ଦିନକର କଥା ଯେ ବ୍ରାହ୍ମଣଙ୍କର ବନ୍ଧୁ ଗୃହକୁ ଯିବାକୁ ହେଲା । ସେଦିନ ନାଗ ଦେବତାଙ୍କର ପୂଜା ନିମନ୍ତେ ନିଜ ପୁଅକୁ ତାଗିଦ୍ କରିଦେଇ କହିଦେଇ ଗଲେ ଯେ ପୁଅରେ ମୁଁ ଦିନକ ନିମନ୍ତେ ବାହାରକୁ ଯାଉଛି । ତୁମେ ନାଗ ଦେବତାଙ୍କ ପୂଜାରେ ଯେପରି ଅବହେଳା ନକର । ନାଗ ଦେବତା ରୁଷ୍ଟ ହେଲେ ଆମର ଅମଙ୍ଗଳ ହେବ ।
ଏହା କହି ବ୍ରାହ୍ମଣ ସେଦିନ ବନ୍ଧୁଙ୍କ ଗୃହକୁ ଚାଲିଗଲେ । ବ୍ରାହ୍ମଣଙ୍କର ପୁତ୍ର ସେଦିନ ସ୍ନାନାଦି କର୍ମ ସମାପନ କରି ଦୁଗ୍ଧ ପାତ୍ର ଧରି ବୃକ୍ଷର ମୂଳକୁ ନାଗ ପୂଜା କରିବା ନିମନ୍ତେ ଯାଇ ଦେଖିଲେ ଯେ ପୂର୍ବଦିନର ଦୁଗ୍ଧ ପାତ୍ରରେ ସୁବର୍ଣ୍ଣର ଗୋଟିଏ ମୋହର ଥୁଆ ହୋଇଛି । ତାହା ଦେଖି ବ୍ରାହ୍ମଣ ପୁତ୍ରଙ୍କର ଲୋଭ ସମ୍ଭାଳ ପଡ଼ିଲା ନାହିଁ । ସେ ଚିନ୍ତା କଲାକି ସାପ ପାଖରେ ନିଶ୍ଚେ ଅନେକ ଗୁଡ଼ାଏ ମୋହର ରହିଅଛି । ସେଥିଲାଗି ପ୍ରତିଦିନ ଗୋଟିଏ ଗୋଟିଏ ମୋହର ଦେଉଛନ୍ତି । ସମସ୍ତ ମୋହର ଆମକୁ ଏକାଥରେ ଦେଇ ଦେଲେ କ’ଣ ହୁଅନ୍ତା ନାହିଁ । ମୋହାର ପାଇଗଲେ ଆମେ କ’ଣ ପୂଜା ବନ୍ଦ କରିଦେବୁ । ବ୍ରାହ୍ମଣ ପୁଅ ଏୟା ଭାବିଲା ଯେ ଏକାଥରେ ମୋହରଗୁଡ଼ିକ ଦେଇଦେଲେ ଆମେ କାଳେ ନାଗ ଦେବତାଙ୍କର ପୂଜା ବନ୍ଦ କରିଦେବୁ । ସେଥିପାଇଁ ନାଗଦେବତା ପ୍ରତିଦିନ ଗୋଟିଏ ଗୋଟିଏ ମୋହର ଦେଇ ଅନ୍ୟ ସମସ୍ତ ମୋହରକୁ ନିଜର ପାଖରେ ରଖିଛନ୍ତି ।
ଏହାପରେ ବ୍ରାହ୍ମଣ ପୁଅର ମନ ମଧ୍ୟରେ ପାପ ଆସି ପ୍ରବେଶ କଲା । ସେ ଚିନ୍ତାକରି ଦୁଗ୍ଧପାତ୍ରଟି ଥୋଇ ଦେଇ ନାଗ ଦେବତାଙ୍କ ଆସିବା ଯାଏ ଠେଙ୍ଗାଟିଏ ଧରି ଜଗି ରହିଲା । କାରଣ ଥିଲା, ଯେତେବେଳେ ନାଗ ଦେବତା ଆସି ଦୁଗ୍ଧ ପିଇବାକୁ ଆରମ୍ଭ କରିବେ ସେତେବେଳେ ଠେଙ୍ଗାରେ ପିଟି ମାରିଦେଇ ତା’ ପାଖରେ ଥିବା ସମସ୍ତ ସୁବର୍ଣ୍ଣର ମୋହର ଧରି ଚାଲିଯିବ । ପରବର୍ତ୍ତୀ ଅବସ୍ଥାରେ ନାଗଦେବତାଙ୍କର ପୂଜା କରିବାକୁ ବାପାଙ୍କୁ ଆଉ ପଡ଼ିବ ନାହିଁ ।
ବ୍ରାହ୍ମଣ ପୁଅର ମନ ମଧ୍ୟରୁ କଥା ସରି ନାହିଁ । ପ୍ରତିଦିନ ପରି ନାଗ ଦେବତା ଦୁଗ୍ଧ ପିଇବା ଲାଗି ଗର୍ତ୍ତ ମଧ୍ୟରୁ ବାହାରି ଆସି ଦୁଗ୍ଧତକ ପିଇବାକୁ ଆରମ୍ଭ କଲେ ଓ ବ୍ରାହ୍ମଣ ପୁତ୍ର ପ୍ରତି ଲକ୍ଷ୍ୟ ରଖିଲେ । ଏଥିରେ ମଧ୍ୟରେ ବ୍ରାହ୍ମଣ ପୁଅ ଯେତେବେଳେ ଠେଙ୍ଗା ଉଠାଇ ପିଟିବାକୁ ଉଦ୍ୟତ ହୁଅନ୍ତେ ଏକଥା ଆଗରୁ ଜାଣିଥିବା ନାଗ ଦେବତା ସଙ୍ଗେ ସଙ୍ଗେ ଡ଼େଇଁପଡ଼ି ବ୍ରାହ୍ମଣ ପୁଅକୁ ଦଂଶନ କରିବାରୁ ସେ ସେହିଠାରେ ବିଷଜ୍ୱାଳ ଯୋଗୁଁ ଛଟପଟ ହୋଇ ମରିଗଲା ।
ତା’ ପରଦିନ ବ୍ରାହ୍ମଣ ବନ୍ଧୁ ଘରୁ ଫେରି ଆସି ନିଜର ପୁତ୍ରର ମୃତ୍ୟୁ ଖବର ଶୁଣି ଦୁଃଖ କଲେ ସିନା ହେଲେ ତା’ ପରି ଲୋଭୀ ପୁତ୍ରର ମୃତ୍ୟୁ ଶ୍ରେୟସ୍କର ଭାବି ନାଗଦେବତାଙ୍କ ପାଖକୁ କ୍ଷମା ପ୍ରାର୍ଥନା କରିବାକୁ ଯାଇ ଦେଖିଲେ ସେହି ସ୍ଥାନରୁ ନାଗଦେତା ଅନ୍ତର୍ଦ୍ଧନା ହୋଇଯାଇଛନ୍ତି ।