ତହୁଁ ଧର୍ମଗୁପ୍ତ ନମ୍ର ଭାବରେ କହିଲେ “ମହାରାଜ, ଆପଣଙ୍କ ଉଆସରେ ମୁଁ ଗୋଟିଏ ଦିନ ରହିଥିଲି । ସେହି ଦିନକ ଭିତରେ ଆପଣଙ୍କ କନ୍ୟାକୁ ମୁଁ ମୋ ନିଜ କନ୍ୟା ଭଳି ସ୍ନେହ କରିଥିଲି । ମୋର ପୁଅ ହିଁ ତା’ର ଉପଯୁକ୍ତ ବରପାତ୍ର ହେବ । ଆପଣ ତାକୁ ମୋର ପୁତ୍ରବଧୁ ହେବାକୁ ଦେବେ କି?”
ଚିତପୁର ରାଜାଙ୍କ ଏଭଳି ପ୍ରସ୍ତାବରେ ବୈଶାଳୀର ରାଜା ଆନନ୍ଦରେ ଉତଫୁଲ୍ଲ ହୋଇ କହିଲେ, “ମହାରାଜ! ଏହାଠୁଁ ବଳି ସୁଖକର ପ୍ରସ୍ତାବ ଆଉ କ’ଣ ବା ହୋଇପାରେ?”
ପ୍ରବଳ ଉତ୍ସାହ ଓ ଜାକଜମକ ସହକାରେ ପ୍ରସ୍ତାବିତ ବିବାହ ଅନୁଷ୍ଠିତ ହେଲା । ଫଳରେ ଉଭୟ ରାଜ୍ୟ ଭିତରେ ସ୍ଥାୟୀ ବନ୍ଧୁତା ସ୍ଥାପିତ ହେଲା ।
ଗପଟି କହିସାରି ବେତାଳ ଟିକିଏ ଚୁପ୍ ରହି କଣ୍ଠସ୍ୱର ତୀବ୍ର କରି ପ୍ରଶ୍ନ କଲା, “ରାଜା! ମୋ ମନରେ କେତୋଟି ପ୍ରଶ୍ନ ଅଛି । ଯେଉଁ ଡାକୁ ଓ ରାକ୍ଷସ ରାଜା ଧର୍ମଗୁପ୍ତଙ୍କ ସହାୟତା କରିବାକୁ ପ୍ରସ୍ତୁତ ଥିଲେ, ସେମାନଙ୍କୁ ରାଜା ଶତ୍ରୁ ରୂପେ ଦେଖିଲେ କାହିଁକି? ତା’ଠାରୁ ଆହୁରି ବଡ ପ୍ରଶ୍ନ ହେଲା, ଯେଉଁ ବୈଶାଳୀ ରାଜାଙ୍କ ସହାୟତାରେ ସେ ନିଜ ରାଜ୍ୟ ଫେରି ପାଇଲେ, ସେ ରାଜାଙ୍କୁ ସେ ବନ୍ଦୀ କଲେ କିପରି? ପାରିଲେ ମୋର ଏସବୁ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ଯଦି ନିର୍ବାକ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”
ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ରାଜା ବିକମାର୍କ ଉତ୍ତର ଦେଲେ, “ଧର୍ମଗୁପ୍ତ, ଡାକୁ ଓ ରାକ୍ଷସର ସହାୟତା ପ୍ରାର୍ଥନା କରି ନଥିଲେ । ବରଂ ସେ ଦୁହେଁ ତାହା ଦେବାକୁ ପ୍ରସ୍ତାବ ଦେଇଥିଲେ । ସେତେବେଳେ ରାଜା ଧର୍ମଗୁପ୍ତ ଥିଲେ ରାଜ୍ୟହୀନ । ଅତଏବ ସେମାନଙ୍କୁ ଦମନ କରିବାର ଦାୟିତ୍ୱ ତାଙ୍କର ନଥିଲା । ତାଙ୍କ ଆଗରେ ଆଶୁ କାର୍ଯ୍ୟ ଥିଲା ରାଜ୍ୟର ଉଦ୍ଧାର । ରାଜ୍ୟର ଉଦ୍ଧାର ହେବା ମାତ୍ରେ ତାଙ୍କର କର୍ତ୍ତବ୍ୟ ହେଲା ପ୍ରଜାମାନଙ୍କୁ ଭୟ ଓ ବିପଦମୁକ୍ତ କରିବା । ତେଣୁ ସେ ତାଙ୍କ କର୍ତ୍ତବ୍ୟ କଲେ ।”
ବୈଶାଳୀର ରାଜାଙ୍କୁ ସେ ପ୍ରଥମରୁ ଯେଉଁ ସର୍ତ୍ତ ଦେଇଥିଲେ, ତାହା ସେ ଭଙ୍ଗ କରି ନାହାଁନ୍ତି । ସେ ଯେପରି ବୈଶାଳୀର ଶରଣ ନେବାରୁ ବୈଶାଳୀ ରାଜା ତାଙ୍କୁ ରକ୍ଷା କଲେ, ଠିକ୍ ସେହିପରି କାନେଶ୍ୱର ରାଜା ତାଙ୍କ ଶରଣ ନେବାରୁ ସେ କାନେଶ୍ୱରକୁ ରକ୍ଷା କଲେ । ତା’ଛଡା ସେ ବୈଶାଳୀ ରାଜାଙ୍କ ସହାୟତାରେ ନିଜ ସିଂହାସନ ଫେରି ପାଇଥିଲେ ବୋଲି ସେ ଦୁର୍ବଳ ବୋଲି ଅନ୍ୟ ରାଜାମାନଙ୍କର ଧାରଣା ଜନ୍ମିଥିବା ତ ଦ୍ୱାଭାବିକ । ସେ ଧାରଣା ଦୂର କରିବା ସକାଶେ ଥରେ ବୈଶାଳୀ ରାଜାଙ୍କୁ ପରାସ୍ତ କରିବା ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ଦରକାର ଥିଲା । କିନ୍ତୁ ଅନ୍ତରରେ ସେ ବୈଶାଳୀ ରାଜାଙ୍କୁ ଶ୍ରଦ୍ଧା କରୁଥିଲେ ଓ ତାଙ୍କ ସହ ଶାନ୍ତି ସ୍ଥାପନ ପାଇଁ ଆଗ୍ରହୀ ଥିଲେ ବୋଲି ତାଙ୍କ ପ୍ରସ୍ତାବରୁ ପ୍ରମାଣିତ ହେଲା ।
ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ସେ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଝୁଲି ପଡିଲା ।