ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଲାଭ କ୍ଷତି

ଶ୍ରଦ୍ଧାପୁରୀର ଜମିଦାର ଭୂପତି ବର୍ମା ଥରେ ଅସୁସ୍ଥ ହୋଇ ପଡିଲେ । ବୈଦ୍ୟ ବେମାର ଭଲ କରିଦେଲେ ସତ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖାଗଲା ନାହିଁ ।

                ବୈଦ୍ୟ କହିଲେ “ବାବୁ, ଆପଣଙ୍କ ପକ୍ଷେ ଜଳବାୟୁ ପରିବର୍ତ୍ତନ କରିବା ନିହାତି ଲୋଡା । ମୁଁ ଏପରି ଗୋଟିଏ ସ୍ଥାନ କଥା ଜାଣେ, ଯେଉଁଠି ମାସଟିଏ ରହିଲେ ଆପଣଙ୍କ ମନ ଓ ସ୍ୱାସ୍ଥ୍ୟରେ ବିପୁଳ ପରିବର୍ତ୍ତନ ହେବ । ସେଠାକାର ପାଣିପବନରେ ଯାଦୁ ଅଛି ।”

ଜମିଦାର କୌତୁହଳୀ ହୋଇ ପଚାରିଲେ “ସେ ସ୍ଥାନ କେଉଁଠି?”

ବୈଦ୍ୟ କହିଲେ “ତାହା ଶ୍ରୀପୁର ନାମକ ଏକ ଗ୍ରାମ । ସେହି ଗ୍ରାମଟି ସରୋବର କୂଳରେ, ଗୋଟିଏ ପାହାଡ ପାଖରେ ଅବସ୍ଥିତ । କିନ୍ତୁ ସେଠାରେ ରହିବା ଭିତରେ ଆପଣଙ୍କୁ ଏଠାକାର କୌଣସି ସମସ୍ୟାକୁ ନେଇ ମୁଣ୍ଡ ଖେଳାଇଲେ ମୋଟେ ଚଳିବ ନାହିଁ । ସେଠାରେ ଯାହା କିଛିବି ସାଧାରଣ ଖାଦ୍ୟପେୟ ମିଳିବ, ସେଇଥିରେହିଁ ଚଳିବା ଆବଶ୍ୟକ ।”

ଶ୍ରୀପୁର ଗ୍ରାମରେ ଜମିଦାରଙ୍କର ଜଣେ ଦୂରସମ୍ପର୍କିୟ ଭାଇ ଥିଲେ । ତାଙ୍କର ଅଳ୍ପ କିଛି ଜମିଜମା ଥିଲା । କିନ୍ତୁ ସେ ଭଦ୍ରଲୋକଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଖବର ମିଳିଥିଲା । ସେମାନେ କିପରି ଅବସ୍ଥାରେ ଅଛନ୍ତି, କିପରି ଚଳୁଛନ୍ତି, ସେକଥା ଜମିଦାରଙ୍କୁ ଜଣା ନଥିଲା । କିନ୍ତୁ ଶ୍ରୀପୁର ଗ୍ରାମରେ କୌଣସି ଚଟିଘର ବା ଅତିଥିଶାଳା ନଥିବା ସ୍ଥଳେ ସେହି ବନ୍ଧୁଙ୍କ ଘରେ ରହିବା ଛଡା ଅନ୍ୟ ଉପାୟ କ’ଣ?

ଶ୍ରୀପୁର ଗ୍ରାମରେ ଜମିଦାରଙ୍କ ଘୋଡାଗାଡି ଯାଇ ପହଁଚିଲା । ଜମିଦାରଙ୍କୁ ଗାଡିରୁ ଓହ୍ଲାଇବାର ଦେଖି ତାଙ୍କ ଦୂର ସମ୍ପର୍କିୟ ଭାଇଙ୍କ ବିଧବା ସ୍ତ୍ରୀ ବିମଳା ଦେବୀ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ସେ ତାଙ୍କୁ କୋଡିଏ ବର୍ଷ ତଳେ ଥରେ ଜଣେ ବନ୍ଧୁଙ୍କ ଘରେ ବିବାହ ଉତ୍ସବରେ ଦେଖିଥିଲେ । ତେଣୁ ତାଙ୍କୁ ଚିହ୍ନିବାରେ ବିଶେଷ କିଛି ଅସୁବିଧା ହେଲା ନାହିଁ ।

ଜମିଦାର ଭାଉଜଙ୍କୁ ଅଭିବାଦନ କରି କହିଲେ “ଭାଉଜ! ଗୋଟାଏ ବିଶେଷ କାରଣରୁ ମୁଁ ଏଠାକୁ ଆସିଛି । ସେକଥା ପରେ କହିବି ।” ଭାଉଜ ତରତର ହୋଇ ଜମିଦାରଙ୍କ ପାଇଁ ଶେଯ ପ୍ରସ୍ତୁତ କଲେ । ନିଜର ଏକମାତ୍ର ଝିଅ ପ୍ରତିମାକୁ ଡାକି ତାଙ୍କ ସହ ସେ ପରିଚୟ କରାଇ ଦେଲେ । ଯେତେ ଭଲ ରୋଷେଇବାସ କରିବା ସମ୍ଭବ, ତାହା ସେ କଲେ ।

ଜମିଦାର ତ ଖୁବ୍ ଖାଦ୍ୟପ୍ରିୟ ବ୍ୟକ୍ତି ଥିଲେ । ତାଙ୍କ ନିଜ ଘରେ ବହୁତ ମସଲାମସଲି ପକାଇ ତରକାରୀ ହୁଏ । କିନ୍ତୁ ଏଠାରେ ଭାଉଜଙ୍କ ରନ୍ଧାରେ ବିଶେଷ ମସଲା ବ୍ୟବହାର ହୋଇ ନଥିଲେ ବି ତାହା ତାଙ୍କୁ ଅତ୍ୟନ୍ତ ସ୍ୱାଦୁ ଲାଗିଲା । ସେ ଖାଦ୍ୟ ପଦାର୍ଥ ସବୁର ବହୁତ ତାରିଫ୍ କରି କହିଲେ, “ଭାଉଜ! ତମେ ଏତେ ସୁନ୍ଦର ରାନ୍ଧି ଜାଣ! ମୋତେ ଏଠାରେ ମାସଟିଏ ରହିବାକୁ ପଡିବ । ମୋ ସ୍ୱାସ୍ଥ୍ୟ ପାଇଁ ଏହାହିଁ ପ୍ରୟୋଜନ । କାଳେ ସୁସ୍ୱାଦୁ ଖାଦ୍ୟ ପାଇବି ନାହିଁ, ସେହି ଆଶଙ୍କାରେ ଦଶବାର ପ୍ରକାର ଚଟଣି ଓ ଆଚାର ମୁଁ ମୋ ସାଥିରେ ଧରି ଆସିଥିଲି । କିନ୍ତୁ ବର୍ତ୍ତମାନ ସେସବୁକୁ କିଏ ପଚାରେ!”

                ଜମିଦାର ମାସେ କାଳ ରହିବା କଥା ଶୁଣି ବିମଳା ଦେବୀଙ୍କ ହାଲକ ଶୁଖିଗଲା । ଦିନେ ଓଳିଏ ପାଇଁ ସିନା ଏପରି ଭଲ ରାନ୍ଧି ଖୁଆଇବା ସମ୍ଭବ, ହେଲେ ମାସେ କାଳ ସେ ତାଙ୍କର ଏଭଳି ଚର୍ଚ୍ଚା କିପରି କରିବେ? ସଙ୍ଗତି ଥିଲେ ବି ଏତେ ପରିଶ୍ରମ ସେ କାହିଁକି ବା କରିବେ?

ପ୍ରତିମା କହିଲା, “ବୋଉ, ତୁ ଏତେ ବ୍ୟସ୍ତ ହେବା ଆଦୌ ଠିକ୍ ନୁହେଁ । ଏ ଜମିଦାର ଜଣକ ବଡ ଭଲ ମଣିଷ ପରି ଲାଗୁଛନ୍ତି । ସେ ତୋତେ ଖର୍ଚ୍ଚ ଦେଇଦେବେ ।”

ବିମଳା ଦେବୀ କହିଲେ “ନ ଦେଲେ ମୁଁ କ’ଣ କରିବି? ମୁଁ ଯେଉଁ ଦୁଇ ପଇସା ସଂଚି ରଖିଛି, ତାହା ତୋହରି ବାହାଘର ପାଇଁ । ଏକଥା ଭୁଲିଗଲେ କ’ଣ ଚଳିବ?”

ରାତି ଓଳିକୁ ଖାଲି ଭାତ, ଡାଲି ଓ ଗୋଟିଏ ସନ୍ତୁଳା ଛଡା ଆଉ କିଛିବି ନଥିଲା । ଏହା ଦେଖି ଜମିଦାରଙ୍କ ମୁହଁ ହଠାତ୍ ସୁଖିଗଲା । ବିମଳା ଦେବୀ ତାହା ଲକ୍ଷ୍ୟ କରି କହିଲେ, “ସାଆନ୍ତେ! ମୁଁ ଜାଣି ନଥିଲି ଯେ ତମେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏଠାକୁ ଆସିଛ । ତମକୁ କୌଣସି ଗୁରୁପାକ ଖାଦ୍ୟ ଦେବା ମୋ ପକ୍ଷରେ ଉଚିତ୍ ନୁହେଁ । ଯେଉଁ ଚଟଣି ଓ ଆଚାର ଆଣିଛ, ତାକୁହିଁ ଲଗାଇ ଖାଅ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ