ଦିନେ ଗଲା, ଦୁଇଦିନ ଗଲା, ତିନିଦିନ ଗଲା, ଚାରିଦିନ ଗଲା, ପାଂଚଦିନ ମଧ୍ୟ ଗଲା, ଏଣେ ସେ ରେବତୀ ମାଟିରେ ଲାଗିଯାଇ ପଡିଅଛି, ଯମା ଆଖି ଫିଟାଉ ନାହିଁ, ତାକୁ ଯେତେ ଡାକିଲେ ବି ଉତ୍ତର ମିଳୁ ନାହିଁ, ଏମିତିକି ଉଁ-ଚୁଁ ହେବାକୁ ମଧ୍ୟ ନାହିଁ । ଆଜି ଛ’ଦିନ ରେବତୀ ସକାଳୁ ଦୁଇ ଚାରି ଥର ପାଟି କଲାଣି । ବୁଢୀ ତା’ ନାତୁଣୀର ପାଟି ଶୁଣି ତା’ପାଖକୁ ଗଲା, ଦେହରେ ହାତ ବୁଲାଇ ଦେଖିଲା, ଗୋଡ ହାତ ଶୀତଳ, ଡାକିଲେ ହୁଁ ହୁଁ ଜବାବ ଦେଲା, କଟମଟ କରି ମୁହଁକୁ ଚାହୁଁଅଛି, କିଛି ନ ପଚାରିଲେ ମଧ୍ୟ କେତେ କଥା ସେ କହିପକାଉଛି । କୌଣସି କବିରାଜ ଦେଖିଲେ ‘ତୃଷ୍ଣା ଦାହଃ ପ୍ରଳାପଶ୍ଚ’ ଇତ୍ୟାଦି ଶ୍ଳୋକ ପଢି କହନ୍ତେ, ‘ସନ୍ନିପାତସ୍ୟ ଲକ୍ଷଣଂ’ । ମାତ୍ର ବୁଢୀ କିଛି ମାତ୍ରାରେ ଖୁସି ହେଲା । ଦେହରେ ତାତି ନାହିଁ, କଥା କହୁ ନ ଥିଲା, ପାଟି ଫିଟାଇଲାଣି, ଚାହୁଁ ନ ଥିଲା, ଆଖି ଫିଟିଲାଣି, ପାଣି ବି ପିଇବାକୁ ମାଗିଲାଣି, ଛ’ଦିନ ହେଲା ଜିଭରେ ପାଣି ଟୋପାଏ ବି ବାଜି ନାହିଁ । ଚାରିଟା ପଥି ପେଟରେ ପଡିଲେ ଝିଅଟା ଉଠି ବସିବ । “ତୁ ଶୋଇଥା, ମୁଁ ଚାରିଟା ପଥି ରାନ୍ଧି ଆଣେ” ଏହା କହି ବୁଢୀ ବାହାରକୁ ବାହାରି ଆସିଲା । ପଥି ରାନ୍ଧିବ କଣ? ଘରେ ପାଛିଆ କୁଣ୍ଢେଇ ହାଣ୍ଡି ଆଟିକା ସବୁ ଖୋଜିଲା; ମୁଠାଏ ଚାଉଳ ନାହିଁ । ନିଃଶ୍ୱାସଟାଏ ପକାଇ ବସିଲା । ବାସୁ ପାଂଚ ଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥିଲା, ସେଥିରେ ଦଶଦିନ କିଆଁ ଚଳିଗଲା; ବୁଢୀର ଦୃଷ୍ଟିଶକ୍ତି ଥିଲେ ସେ ଠିକ୍ ବୁଝିପାରିଥାନ୍ତା । କାହିଁକିନା କଥାରେ ଅଛି ବସି ବିଚାର କଲେ ବୁଦ୍ଧି ଦିଶେ । ଘରେ କଂସାବାସନ ଆଉ କିଛି ବି ନାହିଁ; ହାତରେ ଗୋଟାଏ କଣା ଢାଳ ପଡିଲା, ସେଇଟା ଧରି ହରି ସା ଦୋକାନକୁ ବୁଢୀ ବାହାରିଲା । ହରି ସା ଘର ଗ୍ରାମ ମଝିରେ, ତାହାର ରିତିମତ ଦୋକାନ ନାହିଁ; ଚାଉଳ ଡାଲି, ଲୁଣ ତେଲ ରଖିଥାଏ; କୌଣସି ଦିନ ବିଦେଶୀ ଲୋକ ପହଁଚିଗଲେ କିଣନ୍ତି – କେବେ ହେଲେ ଗ୍ରାମଲୋକଙ୍କର କିଛି ଦରକାର ହେଲେ କିଣନ୍ତି । ବୁଢୀ ସେ ଢାଳଟି ଧରି ହରି ସା ଦୁଆରେ ପହଁଚିଲା । ହରି ସା ବୁଢୀ ହାତରେ ଢାଳଟା ଦେଖି ଏହାର ଅର୍ଥଟା ବେଶ୍ ବୁଝିଗଲା । ବୁଢୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟା ହାତରେ ଧରି ତା’ ଚାରିପାଖ ଦେଖି କହିଲା, “ନାହିଁ ନାହିଁ, ମୋ ଘରେ ଚାଉଳ ନାହିଁ, ଆଉ ଏହି କଣା ଢାଳଟା ରଖି କିଏ ବା ଚାଉଳ ଦେବ ।” ସେତେବେଳେ ସେ ହରି ଘରେ ଯେ ଚାଉଳ ନ ଥିଲା ତା ନୁହେଁ, ଦେବାକୁ ମଧ୍ୟ ଇଚ୍ଛା, ତେବେ ଶସ୍ତାରେ ନେବାର କଥା । ଚାଉଳ ନ ଥିବାର ଶୁଣି ବୁଢୀ ମୁଣ୍ଡରେ ତ ବଜ୍ର ପଡିଲା । କଣ କରିବି, ଝିଅଟା ଜରରୁ ଉଠିଛି, ତା ମୁହଁରେ କ’ଣ ଦେବି? ଘଡିଏ ବସିଗଲା; ଏଣେ ବେଳ ବୁଡିଗଲାଣି; ହରିକୁ ଦୁଇଥର ଅନାଇଲା । ଯାଏଁ ଝିଅଟା କ’ଣ କରୁଛି ଦେଖେଁ । ଢାଳଟି ଧରି ଉଠୁଛି, ହରି କହିଲା, “ଦିଅ ଦିଅ, ଢାଳଟା ଦିଅ, ଦେଖେ ଘରେ କ’ଣ ଅଛି ।” ହରି ଢାଳଟା ରଖି ଚାରିମାଣ ଚାଉଳ, ଅଧମାଣ ଜାଇ କିଛି ଲୁଣ ଦେଲା । ବୁଢୀ ଚାରି ଛ’ ଜାଗା ବସି ଉଠି ଶେଷରେ ଯାଇ ଘରେ ପହଁଚିଲା । ଏ ପର୍ଯ୍ୟନ୍ତ ବୁଢୀ ଦାନ୍ତରେ ଦାନ୍ତକାଠି ବାଜି ନାହିଁ, ଦେହ ମନର କଷ୍ଟ କଥା କ’ଣ କହିବୁଁ? ଘରେ ପହଁଚି ରେବତୀକୁ ଡାକିଲା । ତାହାର ବିଶ୍ୱାସ, ରେବତୀ ଭଲ ହୋଇଗଲାଣି, ପାଣି କାଢିଦେବ, ସେ ଭାତ ରାନ୍ଧିବ । ରେବତୀ ଜବାବ୍ ନ ଦେବାରୁ ସେ ଭାରି ଖପା ହୋଇଯାଇ ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି ।” ମାତ୍ର ଜବାବ୍ ମୋଟେ ଆସିଲା ନାହିଁ ।
ଏଣେ ରେବତୀର ସନ୍ନିପାତ ରୋଗ କ୍ରମଶଃ ବଢୁଅଛି, ଭୟାନକ ଯନ୍ତ୍ରଣା: ଦେହ କ୍ରମଶଃ ଶୀତଳ ହେଉଛି, ଜିଭ ଶୁଖିଲାଣି, ଭୟଙ୍କର ପିପାସା, ଜିଭଟା ଯେମନ୍ତ ଭିତରକୁ ଚାଲିଯାଉଅଛି । ଥଣ୍ଡା ଜାଗାକୁ ଯିବାର ଇଚ୍ଛା, ଘରଯାକ ଗଡିଗଡି ବାହାରକୁ ଆସିଲା, ସୁଖ ଲାଗିଲା ନାହିଁ । ବାଡି ଦୁଆରକୁ ଯାଇ ସେ ପିଣ୍ଡାରେ ବସିଲା । ଦିନ ତ ଶେଷ ହୋଇ ଆସିଲାଣି । ଖୁବ୍ ପବନ ବହୁଅଛି, ତେଣୁ ସେ ବୁଢୀ ବାଡକୁ ଆଉଜି ବସିଲା । ତା’ପରେ ସେ ବାଡିଯାକ ଅନାଇଲା । ବାପା ଗଲା ବରଷ ଏହି କଦଳୀଗଛ ଲଗାଇଥିଲେ, ଭଣ୍ଡା ବାହାରିଲାଣି, ଦୁଇ ବରଷ ତଳେ ମା ଗୋଟିଏ ପିଜୁଳି ଗଛ ବାଡିରେ ରୋଇଥିଲେ, ରେବତୀ ଧାଇଁ ଧାଇଁ କୂଅରୁ ଢାଳେ ପାଣି ସେ ଗଛରେ ଦେଇଥିଲା, ସେ ଗଛ କେଡେଟିଏ ହେଲାଣି, ସେଥିରେ ଫୁଲ ବି ଧରିଲାଣି । ସେ ଗଛ ଦେଖି ମା ମନରେ ପଡିଲେ । ବୁଦ୍ଧି ସ୍ଥିର ନାହିଁ, ମନ ଚଂଚଳ, ଲଗାଲଗି କିଛି କଥା ମନରେ ପଡୁ ନାହିଁ, ମାତ୍ର ମାତାର ଆନନ୍ଦମୟୀ ମୂର୍ତ୍ତି ଆଉ ମନକୁ ସେ ଛାଡୁ ନାହିଁ । ସଞ୍ଜ ଗଡିଗଲାଣି, ଗଛ ମୂଳରୁ ଡାଳ ଉଢାଳରୁ ଅନ୍ଧକାରଗୁଡାକ ବାହାରି ବାଡି ପୂରିଗଲାଣି, ଆଉ କିଛି ବି ଦିଶୁ ନାହିଁ । ଆକାଶକୁ ଚାହିଁଲା, ପହରକିଆ ତାରାଟିରୁ ଧକଧକ ହୋଇ କିରଣ ବାହାରୁଅଛି । ଏକ ଧ୍ୟାନରେ ରେବତୀ ସେହି ତାରାକୁ ଚାହିଁଅଛି, ଆଖିରେ ତା’ର ଆଉ ପଲକ ପଡୁ ନାହିଁ । ତାରାର ଆକାର କ୍ରମଶଃ ବଢିଯାଇଛି, ଚକ୍ର ପରି ଆକାର ହୋଇଗଲାଣି, ଆହୁରି ବୃଦ୍ଧି, କ୍ରମଶଃ ବୃଦ୍ଧି, କ୍ରମଶଃ ଉଜ୍ଜ୍ୱଳ । ଆହା! ଏ କି ମୂର୍ତ୍ତି ତାରା ମଧ୍ୟରେ? ଶାନ୍ତିଦାୟିନୀ ପ୍ରେମମୟୀ ଆନନ୍ଦମୟୀ ମାତାଙ୍କର ଅଭୟା ମୂର୍ତ୍ତି ବସି ସ୍ନେହରେ କୋଳକୁ ନେବା ସକାଶେ ତାକୁ ଡାକୁଅଛନ୍ତି । ମା ଦୁଇଗୋଟି କିରଣ ହସ୍ତ ବଢାଇଦେଲେ । ସେହି କିରଣ ଦିଓଟି ଆସି ଦୁଇ ଚକ୍ଷୁ ସ୍ପର୍ଶ କରି ହୃଦୟରେ ପ୍ରବେଶ କଲା । ସେହି ଅନ୍ଧକାର ମଧ୍ୟରେ ଆଉ କୌଣସି ଶବ୍ଦ ନାହିଁ । କେବଳ ନିଃଶ୍ୱାସ ଶବ୍ଦ । ସେ ଶବ୍ଦ କ୍ରମଶଃ ପ୍ରବଳ; ଖୁବ୍ ଦୀର୍ଘଶ୍ୱାସ, ଶେଷରେ ମା-ମା’ ଦୁଇଥର ଅସ୍ପଷ୍ଟ ଶବ୍ଦ ଶୁଭିଲା । ବାଡି ନିସ୍ତବ୍ଧ, ନୀରବ ।
ଏଣେ ବୁଢୀ ଘୁଷୁରି ଘୁଷୁରି ଯାଇ ରେବତୀ ଶୋଇବା ଜାଗା ଦେଖିଲା, ସେଠାରେ କେହି ବି ନାହିଁ । ଘରଯାକ, ବାହାର ଅଗଣା, ଢେଙ୍କିତଳ ଢେଙ୍କିଲାଞ୍ଜି କାହିଁ ନାହିଁ । ମନେକଲା, ଜ୍ୱର ଭଲ ହୋଇଗଲାଣି, ବାଡିରେ ବୁଲୁଥିବ । ସେହି ଡାକ, ‘ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି ।’ ବାଡି ଦୁଆରକୁ ଗଲା, ଅଣ୍ଡାଳି ଅଣ୍ଡାଳି ପିଣ୍ଡାକୁ ଉଠିଲା । ପିଣ୍ଡାଟା ଭୂମିଠାରୁ ଦୁଇହାତ ଉଚ୍ଚ; ହାତେ ଚଉଡା ।
‘ମଲା ତୁ ଏଇଠୁ ବସିଛୁ?’ ଦେହରେ ହାତ ଦେଇ ବୁଢୀ ପ୍ରଥମେ ଚମକି ପଡିଲା, ଆଉ ଥରେ ଭଲକରି ଗୋଡଠାରୁ ମୁଣ୍ଡଯାଏଁ ହାତ ବୁଲାଇଲା; ନାକରେ ହାତ ଦେଇ ଗୋଟାଏ ଉତ୍କଟ ଶବ୍ଦ କଲା, ସଙ୍ଗେ ସଙ୍ଗେ ପିଣ୍ଡା ତଳେ ଦୁଲ୍ଦାଲ ଶବ୍ଦ!
ସେହିଦିନଠାରୁ ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀକୁ ଜଗତ୍ରେ ଆଉ କେହି କେବେବି ଦେଖିନାହାଁନ୍ତି । ପଡୋଶୀମାନେ ରାତି ପହରକ ସମୟରେ ଶେଷ ଶବ୍ଦ ଶୁଣିଥିଲେ –
‘ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି ।’
ଗାଳ୍ପିକ – ଫକୀରମୋହନ ସେନାପତି