ଗୋଟିଏ ଗ୍ରାମରେ ପୂର୍ଣ୍ଣ ଓ କିଶୋର ନାମକ ଦୁଇ ବନ୍ଧୁ ଥା’ନ୍ତି । ପିଲାକାଳରୁ ସେ ଦୁହେଁ ନିରାଶ୍ରୟ; ଏତେ ବଡ ସଂସାରରେ ସେମାନଙ୍କର ନିଜର ବୋଲି ଆଉ କେହିବି ନାହିଁ । ଦୁହେଁ ଦିନସାରା କାମ କରନ୍ତି । ରାତିରେ ଗୋଟିଏ ବରଗଛ ଛାଇରେ ସେମାନେ ରହନ୍ତି । ବରଗଛରେ ଗୋଟିଏ ବଡ କୋରଡ ଥାଏ ସେଇଠି ଅଳ୍ପ କିଛି ଜିନିଷପତ୍ର ରଖିଥା’ନ୍ତି । ପାଖରେ ପୋଖରୀଟିଏ ଥାଏ । ଚଳିବାରେ କିଛି ଅସୁବିଧା ହୁଏନାହିଁ । ଏକଦିଗରୁ ଦେଖିଲେ ସେହି ବରଗଛଟିହିଁ ସେ ଦୁହିଁଙ୍କର ସବୁକିଛି । ସେମାନେ ଦିନଯାକ ପରିଶ୍ରମ କରନ୍ତି । ପାଖ ଜଙ୍ଗଲରୁ କାଠ କାଟନ୍ତି କିଛି ବିକନ୍ତି ଓ ଆଉ କିଛି ସେମାନେ ନିଜର ରୋଷେଇ ପାଇଁ ନେଇ ଆସନ୍ତି । ତିନୋଟି ପଥର ପକାଇ ତହିଁ ଉପରେ ଚୁଲିଟିଏ କରି ରୋଷେଇ କରି ସେମାନେ ଖାଆନ୍ତି । ଏମିତି ସେମାନଙ୍କର ଦିନ ବିତିଯାଏ ।
ଦୁହିଁଙ୍କ ମନରେ ପ୍ରଶ୍ନ ଜାଗେ, “ଏମିତି ଆମେ ଆଉ କେତେଦିନ ରହିବା?” ଦୁହେଁ ଭାବନ୍ତି ଚାକିରି କରି କିଛି ଟଙ୍କା ରଖି ଘରଟିଏ କରନ୍ତେ, ଦୁହେଁ ବିବାହ କରନ୍ତେ । ଜମିବାଡି କିଛି କିଣି ସେମାନେ ଅତି ଆରାମ୍ରେ ଚଳନ୍ତେ । ଏହିପରି ଭାବି ସେମାନେ କିଛି କିଛି ଟଙ୍କା ଜମେଇ ରଖିଥା’ନ୍ତି ।
ଦିନେ ସେମାନଙ୍କର ମନେହେଲା, ସେମାନେ କାମରୁ ଲେଉଟି ଆସିବା ପୂର୍ବରୁ କିଏ ଯେପରି ବରଗଛ ଚାରିପଟେ ସ୍ଥାନଟିକୁ ସଫାସୁତୁରା କରିଦେଇଛି, ସେଠାରେ ପଡିଥିବା ଶୁଖିଲା କାଠପତ୍ର ସବୁ ଦୂରକୁ ଫୋପାଡି ଦିଆଯାଇଛି ।
ପୂର୍ଣ୍ଣ କହିଲା, “ଏଠି କ’ଣ ଆଉ କିଏ ଆସି ବିଶ୍ରାମ କରୁଛି କି?”
କିଶୋର କହିଲା, “କୌଣସି ପଥିକ ବିଶ୍ରାମ କରିଥିବ । ଏଠି ପୁଣି କିଏ ବା ରହିବ?”
ବାସ୍, ତା’ପରେ ଦୁହେଁ ସେକଥା ଭୁଲିଗଲେ ।
ଦିନେ ସେମାନେ ବସି ରୋଷେଇ ଆରମ୍ଭ କରିବାକୁ ଯାଉଛନ୍ତି ହଠାତ୍ ଦେଖିଲେ ବରଗଛ କୋରଡରୁ ଦୁଇଟି ହାତ ବାହାରକୁ ଲମ୍ବି ଆସିଲା ଓ ସେମାନଙ୍କ କାମରେ ସାହାଯ୍ୟ କଲା । ଏପରି ଏକ ଅଜବ କଥା ଦେଖି ପୂର୍ଣ୍ଣ ଓ କିଶୋର ଅଚାନକ ଚମକି ପଡିଲେ । ସେମାନେ ଭୟରେ କମ୍ପୁଥା’ନ୍ତି । କିଛି ସମୟ ପରେ କୋରଡ ଭିତରୁ ଏକ ଅଦ୍ଭୁତ ଜୀବ ବାହାରି ଆସିଲା ଓ ବିନମ୍ରତା ପୂର୍ବକ ଏମାନଙ୍କୁ ସେ କହିଲା, “ମୋତେ କ୍ଷମା କରନ୍ତୁ । ମୁଁ ଆପଣମାନଙ୍କୁ ନ ପଚାରି ଏ କୋରଡରେ ପଶିଥିଲି । ମୋତେ ଏଇଠି ରହିବାକୁ ଦିଅନ୍ତୁ । ମୁଁ ତୁମମାନଙ୍କୁ ସବୁ କାମରେ ସାହାଯ୍ୟ କରିବି ।”
ତା’କଥା ଶୁଣି ଏମାନଙ୍କର ଭୟ ଟିକିଏ କମିଲା । ସେମାନେ ଭଲକରି ଚାହିଁ ଦେଖିଲେ ତା’ର ମଣିଷ ପରି ଚେହେରା, ଦେହଟି ରୁମୁରୁମିଆ, ମୁଣ୍ଡରେ ଯୋଡିଏ ସିଙ୍ଗ । ହେଲେ ତା’ ଦେହଟା ଠିକ୍ କାଠ ପଟାପରି ।