ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରେଶମୀ ବସ୍ତ୍ର

                ସେସବୁ ଦେଖି ମହାରାଣୀ ଖୁସି ହୋଇଯାଇ କହିଲେ, “ଆହା କି ସୁନ୍ଦର ଜିନିଷ ଏହାକୁ ନେଇ କେହି ଯଦି ସୁତା କରେ ଓ ସେଥିରେ ଲୁଗା ବୁଣାହୁଏ ତେବେ ତାହା କେତେ ସୁନ୍ଦର ନ ହେବଟି? ଏଇଟି ଆସିଲା କେଉଁଠୁ?”

                ତା’ପରେ ସେ ପରିଚାରିକାମାନେ କହିଲେ, “ଆପଣ ଯେଉଁ ଗଛତଳେ ବସିଛନ୍ତି ସେହି ଗଛରେ ଅସଂଖ୍ୟ ରେଶମ ପୋକ ଅଛନ୍ତି । ସେଇଥିରୁ ଗୋଟିଏ ଖସି ପଡିଥିବ । ଏଇଟା ପୋକର ଘର ।”

                ସବୁ କଥା ଶୁଣି ସେ ମହାରାଣୀ କହିଲେ, “ଏବେ ତୁମେମାନେ ଏହିପରି ଯେତେ ଏହି ଗଛରେ ଅଛି ସଂଗ୍ରହ କର ଓ ସେଥିରୁ ତୁଳା ବାହାର କରି ସୁତା କାଟ ।”

                ଏବେ ସେ ପରିଚାରିକାମାନଙ୍କର ଆନନ୍ଦ ଆଉ ଦେଖେ ପୁଣି କିଏ । ମହାରାଣୀ ଓ ପରିଚାରିକାମାନେ  ସମସ୍ତେ ମିଳି ରେଶମ ପୋକର ଘର ସବୁ ସଂଗ୍ରହ କଲେ ଓ ସୁତା କାଟିବାରେ ଲାଗିଲେ । ପୂର୍ବରୁ ମହାରାଣୀଙ୍କୁ ବଡ ବ୍ୟସ୍ତ ଲାଗୁଥିଲା । ଏବେ ଏହି କାମରେ ଲାଗିଯାଇ ସେ ଖୁବ୍ ଖୁସି ଅଛନ୍ତି । ପରିଚାରିକାଙ୍କର ଓ ମହାରାଣୀଙ୍କର ଦିନ କେମିତି ଯାଉଛି ସେକଥା ସେମାନେ ଜାଣନ୍ତି, ଦିନରାତି ଲାଗିଛନ୍ତି ଲୁଗା ବୁଣିବାରେ ।

                ଏଣେ ସମ୍ରାଟ ତାଙ୍କ ମନ୍ତ୍ରୀମାନଙ୍କୁ ଡକାଇ ପଚାରିଲେ ମହାରାଣୀଙ୍କ ଉଦାସ ଅବସ୍ଥା ଘୁଂଚାଇବା ପାଇଁ କିଛି ବ୍ୟବସ୍ଥା କରାଗଲା କି ନାହିଁ ।

ପ୍ରଧାନମନ୍ତ୍ରୀ କହିଲେ, “ଆମେ ସମସ୍ତେ ଗୋଟିଏ ଉପାୟରେ ଏକମତ ହୋଇଛୁ । ତାହା ହେଲା ଯେ ଯଦି ଏକ ସୁନ୍ଦର ମୟୁରକୁ ମହାରାଣୀଙ୍କ ଉଦ୍ୟାନରେ ଛାଡିଦିଆ ଯାଏ, ତେବେ ତା’ର ନାଚ ଦେଖି ଓ ସୌନ୍ଦର୍ଯ୍ୟ ଉପଭୋଗ କରି ମହାରାଣୀ ଖୁସି ହେବେ ।”

ରାଜା ଜାଣିପାରିଲେ ଯେ ମନ୍ତ୍ରୀଗୁଡାକ ଭାବି ଭାବି ଯାହା କହିଲେ ତାହା ଏକ ସହଜ କଥା ଯାହାର ଆଦୌ ମୂଲ୍ୟ ନାହିଁ ଓ ହାସ୍ୟାସ୍ପଦ । ତେଣୁ ସେ ଚୁପ୍ ରହିଲେ ।

ପରେ ସେ ମହାରାଣୀଙ୍କୁ ଡାକି ପଠାଇଲେ । ଜଣେ ପରିଚାରିକା ଫେରି ଆସି କହିଲା, “ମହାରାଣୀ ଏବେ ପ୍ରାର୍ଥନାଗୃହରେ ଅଛନ୍ତି । ବାହାରକୁ ଆସି ନାହାଁନ୍ତି ।”

ଏକଥା ଶୁଣି ସମ୍ରାଟ କହିଲେ, “ଏବେ ମଧ୍ୟ ବାହାରକୁ ଆସି ନାହାଁନ୍ତି? ଆଶ୍ଚର୍ଯ୍ୟ” ଏତିକି କହି ସେ ସମ୍ରାଟ ସିଂହାସନରୁ ଓହ୍ଲାଇ ଆସି ସିଧା ମହାରାଣୀଙ୍କ ମନ୍ଦିରକୁ ଗଲେ । ସେଠାରେ ମହାରାଣୀଙ୍କୁ ଦେଖି ସେ ଏକବାରେ ବିସ୍ମୟରେ ଡୁବିଗଲେ । ଯାହାଙ୍କ ଉଦାସଭାବର ପରିବର୍ତ୍ତନ ପାଇଁ ଏତେ ବିଚାର ଚାଲିଛି କାହିଁ ସେ ତ ଆଦୌ ଉଦାସୀ ନୁହଁନ୍ତି । ବରଂ ଗୁଣୁ ଗୁଣୁ କରି ଗୀତ ଗାଉଛନ୍ତି ଓ ଏକ ଅଭିନବ ଧରଣର ବସ୍ତ୍ର ବୁଣୁଛନ୍ତି । ସେ ବସ୍ତ୍ର ଖୁବ୍ ଚକ୍ ଚକ୍ କରୁଛି ଓ ଅତି ମନୋହର ଦେଖା ଯାଉଛି । ଏପରି ବସ୍ତ୍ର ତ ପୂର୍ବରୁ କେହି କେବେବି ଦେଖି ନଥିଲା ।

ସମ୍ରାଟଙ୍କୁ ଦେଖି ସେ ହସି ହସି ନୂତନ ବସ୍ତ୍ର ଦେଖାଇଲେ । ତାଙ୍କ ଆଖିରେ ଅଦ୍ଭୂତପୂର୍ବ ଆନନ୍ଦ । ସେ ସମ୍ରାଟଙ୍କ ସହିତ ଖୁସିରେ କଥାବାର୍ତ୍ତା କଲେ ।

ମହାରାଣୀ ହସି ହସି କହିଲେ, “ହେ ସମ୍ରାଟ, ମୁଁ ଆପଣଙ୍କଠାରୁ କ୍ଷମା ଚାହୁଁଛି । ମୋତେ ଖୁସି କରିବା ପାଇଁ ଆପଣ କେତେ କଷ୍ଟ ନ କଲେ; ଆପଣଙ୍କୁ ଯେତେ କଷ୍ଟ ଦେଇଛି ତାହାକୁ ଭୁଲିଯିବା ପାଇଁ ମୁଁ ଏହି ନୂତନ ବସ୍ତ୍ର ଆପଣଙ୍କୁ ଉପହାର ଦେଉଛି ।”

ସମ୍ରାଟ ସେ ବସ୍ତ୍ର ଦେଖି ହସି ହସି କହିଲେ, “ଆଶ୍ଚର୍ଯ୍ୟ, ସୁନ୍ଦର ଓ ଅପୂର୍ବ । ଏହି ବସ୍ତ୍ର ପିନ୍ଧି ମୁଁ ତ ନିଜକୁ ଭାଗ୍ୟବାନ ମନେ କରୁଛି । ଏହା ମୋ ପାଇଁ ନିଶ୍ଚୟ ଏକ ବଡ ଉପହାର କାରଣ ତମେ ଏହି ନୂତନ ଜିନିଷଟି ଆବିଷ୍କାର କରିଛ ପୁଣି ନିଜ ହାତରେ ମୋ ପାଇଁ ବସ୍ତ୍ରଟି ବୁଣିଛ । ତୁମ ମନକୁ ଯାହା ଖୁସି କରିପାରିଛ ତା’ଠାରୁ ବଡ ଜିନିଷ ଆଉ କ’ଣ ବା ଥାଇ ପାରେ?”

ମହାରାଣୀ ଏବେ ଆନନ୍ଦରେ ବିହ୍ୱଳ । ସେ ତା’ପରେ ସମ୍ରାଟଙ୍କୁ କହିଲେ କାହିଁକି ସେ ଦୁଃଖୀ ଥିଲେ ଓ କିପରି ସେ ସୁଖୀ ହେଲେ ।

ମହାରାଣୀ କହିଲେ, “ଆପଣଙ୍କ ପାଟରାଣୀ ହୋଇଥିବା ଯୋଗୁଁ ମୁଁ କାମ କରିବା ଲୋକ ଦେଖିବେ ଓ ଅନ୍ୟ ପ୍ରକାର ଭାବିବେ, ସେକଥା ମୁଁ ଚାହୁଁ ନଥିଲି । ତେଣୁ ମୁଁ ଏହି ଏକାନ୍ତ ସ୍ଥାନଟିକୁ ମୋ କାମ ପାଇଁ ବାଛିଲି ମୁଁ ଯେତେବେଳେ ନିଜେ ହାତରେ ରେଶମର ସୂତା କାଟେ ଓ ତାକୁ ପୁଣି ବୁଣି ବସ୍ତ୍ର ତିଆରି କରେ, ସେହି ଆନନ୍ଦରେ ମୋର ମନ ଭରି ଉଠେ ।”

ତାଙ୍କ କଥା ଶୁଣି ସମ୍ରାଟ କହିଲେ, “ମୁଁ ଖୁସି, କାରଣ ତୁମେ ଖୁସି । ତୁମ ଖୁସିପାଇଁ ଯାହା ଆବଶ୍ୟକ ହେଲେ ମଧ୍ୟ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି । ଦରକାର ହେଲେ ଅଧା ରାଜ୍ୟ ମଧ୍ୟ ଦେଇ ଦେଇଥା’ନ୍ତି । ଏବେ ତୁମେ ଖୁସି ତ, ମୁଁ ବି ଖୁସି ।”

ମହାରାଣୀ ପଚାରିଲେ, “ହେ ସମ୍ରାଟ, ମୋର ଗୋଟିଏ ଇଚ୍ଛା ଅଛି । ଆପଣ ସେଇଟା ପୂର୍ଣ୍ଣ କରିବେ କି?”

ତହୁଁ ସେ ସମ୍ରାଟ ନିଜର ଉଦାରତା ଦେଖାଇ କହିଲେ “ନିଶ୍ଚୟ କରିବି, ଏବେ କୁହ ତୁମର ଇଚ୍ଛା କ’ଣ?”

ମହାରାଣୀ କହିଲେ “ଏବେ ଏକ ହଜାର ରେଶମ ପୋକ ରହୁଥିବା ଗଛରେ ପୂର୍ଣ୍ଣ ଗୋଟିଏ ବଗିଚା ମୋ ପାଇଁ ଆପଣ କରି ଦିଅନ୍ତୁ ।”

ସମ୍ରାଟ ତାଙ୍କ ଇଚ୍ଛା ପୂର୍ଣ୍ଣ କଲେ ।

ପୃଥିବୀର ସର୍ବପ୍ରଥମ ରେଶମୀ ବସ୍ତ୍ର ଏହି ପ୍ରକାର ଚୀନ୍ର ମହାରାଣୀ ସିଲିଙ୍ଗସିଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା । ଚୀନ୍ ଭାଷାରେ ‘ସି’ ଅର୍ଥ ରେଶମ୍ । ସିଲିଙ୍ଗସି ଏକ ପରମ୍ପରା ସୃଷ୍ଟି କଲେ । ଚୀନ୍ର ମହାରାଣୀମାନେ ରେଶମୀ ପୋକକୁ ହାତରେ ଧରିବା ଥିଲା ଏକ ବଂଶ ପରମ୍ପରା ।

ରେଶମୀ ବସ୍ତ୍ର ବୁଣିବା ପରେ ଏହା ବିଦେଶକୁ ରପ୍ତାନୀ ହେଲା ଓ ସାରା ପୃଥିବୀରେ ଏହାର ପ୍ରଚାର ଓ ପ୍ରସାର ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ