“ଔଷଧ କଥା? ହଁ ହଁ ମନେ ପଡିଲା । ମୁଁ ତୁମ ସ୍ୱାମୀଙ୍କ ପାଇଁ ଯେଉଁ ପୁଡିଆ ଦେଇଥିଲି ସେଥିରେ କେବଳ ଲୁଣ ବା ଚିନି ଥିଲା । ମୋ ଉପରେ ବିଶ୍ୱାସ ରହିବ ବୋଲି ମୁଁ ଏପରି କରିଥିଲି । ତୀର୍ଥ ଯାତ୍ରା ଦ୍ୱାରା ସେ ଅବଶ୍ୟ ଇର୍ଷ୍ୟା, ଦ୍ୱେଷ ଇତ୍ୟାଦିରୁ ମୁକ୍ତ ହୋଇଥିବେ, ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ଏ ପର୍ଯ୍ୟନ୍ତ ଭଲ ଥିଲା । କିନ୍ତୁ ଘରକୁ ଫେରିବା ପରେ ପୁଣି ପୂର୍ବ ରୋଗ ତାଙ୍କ ଉପରେ ପ୍ରଭାବ ବିସ୍ତାର କଲା ।” ଏପରି କହି ସାଧୁ ସୁରମାକୁ ବୁଝାଇଲେ । ସୁରମା ଅତ୍ୟନ୍ତ ଦୀନ ଭାବରେ ପଚାରିଲେ, “ଏବେ କୁହନ୍ତୁ ମୁଁ କ’ଣ କରିବି?”
ସୁରମାଙ୍କ କଥା ଶୁଣି ସାଧୁ କିଛି ସମୟ ନୀରବ ରହିବା ପରେ କହିଲେ, “ଏକଥା ସ୍ପଷ୍ଟ ଯେ ନାଗରାଜ ବିନା କାରଣରେ ବରାହସେଠ ସହିତ ପ୍ରତିଦ୍ୱନ୍ଦୀ ମନୋଭାବ ନେଉଛନ୍ତି । ନିଜ ସଂପର୍କୀୟ ବ୍ୟକ୍ତିଙ୍କ ସହିତ ଦ୍ୱେଷ ଭାବ ପୋଷଣ କରୁଛନ୍ତି । ଏସବୁ ନିତାନ୍ତ ନିରର୍ଥକ । ତୁମେ ଚେଷ୍ଟା କରି ଏସବୁ ତାଙ୍କ ମନରୁ ଯେପରି ବିତାଡିତ କରିବ ।”
ଘରକୁ ଫେରି ସୁରମା କହିଲେ, “ଶୁଣ, ସାରା ନଗରରେ ସମସ୍ତେ କହୁଛନ୍ତି ବରାହ ସେଠ ଜଣେ ଭଲ ଲୋକ । ସେ ଗୁଣବାନ୍ ଓ ଦୟାବାନ୍ । କିନ୍ତୁ ତମେ ଏଣେ ତାକୁ ଗାଳି ଦେଇ ଚାଲିଛ । ତମେ କ’ଣ ଭାବୁଛ ଯେ ତା’ମନରେ କୌଣସି ଭଲ କଥା ନାହିଁ? ଆଚ୍ଛା କୁହତ ବରାହସେଠ ତୁମର କି କ୍ଷତି କରିଛି? ତୁମ ପ୍ରତି ସେ କି ପ୍ରକାରର ଅନ୍ୟାୟ କଲା ଯେଉଁଥି ପାଇଁ କି ତୁମେ ତାକୁ ଶତ୍ରୁ ଭାବରେ ଦେଖୁଛ?”
ସୁରମାଙ୍କ କଥାର ଉତ୍ତର ସେ ତଥା ତାଙ୍କ ସ୍ୱାମୀ ହଠାତ୍ କିଛି ଦେଇ ପାରିଲେ ନାହିଁ । କିଛି ସମୟ ପରେ ସେ କହିଲେ, “ସେ ପୁଣି ମୋ ସହିତ ଅନ୍ୟାୟ କରିବ? ନା ସେପରି କିଛି ତ ସେ କରିନାହିଁ । ସେ ତ ପ୍ରଥମେ ଏଠାକୁ ଆସି ମୋତେ ଦେଖା କରି କହିଲା, “ମୁଁ ଲୁଗା ବ୍ୟବସାୟ କରୁଛି, ମୋତେ ସାହାଯ୍ୟ କରିବେ, ଓ ଆଶିର୍ବାଦ ଦେବେ ।” ଏବେ ମଧ୍ୟ କେଉଁଠି ଦେଖା ହେଲେ ସେ ବିନୟ ପୂର୍ବକ ମୋତେ ନମସ୍କାର କରେ ଓ କୁହେ, “ଆପଣଙ୍କ ଦୟା ଓ ଶୁଭେଚ୍ଛା ଯୋଗୁଁ ମୋ ବ୍ୟବସାୟଟି ଭଲ ଭାବରେ ଚାଲୁଛି ।”
ସୁରମା କହିଲେ “ତେବେ ତମେ ସାଧୁଙ୍କୁ କାହିଁକି କହିଲ କି ବରାହସେଠ ଉପରେ ତମର ଦ୍ୱେଷ ଭାବ ଅଛି । ଥରେ ଭଲ କରି ଭାବି ଦେଖଯେ ସେ ତୁମ ଉପରେ କୌଣସି ଦ୍ୱେଷଭାବ ରଖି ନାହିଁ ।”
ନାଗରାଜ କହିଲେ, “ତୁମେ ଯାହା କହୁଛ ତାହା ତ ସତ ।” ଠିକ୍ ଏତିକିବେଳେ ସୁରମା ସାଧୁ ଦେଇଥିବା ଔଷଧ ପୁଡିଆ ଫିଟାଇ ଗୋଟିଏ ପାଣି ସହିତ ଗୋଳି ଖାଇବାକୁ ଦେଇ କହିଲେ, “ବରାହ ସେଠ ପରି ତୁମେ ନିଜର ଘନିଷ୍ଠ ଲୋକଙ୍କ ବିଷୟରେ ମଧ୍ୟ ସେପରି ଭାବୁଛ । ଏବେ ଭାବି କରି କୁହ ସେମାନଙ୍କ ମଧ୍ୟରେ ଖରାପ ଓ ଭଲ ଗୁଣ କ’ଣ ସବୁ ରହିଛି । ଏବେ ଶୋଇଯାଅ କାଲି ଏକଥା ଭାବିଚିନ୍ତି କହିବ ।” ସାଧୁଙ୍କ କଥା ଅନୁସାରେ ସୁରମା ଏହିଭଳି ଭାବରେ ନାଗରାଜଙ୍କୁ ବୁଝାଇଲେ । କ୍ରମେ ତାଙ୍କର ବିଶ୍ୱାସ ହେଲା ଯେ ପ୍ରକୃତରେ ତାଙ୍କର କେହି ଶତୃ ନାହିଁ । ଇର୍ଷ୍ୟା, ଦ୍ୱେଷ ଓ ଘୃଣା ଯୋଗୁଁ ଏପରି ଅସୁସ୍ଥତା ହେଉଛି । ଏଣିକି ନାଗରାଜ ନିଜର ତୃଟି ବୁଝିପାରିଲେ । ଏବେ ତାଙ୍କ ମନରେ ଇର୍ଷ୍ୟା ଓ ଦ୍ୱେଷ ସ୍ଥାନରେ ସ୍ନେହ, ପ୍ରେମ ଓ ବିଶ୍ୱାସ ଆଦି ସଦ୍ଗୁଣ ଦେଖାଦେଲା । ଯେଉଁ ଦୁର୍ଗୁଣ ଯୋଗୁଁ ସେ ପୀଡିତ ଥିଲେ ସେସବୁକୁ ବିତାଡିତ କରିବାରେ ସୁରମା ସଫଳ ହେଲେ । ତେଣୁ ନାଗରାଜ ରୋଗମୁକ୍ତ ହେଲେ ।