ଧୀରମତି କହିଲେ “ସେ ବୁଢାଙ୍କ ବିଷୟରେ ତୁମେ ବିଲ୍କୁଲ୍ ଚିନ୍ତିତ ହୁଅନାହିଁ । ତୁମେ ଏଠାରୁ ଭୋଜନ ସାରି ଦେଇ ଯାଅ ।” ମେଣ୍ଢା ରଖୁଆଳ ଯିବାବେଳକୁ ଦ୍ୱିପ୍ରହର ସମୟ । ସେତେବେଳେ ତ ସମସ୍ତେ ନୃତ୍ୟ ଗୀତରେ ମସ୍ଗୁଲ୍ ଥାଆନ୍ତି । ଏହି ସମୟରେ ସେଠାକୁ ଆଉ ଜଣେ ଭିକାରୀ ଆସିଲା ଯେ କି ପ୍ରକୃତରେ ଜଣେ ଭିକାରୀ । ସହରର ରାସ୍ତା, ଗଳିରେ ସବୁଦିନ ତାକୁ ଦେଖିବାକୁ ମିଳିଥାଏ, ସେ ସମସ୍ତଙ୍କୁ ସହରର ସମାଚାର ଶୁଣାଏ । ତେଣୁ ତାକୁ ସମସ୍ତେ ଦୂତ ବୋଲି ଡାକନ୍ତି ।
ଭିତରକୁ ଆସୁ ଆସୁ ସେ ରୂପଧରଙ୍କୁ ଦେଖି ଗର୍ଜନ କରି ଉଠିଲା । “ଆରେ ଏ ବୁଢାଟି, କିଏ? ତୁ ଏଠୁ ଯାଉଛୁନା, ତୋତେ ମୁଁ ଘୋଷାରି ନେଇ ବାହାରେ ଫିଙ୍ଗି ଦେଇ ଆସିବି ।”
ରୂପଧର ଜବାବ୍ ଦେଲେ “ମୁଁ ତୁମକୁ କିଛି କହିଲି କି, କିମ୍ବା ତୁମ ବିଷୟରେ କାହାକୁ କିଛି କହିଲି କି? ମୋ ଉପରେ ତୁଛାଟାରେ ତୁମର ଏତେ ରୋଷ କାହିଁକି? ତୁମର ଭିକ୍ଷା ମାଗିବାର ଅଛି ତ ମାଗିନିଅ । ଏବେ ରହିଲା, ବାହାରକୁ ଫିଙ୍ଗିବାର କଥା । ବୟସରେ ବୁଢା ହେଲେ କ’ଣ ହେବ, ମୁଁ ତୁମକୁ ସୁବିଧାରେ ବାହାରକୁ ଫିଙ୍ଗିଦେଇ ପାରିବି ।”
ଏହା ଶୁଣି ସେ ଦୂତ କହିଲା “ତୁମର ଏତେ ଗର୍ବ! ଉଠ, ଠିଆହୁଅ ଏବେ ଜଣାପଡିବ ଆମ ଭିତରେ କିଏ ବେଶୀ ବଳୁଆ? ଆରେ ବୁଢା ମାଙ୍କଡ, ମତେ କଥାରେ ଡରାଉଛୁ?”
ଦୁଇ ଭିକାରୀଙ୍କୁ ପାଗଳ କୁକୁରଙ୍କ ପରି ନିଜ ନିଜ ଭିତରେ ଝାମ୍ପି ପଡିବାର ଦେଖି ଦୁର୍ବୁଦ୍ଧି ଖୁବ୍ ଖୁସି ହେଉଥାଏ । ବଡ ପାଟିରେ ସେ କହିଲା, “ବନ୍ଧୁଗଣ, ଏବେ ଦେଖିବା, ଏ ଦୁଇଜଣଙ୍କ ଭିତରୁ କିଏ ଜିତୁଛି । ତାଙ୍କ ଲଢେଇରୁ ଆମେ ମଜା ନେବା ।”
ସମସ୍ତେ ଉଠି ସେ ଦୁଇ ଭିକାରୀଙ୍କ ଚାରିପଟେ ଘେରିଗଲେ । ଦୁର୍ବୁଦ୍ଧି କହିଲା, “ତମ ଦୁଇଜଣଙ୍କ ଭିତରୁ ଯିଏ ବି ଜିତିବ, ସେ ଏଠାରେ ସଂନ୍ଧ୍ୟା ପର୍ଯ୍ୟନ୍ତ ରହି ପାରିବ, ମନଇଚ୍ଛା ଖାଇ ପାରିବ, ଯିଏ ହାରିବ, ସେ ଏ ଜାଗାଛାଡି ଚାଲିଯିବ ।”
ରୂପଧର କହିଲା “ମହାଶୟ, ମୁଁ ଖୁବ୍ ବୃଦ୍ଧ, ମତେ ଏକ ଯୁବକଙ୍କ ସହିତ ଲଢିବାକୁ ପଡିବ, ଆପଣ ସମସ୍ତେ ମତେ ଏହି କଥା ଦିଅନ୍ତୁ ଯେ, ଆପଣମାନଙ୍କ ଭିତରୁ ମତେ କେହି ମାରିବେ ନାହିଁ କି ପିଠି ପଟରୁ ପ୍ରହାର ବି କରିବେ ନାହିଁ । ଯଥା ଆପଣ ମାନେ ଆପଣଙ୍କ ଦୂତକୁ ସାହାଯ୍ୟ ସୁଧା କରିବେ ନାହିଁ । ତେବେ ଯାଇ ମୁଁ ଯଥାଶକ୍ତି ଲଢିବାର ପ୍ରଯତ୍ନ କରିବି ।”
ଏହାପରେ ସମସ୍ତେ ଶପଥ ନେଲେ, ଯେପରି ସେମାନେ କେହି ବି ଏ ଲଢେଇରେ ହସ୍ତକ୍ଷେପ କରିବେ ନାହିଁ । ଧୀରମତି ରୂପଧରଙ୍କୁ କହିଲେ, “ମୁଁ ଏ ଘରର ମାଲିକ । ଏଠି ଏମିତି ଜଣେ ବି ଲୋକ ନାହିଁ, ଯେ ନ୍ୟାୟରେ ବିଶ୍ୱାସ କରେ । ମାତ୍ର ମୁଁ ତୁମକୁ ଏହି ଆଶ୍ୱାସନା ଦେଉଛି ଯେ, ତୁମ ସହିତ କିଛି ବି ଅନ୍ୟାୟ ହେବ ନାହିଁ ।”
ଏହାପରେ ରୂପଧର ନିଜର ଚିରାଫଟା ଧୋତିକୁ ଆଣ୍ଠୁ ଉପରକୁ ଉଠେଇ ତାକୁ କଷିକରି ଭିଡିଦେଲେ । ତାଙ୍କର ବଳିଷ୍ଠ ଜଙ୍ଘ, ବାହୁ, ମାଂସପେଶୀକୁ ଦେଖି ସମସ୍ତେ ଚକିତ ହୋଇଗଲେ । ସେମାନେ ଭାବିଲେ, “ଏବେ ଦୂତର ଅନ୍ତିମ ସମୟ ଆସନ୍ନପ୍ରାୟ ।”
ଦୂତର ସ୍ଥିତି ବର୍ଣ୍ଣନାତୀତ ଥିଲା । ଏସବୁ ଦେଖି ସେ ଭୟରେ କମ୍ପିବାକୁ ଲାଗିଲା । ସେ ତା’ର ଧୋତି ଉପରକୁ ଟେକି ବାନ୍ଧିବା ପାଇଁ ବି ଚାକରର ସହାୟତା ଲୋଡିଲା । ରୂପଧର ତାକୁ ଧକ୍କା ଦେଇ ଦେଇ ଲଢିବା ପାଇଁ ଆଗେଇଲେ । ରୂପଧର ଆପଣା ମନରେ ବିଚାରୁଥାନ୍ତି, “ଗୋଟିଏ ମୁଥରେ ତାକୁ ପରଲୋକ ପଠେଇବି, ନା ହାଲୁକା ଧକ୍କାଟିଏ ଦେଇ ତାକୁ ତଳେ ପକେଇ ଦେବି । ଯଦି ଗୋଟାଏ ମୁଥରେ ତାକୁ ମାରିପକାଏ, ସମସ୍ତେ ମତେ ସନ୍ଦେହ କରିପାରନ୍ତି । ନା, ସାଧାରଣ ଆଘାତଟିଏ ଦେବା ।”
ଦୁଇ ଯୋଦ୍ଧା ଧରାଧରି ହେଇ ଲଢିବାକୁ ଆରମ୍ଭ କଲା ବେଳକୁ, ଦୂତ ରୂପଧରଙ୍କ ଡାହାଣ କାନ୍ଧରେ ଆଘାତ ଦେବାକୁ ଚାହିଁଲା । ମାତ୍ର ରୂପଧର ତା ପୂର୍ବରୁ ଦୂତର ଗାଲରେ ଏମିତି ଏକ ଶକ୍ତ ଚାପୁଡାଟାଏ ମାରିଲେ ଯେ, ସେଥିରେ ତା’ର ହନୁହାଡ ଭାଙ୍ଗିଗଲା । ତା’ ମୁହଁରେ ରକ୍ତଧାର ଛୁଟି ଚାଲିଥାଏ ଓ ସେ ତଳେ ପଡି ଭାରି ଛଟପଟ ହେଉଥାଏ । ଏଣେ ଦର୍ଶକମାନେ ହାତ ହଲାଇ ହସୁଥାନ୍ତି, ତଥା ଏହି ଘଟଣାର ମଜ୍ଜା ଦେଖୁଥାନ୍ତି ।
ରୂପଧର ଦୂତର ଗୋଡଧରି ତାକୁ ବାହାରକୁ ଭିଡିଆଣି କାନ୍ଥକୁ ଆଉଜାଇ ବସେଇ ଦେଲେ । ତା ଯଷ୍ଠିକୁ ତା ହାତରେ ଧରେଇ ଦେଇ ସେ କହିଲେ, “ଏଠି ବସି ଦେଖ୍, ଯେମିତି କୌଣସି ବିଲେଇ କି କୁକୁର ଘର ଭିତରକୁ ନ ପଶେ । ମନେକର, ତୁମେ ଭିକାରୀଙ୍କ ସମ୍ରାଟ । ଅଳ୍ପକେ ବଂଚିଗଲ, ଭଲହେଲା । ନ ହେଲେ ତମର କ’ଣ ଯେ ଦୁର୍ଦ୍ଦଶା ହୋଇଥାନ୍ତା!” ତା’ପରେ ରୂପଧର ପୁଣି ଯାଇ ନିଜ ସ୍ଥାନରେ ବସି ପଡିଲେ ।