ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶାଗୁଣା ଏବଂ ବିରାଡି

 ଗୋଟିଏ ନଦୀ କୂଳରେ ଏକ ବିରାଟ ବରଗଛ ଥିଲା । ସେହି ବରଗଛର କୋରଡରେ ଏକ ଶାଗୁଣା ବାସ କରୁଥିଲା । ଶାଗୁଣାଟି ବୁଢା ହୋଇଯାଇଥିବାରୁ ତାର ଆଖିକୁ କିଛି ଦେଖା ଯାଉ ନଥିଲା । ତେଣୁ ସେ ଖାଦ୍ୟ ସଂଗ୍ରହ କରିବାକୁ ବାହାରକୁ ଯାଇ ପାରେ ନାହିଁ । ସେହି ଗଛରେ ଆହୁରି ଅନେକ ପକ୍ଷୀ ବାସ କରୁଥାଆନ୍ତି । ସେହି ପକ୍ଷୀମାନେ ପ୍ରତିଦିନ ଖାଦ୍ୟ ସଂଗ୍ରହ କରିବାକୁ ଯାଆନ୍ତି । ବୁଢା ଶାଗୁଣାଟି ସେମାନଙ୍କ ସନ୍ତାନ ମାନଙ୍କୁ ଜଗି ବସିଥାଏ । ତେଣୁ ପକ୍ଷୀମାନେ ଆଣିଥିବା ଖାଦ୍ୟରୁ କିଛି କିଛି ଶାଗୁଣାକୁ ଦିଅନ୍ତି । ଶାଗୁଣା ସେହି ଖାଦ୍ୟ ଖାଇ ବରଗଛରେ ଜୀବନ ବିତାଉଥାଏ ।

         ଦିନେ ଗୋଟିଏ ବିରାଡି ସେହି ଗଛ ମୂଳରେ ଆସି ପହଁଚିଲା । ବିରାଡିକୁ ଦେଖିବା ମାତ୍ରକେ ପକ୍ଷୀ ଶାବକମାନେ ବୋବାଇବାକୁ ଲାଗିଲେ । ଶାଗୁଣାଟି ଯେମିତି ପକ୍ଷୀମାନଙ୍କର ବୋବାଇବା ଶୁଣି ପାରିଲା, ସଂଗେ ସଂଗେ ଶାବକ ମାନଙ୍କ ପାଖକୁ ଆସି ପଚାରିଲା, “ତୁମେମାନେ କାହିଁକି ଏପରି ଜୋର୍ରେ ଚିତ୍କାର କରୁଛ । କ’ଣ ହୋଇଛି ମୋତେ କୁହ ।” ପକ୍ଷୀଶାବକ ମାନେ ବିରାଡି ଆଡକୁ ଚାହିଁ ବୋବାଇବାକୁ ଲାଗିଲେ । ଶାଗୁଣା ବିରାଡିକୁ ଦେଖି କହିଲା, “ଭାଇ! ତୁମେ କିଏ? ଏଠାରେ ତୁମର କ’ଣ କାମ?” ଶାଗୁଣାର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା, “ଭାଇ! ମୁଁ ହେଉଛି ଏକ ବିରାଡି । ମୁଁ ବର୍ତ୍ତମାନ ଚାନ୍ଦ୍ରାୟାଣ ବ୍ରତ ପାଳନ କରୁଛି । ଆମିଷ ଭକ୍ଷଣ ତ୍ୟାଗ କରିଛି । ତୁମେ ମୋତେ ତୁମ ସାଂଗରେ ରହିବାକୁ ଅନୁମତି ଦିଅ । ମୁଁ ତୁମ ନିକଟରେ ଆଶ୍ରୟ ପାଇଁ ପ୍ରାର୍ଥନା କରୁଛି । ତୁମେ ଯଦି ଆଶ୍ରୟ ନ ଦିଅ ତା’ହେଲେ ତୁମେ ଅତିଥିଙ୍କୁ ଅବମାନନା କରିବା ପାପରେ ଭାଗୀ ହେବ । ଅତିଥି ସେବା ହେଉଛି ଭଗବାନଙ୍କ ସେବା । ଅତିଥି ଜଣକ ଶତ୍ରୁ ହେଲେ ମଧ୍ୟ ତାଙ୍କର ସେବା କରିବା ଆବଶ୍ୟକ । ଜଣେ ଉଚ୍ଚ ଜାତିର ବ୍ୟକ୍ତି ଘରକୁ ନୀଚ ଜାତିର ବ୍ୟକ୍ତି ଅତିଥି ରୂପେ ଗଲେ ମଧ୍ୟ ତାଙ୍କର ଉପଯୁକ୍ତ ସତ୍କାର କରାଯାଏ ।” ତୁମେ ମୋ କଥାରେ ଏକାମତ କି?

         ବିରାଡିର ତତ୍ତ୍ୱପୂର୍ଣ୍ଣ କଥା ଶାଗୁଣାର ହୃଦୟକୁ ତରଳାଇ ଦେଲା । ତଥାପି ମଧ୍ୟ ଶାଗୁଣା କହିଲା, “ସାରା ପୃଥିବୀ ଜାଣେ ବିରାଡି ମାନେ ଆମିଷ ଭୋଜନ କରନ୍ତି । ଏହି ବଟବୃକ୍ଷରେ ଛୋଟ ଛୋଟ ପକ୍ଷୀ ଶାବକ ମାନେ ବାସ କରୁଛନ୍ତି । ମୁଁ ସେମାନଙ୍କର ଦେଖାଶୁଣା କରୁଛି । ତୁମେ ଯଦି ମୋ ବିଶ୍ୱାସରେ କେବେ ବିଷ ଦିଅ ତା’ହେଲେ ଭଗବାନଙ୍କ ପାଖରେ ତୁମେ ହିଁ ଦୋଷୀ ହେବ ।” ଶାଗୁଣାର କଥା ଶୁଣି ବିରାଡି କହିଲା, “ଭାଇ! ତୁମେ ମୋତେ ତଥାପି ଅବିଶ୍ୱାସ କରୁଛ । ମୁଁ ମୋର ଖାଦ୍ୟ ପାଇଁ ମୁଁ ନିରୀହ ପକ୍ଷୀ ଶାବକମାନଙ୍କର ଜୀବନ ନେବି । ପାପ କର୍ମ କରିବି ନାହିଁ ବୋଲି ଆଜି ମୁଁ ଶାକାହାରୀ ହୋଇଛି । ଆମିଷ ଭକ୍ଷଣ ତ୍ୟାଗ କରିଛି ।” ବିରାଡି ଏହିପରି ବିଶ୍ୱାସଭରା କଥା କହି ଶାଗୁଣାର ହୃଦୟକୁ ଜୟ କରିପାରିଲା । ଏହାପରେ ବିରାଡିଟି ସେହି କୋରଡରେ ରହିବାକୁ ଲାଗିଲା ।

         କିଛି ଦିନପରେ ବିରାଡିଟି ଗୋଟିଏ ଗୋଟିଏ ପକ୍ଷୀ ଶାବକମାନଙ୍କୁ ଆଣି ମାରି ଖାଇଲା । ସେମାନଙ୍କର ହାଡ ସବୁ ଶାଗୁଣାର କୋରଡରେ ପକାଇଲା । କିଛି ଦିନ ଯିବାପରେ ପକ୍ଷୀମାନେ ସେମାନଙ୍କ ସନ୍ତାନମାନଙ୍କୁ ନପାଇ ଖୋଜା ଖୋଜି କଲେ । ଶାଗୁଣାର କୋରଡରେ ଶାବକ ମାନଙ୍କର ହାଡସବୁ ଦେଖି ଭାବିଲେ ଶାଗୁଣା ବୋଧହୁଏ ସେମାନଙ୍କର ଶାବକ ମାନଙ୍କୁ ମାରି ଖାଇଛି । ଏହାପରେ ସମସ୍ତେ ଏକ ଜୁଟ ହୋଇ ଶାଗୁଣାକୁ ମାରିଦେଲେ । ତେଣୁ କୌଣସି ବ୍ୟକ୍ତି ସଂପର୍କରେ ନ ଜାଣି ନଶୁଣି ତାକୁ ଆଶ୍ରୟ ଦେବା ଉଚିତ୍ ନୁହେଁ । ଭବିଷ୍ୟତରେ ସେହି ବ୍ୟକ୍ତି ହିଁ ତୁମକୁ ବିପଦରେ ପକାଇପାରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ