ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରେବତୀ

‘ଲୋ ରେବତୀ – ଲୋ ରେବି – ଲୋ ନିଆଁ, ଲୋ ଚୁଲି’

କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ତା’ର ପାଟପୁର । ଆଉ ସେ ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର । ଅଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚିରି ଚାଳିଆରେ ଢେଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡିଦୁଆର । ଦାଣ୍ଡଦୁଆର ମେଲାଘରେ ଦାଣ୍ଡଲୋକେ ବସାଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ହିଁ ବସନ୍ତି । ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ସେ ଗ୍ରାମର କରଣ, ମାସକୁ ଦରମା ତାଙ୍କର ଦୁଇଟଙ୍କା ମାତ୍ର, ଦରମା ଛାଡି ପାଉତି ବିଶୋଧନୀ, ବାହାଲହଣା ଇତ୍ୟାଦିରୁ ଦୁଇପଇସା ତାଙ୍କ ହାତପୈଠ ହୁଏ । ସବୁ ମିଶାଇଲେ ମାସକୁ ଚାରିଟଙ୍କାରୁ ମୋଟେ  ଊଣା ହେବ ନାହିଁ ତାଙ୍କର, ଏହିପରିଭାବେ ତାଙ୍କ ସଂସାର ଏକରକମ ଚଳେ । ଏକରକମ କିଆଁ? ବୋଇଲେ ବେଶ୍ ଭଲରେ ଚଳେ । ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା ସେ ଘରର କାହାରି ମୁହଁରୁ କେବେବି ଶୁଣାଯାଏ ନାହିଁ । ବାଡିରେ ଶାଗମୁଗ ଛାଡି ସଜନା ଦୁଇଗଛ । ଘରେ ଲଗାପଡିଅ ବରଷ ବିଆଣୀ ଗାଈ ଦୁଇଟା ବନ୍ଧା; ତେଣୁ ଦୁଧ ଟିକିଏ, ଚହ୍ଲା ମନ୍ଦାଏ ହାଣ୍ଡିତଳେ ସଦା ସର୍ବଦା ଲାଗିଥାଏ । ବୁଢୀ ଚଷୁ ମିଶାଇ ଘଷି ପାରିଦିଏ, ତେଣୁ ସେମାନଙ୍କୁ କାଠ କିଣା ଆଦୌ ବାଧେ ନାହିଁ । ଜମିଦାର ସାଢେ ତିନିମାଣ ଜମି ତାଙ୍କୁ ଚଷିବାକୁ ଦେଇଛନ୍ତି; ଧାନ ବଳେ ନାହିଁ କି କମେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ