ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରୂପାର ମାଢି

ଦିନେ ସଂଧ୍ୟାବେଳେ ପାରିଶ୍ରମିକ ଦେବାବେଳେ ଦୁଇ ବନ୍ଧୁଙ୍କୁ ସେଠ୍ ପଚାରିଲେ, “କିହୋ ବାବୁ, ତୁମେ ଦୁହେଁ ଆମକୁ ନ କହି କେଉଁଠି ଓ କେବେ ବାହା ହୋଇ ପଡିଲ?”

ପୂର୍ଣ୍ଣ ପଚାରିଲା, “ଏକଥା କାହିଁକି କହିଲେ?”

“କାରଣ ଆଜିକାଲି ବେଶି ପଇସା ରୋଜଗାର କରିବାରେ ଦୁହେଁ ଲାଗିଛ । ବାହା ନ ହେଲେ ଏପରି କାହିଁକି ହୁଅନ୍ତା?” ସେଠ୍ ଏହା କହିଲେ ଓ ହସିଲେ । ତାଙ୍କର ଗୋଟିଏ ଦାନ୍ତ ଉପରେ ସୁନା ଛାଉଣି ଚକ୍ ଚକ୍ କରୁଥିଲା ।

ପୂର୍ଣ୍ଣ ସେଇଟି ଦେଖିବା ମାତ୍ରେ ଭାବିଲା ଯଦି ପ୍ରେତ ପାଇଁ ସେମିତି ଗୋଟିଏ କରାହୁଏ ତ ଭାରି ଭଲ ହୁଅନ୍ତା । ସେ କିଶୋରକୁ ଏକଥା କହିଲା । କିଶୋର କହିଲା, “ସୁନାର ମାଢି ଦାନ୍ତ ଲଗାଇବାକୁ ତ ବହୁତ ପଇସା ପଡିବ । ଠିକ୍ ଅଛି, ଆମେ ତା’ହେଲେ ସୁନାର ନକରି ରୂପାର ମାଢିଦାନ୍ତ ଲଗାଇ ଦେବା । ଆମର ଜମା ରଖିଥିବା ଟଙ୍କାରୁ କିଛି ଖର୍ଚ୍ଚ କଲେ ହୋଇଯିବ । ଚାଲ ଏକଥା ପ୍ରେତକୁ କହିବା । ଏହା ଶୁଣିଲେ ସେ ପୁରାପୁରି ଖୁସି ହୋଇଯିବ ।” ତାଙ୍କ ବରଗଛ ଘରକୁ ଫେରି ସେମାନେ ପ୍ରେତକୁ ଏକଥା କହିବାରୁ ସେ ଆନନ୍ଦରେ ଗଦ୍ ଗଦ୍ ହୋଇ ଦୁଇଗୁଣା କାମ କଲା ।

ପରଦିନ ସକାଳେ ଦୁଇ ବନ୍ଧୁ ରୂପାର ମାଢି ଓ ଦାନ୍ତ ତିଆରି କରିବାକୁ ବଣିଆ ପାଖକୁ ଗଲେ । ପୁଣି ଦୁହେଁ ଭାବିଲେ ଏକଥା ବଣିଆକୁ କିପରି କହିବେ; ପ୍ରେତ ପାଟିର ତ ମାପ ନିଆ ଯାଇନାହିଁ । କ’ଣ କରାଯିବ? ଯେଉଁ ବଣିଆ ପାଖକୁ ଯାଇ ଏକଥା କହିଲେ ସେ ଭୂତ ଦେଖିବା ପରି ତାଙ୍କୁ ଚାହିଁଲା । ଶେଷକୁ ସୁରେଶ ନାମକ ଏକ ବଣିଆ ପାଖକୁ ସେମାନେ ଗଲେ । ସେଠାରେ ପହଁଚି ତାକୁ ସେ କହିଲେ ଗୋଟିଏ ନାଟ୍ୟଦଳ ଏଠାକୁ ଆସିବେ । ତାଙ୍କର ଭୂମିକା କରୁଥିବା ଲୋକର ପାଟିରେ ଲଗାଇବାକୁ ରୂପା ମାଢି ଓ ଦାନ୍ତ ଦରକାର ।

ସୁରେଶ କହିଲା, “ଠିକ୍ ଅଛି ସପ୍ତାହ ପରେ ଆସ ।”

ସପ୍ତାହକ ପରେ ଦୁଇ ବନ୍ଧୁ ଯାଇ ସେଠାରେ ପହଁଚିଲେ । ଦେଖିଲେ ସୁରେଶର ସାତବର୍ଷର ପୁଅ ସେହି ରୂପା ଦାନ୍ତପାଟି ଧରି ଖେଳୁଛି । ଏମାନଙ୍କୁ ଦେଖି ସେ ବିଷୟରେ ସେ ଅନେକ ପ୍ରଶ୍ନ ପଚାରିବାକୁ ଆଗ୍ରହ କଲା ।

ସୁରେଶ କହିଲା, “ଆସନ୍ତୁ, ଆପଣଙ୍କ ଜିନିଷ ପ୍ରସ୍ତୁତ । କିନ୍ତୁ ମୋର ଏ ଛୋଟ ପୁଅ ମୋତେ ପ୍ରଶ୍ନ ପଚାରି ପଚାରି ନୟାନ୍ତ କଲାଣି । ଆପଣ ନିଜେ ଏହାର ଉତ୍ତର ଦିଅନ୍ତୁ ।”

ପିତାଙ୍କ ଦ୍ୱାରା ପରଚିୟ ଦାନ ପରେ ବାଳକଟି ସେ ଦୁଇ ବନ୍ଧୁଙ୍କୁ ପଚାରିଲା, “ଆଚ୍ଛା, ତେବେ ଆପଣଙ୍କର ଏ ଜିନିଷ? କୁହନ୍ତୁ ତ ଆପଣ କିପରି ପ୍ରେତ ଭୂମିକାରେ ଅଭିନୟ କରିବେ; ପୁଣି ଯେଉଁ ପ୍ରେତର ଦାନ୍ତ ଓ ମାଢି ରୂପାରେ ତିଆରି?”

ସେ ଦୁଇ ବନ୍ଧୁ ଏଥର ମହା ଅଡୁଆରେ ପଡିଲେ । କିଶୋର ଓ ପୂର୍ଣ୍ଣ ଉଭୟ ଉଭୟଙ୍କୁ ଚାହିଁଲେ; ତା’ପରେ କିଶୋର କହିଲା, “ନାଟକଟିର ଗଳ୍ପ ହେଲା – ଜଣେ ତାନ୍ତ୍ରିକ ଗୋଟିଏ ପ୍ରେତକୁ ବୋତଲରେ ବନ୍ଦ କରି ରଖିଥିଲା । ପ୍ରେତ ବହୁତ ବଦମାସି କରିବାରୁ ତାନ୍ତ୍ରିକ ତା’ର ଦାନ୍ତ ଉପାଡି ଦେଇ ତାକୁ ପାକୁଆ କରି ତଡିଦେଲା, ପ୍ରେତ ସେଠାରୁ ଯାଇ ଜଣେ ଗରିବ ଲୋକ ଘରେ ପହଁଚିଲା ଓ ତା’ର ଦୁଃଖ କଥା ଗପିଲା । ଗରିବ ହେଲେ କ’ଣ ହେବ ତା’ର ଦୟା ଥିଲା । ସେ ପ୍ରେତକୁ ନିଜ ଘରେ ଆଶ୍ରୟ ଦେଲା । ପ୍ରେତ କାମଧନ୍ଦା କରିଥାଏ । ଗରିବ ଲୋକର ହାତରେ କିଛି ପଇସା ହେବାରୁ ସେ ପ୍ରେତ ପାଇଁ ଦୁଇଟି ଦାନ୍ତ ମାଢି କରିଦେଲା । ପ୍ରେତ ଖୁସି ହୋଇ ତା’ ପାଖରେ କାମ କରି ରହିଲା ।” ବାଳକଟି କିଶୋରର କଥା ଶୁଣି ହସି ହସି ଗଡିଲା ଓ କହିଲା, “ତମ କଥାରେ କିଛି ମିଥ୍ୟା ଅଛି । ପ୍ରେତଟା ଯେତେବେଳେ ବଦମାସ୍ ଥିଲା, ସେତେବେଳେ ରୂପା ଦାନ୍ତ ପାଟି ପାଇବା ମାତ୍ରେ ସେଠାରୁ ପଳାଇବ । ଜମାରୁ ରହିବ ନାହିଁ ।”

ବାଳକର କଥା ଶୁଣି ତାଙ୍କ ମନରେ ଟିକିଏ ସନ୍ଦେହ ଆସିଲା । ଜଣେ ଅନ୍ୟ ଜଣକୁ କହିଲା, “ପ୍ରେତ ଏଇଟି ପାଇବା ପରେ ଆମକୁ ଆଉ ଠକିଦେଇ ପଳାଇବ ନାହିଁ ତ?” ପୂର୍ଣ୍ଣ କହିଲା, “ନାହିଁ ନାହିଁ, ଆମ ପ୍ରେତ ସେପରି ନୁହେଁ; ତଥାପି ଆମେ ଆଗରୁ ତା’ ବିଷୟରେ କିଛି ତଥ୍ୟ ଯେପରି ହେଲେ ଜାଣିନେବା ।”

ପ୍ରେତ ସେମାନଙ୍କ ଅପେକ୍ଷାରେ ଥାଏ । ସେମାନଙ୍କ ସନ୍ଦେହପୂର୍ଣ୍ଣ କଥାବାର୍ତ୍ତା ଦେଖି ସେ ହତାଶ ସ୍ୱରରେ କହିଲା, “ଏବେ ମୋତେ କହିବାକୁ ହେବ କାହିଁକି ମୁଁ ଏପରି କଷ୍ଟରେ ଅଛି । ମୋର ମାଢି ଓ ଦାନ୍ତ କୁଆଡେ ହଜିଲା ।” ତା’ପରେ ସେ ତା’ ନିଜ ବିଷୟରେ ଗପିଲା ।

ଏଠାକୁ ଆସିବା ପୂର୍ବରୁ ମୁଁ ବୋତଲ ଭିତରେ ଥିଲି । ମୋତେ ବୋତଲରେ ବନ୍ଦ କରିବା ଲୋକର ନାମ ପ୍ରେତ ନାରାୟଣ ଭୂତଶର୍ମା ଥିଲା । ସେ ଜଣେ ତାନ୍ତ୍ରିକ ଥିଲା । ସେହି ତାନ୍ତ୍ରିକର ଜଣେ ବନ୍ଧୁ ଥିଲା, ତା’ର ନାମ ପିଶାଚପ୍ରିୟ ଭୂତନାଥ । ସେ ମଧ୍ୟ ଗୋଟିଏ ପ୍ରେତକୁ ବନ୍ଦୀ ବନାଇ ରଖିଥିଲା । ଦୁଇମିତ୍ର ସେ ଦୁଇ ପ୍ରେତଙ୍କର ଶ୍ରେଷ୍ଠତା ବ୍ୟାଖ୍ୟାନ କରିବାରେ ସମୟ ଯାଏ । ଥରେ ଥରେ ଆମେ ଦୁହେଁ ପ୍ରତିଯୋଗିତା କରୁ । କେବେ କେବେ ତାଳଗଛ ଉପାଡି ଧରି ଦୁହେଁ ଦୌଡିବୁ । କେବେ ବା ପାଣିରେ ପଶି କୁମ୍ଭୀର ସହିତ ଯୁଦ୍ଧ କରିବୁ । ଏସବୁ ଥିଲା ଆମ ପ୍ରତିଯୋଗିତାର ଖେଳ ।”

କିନ୍ତୁ ସେମାନେ ଦିନେ ଆମକୁ ଗୋଟାଏ ଅଜବ କାମ ଦେଲେ । ଦୁହେଁ ଦାନ୍ତରେ ଦଉଡି ଲଗାଇ ପଥରକୁ ବାନ୍ଧି ଟାଣି ଟାଣି ପର୍ବତ ଉପରକୁ ଉଠିବେ । କିଏ ଜିତିବ । ମୁଁ ପଥର ଟାଣୁ ଟାଣୁ ମୋର ଦୁଇ ମାଢି ଦାନ୍ତ ସହିତ ବାହାରି ଆସିଲା । କେତେ କଷ୍ଟ ସହି ମୁଁ କାନ୍ଦୁଥାଏ । ପ୍ରେତ ନାରାୟଣ ମୋତେ ସହାନୁଭୂତି କ’ଣ ଦେଖାଇବ ଓଲଟା ମତେ ଧରି ସେ ପିଟିଲା । ସେଠାରୁ ମାଡ ଖାଇ ପଳାଇ ଆସି ମୁଁ ତୁମମାନଙ୍କର ଶରଣ ପଶିଛି ।”

ଗଳ୍ପ ଶୁଣିବା ପରେ ଦୁହେଁ ତା’ପ୍ରତି ଅଧିକ ଦୟା ଦେଖାଇଲେ ସେମାନେ ରୂପା ମାଢି ଦେଇ କହିଲେ, “ଏବେ ତୁମେ ତୁମର ସମ୍ପୂର୍ଣ୍ଣ ଶକ୍ତି ଫେରି ପାଇବ ।” ସେମାନଙ୍କର ଆଶା ଥାଏ କେଉଁଠୁ ହେଲେ ପୋତାଧନ ଯଦି ପ୍ରେତ ସେମାନଙ୍କୁ କରାଇ ଦିଏ ତ ଅତି ଉତ୍ତମ ।

ତା’ପରେ ସେମାନେ ରୂପାର ମାଢି ପ୍ରେତର ପାଟିରେ ଲଗାଇ ଦେଲେ ଓ ତାକୁ ପୋଖରୀ ପାଖକୁ ଟାଣି ନେଇ କହିଲେ, “ଏବେ ପାଣିରେ ତୁମ ମୁହଁର ପ୍ରତିବିମ୍ବ ଦେଖ । କି ସୁନ୍ଦର ଦେଖାଯାଉଛି ।”

ପ୍ରେତ ପାଣି ଭିତରକୁ ଉଙ୍କି ମାରି ନିଜର ପ୍ରତିବିମ୍ବ ଦେଖି ଖୁବ୍ ଖୁସି ହୋଇଯାଇ କହିଲା, “ବାଃ, ଇଏତ ଆଗର ଦାନ୍ତ ଅପେକ୍ଷା ବେଶି ସୁନ୍ଦର ଦେଖାଯାଉଛି ।”

ଏତିକି କହି ପ୍ରେତ ଚିଲ୍ଲା ମାରି ଆକାଶରେ ଉଡି ଉଡି ଚାଲିଗଲା । ଦୁଇ ବନ୍ଧୁ ତ କାବା ହୋଇ ଅନାଇ ରହିଛନ୍ତି ।

ଶେଷକୁ ଦୁହେଁ ବରଗଛ ପାଖକୁ ଫେରି ଆସିଲେ । ଦୁହିଁଙ୍କ ମୁହଁ ତଳକୁ । ପୂର୍ଣ୍ଣ କହିଲା, “କିଶୋର, ବଣିଆର ପୁଅ ବୟସରେ ବହୁତ ଛୋଟ ହେଲେ କ’ଣ ହେଲା, ତା’ର ବୁଦ୍ଧି ଆମଠୁ ଖୁବ୍ ବେଶି । ପ୍ରେତମାନଙ୍କୁ ସେ ଠିକ୍ ଚିହ୍ନିଛି । ଯାହା କହିଥିଲା ତାହା ଠିକ୍ ଠିକ୍ ସତ ଫଳିଲା । ତା’ କଥା ମାନିଥିଲେ ଏବେ ଆମକୁ ଆଉ ହତାଶ ହେବାକୁ ପଡି ନଥା’ନ୍ତା ।”

ବିଚାରା କିଶୋର ଖାଲି ମଥା ହଲାଇ ଏଥିରେ ନିଜର ସମ୍ମତି ଦେଲା । ତଳକୁ ମୁହଁ କରି ସେ ପ୍ରେତ କଥା ଭାବି ଲାଗିଥାଏ; ଏବେ ସୁଦ୍ଧା ସେ ତା’ ନିଜ ଆଖିକୁ ବିଶ୍ୱାସ କରିପାରୁ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ