ତୁରନ୍ତ ଧୀରମତି ଗୋଟିଏ ହାତରେ ଖଡ୍ଗ ଓ ଅନ୍ୟ ହାତରେ ଏକ ବର୍ଚ୍ଛା ଧରି, ପିତାଙ୍କ ପାଖରେ ଯାଇ ଠିଆ ହୋଇଗଲେ । ରୂପଧର, ନିଜ ଶରୀରରୁ ଚିରାଫଟା ପୋଷାକ କାଢି ଫିଙ୍ଗିଦେଲେ । ଏକ ଲମ୍ପ ପ୍ରଦାନ କରି ସେ ଦ୍ୱାର ସମ୍ମୁଖରେ ଠିଆହୋଇ ଅନ୍ୟତୀରଗୁଡିକ ନିଜ ପାଦ ନିକଟରେ ବିଛାଡି ଦେଲେ । “ଏବେ ପ୍ରକୃତ ଖେଳ ଆରମ୍ଭ ହେବାକୁ ଯାଉଛି ।” ଏହା କହି ସେ ଦୁର୍ବୁଦ୍ଧି ଉପରକୁ ତୀର ଚଳାଇଲେ ।
ଦୁର୍ବୁଦ୍ଧି ବା ଅନ୍ୟକେହି କଳ୍ପନା ମଧ୍ୟ କରିନଥିଲେ ଯେ, ଏହି ତୀର ସେମାନଙ୍କ ଉଦ୍ଧେଶ୍ୟରେ ନିକ୍ଷେପ କରାଯାଇଛି । ସେହି ସମୟରେ ଦୁର୍ବୁଦ୍ଧି ଏକ ବିରାଟକାୟ ସୁରେଇକୁ ଦୁଇହାତରେ ଟେକି, ସେଥିରେ ମୁହଁ ଲଗେଇ ମଦ୍ୟପାନ କରୁଥାଏ । ଏହି ତୀର ସିଧାଯାଇ ତା’ର କଣ୍ଠ ଭେଦ କଲା । ତା’ ହାତରୁ ସୁରେଇ ତଳେ ପଡିଗଲା ଓ ଦୁର୍ବୁଦ୍ଧି ଚିତ୍ପଟାଙ୍ଗ ହୋଇ ଭୂମିରେ କଚାଡି ହୋଇ ପଡିଲା ।
ଏହା ଦେଖି ହାହାକାର ପଡିଗଲା । ସମସ୍ତେ ନିଜ ନିଜର ଆସନରୁ ଉଠିପଡି, ଅସ୍ତ୍ରପାଇଁ କାନ୍ଥ ଆଡକୁ ଦେଖିଲେ । କିନ୍ତୁ କାନ୍ଥରେ କୌଣସି ଅସ୍ତ୍ରଶସ୍ତ୍ର ଝୁଲା ଯାଇ ନ ଥିଲା । “ଗୋଟିଏ ମଣିଷକୁ ମାରିପକେଇଲୁ? ଦୁଷ୍ଟ, ଏବେ ତତେ ମଜା ଚଖାଇବୁ । ତତେ ମାରିବା ପରେ ହିଁ ଯାଇ ଆମେ ନିଃଶ୍ୱାସ ନେବୁ ।” ସେମାନେ ଏପରି ଚିତ୍କାର କରିବାରେ ଲାଗିଲେ । ସେତେବେଳ ଯାଏଁ ସେମାନେ ପ୍ରକୃତ ସତ୍ୟ ଜାଣିପାରୁ ନ ଥାନ୍ତି । ସେମାନେ ଭାବୁଥାନ୍ତି ସଂଯୋଗବଶତଃ ଅଜାଣତରେ ଏପରି ଘଟଣା ଘଟିଯାଇଛି ।
ରୂପଧର ଆପଣାର ପରିଚୟ ପ୍ରକାଶ କରି ଦୃପ୍ତ ସ୍ୱରରେ କହିଲେ, “ଆରେ କୁକୁରମାନେ! ତୁମେମାନେ ଧରିନେଇଥିଲ, ମୁଁ ଆଉ ଟ୍ରୟରୁ କେବେବି ଫେରିବି ନାହିଁ । ଏହି ସାହସରେ, ମୋର ଗୃହକୁ ଘେରି ରହି, ମୋର ସମ୍ପତ୍ତି ବିନଷ୍ଟ କରିବାରେ ଲାଗିଛ । ମୋ ଦାସଦାସୀଙ୍କୁ ଆପଣାର କରିଛ । ମୋ ଜୀବଦ୍ଦଶାରେ ମୋ’ର ପତ୍ନୀଙ୍କୁ ବିବାହ କରିବାର ଲାଳସା ରଖିଛ । ତୁମମାନଙ୍କର କ’ଣ ଭଗବାନଙ୍କୁ ତିଳେ ହେଲେ ମଧ୍ୟ ଭୟ ନାହିଁ?”
ଏସବୁ ଘଟଣା ଦେଖି ଭୟଭୀତ ହୋଇ କାହାମୁହଁରୁ ଆଉ କିଛି କଥା ବାହାରୁ ନ ଥାଏ । କେବଳ ବିପୁଳଯୋଦ୍ଧା ସାହସ ସଂଚୟ କରି କହିଲା, “ଯଦି ତୁମେ ପ୍ରକୃତରେ ରୂପଧର, ତେବେ ତୁମକଥାରେ ସତ୍ୟତା ଅଛି । ଆମେ ବହୁତ ଗର୍ହିତ ଅପରାଧ କରିଛୁ । ଏସବୁ ଅନ୍ୟାୟର ମୂଳକାରଣ ହେଉଛି, ଦୁର୍ବୁଦ୍ଧି । ସେ କେବଳ ତୁମ ପତ୍ନୀଙ୍କୁ ପାଇବା ଆଶାରେ ଏଠାକୁ ଆସି ନ ଥିଲା । ତୁମ ପୁତ୍ର ଧୀରମତିକୁ ହତ୍ୟା କରି, ସମସ୍ତ ସମ୍ପତ୍ତିର ଅଧିକାରୀ ହେବାପାଇଁ ମଧ୍ୟ ସେ ଚାହୁଁଥିଲା । ଆମେ ସମସ୍ତେ ତୁମକୁ ଯଥାରୀତି ଖଜଣା ଦେବୁ । ଯେତେ ମଦ୍ୟପାନ କରିଛୁ, ତା’ର ମୂଲ୍ୟ ଫେରସ୍ତ କରିବୁ । ପ୍ରତ୍ୟେକେ କୋଡିଏଟି ଲେଖାଏଁ ଗାଈ ତୁମକୁ ଦେବୁ ।”
ରୂପଧର ଘୋଷଣା କଲେ “ଦୁଷ୍ଟଗଣ, ତୁମେମାନେ ଯେପରି ଅତ୍ୟାଚାର କରିଛ, ତା’ର ଏକମାତ୍ର ପ୍ରତିଶୋଧ ହେଉଛି, ତୁମମାନଙ୍କର ପ୍ରାଣନାଶ । ଏଠାରୁ ପଳାୟନ କରିବାର କୌଣସି ସୁଯୋଗ ନାହିଁ । ତୁମ ସମସ୍ତିଙ୍କୁ ମୁଁ ବଧ କରିବି ।”
ଏହାଶୁଣି ବିପୁଳଯୋଦ୍ଧା, ନିଜର ଅନୁଚରମାନଙ୍କୁ ଆଦେଶ ଦେଲା, “ଭାଇମାନେ, ସେ ଆମକୁ ମାରିବା ପାଇଁ ଚାହୁଁଛି । ନିଜ ନିଜର ଅସ୍ତ୍ର କାଢି ଏକାସଙ୍ଗେ ତା’ଉପରେ ଆକ୍ରମଣ କର । ଦେଖାଯାଉ, କିଏ କାହାକୁ ମାରିପାରୁଛି ।” ଏପରି କହି ଚିତ୍କାର କରି ସେ ନିଜର ଖଡ୍ଗ ବାହାର କରୁଥିବା ଅବସ୍ଥାରେ ରୂପଧରଙ୍କର ତୀର ଯାଇ ତା’ର ଛାତିରେ ଗଳିଗଲା ।
ଅନ୍ୟମାନେ ରୂପଧରଙ୍କ ଉପରକୁ ଝାମ୍ପି ପଡିଲେ । ଧୀରମତି, ଏକ ବର୍ଚ୍ଛାରେ ଆକ୍ରମଣ କରି କିଛି ଲୋକଙ୍କୁ ମାରି ପିତାଙ୍କ ନିକଟକୁ ଆସି ପଚାରିଲେ, “ପିତାଶ୍ରୀ, ଆପଣ, ପଶୁପାଳକ ଓ ମେଷ-ରଖୁଆଳ ପାଇଁ, ଅଧିକ କିଛି ହତିଆର ନେଇ ଆସିବିକି?”
ରୂପଧର ପ୍ରତ୍ୟୁତ୍ତର ଦେଲେ “ଏହି ତୀର ସମାପ୍ତ ହେବାପୂର୍ବରୁ, ତୁମେ ଚଂଚଳ ଘେନି ଆସ ।” ଅସ୍ତ୍ରଶସ୍ତ୍ର ଥିବା କୋଠରୀକୁ ଯାଇ, ସେ ଢାଲ, ଶିରସ୍ତ୍ରାଣ, ବର୍ଚ୍ଛା ପ୍ରଭୃତି ଆଣି ତୁରନ୍ତ ଫେରି ଆସିଲେ ।
ଚାରିଜଣଯାକ ଦ୍ୱାରସମ୍ମୁଖରେ ଠିଆହୋଇ ଯୁଦ୍ଧ କରୁଥାନ୍ତି, ଯେପରି କେହିବି ସେଠାରୁ ପଳାୟନ କରିପାରିବ ନାହିଁ । ତୀରଗୁଡିକ ସମାପ୍ତ ହୋଇଯିବା ପରେ, ରୂପଧର ବର୍ଚ୍ଛା ଧାରଣ କଲେ । ଜଣେ ନୌକର, ଦୁଷ୍ଟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ, ପଛପଟେ ଖସିଯାଇ ଅସ୍ତ୍ରଶସ୍ତ୍ର କୋଠରୀରୁ ବର୍ଚ୍ଛା ଓ ଢାଲ ଆଣି ସେମାନଙ୍କୁ ଦେଲା ।
ରୂପଧର ଏହା ଲକ୍ଷ୍ୟ କରି କହିଲେ, “ଧୀରମତି, ମନେ ହେଉଛି, ଘରର ଦାସୀମାନେ ଏମାନଙ୍କୁ ସାହାଯ୍ୟ କରୁଛନ୍ତି ।”
“ଭୁଲ୍ ମୋର, ପିତାଶ୍ରୀ, ମୁଁ କୋଠରୀରେ ଚାବି ପକେଇବା ପାଇଁ ଭୁଲିଯାଇଛି ।” ଏହାକହି ସେ ଓ ମେଷରଖୁଆଳ ଅସ୍ତ୍ରଶସ୍ତ୍ର କୋଠରୀରେ ଚାବି ଦେବା ପାଇଁ ଧାଇଁଲେ । ଏହି ସମୟରେ ସେ ନୌକରଟି କୋଠରୀ ଭିତରୁ ବାହାରି ଆସିବା ଅବସ୍ଥାରେ ଧରା ପଡିଗଲା ।
ଦୁଇପକ୍ଷ ମଧ୍ୟରେ ବର୍ଚ୍ଛା ଲଢେଇ ଚାଲିଲା । ଭାଗ୍ୟ ବଶତଃ, ରୂପଧର ଓ ଧୀରମତିଙ୍କ ଶରୀରରେ ଶତ୍ରୁପକ୍ଷର ବର୍ଚ୍ଛା ଆଘାତ ଲାଗି ନ ଥିଲା । କିନ୍ତୁ ସେମାନଙ୍କର ବର୍ଚ୍ଛା ଅନେକ ଶତ୍ରୁଙ୍କର ପ୍ରାଣ ନାଶ କରୁଥାଏ । ଶେଷରେ ସମସ୍ତ ଶତ୍ରୁଙ୍କ ବିନାଶ ଘଟିଲା ।
ବିରାଟ କକ୍ଷଟିରେ ଶବମାନ ବିଛାଡି ହୋଇ ପଡିଥାଏ । ରୂପଧର, ବୃଦ୍ଧା-ଦାସୀଙ୍କୁ ଡକେଇ ଆଦେଶ ଦେଲେ “ଦାସୀମାନଙ୍କୁ ଏଠାକୁ ଆସି, କକ୍ଷଟିକୁ ଭଲରୂପେ ଧୋଇ ସଫା କରିବା ପାଇଁ କହ । ନୌକରମାନେ ଶବଗୁଡିକ ବାହାରକୁ ନେଇଯିବାର ବ୍ୟବସ୍ଥା କରନ୍ତୁ ।”