ଧୀରମତି କହିଲେ “ମଉସା ଏହି ବ୍ୟକ୍ତିଙ୍କର ଭାର ମୋ ଉପରେ ନ୍ୟସ୍ତ କରି ବୋଧ ହୁଏ ତୁମେ ମୋର ପରୀକ୍ଷା ନେଉଛ । ଏହି ଅତିଥିଙ୍କୁ ମୁଁ ବା କିପରି ଘରକୁ ନେଇ ଯିବି? ଏକେ ତ ମୋର ଅପରିଣତ ବୟସ । ପୁଣି ଘରସାରା ଶତୃରେ ଭର୍ତ୍ତି । ସମସ୍ତେ ମିଶି ମୋ ମା’ଙ୍କୁ ଭୀଷଣ କଷ୍ଟ ଦେଉଛନ୍ତି । ସେ ବିଚାରୀ ନିଃସହାୟ ହୋଇ ଅନେକ ପ୍ରକାରର ଯାତନା ଭୋଗୁଛନ୍ତି । ତାଙ୍କର ଦୃଢ ବିଶ୍ୱାସ ଯେ ମୋର ବାବା ଦିନେନା ଦିନେ ନିଶ୍ଚୟ ଫେରିବେ । ସେ ଅନ୍ୟ କୌଣସି କଥାରେ ମୋଟେ କାନ ଦେଉ ନାହାଁନ୍ତି । ଏପରି ଅବସ୍ଥାରେ ମୁଁ ପୁଣି କିପରି ଏହି ଅତିଥିଙ୍କୁ ଘରକୁ ନେବି? ତୁମ ଅତିଥିଙ୍କ ପାଇଁ ଭଲ ପୋଷାକ, ଅସ୍ତ୍ର ଶସ୍ତ୍ର, ଟଙ୍କା ପଇସା ଆଦି ମୁଁ ଯଥେଷ୍ଟ ଦେଇ ପାରିବି । ତାଙ୍କର ଇଚ୍ଛା ହେଲେ ଏଠାରୁ ସେ ଚାଲିଯା’ନ୍ତୁ ଅଥବା ତୁମେ ତୁମରି କୁଟୀରରେ ତାଙ୍କୁ ରଖ । କାହିଁକିନା ତାଙ୍କୁ ମୁଁ ବିପଦରେ ପକେଇବାକୁ କେବେବି ଚାହୁଁ ନାହିଁ । ସେମାନେ ଏହି ନୂଆ ଲୋକଙ୍କୁ ଦେଖିଲେ ୟାଙ୍କୁ ହଇରାଣ କରିବେ, ଅପମାନ ଦେବେ, କଷ୍ଟ ଦେବେ । ଏସବୁ ମୁଁ ତ ଆଦୌ ସହି ପାରିବି ନାହିଁ ।”
ପରେ ସେ ରଖୁଆଳକୁ କହିଲେ, “ମଉସା ତୁମେ ଶିଘ୍ର ଯାଇ ମା’ଙ୍କୁ ଏହି ଖବର ଦିଅ କି ମୁଁ ନୌକାଯାତ୍ରାରୁ ଫେରି ତୁମ କୁଟୀରରେ ଅଛି । ସୁତରାଂ ସେ ମୋ ବିଷୟରେ ଆଉ କୌଣସି ଚିନ୍ତା କରିବେ ନାହିଁ ।”
ରଖୁଆଳ ପଚାରିଲା “ପୁତ୍ର, ମୁଁ ଶୁଣିଛି ତୁମେ ଯେବେଠାରୁ ଗଲ, ସେଦିନଠୁଁ ତୁମ ଅଜା କିଛି ବି ଖାଇ ନାହାଁନ୍ତି । ତାଙ୍କୁ ମଧ୍ୟ ମୁଁ ତୁମର ଫେରିବାର ଖବର ଦେବି । ବିଚାରା ବୁଢା ।”
ଧୀରମତି କହିଲେ “ତୁମେ ଆଉ କେଉଁଠିକୁ ବି ଯାଅନାହିଁ । ମାଙ୍କୁ ଖବର ଦେଇଦିଅ ସେ ଅଜାଙ୍କୁ ଖବର ପଠାଇବେ । ତା’ପରେ ତୁମେ ଫେରି ଆସ ।”
ରଖୁଆଳ ସଙ୍ଗେସଙ୍ଗେ ବାହାରି ଗଲା, ଏବେ ସେ କୁଟୀର ଭିତରେ କେବଳ ବାପ ଓ ପୁଅ ରହିଲେ । କୁଟୀରର ବାହାରେ ଅକସ୍ମାତ୍ ବୁଦ୍ଧିମତୀ ଦେବୀ ପ୍ରକଟ ହେଲେ ଓ ରୂପଧରଙ୍କୁ ବାହାରକୁ ଆସିବାକୁ କହିଲେ । ରୂପଧର ବାହାରକୁ ଆସିଲେ । ତା’ପରେ ଦେବୀ ତାଙ୍କୁ କହିଲେ, “ଏବେ, ତୁମ ପୁଅ ନିକଟରେ ନିଜର ପରିଚୟ ପ୍ରଦାନ କର । ତା’ପରେ ବାପପୁଅ ଦୁହେଁ ମିଶି ଶତ୍ରୁ ସଂହାର କରିବାରେ ଲାଗିଯାଅ । ସେହି ଦୁଷ୍ଟମାନଙ୍କର ଅନ୍ତ ହେବାର ସମୟ ଆସିଗଲା । ମୁଁ ତୁମ ପକ୍ଷରେ ରହିଛି । ଭୟ କରିବାର କୌଣସି କାରଣ ନାହିଁ ।” ଏତିକି କହି ସେ ତାଙ୍କର ହାତରେ ଥିବା ଛୋଟ କାଠର ବାଡିରେ ତାଙ୍କୁ ସ୍ପର୍ଶ କଲେ । ସ୍ପର୍ଶ କରିବାମାତ୍ରେ ରୂପଧର ତାଙ୍କର ନିଜରୂପ ଫେରି ପାଇଗଲେ । ତାଙ୍କର ପୋଷାକ ପ୍ରଭୃତି ମଧ୍ୟ ବଦଳିଗଲା ।
ଏସବୁ ସମ୍ମୁଖରେ ଘଟିବାର ଦେଖି ଧୀରମତି ଅତ୍ୟନ୍ତ ବିସ୍ମିତ ହେଲେ । ସେ ପଚାରିଲେ, “ମହୋଦୟ, ଆପଣ କିଏ? ଆପଣ ନିଶ୍ଚୟ କେଉଁ ଦେବତା ହେବେ । ସାମାନ୍ୟ ମଣିଷ ଜଣେ ନିଜ ଇଚ୍ଛା ଅନୁସାରେ ନିଜର ରୂପ ବଦଳାଇବା ଅସମ୍ଭବ । ପୁଣି ଆପଣଙ୍କ ରୂପ କି ତେଜଷ୍ମାନ? ମୁଁ ଆପଣଙ୍କ ଦର୍ଶନ ପାଇ ଧନ୍ୟ ହେଲି । ଏବେ ଦୟାକରି ଆପଣ ମୋତେ ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ ।”
ତା’କଥାରେ ରୂପଧର ଅଳ୍ପ ହସି ଧୀରମତିଙ୍କୁ ଆଲିଙ୍ଗନ କଲେ । ସେତେବେଳେ ତାଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଝରି ଆସିଲା, ତାଙ୍କର ବାକ୍ସ୍ଫୁତି ହେଉ ନଥାଏ । ଧୀରମତି କିଛି ବୁଝିପାରୁ ନଥିଲେ । ରୂପଧର ଧୀରେ ଧୀରେ କହିଲେ, “ବତ୍ସ, ମୁଁ ତୋରି ସେହି ହତଭାଗା ପିତା ରୂପଧର । ବୋଧେ କେବଳ ତୋତେହିଁ ଦେଖିବାପାଇଁ ଏତେ ସଙ୍କଟ ମଧ୍ୟରେ ଭଗବାନ୍ ମୋତେ ରକ୍ଷାକରି ବଂଚାଇ ନେଇ ଆସିଛନ୍ତି । ଏତେ ଦୁଃଖ ପରେ ଆଜି ମୋର କେଡେ ଆନନ୍ଦର ଦିନ ।”
ଧୀରମତି ପିତାଙ୍କୁ ପ୍ରଣାମ କରି ସମସ୍ତ କଥା ପଚାରିଲେ; କ୍ରମେ କ୍ରମେ ରୂପଧର ତାଙ୍କର ସମସ୍ତ ଅଭିଜ୍ଞତା ସଂକ୍ଷେପରେ ବର୍ଣ୍ଣନା କଲେ । ତା’ପରେ ସେ କହିଲେ, “ଏବେ କହ ଆମ ଘରେ କେତେଜଣ ଦୁଷ୍ଟ ଅଛନ୍ତି । ସେମାନଙ୍କୁ ବଧ କରିବା ପରେ ଯାଇ ମୋର ମନ ଶାନ୍ତି ହେବ ।”
ଧୀରମତି କହିଲେ, “ସମସ୍ତେ ମିଶି ସମୁଦାୟ ଶହେ ଆଠଜଣ ଅଛନ୍ତି । ସେମାନଙ୍କର ଛଅ ଜଣ ପରିଚାରକ ମଧ୍ୟ ଅଛନ୍ତି । କିନ୍ତୁ ଆମେ ତ ମାତ୍ର ଦୁଇଜଣ କିପରି ଏତେ ଲୋକଙ୍କର ସମ୍ମୁଖୀନ ହେବା?”