ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରୂପଧରଙ୍କ ଯାତ୍ରା

“ତୁ ପିଲାଲୋକ କ’ଣ ଜାଣିବୁ । ଆମେ ଦୁଇଜଣ ହେଲେ ମଧ୍ୟ ଆମ ସହିତ ବୁଦ୍ଧିମତୀ ଦେବୀ ମଧ୍ୟ ଅଛନ୍ତି । ତାଙ୍କରି କୃପାରୁ ମୁଁ ଆଜି ଏତେ ବିପଦରୁ ବଂଚି କରି ଆସିଛି । ତୁ ସକାଳ ହେବା ପୂର୍ବରୁ ଘରେ ଯାଇ ପହଁଚିଯିବୁ । ମୁଁ ରଖୁଆଳ ସହିତ ଭିକାରୀ ବେଶରେ ଆସିବି । ସେହି ଦୁରାତ୍ମାମାନେ ମୋତେ ଯଦି ଅପମାନ କରନ୍ତି, ତେବେ ତୁ ସହିଯିବୁ । ମୋ ଆଡକୁ ଅନେଇଥିବୁ । ମୁଁ ସଙ୍କେତ କରିବା ମାତ୍ରେ କାନ୍ଥ ଉପରେ ଥିବା ତରବାରୀ, ଢାଲ ଓ ଛୁରୀକୁ ଆଣି ମୋତେ ଦେବୁ । ଏସବୁ ଆଗରୁ କୌଣସି ଗୁପ୍ତ ସ୍ଥାନରେ ପ୍ରସ୍ତୁତ କରି ରଖିବୁ । ସେମାନେ ଅସ୍ତ୍ରଶସ୍ତ୍ର ବିଷୟରେ ପଚାରିଲେ କହିବୁ “କଳଙ୍କି ଲାଗିଯିବା ଭୟରେ ମୁଁ ସବୁକିଛି ପେଟି ଭିତରେ ରଖିଦେଇଛି । ଆମପାଇଁ ଯେଉଁ ହତିଆର୍ ଦରକାର ସେସବୁ ଆଗରୁ ଲୁଚାଇ ରଖିଥିବୁ, ସେଗୁଡିକ ହେଲା ଦୁଇଟି ତଲବାର, ଦୁଇଟି ଢାଲ ଦୁଇଟି ଛୋଟ ବର୍ଚ୍ଛା । ତୁ ମଦ୍ୟପାନ କରି ଯେପରି କାହା ସହିତ ଝଗଡାଝାଟି ନକରୁ । କାରଣ ଏସବୁ ହେଲେ ଆମର ଯୋଜନା ସମ୍ପୂର୍ଣ୍ଣ ରୂପେ ବ୍ୟର୍ଥ ଯିବ । ଶାନ୍ତଭାବରେ ଓ ଧୈର୍ଯ୍ୟର ସହିତ ସବୁ କରିବୁ । କେହି ଯେପରି ମୁଁ ଫେରି ଆସିଛି ବୋଲି ନ ଜାଣନ୍ତି । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏମିତିକି ଏ ବିଷୟରେ ତୁ ତୋ ମା’ଙ୍କୁ ମଧ୍ୟ କିଛି କହିବୁ ନାହିଁ ।” ଏହିପରି ଭାବେ ରୂପଧର ତାଙ୍କ ପୁଅକୁ ସବୁ ବୁଝାଇ ଦେଲେ ।

ଇତିମଧ୍ୟରେ ପୈଲାସରୁ ଫେରି ନୌକା ବନ୍ଦରରେ ରହିଲା । ସେଥିରୁ ଜଣେ ନାବିକ ରୂପଧରଙ୍କ ଘରକୁ ଆସିଲା । ସେତେବେଳେ ରଖୁଆଳ ମଧ୍ୟ ସେଠାରେ ଥିଲା । ଘରେ ଆସନ ଜମାଇ ବସିଥିବା ରାଜକୁମାରମାନେ ଯେତେବେଳେ ଜାଣିପାରିଲେ ଯେ ଧୀରମତି ଫେରିଛି, ସେମାନେ ନାନାପ୍ରକାର ପାଟିତୁଣ୍ଡ ହଟ୍ଟଗୋଳ କଲେ । ଦୁର୍ବୁଦ୍ଧି ଓ ଅନ୍ୟମାନେ ଧୀରମତିଙ୍କୁ ମାରି ନପାରି ହତାଶ ହୋଇ ଫେରିଲେ ।

ସମସ୍ତେ ମିଶି ନାନା ବିଚାର କଲେ । ଦୁର୍ବୁଦ୍ଧି କହିଲା, “ଏଥର ସିନା ସେ ଆମ ହାତରୁ ବଂଚିଗଲା, ଆଉ ଥରେ ଚେଷ୍ଟା କରି କୌଣସି ମତେ ତାକୁ ମାରି ଦେବାକୁ ହେବ । ନହେଲେ ପ୍ରଜାମାନେ ଆମର ଯୋଜନା ଜାଣିବା ମାତ୍ରେ ଆମକୁ ଘୃଣା କରିବେ ଓ ଆମକୁ ଏଠାରୁ ତଡିଦେବେ । ତେଣୁ ଧୀରମତି ନଗର ପ୍ରବେଶ କରିବା ପୂର୍ବରୁହିଁ ଆମକୁ ତାକୁ ଶେଷ କରିଦେବାକୁ ହେବ । ତା’ର ମୃତ୍ୟୁ ପରେ ତା’ର ସମ୍ପତ୍ତି ଆମେ ନିଜ ନିଜ ମଧ୍ୟରେ ବାଂଟି ନେବା । ଆମ ଭିତରୁ ଯିଏ ବି ପଦ୍ମମୁଖୀକୁ ବିବାହ କରିବ ଘରଦ୍ୱାର ତା’ରିହିଁ ହେବ । ଏବେ ତୁମମାନଙ୍କର ମତ କ’ଣ କୁହ ।”

ଧୀରମତିକୁ ହତ୍ୟା କରିବାର ପ୍ରସ୍ତାବ କେହି କେହି ପସନ୍ଦ କଲେ, ପୁଣି ଆଉ କେହି କେହି ବା ପସନ୍ଦ କଲେ ନାହିଁ । ଜଣେ କହିଲା, “ଧୀରମତିର ମୃତ୍ୟୁ ହେବାର ସମୟ ନ ଆସିଲେ ଆମେ ଶତ ଚେଷ୍ଟା କଲେ କ’ଣ କିଛି ଲାଭ ହେବ? ସେପର୍ଯ୍ୟନ୍ତ ଆମେ ଅଧୈର୍ଯ୍ୟ ହୋଇ କିଛି ଗୋଟାଏ କରି ପକାଇବା ଆଦୌ ଠିକ୍ ହେବ ନାହିଁ ।”

ସମସ୍ତେ ତାଙ୍କର ଏହି ପରାମର୍ଶକୁ ମାନିନେଲେ ଓ ଘରକୁ ଚାଲିଗଲେ । ଠିକ୍ ସଂଧ୍ୟାବେଳକୁ ରଖୁଆଳ ଫେରି ଆସିବା ପୂର୍ବରୁହିଁ ଧୀରମତି ତାଙ୍କ ପିତାଙ୍କ ପାଖରେ ସେହି କୁଟୀରରେ ଶୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ