ସତ୍ତ୍ଵ, ରଜ, ତମ – ଏହି ତିନୋଟି ଗୁଣକୁ ନେଇ ମଣିଷ ଗଢା ହୋଇଛି । ସତ୍ତ୍ଵଗୁଣରୁ ଜ୍ଞାନର ଜନ୍ମ । କିନ୍ତୁ ଲୋଭର ଜନ୍ମ ରଜଗୁଣରୁ । ପୂର୍ବକାଳରେ ବହୁ ରଜୋଗୁଣୀ ରାଜା ଅନ୍ୟ ରାଜାମାନଙ୍କର ରାଜ୍ୟକୁ ବଳପୂର୍ବକ ଆକ୍ରମଣ କରୁଥିଲେ । ସେମାନଙ୍କ ମନରେ ପର ରାଜ୍ୟ ଗ୍ରାସ କରିବାର ନିଶା କେବେବି କମୁ ନ ଥିଲା । ଅଶୋକ ବହୁ ବର୍ଷ ପୂର୍ବେ ସମଗ୍ର ଏହିପରି ଏକ ଭୟଙ୍କର ଯୁଦ୍ଧ କରିଥିଲେ । ସେ ଥିଲେ ମଗଧର ରାଜା । ଉତ୍କଳର ବୀରତ୍ୱ, କଳା, ସଂସ୍କୃତି ପ୍ରତି ଆକର୍ଷିତ ହୋଇ ସେ ଅଚାନକ ଭାବରେ ଏହି ଦେଶକୁ ଆକ୍ରମଣ କଲେ । ଫଳରେ ଉତ୍କଳର ହଜାର ହଜାର ଲୋକ ମୃତ୍ୟୁମୁଖକୁ ଗଲେ । ରକ୍ତପାତରେ ଦୟାନଦୀର ପାଣି ଲାଲ୍ ହୋଇଯାଇଥିଲା ।
ବର୍ତ୍ତମାନ ଦେଶରେ ଲୋଭ ସବୁଲୋକଙ୍କୁ ପ୍ରବଳ ମାତ୍ରାରେ ଗ୍ରାସ କରିଛି । ଏହି ଲୋଭ ପାଇଁ ମଣିଷ ଆଉ ମଣିଷକୁ ଚିହ୍ନିପାରୁ ନାହିଁ । ଭାଇ ଭାଇ ଭିତରେ ଥିବା ମଧୁର ସମ୍ପର୍କ ଦିନକୁ ଦିନ ଅତ୍ୟନ୍ତ ତିକ୍ତ ହୋଇ ଉଠୁଛି । ତେଣେ ଦୁର୍ନୀତି ମଧ୍ୟ ହୁ ହୁ ହୋଇ ବଢୁଛି । ଭଲମନ୍ଦର କୌଣସି ବାଛ ବିଚାର ନାହିଁ ।
ଏଇ ଲୋଭରୁ ହିଁ ପାପର ଜନ୍ମ । ଲୋଭୀମାନଙ୍କର ପାପ, ପୁଣ୍ୟ, ଭଲ, ମନ୍ଦର ବିଚାର କିଛି ବି ନ ଥାଏ । ବୟସ ଯେତେ ବଢି ବଢି ଚାଲେ ଲୋଭ କ୍ରମଶଃ ସେହି ପରିମାଣରେ ବଢେ । ଖାଦ୍ୟ ଅଧିକ ଲୋଭରେ ଖାଇଲେ ଅଜୀର୍ଣ୍ଣ ହୁଏ । ଫଳରେ ସେସବୁ ଝାଡା, ବାନ୍ତିରେ ହିଁ ଯାଏ । ଠିକ୍ ସେହିପରି ଅତ୍ୟଧିକ ଲୋଭ ପାପ ଓ ମୃତ୍ୟୁକୁ ଡାକି ଆଣେ । ଶେଷରେ ଅନ୍ୟାୟ ଅନୀତିକୁ ନିଜର କରିନିଏ ।
ତେଣୁ ଅନ୍ୟମାନଙ୍କ ପ୍ରତି ଉଦାର ହୁଅ । ଦରିଦ୍ରକୁ ଧନ ଦାନ କର । ଅସହାୟକୁ ସହାୟତା କର । ତାହେଲେ ଯାଇ ପ୍ରକୃତ ଶାନ୍ତି ମିଳିବ ।