ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶନି ଓ ଧନ ଦେବୀଙ୍କ କଳହ

ଦିନକର କଥା । ବିକ୍ରମାଦିତ୍ୟ ତାଙ୍କର ମନ୍ତ୍ରୀ ଅମାତ୍ୟଙ୍କ ସହିତ ରାଜ ସଭାରେ ଥିଲେ । ନବରତ୍ନ ପଣ୍ଡିତଙ୍କ ମଧ୍ୟରେ ବିକ୍ରମାଦିତ୍ୟ ଅରୁଣଙ୍କ ପରି ଦେଖାଯାଉଥିଲେ । ରାଜାଙ୍କର ଉପସ୍ଥିତି ଜାଣି ନାନା ଦେଶର ଦୂତମାନେ ଆସି ବାର୍ତା ଦେଉଥିଲେ । ପ୍ରଜାମାନଙ୍କର ହାନିଲାଭ ଭଲମନ୍ଦ ଶୁଣୁଥିଲେ ରାଜା ବିକ୍ରମାଦିତ୍ୟ ।

        ବୈକୁଣ୍ଠ ପୁରରେ ଜଗତମାତ କମଳିନୀ ଥିଲେ । ସୂର୍ଯ୍ୟଙ୍କର ସୁତ ଶନିଶ୍ଚର ତାଙ୍କ ପାଖରେ ପହଁଚିଲେ । କମଳିନୀଙ୍କୁ ଡାକି କହିଲେ ମୁଁ ଯାହା କହୁଛି ଶୁଣ । ତୁମ୍ଭକୁ ତିନିପୁରରେ ଲୋକେ ପୂଜା କରୁଛନ୍ତି କିନ୍ତୁ ମୋଠାରେ ତୁମ୍ଭଠାରୁ ଅଧିକ ସୁଗୁଣ ଥିଲେ ମଧ୍ୟ ଲୋକେ ମୋତେ ପୂଜୁନାହାଁନ୍ତି କାହିଁକି? ଏଥି ମୁଁ ଚିନ୍ତା କରୁଛି ଏ ଲୋକମାନେ ମୋ ସମ୍ପର୍କରେ ଅଜ୍ଞ । ଶନିଙ୍କ ମୁଖରୁ ମା’ ଜଗତଜନନୀ କମଳିନୀ ଏକଥା ଶୁଣି କହିଲେ ମୁଁ ପଡିଦାତ୍ରୀ । ତୁମେ ମୋ ଠାରୁ କେଉଁ ଗୁଣରେ ବଡ । ନିଜକୁ ନିଜେ ବଡ କହିଲେ କ’ଣ ହୁଏ । ଯାହାକୁ ସଂସାର ଲୋକେ ବଡ କହିବେ, ସେ ସିନା ବଡ । ଶନିଶ୍ଚର ଧନ ଦେବୀଙ୍କ କଥା ଶୁଣି କହିଲେ ମୁଁ ତୁମ୍ଭଠାରୁ ବଡ । ଧନ ଦେବୀ କହିଲେ ତୁମ୍ଭେ ମୋଠାରୁ ତୁଚ୍ଛ । ଦୁହେଁ ପରସ୍ପର ମଧ୍ୟରେ କଳିକଲେ । ଶେଷରେ ସୁଧର୍ମା ସଭାରେ ବସିଥିବା ଦେବତାଙ୍କ ନିକଟରେ ଦୁହେଁ ପ୍ରବେଶିଲେ । ସେତେବେଳକୁ ଯୁଗଟିଏ ଅତୀତ ହେଲାଣି । ଦେବଗଣମାନେ ଦୁହିଁଙ୍କର କଳି କଥା ଜାଣିଲେ; ମାତ୍ର ସମାଧାନ କରିବାକୁ କା’ର ସାହସ ଖଟିଲାନି । ଦେବତାମାନେ କହିଲେ ତୁମ୍ଭେ ମର୍ତ୍ୟପୁରରେ ବିକ୍ରମାଦିତ୍ୟ ନାମରେ ଉଜ୍ଜୟିନୀରେ ଜଣେ ଧୀଶକ୍ତି ସମ୍ପନ୍ନ ନ୍ୟାୟବନ୍ତ ରାଜା ଅଛନ୍ତି । ତାଙ୍କରି ନିକଟକୁ ଯାଅ । ସେ ତୁମ୍ଭ ଦୁହିଁଙ୍କର କଳିକାର୍ଯ୍ୟ ନିଷ୍ପତି କରିଦେବେ ।

        ଶନିଶ୍ଚର ଓ ଜଗତଜନନୀ ମାତା ଧନ ଦେବୀ ସ୍ୱର୍ଗପୁରରୁ ଆସି ମର୍ତ୍ୟପୁରରେ ବିକ୍ରମାଦିତ୍ୟଙ୍କ ସଭାରେ ପହଁଚିଲେ । ପାତ୍ରମନ୍ତ୍ରୀ ଅମାତ୍ୟଙ୍କ ସହିତ ନବରତ୍ନ ପଣ୍ଡିତଙ୍କୁ ନେଇ ରାଜା ବସିଥିଲେ । ଦୁହିଁଙ୍କର ଶରୀରରେ ଜ୍ୟୋତି ଉକୁଟି ଉଠୁଛି । ବିକ୍ରମାଦିତ୍ୟ ସେ ଦୁହିଁଙ୍କୁ ଦେଖିବାମାତ୍ରେ ଆସନ ଛାଡି ଦୁହିଁଙ୍କୁ ପାଛୋଟି ଆଣିଲେ । ସଭାସଦ୍ବର୍ଗମାନେ ଦୁଇ ଠାକୁର ଓ ଠାକୁରାଣୀ ଚିହ୍ନିପାରି ପ୍ରଣାମ କଲେ । ନିଜେ ରାଜା ବିକ୍ରମାଦିତ୍ୟ ତାଙ୍କୁ ଦଣ୍ଡବତ କରି ସିଂହାସନରେ ଉପବିଷ୍ଟ କରାଇଲେ । ବେନିକରଯୋଡି ଆଗମନର କାରଣ ପଚାରିବାକୁ ଯାଇ କହିଲେ ମା’ ତୁମ୍ଭେତ ଜଗତର ମାତ ଅନ୍ନପୂର୍ଣ୍ଣା । ବିଷ୍ଣୁ ଠାକୁରଙ୍କ ପାଟରାଣୀ ।  ତୁମ୍ଭର ଦର୍ଶନପାଇ ମୁଁ ଧନ୍ୟ ହେଲି । ଆପଣଙ୍କ ସଙ୍ଗରେ ଗ୍ରହରାଜ ଶନି ଆସିଛନ୍ତି କାହିଁକି? ମାତା ଦୟାକରି ପ୍ରକାଶ କରନ୍ତୁ । ଗ୍ରହରାଜ ଶନିଶ୍ଚର କହିଲେ ହେ ରାଜା ବିକ୍ରମାଦିତ୍ୟ, ଆସିବାର କାରଣ ଏବେ ମନ ଦେଇ ଶୁଣ ।


ଗପ ସାରଣୀ

ତାଲିକାଭୁକ୍ତ ଗପ