ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଲାଗିଲେ ଛାଡିବିନି

                ସେମାନେ କୁଆଡେ ନିଘୋଡ ରାତିରେ ଆସନ୍ତି ଆଉ ନଟ ବୁଢା ଘରେ ମିଟିଂ କରନ୍ତି । ନଟ ବୁଢା କୁଆଡେ ଯାହା ଉପରେ ରାଗେ ଜାଣ ତାର କଥା ସରିଲା । ସେ ତା’ ଘରେ ଡାହାଣୀ ଲଗାଇ ଦିଏ । ତା ଚାଳରେ ନିଆଁ ଜଳେ । ହାଣ୍ଡି ଡେକ୍ଚି ସବୁ ତାର ଆକାଶରେ ଉଡେ । ତା ଘରେ କେବଳ ବିଷ୍ଠା ବର୍ଷା ହୁଏ । ତେଣୁ ନଟକୁ ଗାଁରେ କୁଆଡେ ସମସ୍ତଙ୍କର ଭାରି ଡର । ରାତି ହେଲେ ତା’ ଏକୁଟିଆ ଘର ଆଡେ କେହି କେବେ ଯିବାର ଦେଖିନି । ଏମିତି କେତେ କଥା ଏହି ଗାଁରେ ଶୁଣିବାକୁ ମିଳେ । ଆଜି ସପନି ନାହିଁ କି ସନିଆ ନାହିଁ ସେ ନଟ ଗୁଣିଆଁର ଘର ମଧ୍ୟ ମାଟିରେ ମିଶିଛି । ତା ବଂଶରେ କେହି ନଥିବାରୁ ସେଠାରେ ନାନା ଜାତିର ଗଛ ଉଠିଛି । ସେଠାକୁ କେହି କେବେ ଆଜି ପର୍ଯ୍ୟନ୍ତ ଭୟରେ ଯାହାନ୍ତି ନାହିଁ । ନଟ ଗୁଣିଆଁ ଲଗାଇ ଥିବା କେତୋଟି ଗଛ ଆମ୍ବ, ଆତ, ଓଉ ସେହିଠାରେ ପାଚି ପୁଣି ସେହିଠାରେ ଝଡେ । ଗଛ ଉଠେ ପୁଣି ତାଙ୍କର ସଂଖ୍ୟା ମଧ୍ୟ ବଢାଏ ଏହିପରି ସେଠାରେ ଛୋଟିଆ ଜଙ୍ଗଲଟିଏ ସୃଷ୍ଟି ହୋଇଛି । ଦୁଇ ତିନି ପୁରୁଷ ଗଲାଣି କେହି ଭୟରେ ସେ ସ୍ଥାନ ମାଡନ୍ତିନି ।

                ସମସ୍ତେ କହନ୍ତି କୁଆଡେ ନଟ ଗୁଣିଆଁ ସେ ଜଙ୍ଗଲରେ ବୁଲେ । ଗଛର ପତରଟିରେ ହାତ ମାରିଲେ କୁଆଡେ ହାତ ମାରିଥିବା ଲୋକ ସେଇଠାରେ ହିଁ ଠିଆ ହୋଇ ଥାଏ । ତା ଦେହରୁ ନଟ ଗୁଣିଆଁର ଆତ୍ମା ସବୁ ରକ୍ତ ଶୋଷି ତାକୁ ଛାଡି ଦିଏ । ନଟ ଗୁଣିଆଁର ଆତ୍ମା ରକ୍ତ ପିଇ ତିନି ପୁରୁଷ ହେଲା ସେଇଠି ବୁଲୁଛି । କେତେ କଥା କେତେ ବାର୍ତ୍ତା ଦାଣ୍ଡିପୁର ଗ୍ରାମର ଲୋକ ଯେତେ ଶିକ୍ଷିତ ହେଲେ ବି ସେଇ ସବୁ ଶୁଣା କଥା ଶୁଣି ନିଜକୁ ସଞ୍ଜତ କରିଛନ୍ତି ।

                ଗୁଣିଆଁ ଆସି ପହଁଚି ଗଲା । ବାପୁନୁ ଗୁଣିଆଁକୁ ଦେଖି ଖାଲି କାଉଲୁ ବାଉଲୁ ହୋଇ ଚାହିଁଲା । ଭୟରେ ଥରି ଥରି ସେ ତା ଦାନ୍ତ କଡମଡ କଲା । ଗଣିଆଁ ତା ବେତ ଦେଖାଇ କହିଲା ମୁଁ ଠିକ୍ ଜାଣିଛି ଯେ ସେ ନାରଙ୍ଗୀ ତିରିଲାର ଆତ୍ମା ତୋ ଠାରେ ସବାର ହୋଇଛି । ମତେ ଚିହ୍ନିଛୁ ମୁଁ କିଏ? ତୋ ପରି ତିରିଲା ମାନଙ୍କ ଆତ୍ମାକୁ ମୁଁ ମୋ ଡବାରେ ପୁରାଇ ଘରେ ରଖିଛି ହୁସିଆର? ଚୁପ୍ ହୋଇ ବସ । ଏତିକି କହି ବାପୁନୁର ମୁହଁ ଚାରି ପଟେ ହାତ ବୁଲାଇ ନିଜ ଦାଢୀ ସାଉଁଳୁ ସାଉଁଳୁ ନଖିଆ ଗୁଣିଆ ତା ମନ୍ତ୍ର ଉଚ୍ଚାରଣ କଲା । ସେତେବେଳେ ଖୁବ୍ ଭୟରେ ଆଖି ମୁଜୁ ଥିଲା ବାପୁନ୍ ।

                ସତକୁ ସତ ବାପୁନୁ ସେଠାରେ ବସିଲା । ତା ମାଆ ବାପା ତାକୁ ଛାଡି ନଖିଆ ଗୁଣିଆଁର ପାଦ ତଳେ ପଡି ତାଙ୍କ ଏକମାତ୍ର ପୁତ୍ର ବାପୁନୁର ଜୀବନ ଭିକ୍ଷା କଲେ । ନଖିଆ ଗୁଣିଆଁର ସେ ଅଂଚଳରେ ଗୋଟେ ନାଁ ଅଛି । ଗୋଟାଏ ଏକାନ୍ତ ସ୍ଥାନରେ ସେ ତା ଘର କରି ରହିଛି । କୋଠା ଘର ସେଠି ସେ ବଡ ଅୟସରେ ଅଛି । ତାକୁ ମନ୍ତ୍ରୀ ଯନ୍ତ୍ରୀ ସମସ୍ତେ ବିଶ୍ୱାସ କରନ୍ତି । ଭୋଟ ସମୟରେ ତ ତା ଘର ଆଗରେ ପ୍ରାର୍ଥୀ ମାନଙ୍କ ସୁଅ ଛୁଟେ । ସେ ବଡ ଗୁଣିଆଁକୁ ପଡିଶା ଘର ବନମାଳୀ ବାବୁ ଡାକିଛନ୍ତି । ଏକା ଥରକେ ବୁପୁନୁ ଦେହରୁ ଭୂତ ଛାଡି ଯିବ । ପିଲାଟା ମଧ୍ୟ ବଂଚି ଯିବ ।

ଏଥର ନଖିଆ ଗୁଣିଆଁ ତା’ କରାମତି ଦେଖାଇଲା । ଘରର ସବୁ କବାଟ ବନ୍ଦ କରିବାକୁ କହିଲା । ବାପୁନୁ ନଖିଆକୁ ଦେଖି ଦେଲେ ଭୟରେ ସେ ଖାଲି ଥରୁ ଥାଏ । ବାପୁନୁର ମାଆ କାନ୍ଦି କାନ୍ଦି କହିଲା – ମୋ ପୁଅର ପିଠି ଦେଖ ସେ ଭୂତଟା ତାକୁ କେତେ ନ ବାଡେଇଛି । ପିଠିରୁ ତା ଗଞ୍ଜିଟାକୁ କାଢି ଦେବାରୁ ଲାଲ୍ ଲାଲ୍ ପାହାରର ଚିହ୍ନ ସମସ୍ତେ ଦେଖିଲେ । ରକ୍ତ ବହି ପଡିବା ପରି ମଧ୍ୟ ଦେଖା ଯାଉଛି । ବାପୁନୁ କେବଳ ବିକଳ ହୋଇ କାନ୍ଦିଲା । ଏଥର ନଖିଆ କହିଲା ଦେଖତ ସେ ତିରିଲାଟା ତା ହାଡରେ ବାଡେଇ ବାଡେଇ ତୁମ ପିଲାଟିର ପିଠିକୁ ଏମିତି କରିଛି । ଦେଖୁନ ମୋତେ ଦେଖି କିପରି ସେ ବିକଳ ହୋଇ କାନ୍ଦୁଛି । ରହ ରହ ତୋତେ ଠିକ୍ ଯାଗାରେ ମୁଁ ପହଁଚାଉଛି ଏତିକି କହି ସେ ଗୁଣିଆଁ ବେତକୁ ବାର ବାର ଉଚାଇବାରୁ ବାପୁନୁ ଆହୁରି ବିକଳ ହୋଇ ତା ମାଆକୁ ଧରିଲା । କିନ୍ତୁ ନଖିଆ ଗୁଣିଆଁ ଭାରି ରାଗି ତାକୁ ତା ମାଆଠାରୁ ଅଲଗା କରି ଦେଲା । ପିଲାଟାର କାନ୍ଦଣାରେ ଘରଟା ଯାହା ଖାଲି କରୁଣ ହୋଇ ଉଠିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ