ତାଙ୍କ କଥାରେ ଜମିଦାର ହସିଲେ ଓ କହିଲେ, “ଭାଉଜ! ତମେ ରାଗି ଗଲକି? ବାସ୍ତବିକ ମୋର ଭୁଲ୍ ହୋଇଛି । ମୁଁ ସେସବୁ ଆଣିବା ଦରକାର ନଥିଲା । ଘରେ ତ ମୁଁ ସେସବୁ ସବୁଦିନ ଖାଉଛି । ତମ ରାନ୍ଧଣା ଖାଇବାର ସୌଭାଗ୍ୟ ଆଉ କାହୁଁ ମିଳିବ? ମୋ ସ୍ୱାସ୍ଥ୍ୟ ପାଇଁ ଆଦୌ ଚିନ୍ତା କରନାହିଁ । ଜଳବାୟୁ ପରିବର୍ତ୍ତନ ଓ ଜମିଦାରି ସମସ୍ୟାରୁ ଅଲଗା ରହିବା ମୋ ପାଇଁ ବିଶେଷ ଆବଶ୍ୟକ । ତମ ରନ୍ଧାରେ ମୋ ଉପକାର ଛଡା ଅପକାର ହେବାର ତିଳେ ମାତ୍ର ବି ଆଶଙ୍କା ନାହିଁ ।”
ପ୍ରତିମା ବିମଳା ଦେବୀଙ୍କୁ କହିଲା, “ଦେଖୁଛୁ ସେ କେଡେ ମହତ୍ ଲୋକ? କାଳେ ସେ ସାଙ୍ଗରେ ଆଚାର ଆଣିଛନ୍ତି ବୋଲି ତୁ ଅଭିମାନ କରୁଛୁ, ସେ ସେଇଆ ବୁଝିଲେ ।”
ବିମଳା ଦେବୀ କହିଲେ “ସେ ଯାହା ବୁଝନ୍ତୁ, ମୁଁ ତାଙ୍କୁ ସବୁଦିନ ତାଙ୍କ ମନ ମାଫିକ୍ ରୋଷେଇ କରିଦେଇ ପାରିବି ନାହିଁ ।” ଦିନରେ ଭାତ ଡାଲି ସାଗ ଓ ରାତିରେ ସାଗ ବଦଳରେ ସନ୍ତୁଳା ଛଡା ସେ ଆଉ କିଛିବି ରାନ୍ଧିଲେ ନାହିଁ । ଜମିଦାର ପ୍ରଥମ ଦିନେ ଦୁଇଦିନ ତାଙ୍କୁ ବାରମ୍ବାର ପ୍ରଥମଥର ଭଳି ରାନ୍ଧିବାକୁ ଅନୁରୋଧ କଲେ । କିନ୍ତୁ ସେ ରୋକ୍ଠୋକ୍ କହିଦେଲେ, “ନା ବାବୁ, ତମ ସ୍ୱାସ୍ଥ୍ୟ କାଳେ ଆହୁରି ଖରାପ ହେବ । ତମେ ତମ ଆଚାର ଖାଉଥାଅ ।” ତେଣିକି ଜମିଦାର ଆଉ କିଛି ହେଲେବି କହନ୍ତି ନାହିଁ । କେବଳ ଆଚାର ଲଗାଇ ସେ ଖାଆନ୍ତି । କିନ୍ତୁ ମନେ ହେଲା, ସେ ଖାଇବା ପିଇବାରେ ଅସୁବିଧା କଥା ସମ୍ପୂର୍ଣ୍ଣ ରୂପେ ପାଶୋରି ଦେଲେ । ସେ ପ୍ରତିମା ସହ ଗପସପ କରି, ତା’ ସହ ସରୋବର କୂଳରେ ବୁଲାବୁଲି କରି ସମୟ ବିତାଇ ଦିଅନ୍ତି ।
ପନ୍ଦରଦିନ ପରେ ବିମଳା ଦେବୀ ପ୍ରତିମାକୁ କହିଲେ, “କାହିଁ! ଜମିଦାର ତ କିଛି ଖର୍ଚ୍ଚ ବାର୍ଚ୍ଚ ଦେବା କଥା ଉଠାଉ ନାହାଁନ୍ତି ।”
ପ୍ରତିମା କହିଲା “ବୋଉ! ତୁ ତାଙ୍କ ପାଇଁ କ’ଣ ଏମିତି ଖର୍ଚ୍ଚ କରୁଛୁ ଯେ ସେ ତୋତେ ଖର୍ଚ୍ଚ ନ ଦେଲେ ଅଚଳ ହୋଇଯିବ?”
ଜମିଦାରଙ୍କର ବିଦାୟ ନେବା ସମୟ ହେଲା । ବିମଳା ଦେବୀ ତାଙ୍କୁ ପ୍ରତିମାର ବାହାଘର ବୋଝ ତାଙ୍କ ମୁଣ୍ଡ ଉପରେ ଅଛି ବୋଲି ସୂଚାଇ ଦେଲେ । ଆଶା କରିଥିଲେ ଜମିଦାର କିଛି ସାହାଯ୍ୟ ଦେବାର ନିର୍ଭରଯୋଗ୍ୟ ପ୍ରତିଶୃତି ଦେବେ । କିନ୍ତୁ ଜମିଦାର ଖାଲି ପଚାରିଲେ, “ବରପାତ୍ର ଠିକ୍ ହେଲାଣି?” ଏ ପ୍ରଶ୍ନର ଉତ୍ତରରେ ବିମଳା ଦେବୀ ନାହିଁ କରିବାରୁ ସେ ଆଉ କିଛି ହେଲେବି କହିଲେ ନାହିଁ । ଠିକ୍ ମାସକ ପରେ ଜମିଦାରଙ୍କ ଗାଡି ଆସିଲା । ସେ ବିଦାୟ ନେଲେ । ବିମଳା ଦେବୀ ତାଙ୍କ ଝିଅକୁ କହିଲେ, “ତୋ ମହତ୍ ଲୋକ ଚାଲିଗଲେ । ମହତ୍ତ୍ୱର ପ୍ରମାଣ ତୁ କ’ଣ ପାଇଲୁ କେଜାଣି, ମୋତେ ତ କାହିଁ କିଛିବି ମିଳିଲା ନାହିଁ!” ପ୍ରତିମା ନୀରବ ରହିଲା ।
ପରଦିନ ଜମିଦାରଙ୍କ ଗୁମାସ୍ତା ଆସି ସେଠାରେ ପହଁଚିଲେ । ସେ ପାଂଚହଜାର ଟଙ୍କା ଆଣିଥିଲେ, ମା ଓ ଝିଅ ପାଇଁ ଲୁଗା ଆଣିଥିଲେ, ଆଉ ତତ୍ସହିତ ସେ ପ୍ରତିମା ପାଇଁ ବିବାହ ପ୍ରସ୍ତାବ ମଧ୍ୟ ଆଣିଥିଲେ – ଖୋଦ୍ ଜମିଦାରଙ୍କ ପୁଅ ପାଇଁ । ତାଙ୍କର ଯୌତୁକ ଲୋଡା ନାହିଁ । ବାହାଘରର ସବୁ ଖର୍ଚ୍ଚ ସେ ତୁଲାଇବେ! ବିମଳା ଦେବୀ ଏଥର ପ୍ରତିମାକୁ କୁଣ୍ଢାଇ କହିଲେ, “ତୁ ଠିକ୍ ବୁଝିଥିଲୁ ।”