“ବାଃ, ବାଃ, ତୁମେ ତ ବେଶ୍ ଲମ୍ବା ଚଉଡା ଭାଷଣଟିଏ ଦେଲ, ମୁଁ ସେ ବୁଢାକୁ ଯାହା ଦେବାକୁ ଯାଉଛି, ସମସ୍ତେ ଯଦି ଏପରି ଦେବେ, ତେବେ ସେ ଏ ଘରକୁ ଆଖି ଫେରେଇ ଆଦୌ ଚାହିଁବ ନାହିଁ ।” ଏକଥା କହୁକହୁ ସେ ନଇଁପଡି ତା’ ପାଦ ତଳୁ ପିଢା ଖଣ୍ଡେ ଉଠେଇଲା ।
ଏହି ଭିତରେ ରୂପଧର ଅନ୍ୟ ଅତିଥିମାନଙ୍କଠାରୁ ଯାହା ନେବା କଥା ନେଇ ସାରିଥିଲେ । ପୁନଶ୍ଚ ଦୁର୍ବୁଦ୍ଧି ପାଖକୁ ଆସି ସେ କହିଲେ, “ମହାଶୟ, ସମସ୍ତଙ୍କଠାରୁ ମୁଁ ଆପଣଙ୍କୁ ମହାନ୍ ମନେ କରୁଛି । ତେଣୁ ଆପଣଙ୍କଠାରୁ ମୁଁ କିଛି ଅଧିକ ଆଶା କରେ । ଏକଦା ମୁଁ ଖୁବ୍ ଧନୀ ଥିଲି । ହଜାର ହଜାର ଚାକରବାକରଙ୍କ ସହ ମୁଁ ଅତି ସୁଖରେ ରହୁଥିଲି । କିନ୍ତୁ ଭଗବାନ ମୋ ପ୍ରତି ସଦୟ ହେଲେ ନାହିଁ । ମୋର ସମସ୍ତ ସମ୍ପତ୍ତି ସମୁଦ୍ରରେ ହରେଇବା, ସତେ ଯେପରି ବିଧିର ନିର୍ଦ୍ଧେଶ ଥିଲା । ଇଜି୍ପଟ୍ରେ ମୋର ସମସ୍ତ ଅନୁଚର, ଶତ୍ରୁଙ୍କ ହାତରେ ପ୍ରାଣ ଦେଲେ । ଏହି କାରଣରୁ ମୁଁ ଅସହାୟ ଦିଗଭ୍ରଷ୍ଟ ହୋଇ ଏଠିସେଠି ଘୁରିବୁଲୁଛି । ମୋର ଜୀବନ ନିଃସଙ୍ଗ, ନିଜର ବୋଲି କହିବାକୁ ଆଜି ମୋ ପାଖରେ କେହି ବି ନାହିଁ ।”
ଏକଥା ଶୁଣି ଦୁର୍ବୁଦ୍ଧି କହିଲା “ବାପ୍ରେ, ଇଏ ତ ପୁରାପୁରି ମୋ ପିଛା ଲାଗିଯାଇଛି? ଶାନ୍ତିରେ ଟିକେ ଖାଇବାକୁ ବି ଦେଉନି । ଯାଃ, ଦୂରରେ ଠିଆ ହୁଅ । ସାମାନ୍ୟ ଭିକାରୀଟିଏ ହେଇ ତୋର ପୁଣି ଏତେ ବହପ? ସାବଧାନ୍, ଆଉ ପଦେ ବି କିଛି କହିଛୁ ତ, ତତେ ବି ମୁଁ ପୁଣି ଇଜି୍ପଟ୍ ପଠେଇ ଦେବି । ହଁ, ହଁ, ଏଇ ଲୋକମାନେ, ତତେ କାହିଁକି ଦାନ ଦେବେ ନାହିଁ? କ’ଣ ସେମାନେ ତୋତେ ତାଙ୍କର ପୈତୃକ ସମ୍ପତ୍ତି ଦେଉଛନ୍ତି?”
“ମହାଶୟ, ଆପଣ ଏତେ ବିରାଟ ଦିଶୁଛନ୍ତି, ଅଥଚ ଆପଣଙ୍କ ଦୃଷ୍ଟି ଓ ବିବେକ ଖୁବ୍ ସଂକୀର୍ଣ୍ଣ । ଏ ସମ୍ପତ୍ତି ଆପଣଙ୍କର ନୁହେଁ, ତଥାପି ଦାନ ଦେବାରେ ଯଦି ଏତେ କାର୍ପଣ୍ୟ! ପ୍ରକୃତରେ ଯଦି ଏ ସମ୍ପତ୍ତି ଆପଣଙ୍କର ହୋଇଥାନ୍ତା ତେବେ କ’ଣ କିଛି ଦିଅନ୍ତେ? ପରୋକ୍ଷରେ ଅନ୍ୟ ଦାତାମାନଙ୍କ ଉପରେ ରାଗ ସୁଝାଉଛନ୍ତି । ଏଠି ଏତେ ଖାଦ୍ୟସାମଗ୍ରୀ ମହଜୁଦ୍ ଅଛି ଅଥଚ ରୁଟିଖଣ୍ଡେ ଦେବାପାଇଁ ଏତେ କାର୍ପଣ୍ୟ?” ଏତିକି କହି ସେ ସେଠାରୁ ବାହାରି ଆସିବାକୁ ଉଦ୍ୟତ ହେଲେ । “ଯାହା ସବୁ ମୁହଁକୁ ଆସୁଛି ବକି ଯାଉଛ?” – ଏହା କହି ଦୁର୍ବୁଦ୍ଧି ତା’ ହାତରେ ଧରିଥିବା ପିଢାଟିକୁ ବୃଦ୍ଧଙ୍କ ଉପରକୁ ଫିଙ୍ଗି ଦେଲା । ତାହା ରୂପଧରଙ୍କ ଡାହାଣ କାନ୍ଧରେ ଯାଇ ବାଜିଲା ।
କିନ୍ତୁ ରୂପଧର, ସେଥିପ୍ରତି ଆଦୌ କୌଣସି ଭ୍ରୁକ୍ଷେପ କଲେ ନାହିଁ । ସେ ବୁଲିପଡି କ୍ରୋଧ ଭରା ସ୍ୱରରେ କହିଲେ, “ଏଘରର ମାଲିକାଣୀଙ୍କୁ ବିବାହ କରିବାକୁ ସ୍ୱପ୍ନ ଦେଖୁଥିବା ଭଦ୍ରବ୍ୟକ୍ତିମାନେ, ମୋ କଥା ଧ୍ୟାନର ସହିତ ଶୁଣନ୍ତୁ । ନିଜର ଧନ, ସମ୍ପଦ, ଆଭିଜାତ୍ୟର ବୃଦ୍ଧି ପାଇଁ ଚୋରୀ କରିବା କିଛି ବଡ କଥା ନୁହେଁ । ମାତ୍ର ପେଟକୁ ଭରିବା ପାଇଁ ଯଦି କେହି ଭିକ୍ଷା କଲାବେଳେ ମାଡ ଖାଏ ତାହା ସମ୍ପୂର୍ଣ୍ଣ ଅନ୍ୟାୟ । ଆମପ୍ରତି ଭଗବାନ୍ ସଦୟ ହେଲେ ଅବଶ୍ୟ ସେ ଏହି ଦୁର୍ବୁଦ୍ଧିକୁ ଅବିଳମ୍ବେ ନାଶ କରିବେ ।”
ତାଙ୍କ କଥା ଶୁଣି ଦୁର୍ବୁଦ୍ଧି କହିଲା “ବକ୍ ବକ୍ ବନ୍ଦ କରୁଛ କି ନାଇଁ? ଚୁପ୍ ରହି ନ ପାରିଲେ ଏଠାରୁ ତୁ ସିଧା ବାହାରିଯା’ । ତୋ ମୁହଁରୁ ଆଉ ପଦେ କଥା ବାହାରିଲେ ଆମେ ସମସ୍ତେ ମିଶି ତୋ’ ପିଠିରୁ ଚମଡା ଉତାରି ଦେବୁ । ସାବଧାନ୍!”
ସେଇ ବୁଢା ଭିକାରୀଟି ପ୍ରତି ଦୁର୍ବୁଦ୍ଧିର ଏଭଳି ର୍ଦୁବ୍ୟବହାର ଅନ୍ୟ ମାନଙ୍କୁ ମୋଟେ ଭଲ ଲାଗୁ ନ ଥାଏ । “ଏ ବୁଢାକୁ ମାରିବାର ନ ଥିଲା” , “କେବେ କେବେ ଭଗବାନ ବି ଏହି ରୂପରେ ଆସିଥାଆନ୍ତି” – ଏହିପରି କିଛି ଲୋକ ପରସ୍ପର ମତ ବିନମୟ କରୁଥିଲେ ।
କିନ୍ତୁ ଦୁର୍ବୁଦ୍ଧି କାହାରି କଥାକୁ କାନ ଦେଉ ନ ଥାଏ । ମାତ୍ର ଧୀରମତି ନିଜ ପିତାଙ୍କ ଉପରେ ହୋଇଥିବା ପ୍ରହାରରେ ଖୁବ୍ ବେଶୀ ଦୁଃଖୀ ହୋଇ ପଡିଥାଏ । ପରନ୍ତୁ ସେ ତା’ଦୁଃଖ ବା କ୍ରୋଧ ବାହାରକୁ ପ୍ରକାଶ କରୁ ନ ଥାଏ ।
ଭୋଜନ କକ୍ଷରେ ଘଟୁଥିବା ଘଟଣାର ପୁରା ବିବରଣୀ ପରିଚାରିକାଙ୍କ ମାଧ୍ୟମରେ ପଦ୍ମମୁଖୀ ଜାଣିପାରୁ ଥିଲେ । ସେ ମେଣ୍ଢା ରଖୁଆଳକୁ ନିଜ ପାଖକୁ ଡାକି କହିଲେ, “ସେ ଭିକାରୀକୁ ମୋ ପାଖକୁ ଥରେ ନେଇ ଆସ? ଶୁଣୁଛି, ସେ ବହୁତ ଦେଶ ଭ୍ରମଣ କରିଛି । କାଳେ ସେ ମୋ ସ୍ୱାମୀଙ୍କ ସମ୍ବଦ୍ଧରେ କିଛି ତଥ୍ୟ ଦେଇ ପାରିବ ।”
ଆଦେଶ ପାଇ ମେଣ୍ଢା ରଖୁଆଳ ରୂପଧରଙ୍କ ପାଖକୁ ଆସି କହିଲା, “ମାଲିକାଣୀ ତୁମକୁ ଡାକୁଛନ୍ତି । ମୋର ମାଲିକଙ୍କ ସମ୍ପର୍କରେ ତୁମେ କ’ଣ ଜାଣିଥିବ, ତାହା ସେ ଶୁଣିବା ପାଇଁ ଚାହୁଁଛନ୍ତି ।”
ତହୁଁ ରୂପଧର କ୍ଷୀଣସ୍ୱରରେ ମେଣ୍ଢା ରଖୁଆଳର କାନରେ କହିଲେ “ତୁମ ମୁନିବଙ୍କ ବିଷୟରେ ମତେ ବହୁତ କିଛି ଜଣା । କିନ୍ତୁ ଏହା ଜଣେଇବାର ଉପଯୁକ୍ତ ସମୟ ନୁହେଁ । ତେଣୁ ତୁମେ ଏଠୁ ଯାଇ ତୁମ ମାଲିକାଣୀଙ୍କୁ ଏହା ଜଣାଅ ଯେ, ସଞ୍ଜ ଢଳିଗଲା ପରେ ଗୁପ୍ତରେ ମୁଁ ଆସି ତାଙ୍କୁ ଦେଖା କରିବି । ତୁମେ ତାଙ୍କୁ ଏହାବି କହିବ ଯେ, ସେହି ସମୟରେ ସେ ଯେମିତି ଏକୁଟିଆ ଥିବେ ।”
ମେଣ୍ଢା ରଖୁଆଳ ପଦ୍ମମୁଖୀଙ୍କ ପାଖକୁ ଯାଇ ତାଙ୍କୁ ଏ ଖବର ଦେଲା ଓ ପୁଣି ଫେରିଆସି ଧୀରମତିଙ୍କୁ ସେ କହିଲା “ଛୋଟ ମାଲିକ୍, ଏବେ ମୁଁ ଫେରିଯାଉଛି । ଗୋଶାଳାର ତତ୍ୱ ନେବାକୁ ହେବ । କିନ୍ତୁ ଏଇ ବୁଢାଟିର ଖିଆଲ ରଖିଥିବେ । ଦେଖନ୍ତୁ ତାକୁ କେତେ ବଡ ଆଘାତ ଲାଗିଛି ।”