(ପଦ୍ମମୁଖୀ ସ୍ଥିର କରିଥିଲେ ଓ ଘୋଷଣା ମଧ୍ୟ କରି ସାରିଥିଲେ ଯେ, ଯେଉଁ ଯୁବକ ତାଙ୍କୁ ବିବାହ କରିବାର ଲାଳସା ପୋଷଣ କରିଛନ୍ତି, ତାଙ୍କୁ, ତାଙ୍କ ପତିଙ୍କର ଧନୁରେ ତୀର ସଂଯୁକ୍ତ କରି, ତାଙ୍କ ପତିଙ୍କ ସଦୃଶ ବାରଟି କୁରାଢିର ଗର୍ତ୍ତ ମଧ୍ୟ ଦେଇ ଲକ୍ଷ୍ୟ ଭେଦ କରିବାକୁ ପଡିବ । ବୃଦ୍ଧ ଭିକାରୀ ରୂପ ଧାରଣ କରିଥିବା ନିଜ ପତିଙ୍କୁ ମଧ୍ୟ ସେ ଏହା ଜଣାଇ ଥିଲେ । କାରଣ ତାଙ୍କୁ, ତାଙ୍କର ଅସଲ ପରିଚୟ ଜଣା ନ ଥିଲା । ପର ଦିନ ଏହି କଥା, ତାଙ୍କ ଗୃହରେ ମଉଜ-ମସ୍ତିରେ ମାତିଥିବା ଦୁଷ୍ଟ ଯୁବକମାନଙ୍କୁ ଜଣାଇଲେ ଏବଂ ରୂପଧରଙ୍କ ଧର୍ନୁବାଣ ସେମାନଙ୍କ ସମ୍ମୁଖରେ ରଖିଲେ । ଏହାପରେ ପଢନ୍ତୁ ।)
ଜଣକ ପରେ ଜଣେ ଆସି ଧନୁରେ ଗୁଣ ଚଢେଇବାର ପ୍ରଚେଷ୍ଟାରେ ବିଫଳ ହୋଇ ଫେରୁଥାନ୍ତି । ଏହା ଦେଖି ଦୁର୍ବୁଦ୍ଧି ଜଣେ ଚାକରକୁ ଡାକି ଆଦେଶ ଦେଲା, “ଆରେ, ଏ ଧନୁରେ ଚର୍ବି ଲଗେଇ, ନିଆଁରେ ସେକିଲୁ ।” ଯେତେବେଳେ ଏହି ଦୁଷ୍ଟମାନେ ଧନୁଟିକୁ ନେଇ ବ୍ୟସ୍ତ ରହିଥାନ୍ତି, ମେଷ-ରଖୁଆଳ ଓ ପଶୁପାଳକ, ଦୁଇଜଣ ଯାକ ବାହାରକୁ ଆସିଲେ । ରୂପଧର ମଧ୍ୟ ସେମାନଙ୍କ ପଛରେ ଆସିଲେ । ଦୁଇଜଣଙ୍କୁ ନିଜପାଖକୁ ଡାକି, ସେମାନଙ୍କୁ, ସେ ଧୀରସ୍ୱରରେ କହିଲେ, “ମୁଁ ଯାହା କହିବାକୁ ଯାଉଛି ତାହା ଧ୍ୟାନର ସହିତ ଶୁଣ । ଯଦି ତୁମର ମାଲିକ ରୂପଧର ଏବେ ଆସି ଏଠାରେ ପହଁଚି ଯାଆନ୍ତି, ତେବେ ତୁମେ କ’ଣ କରିବ? ନିଜ ମାଲିକଙ୍କୁ ସମର୍ଥନ କରିବ କି ନାହିଁ? ନିଜ ମନକଥା ସ୍ପଷ୍ଟ ରୂପେ ପ୍ରକାଶ କର ।”
ସେ ଦୁହେଁ, ମାଲିକ ପାଇଁ, ନିଜର ପ୍ରାଣପାତ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି କହି, ଶପଥ ନେଲେ । ତା’ପରେ ରୂପଧର ସେମାନଙ୍କୁ ନିଜର ପରିଚୟ ପ୍ରଦାନ କରି କହିଲେ, “ମୁଁ ସ୍ୱୟଂ ରୂପଧର ଅଟେ । ମୋର ଫେରିବା ଖବରରେ ଖୁସିହେବା ଲୋକ ତୁମେ ଦୁଇଜଣ ମାତ୍ର । ଭଗବାନଙ୍କ କୃପାରୁ, ମୁଁ ଏହି ଶତ୍ରୁମାନଙ୍କୁ ବିନାଶ କରିପାରିଲେ, ତୁମ ଦୁଇଜଣଙ୍କୁ ଜମି, ଘର ଓ ଅଜସ୍ର ପୁରସ୍କାର ପ୍ରଦାନ କରିବି । ମୋ ପ୍ରତି ସନ୍ଦେହ ଆସୁଥିଲେ, ଏଇ ମୋ ଗୋଡରେ ଥିବା କ୍ଷତ ଚିହ୍ନକୁ ଦେଖ ।” ଏହା କହି ସେ ତାଙ୍କ ଗୋଡର ଦାଗ ସେମାନଙ୍କୁ ଦେଖାଇଲେ ।
ଦୁଇସେବକ ନିଜ ମାଲିକକୁ ଦେଖି ଅତି ଆନନ୍ଦରେ ବିଭୋର ହୋଇଗଲେ । “ଏହା ହସ, ଲୁହର ସମୟ ନୁହେଁ । ମୁଁ ପ୍ରଥମେ ଭିତରକୁ ଯାଉଛି, ତୁମେ ଦୁହେଁ ଜଣଙ୍କ ପରେ ଜଣେ ଭିତରକୁ ଆସ । ମୁଁ ଏବେ ଧନୁଟି ମାଗିବି । ସେମାନେ କିନ୍ତୁ ମତେ ତାହା ଦେବେ ନାହିଁ । ମେଷ-ରଖୁଆଳ, ତୁମେ ମତେ ସେ ଧନୁଟି ଆଣିଦେବ । ତା’ପରେ ଘରର ସ୍ତ୍ରୀଲୋକମାନଙ୍କୁ ସତର୍କ କରି କହିବ, ଯେ ଯାହାର ବଖରାକୁ ଚାଲିଯାଇ କବାଟ ବନ୍ଦ କରିଦିଅନ୍ତୁ । ସୁଖପ୍ରାପ୍ତି, ତୁମକୁ ବାହାରକୁ ଯାଇ ସିଂହଦ୍ୱାର ବନ୍ଦ କରିବାପାଇଁ ପଡିବ ।”
ତା’ପରେ ତିନିଜଣ ଯାକ, ଜଣକ ପରେ ଜଣେ ଭିତରକୁ ଯାଇ ନିଜ ନିଜ ଆସନରେ ବସିପଡିଲେ । ସେହି ସମୟରେ ବିପୁଳଯୋଦ୍ଧା ଧନୁଟି ଧରି ନିଜର ବଳ-ପରାକ୍ରମ ପ୍ରକାଶ କରୁଥିଲା । ଧନୁରେ ଗୁଣ ଚଢାଇବା ତ ଦୂରର କଥା, ଏହାକୁ ବଙ୍କେଇବା ପାଇଁ ମଧ୍ୟ ତା’ର କ୍ଷମତା ନଥିଲା । ନିରାଶାରେ ସେ କହି ଉଠିଲା, “ଆମେ ସବୁ କେଡେ ଅଭାଗା ସତେ! ବିବାହ କଥା କିଏ ପଚାରେ, ବିବାହ ପାଇଁ ଇଥାକାରେ ଢେର କନ୍ୟା ଅଛନ୍ତି । ହେଲେ ଦୁଃଖର କଥା ଏହା ଯେ, ରୂପଧରଙ୍କ ସମକକ୍ଷ ହେବାର ଯୋଗ୍ୟତା ଆମ ଭିତରେ କାହାରିବି ନାହିଁ ।”
ଦୁର୍ବୁଦ୍ଧି ତା’ କଥାକୁ ଟାଳିଦେଇ କହିଲା, “ଅଧିକ ଭାବପ୍ରବଣ ହୁଅନାହିଁ । ଆଜି ଆମର ଏଇ ଧନୁ ସହିତ କିଛି ସମ୍ପର୍କ ନାହିଁ । ଆଜି ପର୍ବଦିନ । ଏହାକୁ ସ୍ପର୍ଶକରିବା ଠିକ୍ ନୁହେଁ । ଅନ୍ୟ କେଉଁଦିନ ଏହାର ଉପଯୋଗ କରିବା ।”
ଏକଥା ସମସ୍ତଙ୍କ ମନକୁ ବେଶ୍ ପାଇଲା । ସମସ୍ତେ ଭୋଜନ କରି ସାରିବା ପରେ ରୂପଧର କହିଲେ, “ହେ ମହାଶୟଗଣ! ଆଜି ଆପଣମାନଙ୍କର ଏହି ଧନୁ ସହିତ କିଛି ସମ୍ପର୍କ ନାହିଁ, କହୁଛନ୍ତି । ମତେ ଏହା ଦେଇ ପାରିବ କି? ମୁଁ ମଧ୍ୟ ପରଖି ନେବି, ମୁଁ ପ୍ରକୃତରେ କେତେ ବଳଶାଳୀ । ସତ କହିବାକୁ ଗଲେ, ମୋର ବଳ କେବେଠାରୁ କ୍ଷୀଣ ହୋଇ ଗଲାଣି ।”