ଏସବୁ ଦେଖନ୍ତେ ସାପ ସେଦିନ ମୁଗ୍ଧ ହୋଇ ଗଲା । ମନେ ମନେ ଭାବିଲା । ରାଜା ତାହା ହେଲେ ମୁଁ ତା’ର ଶତ୍ରୁ ବୋଲି ଜାଣି ପାରିଛି । ସେଇଥି ଲାଗି ମୋର ଯିବା କଥା ଜାଣି ଏତେ ସବୁ ଯୋଗାଡ କରିଛି । ତାହା ହେଲେ ଏପରି ସୁନ୍ଦର ଗୁଣ ରାଜାଙ୍କୁ ମୁଁ ଦଂଶନ କରିବି କିପରି । ସେ ମୋର ଶତ୍ରୁ ହୋଇ ଥିଲେ ମୋ ଲାଗି ଏତେ ବ୍ୟବସ୍ଥା ବା କରି ଥାଆନ୍ତା କାହିଁକି? ନାଁ ତା’ପରି ରାଜାଙ୍କୁ ମୋର ଦଂଶନ କରିବା ଉଚିତ୍ ନୁହେଁ । ଛାଡ ଏଥର ରାଗ ଶାନ୍ତ କରି ଆଜି ରାଜ ଉଆସକୁ ଯିବା, ରାଜାଙ୍କୁ ଖାଲି ସେଠାରେ ଦେଖା କରି ଆସିବା ।
ସେଦିନ ସାପ ଏହି ପରି ଭାବିଲା । ମନକୁ ଶାନ୍ତ କରି ସାରି ସେ ରାଜ ଉଆସରେ ପହଁଚିଲା । ରାଜାଙ୍କ ପଲଙ୍କ ପାଖରେ ସାପକୁ ଦେଖିବା ମାତ୍ରେ ଦିୱାନ୍ ତାକୁ ମାରିବା ଲାଗି ତରବାରୀ ଉଠାନ୍ତେ । ରାଜା କହିଲେ – ନାଁ – ତୁମେ ମୋର ପ୍ରିୟ ସାପକୁ ମାରିବାକୁ ଉଦ୍ୟତ ହେଉଛ କାହିଁକି । ତୁମେ ସାପକୁ ମାରି ପାରିବ ନାହିଁ ।
ରାଜାଙ୍କ କଥା ଶୁଣି ଦିୱାନ୍ ହାତରେ ଧରି ଥିବା ତରବାରୀକୁ ତଳେ ଥୋଇ ମଥା ଅବନତ କରି ଠିଆ ହେଲା ।
ଦିୱାନ୍ ଠିଆ ହେବାରୁ ରାଜା ସାପକୁ ଚାହିଁ କହିଲେ – ହେ ସର୍ପ ତୁମେ ତ ମୋତେ ଦଂଶନ କରିବାକୁ ଆସିଛ । ତେଣୁ ଏଠାରୁ ଫେରି ଯିବା ଆଗରୁ ମୋତେ ଦଂଶନ କରି ତୁମେ ତୁମର ପ୍ରତିଶୋଧ ନିଅ ।
ସର୍ପ କହିଲା ନାହିଁ ରାଜା । ତୁମେ ଧନ୍ୟବାଦର ପାତ୍ର ହେତୁ ମୁଁ ତୁମକୁ ଧନ୍ୟବାଦ ଦେଉଛି । ତୁମ୍ଭର ସାହାସ ସହିତ ମୁଁ ଯେଉଁ ଧର୍ମଜ୍ଞାନ ଓ ଆଚାର ଆଚରଣକୁ ଦେଖିଲି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ମୋ ମନ ମଧ୍ୟରେ ଥିବା ସମସ୍ତ ରାଗ କ୍ରୋଧ ସମସ୍ତ ଶୂନ୍ୟ ହୋଇ ଯାଇଛି । ଏବେ ତୁମେ ମୋର ଶତ୍ରୁ ନୁହଁ । ତେଣୁ ତୁମକୁ ଦଂଶନ କରି ମୁଁ ଅପରାଧି ହେବାକୁ ଚାହେଁ ନାହିଁ । ମୁଁ ଚାହୁଁଛି ମୋତେ ଏଥର ଆପଣ ବିଦାୟ ଦିଅନ୍ତୁ ।