ଶେଷରେ ସେ ରାଜାରାଣୀ ଏକ ଚକ୍ରାନ୍ତ କଲେ ରୋଜିକୁ ଜୀବନରୁ ମାରିଦେବା ପାଇଁ । ତେଣୁ ସେମାନେ ଏକ ମାରଣା ଘୋଡା ଆଣି ଠିଆ କରିଦେଲେ । ଆଦେଶ ଦେଲେ ଯେ, ରୋଜି ତାରି ଉପରେ ଚଢି ସହର ଚାରିପଟେ ଟିକେ ବୁଲି ଆସିବ । ରାଜକୁମାରୀ ରୋଜି ଉପରେ ସେତେବେଳକୁ ତ ସମସ୍ତଙ୍କର ସ୍ନେହ ଖାଲି ଅଜାଡି ହୋଇ ପଡୁଥାଏ । ଠିକ୍ ଏହି ସମୟରେ ଜଣେ କିଏ ଆସି ଚୁପ୍କରି ରୋଜିକୁ ସାବଧାନ କରାଇଦେଲା ସେ ମାରଣା ଘୋଡାରେ ନ ଚଢିବା ପାଇଁ । ମାତ୍ର ପରୀରାଣୀ ତା’ର କାନରେ ଶୂନ୍ୟରୁ କହିଦେଇଗଲା, “ତୋର କିଛି ବି ହେବ ନାହିଁ । ତୁ ଆଦୌ ଭୟ ନ କରି ସେ ଘୋଡାରେ ଚଢିବୁ । ମାତ୍ର ରାଜନଅରକୁ ନ ଫେରି ତୁ ସିଧା ରାଜକୁମାର ସାମ୍ସନ୍ଙ୍କ ରାଜ୍ୟକୁ ଚାଲିଯିବୁ । ଠିକ୍ ସେହି ସମୟରେ ରାଜକୁମାର ସାମ୍ସନ୍ ମଧ୍ୟ ତୋତେ ଆଉ ଏକ ଘୋଡାରେ ଅନୁସରଣ କରୁଥିବ । ସେଇ ରାଜ୍ୟରେ ହିଁ ତୁ ସୁଖରେ ରହିବୁ ।”
ସମସ୍ତ କଥା ଶୁଣି ରୋଜି ଅବା ଆଉ କାହିଁକି ଡରିବ? ନିର୍ଧେଶ ପାଇଲା ମାତ୍ରକେ ସେ ଯାଇ ଘୋଡା ଉପରକୁ ଡେଇଁ ପଡିଲା । ସମସ୍ତେ ମନେମନେ ବିଚାରିଲେ ଏଥର ରୋଜିର ଆଉ ରକ୍ଷା ନାହିଁ । ଘୋଡାଟା ତ ପବନ ବେଗରେ ଦଉଡୁଥାଏ । ଏସବୁ ଦେଖି ରାଜକୁମାର ସାମ୍ସନ୍ କି ଆଉ ଥୟ ଧରେ? ସେ ମଧ୍ୟ ତୁରନ୍ତ ଯାଇ ଆଉ ଗୋଟିଏ ଘୋଡାରେ ରୋଜିର ପିଛା କଲା । ଦଉଡି ଦଉଡି ସେ ମାରଣା ଘୋଡାଟି ଯେତେ ଚେଷ୍ଟା କରୁଥାଏ ରୋଜିକୁ ଫିଙ୍ଗିଦେବ ବୋଲି ହେଲେ ପରୀରାଣୀ ଯୋଗୁଁ ତାହା ଆଦୌ ସମ୍ଭବ ହେଉନଥାଏ । ଶେଷରେ ଗୋଟିଏ ଖାଲରେ ସେ ମାରଣା ଘୋଡାଟି ପଡି ମରିଗଲା । ପରୀରାଣୀ ଯୋଗୁଁ ରୋଜି ରକ୍ଷା ପାଇଗଲା । ଶେଷରେ ସାମ୍ସନ୍ ଓ ରୋଜି ନିଜ ରାଜ୍ୟକୁ ଯାଇ ବାହା ହୋଇ ଅତ୍ୟନ୍ତ ସୁଖରେ ରହିଲେ ।
ପରୀରାଣୀ ମଧ୍ୟ ସେମାନଙ୍କୁ (ରୋଜି ଓ ସାମ୍ସନ୍ଙ୍କୁ) ବହୁ ଆଶୀର୍ବାଦ କଲେ । ଏଣେ ଖରାପ ସ୍ୱଭାବ ପାଇଁ ରାଜା ରାଣୀ ଏବଂ ତାଙ୍କର ଦୁଇ ବଡଝିଅଙ୍କୁ ପରୀରାଣୀ ସାପରେ ପରିଣତ କରିଦେଲେ । ତାପରେ ସେମାନେ କାନ୍ଦି କାନ୍ଦି ଜଙ୍ଗଲକୁ ପଳାଇଗଲେ ।