ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଲୀଳାବତୀ କଥା

       ମହଲର ସୌନ୍ଦର୍ଯ୍ୟ, ଭବ୍ୟତା, ବିଶାଳତାକୁ ଲକ୍ଷ୍ୟକରି ସାଧୁ ଜଣକ ମନଦୁଃଖରେ କହିଦେଲେ, “ଏମିତି ଏକ ମହଲର ମାଲିକ ହୋଇପାରିଲେ ମୋ ଜୀବନ ଧନ୍ୟ ହୋଇଯାଆନ୍ତା ।”

       ଏକଥା ଶୁଣି ମହାରାଜ ବିକ୍ରମାଦିତ୍ୟ ନିଜ ମହାନ ତ୍ୟାଗର ପରିଚୟ ଦେବାକୁ ଯାଇ ତୁରନ୍ତ କହିଲେ, “ହେ ସାଧୁ! ଏଇ ମୁହୂର୍ତରୁ ଏ ମହଲର ଅଧିକାରୀ ଆପଣ । ମୁଁ ଆପଣଙ୍କୁ ଏହା ଦାନ କରିଦେଉଛି ।” ସଙ୍ଗେ ସଙ୍ଗେ ତମ୍ବାପତ୍ର, ଗଙ୍ଗାଜଳ, ତୁଳସୀପତ୍ର ଅଣାଇ ସାଧୁଙ୍କ ନିକଟରେ ଶପଥ କରି ତାକୁ ମହଲ ଦାନକରି ଦେଇ ନିର୍ବିକାର ଚିତ୍ତରେ ନିଜ ରାଜପ୍ରାସାଦକୁ ଫେରିଗଲେ ।

       ସାଧୁ ଖୁସିମନରେ ନିଜ ଘରକୁ ଯାଇ ବ୍ରାହ୍ମଣୀ ଏବଂ ପରିବାର ଲୋକଙ୍କୁ ସବୁକଥା କହି ମହାରାଜାଙ୍କର ପ୍ରଶଂସା କଲେ । ତା’ପରେ ଆବଶ୍ୟକ ଜିନିଷପତ୍ର ଏକ ବଳଦଗାଡିରେ ଲଦି ସପରିବାର ଯାଇ ମହଲରେ ରହିଲେ । ସମସ୍ତେ ମହଲର ଚାକଚକ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହେଲେ । ରାତିରେ ଶୋଇବାପରେ ହଠାତ୍ ବ୍ରାହ୍ମଣର ଏବଂ ବ୍ରାହ୍ମଣୀର ନିଦ ଭାଙ୍ଗିଗଲା । ସେମାନେ ଦେଖିଲେ ଭଣ୍ଡାରଘରୁ ଏକ ଜ୍ୟୋତି ଉଦ୍ଭାସିତ ହେଉଛି ଏବଂ ଅଦୃଶ୍ୟ ଭାବରେ କେହି କହୁଥିବାର ଶୁଣିଲେ । ମୁଁ ତମର ଭାଗ୍ୟବଳରୁ ଏଠାକୁ ଆସିଛି । ମୁଁ ଧନଲକ୍ଷ୍ମୀ । ତମେ ଯାହା ମାଗିବ ତାହା ଦେବି । ଯଥାଶୀଘ୍ର ମାଗ । ଦୁହେଁ ଏହା ଭୂତ ଭାବି ନୀରବ ରହିଲେ ।

       ପୁଣି କିଛି ସମୟପରେ ସେଇ ଅଦୃଶ୍ୟ ଆବାଜ ଶୁଣାଯିବାରୁ ବ୍ରାହ୍ମଣୀ ଡରିଯାଇ ଅଚେତ ହୋଇଗଲା । ବ୍ରାହ୍ମଣ ସାଧୁ ବି ଚୁପ୍ ରହିଗଲେ । ଧନଲକ୍ଷ୍ମୀ ଋଷ୍ଟ ହୋଇ ଚାଲିଗଲେ । ପରଦିନ ବ୍ରାହ୍ମଣ ସାଧୁ ଯାଇ ରାଜଦରବାରରେ ପହଁଚି କହିଲେ, “ମହାରାଜ! ମୋର ବହୁମୂଲ୍ୟବାନ ମହଲ ଦରକାର ନାହିଁ । ଆପଣ ତାହା ଫେରାଇ ନିଅନ୍ତୁ । ମୁଁ ମୋର ପୂର୍ବ ଘରକୁ ଫେରି ଯାଉଛି ।

       ମହାରାଜ କହିଲେ, “ଦାନଦେଇ ପୁଣି ଫେରସ୍ତ ନେବା ଧର୍ମ ସମ୍ମତ ନୁହେଁ । ତା’ଛଡା ସୁନାର ମହଲ ପାଇ କାହିଁକି ଫେରାଇ ଦେବାକୁ ଚାହୁଁଛନ୍ତି?”

         ସାଧୁ ଜଣକ ନିଜ ଜିଦ୍ରେ ଅଟଳ ରହିଥିବାରୁ ମହାରାଜ ତାଙ୍କୁ ମହଲର ଉପଯୁକ୍ତ ମୂଲ୍ୟ ପ୍ରଦାନ କରି ତାଙ୍କଠାରୁ କିଣି ନେଲେ । ଧନ ସଂପଦ ଧରି ଲୋଭୀ ବ୍ରାହ୍ମଣ ସାଧୁ ସପରିବାର ନିଜ ଘରକୁ ଚାଲିଗଲେ । ମହାରାଜ ନିଜେ ଆସି ମହଲରେ ରହିଲେ ଏବଂ ସେଠାରେ ଦରବାର ବସାଇଲେ । ଦିନେ ରାତିରେ ଶୋଇଥିବା ସମୟରେ ସ୍ୱୟଂ ଲକ୍ଷ୍ମୀ ପ୍ରକଟ ହେଲେ । ମହାରାଜ ପ୍ରଣାମ ଜଣାଇ ଲକ୍ଷ୍ମୀଙ୍କୁ ସ୍ୱାଗତ କଲେ । ଲକ୍ଷ୍ମୀ ଧନବର୍ଷା କରିବାକୁ ଚାହିଁବାରୁ ମହାରାଜା କହିଲେ, “ମା’! ଆପଣଙ୍କ ଅସୀମ କୃପାରୁ ମୋ ପାଖରେ ସବୁକିଛି ଅଛି । ତଥାପି ଯଦି ଦୟା କରିଛନ୍ତି, ତେବେ ମୋ କକ୍ଷ ଛାଡି ଅନ୍ୟତ୍ର ଏବଂ ମୋ ପ୍ରଜାମାନଙ୍କ ଘରେ ଧନବର୍ଷା କରନ୍ତୁ । ଲକ୍ଷ୍ମୀ “ତଥାସ୍ତୁ” କହି ବିଦାୟ ନେଲେ ।

       ପରଦିନ ମହାରାଜ ଘୋଷଣା କଲେ, “ସବୁ ଧନକୁ ଲକ୍ଷ୍ମୀଙ୍କର ବରଦାନ ଭାବି କୋଷାଗାରରେ ରଖାଯାଉ ଏବଂ ପ୍ରଜାଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କରାଯାଉ ।” ରାଜ୍ୟର ପ୍ରଜାମାନଙ୍କ ଘରେ ଯେଉଁ ଧନବର୍ଷା ହୋଇଥିଲା ତାହାକୁ ସେମାନେ ରାଜାଙ୍କର ଭାବି ହାତ ଲଗାଇଲେ ନାହିଁ । ପ୍ରଜାମାନଙ୍କର ସଚ୍ଚୋଟତା ଏବଂ ରାଜଭକ୍ତି ଦେଖି ମହାରାଜ ପ୍ରୀତ ହେଲେ ଏବଂ ଘୋଷଣା କଲେ ଯେ ଯାହାଘରେ ଯେତିକି ଧନ ଅଛି ସେସବୁ ତାଙ୍କର । ସେ ଯେପରି ଅନ୍ୟର ଧନ ପ୍ରତି ଲୋଭ ନ କରେ । ହାତ ନ ଲଗାଏ । ନଚେତ୍ ଦଣ୍ଡ ପାଇବାକୁ ବାଧ୍ୟ ହେବ ।

       ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ ପାରିଷଦମାନଙ୍କର ଦଳ ଗଠନ କରାଯାଇ ରାଜ୍ୟରେ ଲକ୍ଷ୍ମୀଙ୍କର ଆରାଧନା କରାଗଲା । ପ୍ରଜାମାନେ ସୁଖ ଶାନ୍ତିରେ ରହିଲେ । କାହାରି କିଛି ଅଭାବ ଅସୁବିଧା ରହିଲା ନାହିଁ । ସମସ୍ତେ ମହାରାଜାଙ୍କର ଜୟ ଜୟ କାର କଲେ ।

       ଏହାକହି ଲୀଳାବତୀ ପ୍ରଶ୍ନ କଲା, “ମହାରାଜ! ଆପଣ କ’ଣ କେବେ ପ୍ରଜାଙ୍କ ପାଇଁ ଏଭଳି ତ୍ୟାଗ ସ୍ୱୀକାର କରିଛନ୍ତି? ସ୍ୱୟଂ ଲକ୍ଷ୍ମୀ ଆସି ଆପଣଙ୍କ ରାଜ୍ୟରେ ଧନବର୍ଷା କରିଛନ୍ତି? ଯଦି ହଁ, ତେବେ ଆଗକୁ ବଢନ୍ତୁ । ନଚେତ୍ ବିକ୍ରମାଦିତ୍ୟଙ୍କ ଏହି ଚମତ୍କାରୀ ସିଂହାସନରେ ବସିବାର ଆଶା ତ୍ୟାଗ କରନ୍ତୁ ।” ମହାରାଜ କିଛି କହି ନ ପାରି ଉଆସକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ