ଗାର୍ହ୍ୟସ୍ଥ୍ୟ ଜୀବନରେ ବହୁତ ବିରକ୍ତ ହୋଇ ମା’ଙ୍କୁ ଓ ସ୍ତ୍ରୀକୁ ଛାଡି ଶଙ୍କର ଦେଶ ପର୍ଯ୍ୟଟନରେ ବାହାରିଗଲା । ବୁଲୁ ବୁଲୁ ସେ ସକଲପୁର ନାମକ ଏକ ଗ୍ରାମରେ ଯାଇ ପହଁଚିଲା । ସେ ଗ୍ରାମଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ, ସୁନ୍ଦର ଛୋଟ ପାହାଡଟିଏ, ତା’ପାଖରେ ନଈଟିଏ ବୋହିଯାଉଛି । ଚାରିପଟରେ ସବୁଜ ଗଛ ଲତା । ବାତାବରଣଟି ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ । ଶଙ୍କରକୁ ସେହି ସ୍ଥାନଟି ଖୁବ୍ ଭଲ ଲାଗିଲା । ଗ୍ରାମର ଉପାନ୍ତରେ ବିଦ୍ୟାନନ୍ଦ ନାମକ ଜଣେ ସାଧୁଙ୍କର ଆଶ୍ରମ । ଶଙ୍କର ତାଙ୍କୁ ଦର୍ଶନ କରିବାକୁ ଆଶ୍ରମକୁ ଗଲା ।
ବିଦ୍ୟାନନ୍ଦସ୍ୱାମୀ ତାକୁ ଦେଖିବାମାତ୍ରେ ଅତି ସ୍ନେହରେ ପଚାରିଲେ, “କୁହ ପୁତ୍ର, ତୁମର କ’ଣ ଦରକାର?”
ଶଙ୍କର କହିଲା “ଆପଣ ମୋତେ ଆପଣଙ୍କର ଶିଷ୍ୟ ଭାବେ ଗ୍ରହଣ କରନ୍ତୁ । ଆପଣଙ୍କ ସେବା କରି ମୁଁ ଏହିଠାରେହିଁ ରହିବି ।”
ସାଧୁ ଶଙ୍କରକୁ ତୀକ୍ଷ୍ନଦୃଷ୍ଟିରେ ଚାହିଁ କହିଲେ, “ବିଦ୍ୟାଶିକ୍ଷା ପାଇଁ ଯେଉଁ ବ୍ରହ୍ମଚାରୀମାନେ ଆସନ୍ତି, ମୁଁ ସେମାନଙ୍କୁ ନିଜର ଶିଷ୍ୟ ରୂପେ ଗ୍ରହଣ କରେ । କିନ୍ତୁ ତୁମେ ତ ଆଉ ବିଦ୍ୟାଶିକ୍ଷା ପାଇଁ ଆସି ନାହଁ, ମନେହେଉଛି ତୁମେ ବ୍ରହ୍ମଚାରୀ ମଧ୍ୟ ନୁହଁ ।”
ତାଙ୍କ କଥା ଶୁଣି ଶଙ୍କର ବିନୟପୂର୍ବକ କହିଲା, “ଆଜ୍ଞା, ଆପଣ ତ ସର୍ବଜ୍ଞ, ମୁଁ ଆଉ କ’ଣ ଆପଣଙ୍କ ପାଖରେ ସତ୍ୟକୁ ଲୁଚାଇ ପାରିବି? ଆପଣ ଯାହା କହିଛନ୍ତି ତାହା ସତ୍ୟ; ଘରେ ମୋର ମାତା, ପତ୍ନୀ ଓ ତିନିଟି ପିଲା ଅଛନ୍ତି । ମୋର ପତ୍ନୀ ଅତ୍ୟନ୍ତ ମୁଖରା, ମୋ ମା’ ସହିତ ସର୍ବଦା ତା’ର କଳି ଲାଗି ରହିଥାଏ । ଦୁହେଁ ମୁହୂର୍ତ୍ତକ ପାଇଁ ମଧ୍ୟ ଚୁପ୍ ହେବେ ନାହିଁ । ଦୁହିଁଙ୍କ ମଝିରେ ମୋର ବଡ ଅସହାୟ ଅବସ୍ଥା । କାହାକୁ ହେଲେ ମୁଁ ତା’ର ଭୁଲ୍ ବୋଲି କହିପାରେ ନାହିଁ । ଯଦି କିଛି କହେ, ତେବେ ସେ ଦୁହେଁ ଏକସଙ୍ଗେ ମୋତେ ଆକ୍ରମଣ କରନ୍ତି । ସେହି ଗୃହରେ ଜୀବନ ବଂଚାଇ ରହିବା ମୋପକ୍ଷେ ବଡ କଷ୍ଟକର । ମୋ’ ମନରେ ଶାନ୍ତିନାହିଁ । ସେଥିପାଇଁ ମୁଁ ପରିବାରର ବନ୍ଧନରୁ ମୁକ୍ତ ହୋଇ, ଶାନ୍ତିର ସନ୍ଧାନରେ ଆସି ଆପଣଙ୍କ ନିକଟରେ ପହଁଚିଲି; ଆପଣ ମୋତେ ଟିକେ ଦୟା କରନ୍ତୁ । ମୋତେ ଶିଷ୍ୟ କରି ରଖିଲେ ମୋର ଆତ୍ମା ଶାନ୍ତି ପାଇବ ।”