଆସିଲା । ତା’ପରେ ତାଙ୍କୁ ଆଲିଙ୍ଗନ କରି ସେ କାନ୍ଦିପକାଇଲା ଯେପରି ବହୁଦିନ ପରେ ବିଦେଶରୁ ଫେରିଥିବା ପୁଅ ସହିତ ବାପର ମିଳନ ହୁଏ । ସେହି ଦୁଇଜଣଙ୍କର ସ୍ନେହପୂର୍ଣ୍ଣ ମିଳନ ଦେଖି ରୂପଧର ଭାରି ଆଶ୍ଚର୍ଯ୍ୟ ହେଲେ । ରଖୁଆଳ ଧୀରମତିଙ୍କୁ ବଡ ସ୍ନେହରେ କହିଲେ, “ପୁତ୍ର ଆସିଗଲ? ମୁଁ ତୁମକୁ ପୁଣି ଥରେ ଦେଖିବି ବୋଲି କେବେବି ଭାବି ନଥିଲି । ତୁମେ ଏ ଗରୀବର କୁଟୀରରେ ପାଦ ପକାଇବା ମୋ ପାଇଁ ଅତ୍ୟନ୍ତ ଗୌରବର କଥା । ଶୁଣିଥିଲି ତୁମେ ପୈଲାସ ଯାଇଥିଲ । ବାବା ସେଠାରୁ ତୁମେ କେବେ ଫେରିଲ?”
ଧୀରମତି ପଚାରିଲେ “ମଉସା, ମୁଁ ତ ଏବେ ସେଇଠୁହିଁ ଆସୁଛି । ଆମ ଘର ବିଷୟରେ ତମେ କ’ଣ କିଛି ଜାଣିଛ? ମୋ ମା ସେଠି ଭଲ ଅଛନ୍ତି ତ? କୌଣସି ଦୁଷ୍ଟ ତାଙ୍କୁ ଆଉ ବଳପୂର୍ବକ ବିବାହ କରି ନାହିଁ ତ?”
ରଖୁଆଳ କହିଲା “ନାହିଁ ତ ପୁଅ, ଏପରି କିଛି ଘଟଣା ଆଦୌ ଘଟି ନାହିଁ । ତୁମ ମା’ କିନ୍ତୁ ଦିନରାତି ଦୁଃଖରେ କଟାଉଛନ୍ତି । କେବେ ସେହି ଦୁଷ୍ଟମାନଙ୍କ ଠାରୁ ତାଙ୍କୁ ଯେ ମୁକ୍ତି ମିଳିବ ସେକଥା ତ କେବଳ ଭଗବାନହିଁ ଜାଣନ୍ତି ।”
ତା’ପରେ ଧୀରମତି ଘର ଭିତରକୁ ପ୍ରବେଶ କରିବା ମାତ୍ରେ ରୂପଧର ତୁରନ୍ତ ଉଠିପଡିଲେ । ଧୀରମତି କହିଲେ, “ଉଠିବା ଦରକାର ନାହିଁ । ବସିବାକୁ ତ ଏଠାରେ ଅନେକ ସ୍ଥାନ ଅଛି ।”
ତା’ପରେ ରଖୁଆଳ ଗୋଟିଏ ମେଣ୍ଢା ଛାଲ ବିଛାଇ ଦେଲା । ତିନିଜଣ ସେଠାରେ ବସି ଖିଆପିଆ କଲେ, ଧୀରମତି ରୂପଧରଙ୍କୁ ଅଙ୍ଗୁଳି ନିର୍ଦେଶ କରି ପଚାରିଲେ, “ମଉସା ଇଏ କିଏ? ଏଠାକୁ ସେ କିପରି ଆସିଲେ?”
ରଖୁଆଳ କହିଲା “ପୁଅ ସେ କହନ୍ତି କି ସେ କ୍ରିଟ୍ର ନାଗରିକ; ମନେହୁଏ ଭଗବାନ୍ ଏହାର ଭାଗ୍ୟରେ ଲେଖିଛନ୍ତି କି ସେ ସାରା ଦେଶ ଯାତ୍ରା କରି ଦେଖୁ । ଗୋଟିଏ ଦୁର୍ଘଟଣାରୁ କୌଣସି ମତେ ସେ ବଂଚିଯାଇ ମୋ ପାଖରେ ଆସି ଶରଣ ନେଇଛନ୍ତି । ମୁଁ ତାଙ୍କୁ ତୁମ ହାତରେ ସମର୍ପଣ କରୁଛି, ତା’ପରେ ତୁମର ଯାହାର ଇଚ୍ଛା ।”