ଶିବପୁରୀ ନାମକ ଏକ ଛୋଟ ସହରଟିରେ କିଷନ୍ ନାମକ ଯୁବକଟିଏ ଥାଏ । ସେ ନିଜକୁ ଖୁବ୍ ବୁଦ୍ଧିମାନ ମନେ କରେ । ତେଣୁ ସର୍ବଦା ସେ ଏଭଳି ଉପାୟ ଖୋଜୁଥାଏ ସେ କିପରି ଅଳ୍ପ ପରିଶ୍ରମ କରି ବେଶି ରୋଜଗାର କରିବ ।
ଦିନେ ସେ ତା’ଘରର ଚାବି ହଜାଇ ଦେଲା । ତେଣୁ ବିନୋଦ ନାମକ ଜଣେ ଲୋକକୁ ସେ ତାଲା ଖୋଲିବାକୁ ଡାକିଲା । ତା’ପାଖରେ ପେନ୍ଥାଏ ଚାବି ଥାଏ, ସେଥିରେ ସେ ଖୋଲିଦିଏ । ଏବେ ମଧ୍ୟ ଅନାୟାସରେ ତାଲାଟି ଖୋଲି ଗଲା । ଏଥିଲାଗି ବିନୋଦ ପାଂଚଟଙ୍କା ପାରିଶ୍ରମିକ ନେଲା । କିଷନ୍ ମନକୁ ଏହି କଥାଟା ଭାରି ପାଇଲା; ସେ ଭାବିଲା, “ଆରେ ଦୁଇମିନିଟ୍ରେ ପାଂଚଟଙ୍କା!” ଏଣୁ ସଙ୍ଗେ ସଙ୍ଗେ ସେ ବିନୋଦର ଘରକୁ ଯାଇ ତାହାର ସହଚର ହୋଇ ସେହି କାମଟି ଶିଖିବାକୁ ଅନୁରୋଧ କଲା ।
ବିନୋଦ ଏଥିରେ ରାଜି ହେଲା ଓ କିଷନକୁ କାମ ଶିଖାଇଲା । ଦୁଇମାସ ପରେ ଦେଖାଗଲା କିଷନ୍ ବେଶ୍ ଭଲ କରି ସେ କାମଟି ଶିଖିଯାଇଛି । ବିନୋଦ କହିଲା, “ସାବଧାନ, ଏହି କାମରେ ନାନା ପ୍ରକାର ଅସୁବିଧା ଓ ବିଘ୍ନ ବି ରହିଛି ।”
ଚାରିମାସ ମଧ୍ୟରେ କିଷନ୍ ବହୁତ ପଇସା ରୋଜଗାର କଲା । ଦିନେ ରାତିରେ ଦୁଇଜଣ ଲୋକ ତା’ପାଖକୁ ଆସି କହିଲେ, “ଆମ ଘରର ଚାବି ହଜି ଯାଇଛି । ଆମ ସାଥିରେ ଆସ, ସେଠାରେ ଚାବି ଖୋଲିଦେବ । ନିଅ ତୁମର ପାରିଶ୍ରମିକ ଦଶଟଙ୍କା ।”
ଏହାପରେ ସେ କିଷନ୍ ଖୁସି ହୋଇ ସେମାନଙ୍କ ସହିତ ଯାଇ ତାଲା ଖୋଲିଦେଲା । ଠିକ୍ ସେତିକିବେଳେ ନିକଟରେ ଯାଉଥିବା ଦୁଇଜଣ ସିପାହୀଙ୍କର ଏମାନଙ୍କୁ ଦେଖି ଟିକିଏ ସନ୍ଦେହ ହେଲା । ନିକଟକୁ ଆସି ସେ ସିପାହୀମାନେ ଦେଖିଲେ ଆଗରୁ ବଦନାମ ଥିବା ଦୁଇଜଣ ଡାକୁ । ଏହାପରେ ସେମାନେ ସେହି ତିନିଜଣଙ୍କୁ କଟୁଆଳ ପାଖକୁ ନେଇଗଲେ ।