ତା’ପରେ ପୂର୍ଣ୍ଣ ଓ କିଶୋର ସାହସ କରି କହିଲେ, “ଆମର ଅନୁପସ୍ଥିତିରେ ତୁମେ ଏଠାରେ ପ୍ରବେଶ କରିଛ, ଏଇଟା ତ ଯମାରୁ ଭଲ କଥା ନୁହେଁ । ଏବେ ତୁମେ ଏଠାରୁ ପଳାଅ ।”
ଏକଥା ଶୁଣି ସେ ପ୍ରାଣୀ କାନ୍ଦି କାନ୍ଦି ସେମାନଙ୍କ ପାଦରେ ଲୋଟିପଡି କହିଲା, “ମୋତେ ଏପରି ନିର୍ମମ ଭାବରେ ଏଠୁ ବାହାର କରି ଦିଅନାହିଁ । ମୋତେ ମୁଣ୍ଡ ଗୁଞ୍ଜିବାକୁ ତ ଟିକିଏ ଜାଗା ଦରକାର । ଆଉ ଅଧିକ କିଛିବି ତ ମୁଁ ମାଗୁନାହିଁ । ମୋତେ ମୋ ସାଙ୍ଗ ପ୍ରେତମାନେ ବାଡେଇ ଘଉଡେଇ ଦେଲେ । ଆପଣମାନଙ୍କ କଥା ଶୁଣି ମୋର ମନ ବୁଝିଗଲା ଯେ ଆପଣମାନେ ବଡ ଦୟାଳୁ । ମୁଁ ଆପଣମାନଙ୍କର ରନ୍ଧାବଢା ବାସନ ମଜା, ଲୁଗା କଚା ସବୁ କାମ କରିବି । କିନ୍ତୁ ତା’ ବଦଳରେ ମୋତେ ଖାଲି ମୁଠିଏ ଖାଇବାକୁ ଦେବେ ।”
ପୂର୍ଣ୍ଣ ପଚାରିଲା, “ତୁମେ ତ କହିଲ ନାହିଁ ଯେ ତୁମ ସାଥିମାନେ ତୁମକୁ କାହିଁକି ଦଳରୁ ତଡିଦେଲେ?”
ଏତକ ଶୁଣି ପ୍ରେତଟି ତା’ର ହାଡୁଆ ମୁହଁ ଖୋଲି ଦେଇ ଦେଖାଇଲା ଓ ଦୁଃଖିତ ସ୍ୱରରେ କହିଲା, “ଦେଖିପାରୁଛ? ମୋର ଦୁଇଟିଯାକ ମାଢି ଭାଙ୍ଗି ଯାଇଛି । ଏବେ ମୁଁ ପାକୁଆ ହୋଇ ଯାଇଛି । ପ୍ରେତ ପାକୁଆପାଟି ହୋଇଗଲେ ଅନ୍ୟ ପ୍ରେତମାନେ ତାକୁ ଦଳରେ ରହିବାକୁ ଦିଅନ୍ତି ନାହିଁ । ତାଙ୍କୁ ସେଇଟା ବଡ ଅପମାନ ହୁଏ । ସେଥିପାଇଁ ମୋତେ ସେମାନେ ତଡିଦେଲେ । ଏବେ ତୁମେ ଯଦି ମୋତେ ତୁମ ସହିତ ରହିବାକୁ ନ ଦେବ ତ ମୁଁ କୁଆଡେ ଯିବି? ତେଣୁ ମୋତେ ତୁମର ତୃତୀୟ ବନ୍ଧୁ ବୋଲି ଭାବି ନିଜ ସହିତ ରଖ ।”
ପୂର୍ଣ୍ଣ ପଚାରିଲା “ଆଚ୍ଛା ତୁମେ ତ କହିଲ ନାହିଁ କାହିଁକି ତୁମର ପାଟି ପାକୁଆ ହୋଇଗଲା?”
ପ୍ରେତ ପୂର୍ଣ୍ଣର କଥାରେ ଟିକିଏ ଥତମତ ହୋଇ କହିଲା, “ତାହା ଏକ ଦୀର୍ଘ କାହାଣୀ” ପ୍ରେତ ସେତିକି କହିଛି କିଶୋର କଥାରେ ବାଧା ଦେଇ କହିଲା, “ଦୀର୍ଘ କାହାଣୀ ତ ତୁମ ପାଖରେ ଥାଉ; ଏତେ କଥା ଶୁଣିବାକୁ ଆମର ବେଳ କାହିଁ? ଆମେ ଶ୍ରମିକ ଲୋକ । ଶ୍ରମ କରି ପେଟ ପୋଷୁଛୁ ।” ପୁଣି ପୂର୍ଣ୍ଣଙ୍କୁ ଚାହିଁ ସେ କହିଲା, “ଛାଡ ସେସବୁ କଥା, ତା’ ମାଢି କିପରି ଭାଙ୍ଗିଲା ସେଥିରେ ଆମର ଯାଏ ଆସେ କେତେ ।”
କିଶୋରର କଥା ଶୁଣି ପ୍ରେତ ଗୁମୁରି ଗୁମୁରି କହିଲା, “ଏହି ମାଢି ଯୋଗୁଁ ତ ମୁଁ ନିଜ ପେଟ ପୋଷି ପାରୁନାହିଁ । ଧେତ୍, ଏମିତି ବଂଚି କ’ଣ ଲାଭ, ମରିଗଲେହିଁ ବହୁତ ଭଲ ।” ଏହା କହି ବରଗଛରେ ସେ ତା’ ନିଜ ମୁଣ୍ଡ ପିଟି ଚାଲିଲା ।
ଏକଥା ଦେଖି କିଶୋରର ସେ ପ୍ରେତ ପ୍ରତି ଟିକେ ଦୟା ଆସିଲା । ସେ କହିଲା, “ଠିକ୍ ଅଛି, ତମେ ଆମ ପାଖରେ ରହିବ । କିନ୍ତୁ ମଣିଷ ଭଳି ଚଳିବ । କିଛି ଗୋଳମାଳ କରିବ ନାହିଁ ।”
ଏକଥା ଶୁଣି ସେ ପ୍ରେତ ବଡ ଆନନ୍ଦରେ ଗଦ୍ ଗଦ୍ ହୋଇ ଦୁହିଁଙ୍କ ପାଦ ଛୁଇଁ ପ୍ରଣାମ କଲା ।
କିନ୍ତୁ ପୂର୍ଣ୍ଣର ମନ ଭିତରର ପ୍ରଶ୍ନ ଏବେ ମଧ୍ୟ ରହିଥାଏ । ସେ ଏହା ଜାଣିବାକୁ ଚାହୁଁଥିଲା ଯେ, ପ୍ରେତର ମାଢି ଭାଙ୍ଗିଲା କାହିଁକି? ପ୍ରେତ ଦୀର୍ଘ ନିଃଶ୍ୱାସ ଛାଡି କହିଲା, “ସେ ଲମ୍ବା କାହାଣୀ ପରେ ଶୁଣାଇବି, ଏବେ ଡେରି ହୋଇଗଲାଣି, ମୁଁ ଯାଉଛି ରାନ୍ଧିବି ।”
ଏତିକି କହି ସେ ଖାଦ୍ୟ ତିଆରି କରିବାରେ ଲାଗିଗଲା । କିଛି ସମୟ ମଧ୍ୟରେ ସବୁ ତିଆରି ହୋଇଗଲା । ତିନିଜଣ ଏକାଠି ବସି ଖାଇଲେ । ଖାଦ୍ୟ ଖୁବ୍ ସ୍ୱାଦିଷ୍ଟ ଥିଲା । ଦୁଇ ବନ୍ଧୁ ଖାଇ ଖୁବ୍ ତୃପ୍ତ ହେଲେ ।
ପରଦିନ ପ୍ରେତ ଶୀଘ୍ର ଖାଇସାରି ବରଗଛ ତଳ ସଫା କରିବାରେ ଲାଗିଲା । ବାସନପତ୍ର ସୁନ୍ଦର କରି ମାଜିଲା । ତା’ପରେ ସେମାନଙ୍କ ଲୁଗା ସବୁ ନେଇ କାଚି ସଫାକରି ସେ ଶୁଖାଇଲା । ପ୍ରେତର ଏଭଳି କାମରେ ସେ ଦୁଇ ବନ୍ଧୁ ଖୁବ୍ ଖୁସି ହେଲେ । ଏବେ ସେମାନେ ଅଧିକ ପରିଶ୍ରମ କରି ଅଧିକ ପଇସା ରୋଜଗାର କଲେ । କାରଣ ତୃତୀୟ ବନ୍ଧୁଟିର ପେଟ ଭରିବା ତ ଦରକାର! ପ୍ରେତ ମୁଠିଏ ଖାଇ ଦେଉଛି ମାନେ ସବୁ ଶେଷ ।