ଶ୍ୟାମବନ୍ଧୁ ମରିବାର ଆଜିକୁ ହାତଗଣତିରେ ପାଂଚମାସ, ଜ୍ୟେଷ୍ଠମାସିଆ ଦିନ, ଠିକ୍ ଦିନ ଦ୍ୱିପ୍ରହର ବେଳେ ବାସୁ ଆସି ଦୁଆରେ ଡାକିଲା । ଏତେବେଳେ ସେ ବାସୁ ତ କାହିଁ କୌଣସି ଦିନ ବି ଆସେ ନାହିଁ । ବାସୁର ଡାକ ଶୁଣି ସେ ବୁଢୀ କୁନ୍ଥେଇ କୁନ୍ଥେଇ ଯାଇ ଦୁଆର ଫିଟାଇ ଦେଲା । ତହୁଁ ସେ ବାସୁ କହିଲା – “ଜେଜୀମା (ବି.ଦ୍ର. – ବାସୁ ବୁଢୀକୁ ଜେଜୀମା ବୋଲି ବରାବର ଡାକେ), ଦିପୋଟି ଇନ୍ସପେକ୍ଟର ହରିହରପୁର ଥାନାରେ ବସି ପାଠଶାଳା ପିଲାମାନଙ୍କୁ ପାଠ ପଚାରିବେ, ସବୁ ସ୍କୁଲର ପିଲାମାନେ ଯିବେ, ମୋ ପାଖକୁ ଚିଠି ଆସିଛି, ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି, ଏଥିଲାଗି ପ୍ରାୟ ପାଂଚଦିନ ଲାଗିବ ।” ରେବତୀ ସେତେବେଳେ କବାଟ କଣରେ ଛିଡାହୋଇ ଏସବୁକଥା ଶୁଣୁଥିଲା, ଲଥ୍କରି ସେ ବସିପଡିଲା, ଭାଗ୍ୟେ କବାଟ ଧରିଥିଲା ନଚେତ୍ ବୋଧହୁଏ ପଡିଯାଇଥାନ୍ତା । ତେଣୁ ବାସୁ ପାଂଚଦିନ ସକାଶେ ଚାଉଳ, ଲୁଣ, ତେଲ, ବାଇଗଣ କିଣି ଆଣି ଅଗଣାରେ ଥୋଇଦେଇ ବୁଢୀକୁ ଜୁହାରଟାଏ ହୋଇ ଶନିବାର ମୁହଁସଞ୍ଜ ବେଳେ ବାହାରିଲା । ବୁଢୀ କହିଲା, ବାପା, ଖରାରେ ବେଶି ବୁଲିବୁ ନାହିଁ, ଦେହପାଆକୁ ଟିକେ ଚାହିଁବୁ, ବେଳରେ ଦି’ଟା ମୁହଁରେ ଦେବୁ । ଏହା କହି ଦୀର୍ଘ ନିଶ୍ୱାସଟାଏ ସେ ବୁଢୀ ପକାଇଲା । ରେବତୀ ଏକାଧ୍ୟାନରେ ବାସୁକୁ ଚାହିଁଥାଏ, ଆଜିକା ଚାହାଣି ଅନ୍ୟରକମ । ଆଗେ ବାସୁ ଚାହିଁଲେ ରେବତୀ ତା’ ମୁଣ୍ଡ ତଳକୁ ପୋତି ଦେଉଥିଲା, ମାତ୍ର ଆଜି ଆଉ ସେ ଭାବ ନାହିଁ, ତେଣୁ ରେବତୀ ଏକାଧ୍ୟାନରେ ବାସୁକୁ ଚାହିଁ ରହିଅଛି । ବାସୁର ମଧ୍ୟ ଆଜି ଆଉ ଆଗକା ଚାହାଣି ନୁହେଁ । ଆଗେ ବାସୁର ଯେମନ୍ତ ଖୁବ୍ ଇଚ୍ଛା – ରେବତୀକୁ ଭଲକରି ଦେଖିବ, କିନ୍ତୁ ଅନାଇପାରେ ନାହିଁ । ଆଜି ଚାରିଚକ୍ଷୁର ମିଳନ, ଆଖି ଫେରାଇବାକୁ କାହାରି ବି ଆୟତ ନାହିଁ । ବାସୁ ଚାଲିଗଲାଣି, ଆଉ ଦିନ ନାହିଁ, ଘର ବାହାର ଅନ୍ଧାର ପୂରିଗଲାଣି । ରେବତୀ ଯେପରି ଚାହିଁଥିଲା, ଠିକ୍ ସେହିପରି ଚାହିଁଅଛି । ବୁଢୀ ଡାକିବାରୁ ତାହାର ଚେତନା ହେଲା, ଘର ବାହାର ସମସ୍ତ ଅନ୍ଧକାରମୟ ।
ରେବତୀ ବସି ଦିନ ଗଣୁଛି, ଆଜି ଛ’ଦିନ । ବାପମା’ ଗଲାଦିନୁ ଦାଣ୍ଡଦୁଆର ଦେଖି ନ ଥିଲା, ଆଜି ସକାଳୁ ଦାଣ୍ଡଦୁଆର ଆଗରେ ସେ ଦୁଇଥର ମୁହଁମାରି ଗଲାଣି । ବେଳ ଅନ୍ଦାଜ ଛ’ଘଡି; ହରିହରପୁରରୁ ସ୍କୁଲ୍ ପିଲାମାନେ ଫେରି ଆସିବାମାତ୍ରେ ଲୋକେ ବୋଲାବୋଲି ହେଲେ – ହରିହରପୁରରୁ ଫେରି ଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡି ଧଇଲା, ତେଣୁ ତାଙ୍କର ଚାରିଥର ପୋଖରୀପାଣି ହେଲା, ଅଧରାତି ବେଳେ ସେ ଚାଲିଗଲେ । ଏହା ଶୁଣି ସେ ଗ୍ରାମ ଲୋକମାନେ ଖାଲି ହାୟ ହାୟ କଲେ । ପୁଅ ଝିଅ ମା’ ମାଇକିନିଆମାନେ ପାଟିକରି ବହେ କାନ୍ଦି ପକାଇଲେ । କେହି କହିଲା – ଆହା କି ରୂପରେ! ପୁଣି କେହି କହିଲା – କି ଧୀରରେ! ତ କେହି କହିଲା – ଦାଣ୍ଡରେ ଚାଲିଯାଉଥିବ ଯେ ମାଛିଟିକି ମର ବୋଲି ବି ସେ କେବେବି କହିବ ନାହିଁ ।
ରେବତୀ ଏହା ଶୁଣିଲା, ବୁଢୀ ବି ଶୁଣିଲା । ବୁଢୀ କାନ୍ଦି କାନ୍ଦି ତାହା କଣ୍ଠ ରୁନ୍ଧି ହୋଇଗଲା, ଶେଷରେ ସେ ଆଉ କାନ୍ଦିପାରିଲା ନାହିଁ, ପରିଶେଷରେ ଉଠି ସେ ବୁଢୀ କହିଲା – “ଆହା ବାପ, ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରାଇଲୁ ରେ ।” ଅର୍ଥାତ୍ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢେଇବାରୁ ମରିଗଲା, ନଚେତ୍ ସେ କେବେବି ମରି ନ ଥାନ୍ତା । ଏପରି କଥା ଶୁଣିଲାବେଳୁ ରେବତୀ ଘରେ ଯାଇ ପଡିଛି – ସୋରଶବ୍ଦ ତା’ର କିଛିବି ନାହିଁ । ସେ ଦିନଟା ଗଲା, ତହିଁଆର ଦିନ ସକାଳେ ବୁଢୀ ରେବତୀକୁ ପାଖରେ ନ ଦେଖି ପାଟିକରି ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!” ବୁଢୀ ତ ବାୟାଣୀ ପରି ହୋଇଗଲାଣି, କାନ୍ଦବୋବାଳି ନାହିଁ, କେବଳ ଯାହା ରାଗରେ ରେବତୀକୁ ଗାଳି । ପଡିଶା ଲୋକେ, ଦାଣ୍ଡଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ ଶୁଣୁଅଛନ୍ତି, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି ।” ସେ ବୁଢୀ ଆଖିକି ତ ଆଉ କିଛିବି ଦିଶୁ ନାହିଁ, ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା, ଡାକିଲା, ଜବାବ୍ ନ ପାଇ ତା’ ଦେହରେ ହାତ ବୁଲାଇ ଦେଖିଲା, ତାକୁ ଭାରି ଜ୍ୱର, ତା’ଦେହରୁ ନିଆଁ ବାହାରୁଅଛି, ତା’ଠେଇଁ ଜ୍ଞାନ ନାହିଁ । ତା’ପରେ ସେ ବୁଢୀ ଢେର୍ ବେଳଯାଏଁ ବସି କ’ଣ ପାଂଚିଲା । କ’ଣ କରିବ ଏବେ ସେ କାହାକୁ ବା ଡାକିବ, ମନ ମଧ୍ୟରେ ଜଗତ୍ ସଂସାର ଖୋଜିଲା, ହେଲେ ପାଖରେ ସେ କାହାକୁ ବି ଦେଖିଲା ନାହିଁ । କିଛି ସ୍ଥିର କରି ନ ପାରି ଖପା ହୋଇ କହିଲା, “ଯାହା ଆପଣାକିଆ, ତହିଁକି ଇଲାଜ କିଆ?” ଅର୍ଥାତ୍ ତୁ ପାଠ ପଢିବାରୁ ହିଁ ତୋତେ ଜ୍ୱର ହେଲା, ଏଥିରେ ମୁଁ କଣ କରିବି?