ସେ ଲୋଭୀ ଲୋକଟି ବିରବଲଙ୍କ ନିକଟକୁ ଯାଇ ସମସ୍ତ କଥା କହିଲା । ବିରବଲ ପଚାରିଲେ, ତମେ ଯେଉଁ କଥା ସବୁ ମୋ ପାଖରେ ବଖାଣି ଗଲ ସେ କଥା ସବୁ ସତ୍ୟ ତ? ତୁମେ ମୋତେ ଏଥିରେ କିଛି ମିଥ୍ୟା କହୁନାହଁ ତ!
ଲୋଭୀ କହିଲା – ନାଇଁ ହଜୁର୍ । ମୁଁ ଯାହାସବୁ କହିଲି ସତ୍ୟ କହିଲି । ଏହା ପରେ ବିରବଲ ବଣିଆକୁ ଦୂତ ପଠାଇ ଦରବାରକୁ ଡକାଇ ପଠାଇଲେ । ଦୂତ ଯାଇ ବିରବଲଙ୍କ ଖବର ଦିଅନ୍ତେ ବଣିଆ ଡରି ମରି ଦରବାରକୁ ଦୌଡି ଦୌଡି ପଳାଇ ଆସି ବିରବଲଙ୍କ ପାଦତଳେ ପଡିଗଲା ।
ବିରବଲ ବଣିଆକୁ କହିଲେ – ଉଠ ମୁଁ ତୁମକୁ ଯାହା ଯାହା ପଚାରୁଛି, ତା’ ସବୁ ସତ୍ୟ କରି କହିବ । କଥାରେ ଟିକିଏ ମିଛ ରହିଲେ ତୁମକୁ ଫାଶୀ ଦିଆଯିବ ।
ବିରବଲ ପଚାରିବାରୁ ବଣିଆ ସେଦିନ ଯାହା ଯାହା ଘଟିଥିଲା ସବୁ ସତ୍ୟ ସତ୍ୟ କରି କହିଗଲା । ବିରବଲ ଦେଖିଲେ ଲୋଭୀ ଆଉ ଏ ବଣିଆର ସବୁ କଥା ସମାନ ହେଲା । ଆଉ ମଧ୍ୟ ଦୁହିଁଙ୍କ ମଧ୍ୟରେ ଯାହା ଜବାବ୍ ହୋଇଥିଲା ତାହା ମଧ୍ୟ ଠିକ୍ ହେଲା । ବ୍ୟବସାୟୀ ଯାହା ପସନ୍ଦ ତାହା ନେବ ବୋଲି ଯାହା କଥା ହୋଇଥିଲା ବ୍ୟବସାୟୀ ତାହା ସବୁ ନେଇ ଯାଇଛି ବୋଲି ବିରବଲ ତା’ଠାରୁ ଶୁଣି ପାରିଲେ ।
ଏହାପରେ ବିରବଲ ପଚାରିଲେ, ତୁମେ କ’ଣ ଜଣେ ସୁବର୍ଣ୍ଣ ବ୍ୟବସାୟୀ? ବଣିଆ କହିଲା – ହଜୁର୍!
– ତାହା ତୁମେ କେଉଁଠାରେ ନେଇ ରଖିଲ?
– ହଜୁର୍ ତାହା ଯେପରି ଗାମୁଛାରେ ବାନ୍ଧି ନେଇଥିଲି ସେହି ବନ୍ଧା ଅବସ୍ଥାରେ ନେଇ ମୁଁ ମୋ ଦୋକାନରେ ଥୋଇ ଦେଇଛି । କିନ୍ତୁ ତାହାକୁ ଖୋଲାଖୋଲି କରି ଦୋକାନରେ ସଜାଇବି ବୋଲି ଚିନ୍ତା କରିବା ବେଳକୁ ହଜୁର୍ଙ୍କ ଆଦେଶ ପାଇ ଦୌଡି ଦୌଡି ଚାଲି ଆସିଲି ।
ଏହା ପରେ ବିରବଲ ବଣିଆଠାରୁ ଦୋକାନର ଚାବି ମାଗି ନେଇ ଦରବାରରୁ ଦୂତ ପଠାଇ ଗାମୁଛାରେ ବନ୍ଧା ହୋଇଥିବା ଜିନିଷତକ ଗାମୁଛା ସହ ଦରବାରକୁ ଘେନି ଆସିଲେ ।