ଦିନେ ରାତିରେ ଶ୍ୟାମବନ୍ଧୁ ବସି ଭାତ ଖାଇବା ବେଳେ ମା’ପୁଅ ଦୁଇଜଣ କଥାବାର୍ତ୍ତା ହେଲେ । ପୂର୍ବେ ବୋଧକରୁଁ କିଛି କଥା ହୋଇଥିଲା, ଆଜି ସେହି କଥାର ଉପସଂହାର ମାତ୍ର ।
ଶ୍ୟାମବନ୍ଧୁ – କି ମା, ଭଲ ହେବ ନାହିଁ କି?
ବୁଢୀ – ହଁ, ଭଲ ତ ହେବ; ଜାତି କଥାଟା ବୁଝିଛୁ ନା?
ଶ୍ୟାମବନ୍ଧୁ – ମୁଁ ଆଜିଯାଏଁ ଆଉ କ’ଣ ବୁଝୁଥିଲି? ଭଲ କରଣ, ଗରିବ ପୁଅ, ହେଲେ କ’ଣ ହେବ, ଜାତି ଭଲ ।
ବୁଢୀ – “ଧନ ଦଉଲତ ନାହିଁ ବିଚାର,
ଜାତି କଥାଟା ଆଗେ ପଚାର ।”
ଘରେ ରହିବ ତ?
ଶ୍ୟାମବନ୍ଧୁ – ଘରେ ନ ରହି ଯିବ ଆଉ କୁଆଡେ? ହଜାର ହେଲେ ମାମୁ ମାଈଁ ନା, ଆଉ କ’ଣ?
ସେତେବେଳେ ରେବତୀ ତ ପାଖରେ ବସି ଭାତ ଖାଉଥିଲା, ଏହି କଥାର ମର୍ମ ସେ କ’ଣ ବୁଝିଲା ସେ ଜାଣେ; ମାତ୍ର ସେହିଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟରକମ ଦେଖୁଅଛୁ । ତାକୁ ବାପା ଆଗରେ ବାସୁଭାଇ ପଢାଇଦେଲେ କିପରି ଗୋଟାଏ ଲାଜ ମାଡେ; ଅକାରଣ ସକାରଣ ସବୁବେଳେ ହସ ମାଡେ; ମୁଣ୍ଡ ତଳକୁ ପୋତିଦେଇ ଦୁଇ ଓଠ ବୁଜି ନିଜ ହସ ସେ ଲୁଚାଏ । ଏଣିକି ବାସୁ ପଢାଇଦେଲେ ସେ ରେବତୀ କେତେବେଳେ ତୁନି ତୁନି ପଢେ, ପୁଣି କେତେବେଳେ ଖାଲି ହୁଁ ହୁଁ କରେ; ପଢା ସରିଲେ ପାଟି ବୁଜି ହସି ହସି ଆପଣା ଘରକୁ ପଳାଇଯାଏ । ପ୍ରତିଦିନ ସଞ୍ଜବେଳେ ଦାଣ୍ଡଦୁଆର କବାଟକୁ ଧରି କାହାକୁ ଗୋଟେ ଚାହିଁଥାଏ ସେ ରେବତୀ, ବାସୁ ଆସିଲେ ଘରକୁ ପଳାଏ, ପାଂଚ ଡାକରେ ବି ସେ ଘରୁ ବାହାରେ ନାହିଁ । ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢୀ ଭାରି ଖପା ହୁଏ ।
ଏମିତି ଏମିତି ଦେଖୁ ଦେଖୁ ପଂଚମୀକୁ ପଂଚମୀ ଦୁଇ ବରଷ ହୋଇଗଲାଣି । ବିଧାତାଙ୍କର ବିଧାନ କାହାର ଦିନ ସମାନଭାବରେ ଯିବ ନାହିଁ । ଫଗୁଣମାସିଆ ଦିନ, କାହିଁ କିଛି ନାହିଁ, ଅଚାନକ କାହୁଁ ବାଡି ଆସିଲା, ସକାଳେ ଗ୍ରାମରେ ଶୁଣାଗଲା, ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତିଙ୍କୁ ବାଡି ଧରିଛି । ସେତେବେଳେ ମଫସଲ ଗାଁରେ ବାଡି ପଡିଲେ ତାଟି କବାଟ ତ ପଡିଯାଏ । ବାଡି ବୁଢୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଅଛି, ଏପରି ସମସ୍ତେ ମଣନ୍ତି । ଦୁଆରକୁ କାହାରି ବି ଆସିବାର ନାହିଁ । ଏବେ ଏ ମାଇକିନିଆ ଦୁଇଟା କ’ଣ ବା କରିବେ? ପିଲାଟା ଡାକ ପାଡି ଘର ବାହାର ହେଉଅଛି । ବାସୁଦେବ ଏକଥା ଶୁଣି ସ୍କୁଲ୍ ଛାଡି ଧାଇଁଲା । ତାର ତ କାହାରିକୁ ବି ଆଦୌ ଡର ନାହିଁ, ଭୟ ନାହିଁ, ଆପଣା ଶରୀର ପ୍ରତି ଭାବନା ବି ନାହିଁ, ଶ୍ୟାମବନ୍ଧୁ ପାଖରେ ବସି ଗୋଡରେ ହାତ ବୁଲାଉଥାଏ, ପାଣି ଟୋପାଏ ଟୋପାଏ ବି ମୁହଁରେ ଦେଉଥାଏ । ବେଳ ତିନି ପ୍ରହର ସମୟରେ ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇଁ ଖନେଇଁ କହିଲା, “ବାଁ-ସୁଁ- ଏଁ-ବଁ ଆଁ-ଗିଁ-ଲା ।” ତା’ପରେ ସେ ବାସୁକୁ ଭୋ ଭୋ କରି ଡକା ପଡିଲା । ଏମିତିକି ସେ ଘରେ ଚହଳ ପଡିଗଲା । ଏଣେ ଏ ରେବତୀ ଖାଲି ଭୂଇଁରେ ପଡି ଗଡୁଥାଏ, ଗ୍ରାମର ଲୋକେ ଏସବୁ ଶୁଣି କହିଲେ, ହୋଇଗଲା ପରା । ଦେଖ-ଦେଖ-ଦେଖ, ସଞ୍ଜବେଳକୁ କିଛି ନାହିଁ । କ’ଣ କରିବେ – ଏ ବାସୁଟା ତ କାଲିକା ପିଲା, ଆଉ ଦୁଇଟା ଭୁଆସୁଣୀ । ଗ୍ରାମର ବନା ସେଠୀ ଧୋବା ଜଣେ ଜାଣିବା ଶୁଣିବା ଲୋକ, ତା’ ଦେହକରେ ପଚାଶ କି ଷାଠିଏ ପାର କଲାଣି । କାଲି ହେଲେ ଯିବାକୁ ହେବ, ଆଜି ହେଲେ ବି ତ ଯିବାକୁ ହେବ, ଲୁଗାପଟା ଦି’ଖଣ୍ଡ ମଧ୍ୟ ମିଳିବାର ଭରସା । ଗାମୁଛାଟାଏ ଅଂଟାରେ ଭିଡିଦେଇ କୁରାଢିଟାଏ କାନ୍ଧରେ ପକାଇ ସେ ଯାଇ ହାଜର ହୋଇଗଲା । ଗ୍ରାମରେ କରଣ ସେହି ଘରକ; ଶାଶୁ, ବୋହୂ, ବାସୁଦେବ ତିନି ଜଣ ଧରାଧରି କରି କର୍ମ ଚଳାଇଲେ । ସେ ସମୟର କଥାଗୁଡାକ ଲେଖିବାକୁ ଆମ୍ଭେମାନେ ନିତାନ୍ତ ଅକ୍ଷମ । ଶ୍ମଶାନରୁ ଫେରିଆସିଲା ବେଳକୁ କୁଆଁତାରା ଉଇଁଲାଣି । ଘରେ ପଶିବା ମାତ୍ରକେ ରେବତୀମା’ ପୋଖରୀପାଣି ଗଲା, ଦେଖ–ଦେଖ ଦିନ ଦ୍ୱିପ୍ରହର ବେଳେ ଗ୍ରାମରେ ହାଟ ହେଲା ରେବତୀମା’ ବି ଆଉ ଏ ଦୁନିଆରେ ନାହିଁ ।