ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଲକ୍ଷ୍ୟ ଭେଦ

ସୁକୁମାର ଦିନେ ଅନ୍ୟ ମନଷ୍କ ଭାବରେ ବୁଲୁ ବୁଲୁ ହଠାତ୍ ବଣ ଭିତରକୁ ପଶି ଆସିଥିଲା । ତା’ପରେ ସେ ଜଣେ ସାଧୁଙ୍କୁ ଭେଟିଲା ।

                ସାଧୁ ପ୍ରଶ୍ନ କଲେ, “ଯୁବକ! ତମେ କ’ଣ ହିଂସ୍ର ଜନ୍ତୁଙ୍କ କବଳରୁ ଆତ୍ମରକ୍ଷାର ମନ୍ତ୍ର ଜାଣ?”

                ତହୁଁ ସୁକୁମାର କହିଲା, “ମହାଶୟ! ବାଘ ମୋତେ ଖାଇଗଲେ ଭାରି ଭଲ ହେବ । କାହିଁକିନା ମୁଁ ମୋ ଜୀବନରେ କିଛି ବି କରି ପାରିଲି ନାହିଁ । ମୋର ଜଣେ ବନ୍ଧୁ ଆସି ଲକ୍ଷପତି ହେଲାଣି; ଜଣେ ସହପାଠୀ ରାଜାଙ୍କ ଅମାତ୍ୟ ହୋଇଛି ।  ଆଉ ଜଣେ ଭଲ ଚିକିତ୍ସକ । ଆଜି ହଠାତ୍ ମୁଁ ଚେତି ଉଠି ଦେଖିଲି, ମୁଁ କିଛି ବି କରି ପାରି ନାହିଁ । ତେଣୁ ଜୀବନ ପ୍ରତି ମୋର କେମିତି ଗୋଟେ ବିତୃଷ୍ଣା ଭାବ ଆସି ଯାଇଛି ।”

ତଳେ ଖଣ୍ଡିଏ ପୁରୁଣା ଧନୁ ପଡିଥିଲା । ସାଧୁ ସେ ଗୋଟିକ ଉଠାଇ ନେଇ ସୁକୁମାରକୁ ଦେଲେ ଓ କହିଲେ, “ତୀର ମାରିଲ ଦେଖିବା ।” ସୁକୁମାର ତୀର ମାରିଲା । ସାଧୁ ତାକୁ ପଚାରିଲେ, “କାହିଁ, ତମ ତୀରରେ ତ ସେ ଆମ୍ବଟି ଝଡିଲା ନାହିଁ!”

ସୁକୁମାର କହିଲା, “ମହାଶୟ! ମୁଁ ତ ତାକୁ ଲକ୍ଷ୍ୟ କରି ତୀର ମାରି ନଥିଲି ।”

ଏଥର ସେ ସାଧୁ କହିଲେ, “ବେଶ୍! ତମେ ଜୀବନରେ କିଛି ଲକ୍ଷ୍ୟ ରଖି କାମ କରିଥିଲ କି? ବିନା ଲକ୍ଷ୍ୟରେ ଲକ୍ଷ୍ୟ ଭେଦ ହେବ ବା କିପରି? ଯାଅ । ମନରୁ ବିଷାଦ ଦୂର କରି କୌଣସି ଲକ୍ଷ୍ୟ ନେଇ କାମ କର । ତେଣିକି ଦେଖିବା ।” ଏହି ଘଟଣା ପରେ ସେ ସୁକୁମାରର ଜ୍ଞାନୋଦୟ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ