ରୂପଧରଙ୍କ କଥା ଶୁଣି ସମସ୍ତେ କୋଳାହଳ କରି ଉଠିଲେ । ସେମାନଙ୍କ ମନରେ ଭୟ ସଂଚାର ହେଲା, କାଳେ ଏହି ବୁଢା ଧନୁରେ ଗୁଣ ଚଢେଇ, ଲକ୍ଷ୍ୟଭେଦରେ ସଫଳ ହୋଇଯିବ । ଦୁର୍ବୁଦ୍ଧି, ଅରାଜି ଭାବ ପ୍ରକାଶ କରି ବିରକ୍ତରେ କହିଲା, “ନୀଚ, ତୋର କ’ଣ ମୁଣ୍ଡ ବିଗିଡି ଗଲାଣି ନା, ମଦନିଶା ଖୁବ୍ ବଢିଯାଇଛି । ଯଦି ବି, ତୁ ପ୍ରକୃତରେ ଏ ଧନୁତୀର ମାରିପାରୁ, ତେବେ କ’ଣ ଆମେ ତତେ ଜୀବନରେ ରଖିବୁ?”
ସେମାନଙ୍କର ଏସବୁ କଥା ଶୁଣି ପଦ୍ମମୁଖୀ କ୍ରୋଧଭରା ସ୍ୱରରେ କହିଲେ “ଦୁର୍ବୁଦ୍ଧି, ଏହି ବୃଦ୍ଧ ମୋ ପୁତ୍ରର ଅତିଥି । ତାଙ୍କୁ ଧନୁ ଦେବାପାଇଁ କାହିଁକି ମନା କରୁଛ? କ’ଣ ଏଥିପାଇଁ ଡରୁଛ ଯେ, ସେ ଲକ୍ଷ୍ୟ ଭେଦକରି ମୋତେ ବିବାହ କରିବେ?”
ବିପୁଳଯୋଦ୍ଧା ପଦ୍ମମୁଖୀଙ୍କୁ ବୁଝାଇଲେ “ଆମର ଏପରି କିଛି ଭୟ ନାହିଁ, କିନ୍ତୁ ଯେଉଁ ଧନୁକୁ ଆମେ ନୁଆଁଇ ମଧ୍ୟ ପାରିଲୁ ନାହିଁ, ଏହି ବୁଢା ଯଦି ତାହା କରିପାରିବ ତେବେ ତ ତାହା ଆମ ପ୍ରତି ଘୋର ଅପମାନ ହେବ ।”
“ମାତା, ତୁମେ ଏହି ବେକାର କଥାରେ ଆଦୌ ବିଚଳିତ ହୁଅ ନାହିଁ । ଯେବେ ମୁଁ ଏହି ଧନୁ କାହାକୁ ଦାନ କରିବା ପାଇଁ ଚାହିଁବି, ତେବେ ମଧ୍ୟ ମତେ ପ୍ରଶ୍ନକରିବାକୁ ଏ ଦେଶରେ କେଉଁ ପୁରୁଷ ଜନ୍ମ ନେଇ ନାହାଁନ୍ତି । ଏବେ ତୁମେ ଯାଇ ଆରାମରେ ନିଜ କାମ କର ।” ଧୀରମତି ନିର୍ଭୟରେ ଏତକ କହିଲେ ।
ଧୀରମତିଙ୍କ ଏପରି କଥାରେ ପଦ୍ମମୁଖୀ ଭାରି ଆଶ୍ଚର୍ଯ୍ୟ ହେଲେ, କିନ୍ତୁ ଆନନ୍ଦିତ ମଧ୍ୟ ହେଲେ । ନିଜ ପୁତ୍ରର ସାମର୍ଥ୍ୟରେ ଖୁସି ହୋଇ ସେ ନିଜ କୋଠରୀକୁ ଚାଲିଗଲେ ।
ଏହି ସମୟରେ, ମେଷ-ରଖୁଆଳ ଧନୁଟି ଆଣି ରୂପଧରଙ୍କ ପାଖକୁ ଆସିଲା । ଏହା ଦେଖି ସମସ୍ତେ ଚିତ୍କାର କରି ଉଠିଲେ । ସେମାନଙ୍କର ଏଭଳି ବିକଟ ଚିତ୍କାରରେ ମେଷ-ରଖୁଆଳ ଅତ୍ୟନ୍ତ ଭୟଭୀତ ହୋଇ ଧନୁଟି ଭୂମି ଉପରେ ଥୋଇଦେଲେ । କିନ୍ତୁ ଧୀରମତି ତାକୁ ଉତ୍ସାହିତ କରି କହିଲେ, “ସେମାନଙ୍କର କୋଳାହଳ ସହିତ ତୁମର କ’ଣ ସମ୍ପର୍କ? ତୁମେ ନିଜର କାମ ନିର୍ଭୟରେ କରିଚାଲ ।”
ଏହାପରେ ସେ ମେଷ-ରଖୁଆଳ ଧନୁଟି ଆଣି ରୂପଧରଙ୍କ ହାତକୁ ଦେଲା । ତାପରେ ସେ ସ୍ତ୍ରୀ ଲୋକମାନଙ୍କ ପାଖକୁ ଯାଇ ବହୁକୀର୍ତ୍ତିଙ୍କୁ କହିଲା, “ଛୋଟମାଲିକଙ୍କର ଆଦେଶ ଅନୁସାରେ, ସବୁ ମହିଳାମାନେ ନିଜ, ନିଜ କୋଠରୀକୁ ଯାଇ କବାଟ ବନ୍ଦ କରିଦିଅନ୍ତୁ । ଯେତେ କୋଳାହଳ ହେଉପଛେ, କେହି ଯେପରି ବାହାରକୁ ନ ଆସିବେ, ସେହି ଅନୁସାରେ ତାଙ୍କୁ ତାଗିଦ୍ କରିଦିଅ ।” ଏ ମଧ୍ୟରେ ସୁଖପ୍ରାପ୍ତି ସିଂହଦ୍ୱାର ବନ୍ଦ କରି, ପୁଣି ସେଠାକୁ ଫେରି ଆସିଲା ।
ଏହା ଭିତରେ, ରୂପଧର ଉକ୍ତ ଧନୁଟିକୁ ହାତରେ ଧରି ଏପଟ ସେପଟ ବୁଲେଇ ଦେଖୁଥାଆନ୍ତି । ସେତେବେଳେ ତ ସମସ୍ତଙ୍କର ନଜର କେବଳ ତାଙ୍କ ଉପରେହିଁ ଥାଏ । “ମନେ ହେଉଛି, ଧର୍ନୁବାଣ ବିଷୟରେ ତା’କୁ କିଛି ମାଲୁମ୍ ଅଛି । ଧନୁରେ ଗୁଣ ଚଢେଇ ଦେଇପାରେ, ହେଲେ ସେ କ’ଣ ଲକ୍ଷ୍ୟଭେଦ କରିପାରିବ?” ଏପରି ନାନାପ୍ରକାର ଟିକା-ଟିପ୍ପଣୀ ଲୋକମାନଙ୍କ ମୁହଁରୁ ବାହାରୁଥାଏ ।
ରୂପଧର ଅନାୟାସରେ ଧନୁରେ ଗୁଣ ଚଢେଇଲେ । ବାମହାତରେ ଧନୁଟି ଧରି, ଡାହାଣ ହାତରେ ତା’ର ଡୋରିଟିକୁ ଝଂକୃତ କରେଇଲେ । ଫଳରେ ଏହା ଖୁବ୍ ସୁନ୍ଦର ଧ୍ୱନି ସୃଷ୍ଟି କଲା । ଏହା ଦେଖି ସମସ୍ତେ ସ୍ତମ୍ଭିତ ହୋଇଗଲେ । ରୂପଧର ତୁଣୀରରୁ ବାଛିବାଛି ଏକ ଭଲ ତୀରଟିଏ କାଢି ତାକୁ ଧନୁରେ ସଂଯୋଗ କରି ଲକ୍ଷ୍ୟ ଦିଗରେ ନିକ୍ଷେପ କଲେ । ଦେଖୁ ଦେଖୁ, ବାରଟି କୁରାଢିର ଗର୍ତ୍ତମଧ୍ୟ ଦେଇ, ଏହା ଅତି ସହଜରେ ଲକ୍ଷ୍ୟଭେଦ କଲା ।
ତତ୍ପରେ ସେ ଧୀରମତିକୁ କହିଲେ, “ପୁତ୍ର ଧୀରମତି, ତୁମର ସମ୍ମାନରେ ମୁଁ କୌଣସି ପ୍ରକାର ଆଂଚ ଆଣିବା ପାଇଁ ଏପରି କରିନାହିଁ । ତୁମେ ତ ଏବେ ନିଜେ ଦେଖିଲ, କେଡେ ସହଜରେ ମୁଁ ଏହି କାମ ସମ୍ପନ୍ନ କରିପାରିଲି । ଏହି ତଥାକଥିତ ବଡଲୋକମାନେ, ତାଙ୍କର ଯାହା ଇଚ୍ଛା ତାହା କରନ୍ତୁ । ଏବେ ମୁଁ ସ୍ପଷ୍ଟ ଭାବେ ଜାଣିପାରିଲି ଯେ, ମୋର ଶକ୍ତି ଆଦୌ କ୍ଷୀଣ ହୋଇ ଯାଇନାହିଁ । ଏବେ ଏହି ମହାଶୟମାନଙ୍କ ପାଇଁ ଭୋଜନ ଓ ଆମୋଦ-ପ୍ରମୋଦର ବନ୍ଦୋବସ୍ତ ଯଥାରୀତି ନିଶ୍ଚୟ ହେବ ।” ଏତିକି କହି ରୂପଧର ଆଖିରେ କିଛି ଇଶାରା ଦେଲେ ।