ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶାପ ମୁକ୍ତି

                ମନ୍ତ୍ରୀ ଗୋଟିଏ ପରେ ଗୋଟିଏ ପୃଷ୍ଠା ପଢିଯାଉଥିଲେ ଓ ରାଜା ଅଚଳ ମୂର୍ତ୍ତି ପରି ଦଣ୍ଡାୟମାନ ହୋଇ ସେସବୁକୁ ଶୁଣି ଯାଉଥିଲେ । ଅବଶେଷରେ ସେହି ଗ୍ରନ୍ଥର ଅନ୍ତିମ ପୃଷ୍ଠା ଶେଷ ହେବା ମାତ୍ରେ ରାଜାଙ୍କର ରାକ୍ଷସ ଦେହ କୁଆଡେ ଉଭେଇଗଲା; ସେ ନିଜର ପୂର୍ବରୂପ ଫେରି ପାଇଲେ । ସେ ଅଳ୍ପ ଅଳ୍ପ ହସୁଥିଲେ । ମନ୍ତ୍ରୀଙ୍କ ଉପରେ ଦୃଷ୍ଟି ପଡିବା ମାତ୍ରେ ସେ ଦୌଡି ଆସି ତାଙ୍କୁ ଆଲିଙ୍ଗନ କଲେ । ତା’ପରେ ସେ ଦୁହେଁ ରାଜଭବନକୁ ଫେରି ଆସିଲେ । ସେଠାରେ ରାଜା, ମନ୍ତ୍ରୀଙ୍କୁ କହିଲେ, “ସୁକାମ, ତୁମରି ଏ ଲେଖା କାହାଣୀ ଅତ୍ୟନ୍ତ ଅଦ୍ଭୁତ । ତୁମେ ଆହୁରି ଲେଖ; ମୁଁ ଶୁଣି ଶୁଣି ଆନନ୍ଦ ହେବି ।”

                ସୁକାମ ବଡ ସରଳ ଭାବରେ ଉତ୍ତର ଦେଲେ, “ମହାରାଜ, ଆପଣ ଭଲକରି ଜାଣନ୍ତି ଏସବୁ କଥା କାହାଣୀ ଲେଖିବା ମୋ ଜାତକରେ ଆଦୌ ନାହିଁ । ଏହି କାହାଣୀ ତ ମୁଁ କେବଳ ଆପଣଙ୍କୁ ଶାପମୁକ୍ତ କରିବା ପାଇଁହିଁ ଲେଖିଥିଲି । କିନ୍ତୁ ଏବେ ମୋର ଇଚ୍ଛା ମୋର ସମସ୍ତ ସମୟ ଆପଣଙ୍କୁ ମନ୍ତ୍ରଣା ଦେଇ ଦେଶର ମଙ୍ଗଳ କରିବାରେ ବିତିଯାଉ । ଏପରି ଗ୍ରନ୍ଥ ଲେଖିବାର କାମ ଆପଣ ଅନ୍ୟ କୌଣସି ଯୋଗ୍ୟ ବ୍ୟକ୍ତିକୁ ଦିଅନ୍ତୁ ।”

                ରାଜା ସବୁ ବୁଝିପାରିଲେ । ପ୍ରକୃତରେ ମନ୍ତ୍ରୀର କାମ ରାଜକାର୍ଯ୍ୟରେ ମନ୍ତ୍ରଣା ଦେଇ ସାହାଯ୍ୟ କରିବା । ତେଣୁ ରାଜା ଗ୍ରନ୍ଥ ଲେଖିବାର ଦାୟିତ୍ୱ ଅନ୍ୟ କାହାକୁ ଦେଲେ । ମନ୍ତ୍ରୀଙ୍କ ଲିଖିତ ଗ୍ରନ୍ଥ ଦରବାରରେ ପଢା ହେଲା । ସମସ୍ତେ ଖୁବ୍ ପ୍ରଶଂସା କରି କହିଲେ, “ଏପରି ଗ୍ରନ୍ଥ ତ ସ୍ୱୟଂ ଦେବୀ ସରସ୍ୱତୀଙ୍କ ବରପୁତ୍ର ମଧ୍ୟ ଲେଖିପାରିବ ନାହିଁ ।”

                ପଣ୍ଡିତମାନଙ୍କ ମୁହଁରୁ ଏପରି କଥା ଶୁଣି ରାଜାଙ୍କର ସେମାନଙ୍କ ଉପରେ ଭୀଷଣ ମାତ୍ରାରେ ରାଗ ହେଲା । ତେଣୁ ରାଜା ତାଙ୍କ ରାଜ୍ୟରେ ପ୍ରଚାର କଲେ ଏଭଳି ଗ୍ରନ୍ଥ କିଏ ଲେଖିଦେଲେ ସେ ଏକହଜାର ସ୍ୱର୍ଣ୍ଣମୁଦ୍ରା ପାଇବ । ଅନେକ ବିଦ୍ୱାନ୍ ସବୁ ଶୁଣି ଚୁପ୍ ହୋଇ ରହିଲେ । କିନ୍ତୁ ପଇସା ଲୋଭରେ ଅନେକେ ମଧ୍ୟ ଲେଖିଲେ । ବହୁତ ଗ୍ରନ୍ଥ ଲେଖା ହେଲା ଓ ଲୋକଙ୍କର ମନୋରଞ୍ଜନ ହେଲା ।

                କିଛିଦିନ ପରେ ସେ ଦେଶରେ କବି ପଣ୍ଡିତଙ୍କୁ ଆଉ କେହିବି ଶ୍ରଦ୍ଧାସମ୍ମାନ ଦେଖାଉ ନଥା’ନ୍ତି । କ୍ରମେ ସେମାନଙ୍କ ପାଇଁ ଏହା ଏକ ସମସ୍ୟା ହୋଇ ଉଠିଲା । ସେମାନେ ଏକାଠି ହୋଇ ମୁନି ନିର୍ବାସଙ୍କ ପାଖକୁ ଯାଇ ନିଜର ସମସ୍ୟା ସମାଧାନ ପାଇଁ ନିବେଦନ କରିବେ ବୋଲି ସ୍ଥିର କଲେ ।

                କିନ୍ତୁ ଆଉ କେତେକ ମତ ଦେଲେ ଯେ ମୁନି ତ ବହୁତ କ୍ରୋଧୀ, ଯଦି ଅଭିଶାପ ଦେବେ ତେବେ ତ ଜାଣ କଥା ଶେଷ । ଅନ୍ୟ କେତେଜଣ କହିଲେ, “ଯଦି ବାଜେ ଗ୍ରନ୍ଥ ସବୁ ପୁରସ୍କାର ପାଉଛି; ଆମେ ନାଚାର ହୋଇ ବସି ରହିଛୁ, ତା’ ଅପେକ୍ଷା ନିର୍ବାସଙ୍କ ଅଭିଶାପ ପାଇବା ଯଥେଷ୍ଟ ଭଲ ।”

                ଶେଷକୁ ସେ ମନ୍ତ୍ରୀ ସୁକାମଙ୍କ ଲିଖିତ ଗ୍ରନ୍ଥଟି ଧରି ମୁନି ନିର୍ବାସଙ୍କ ଆଶ୍ରମକୁ ଚାଲିଲେ । ନିର୍ବାସ ସେତେବେଳେ ସମାଧିରେ ମଗ୍ନ ଥିଲେ । ଏମାନେ ସବୁ ଯାଇ ସେଠି ପହଁଚିବାରୁ ତାଙ୍କର ଧ୍ୟାନ ଭାଙ୍ଗିଗଲା । କିନ୍ତୁ ସେ ଯମାରୁ ରାଗିଲେ ନାହିଁ । ବରଂ ସେ ଜାଣିପାରିଲେ ଏମାନେ ଏଠାକୁ କାହିଁକି ଆସିଛନ୍ତି । ସେ ସୁକାମଙ୍କ ଲିଖିତ ଗ୍ରନ୍ଥଟି ହାତରେ ଧରିଲେ ଓ ନିଜ ଦିବ୍ୟଦୃଷ୍ଟି ବଳରେ ଜାଣିଗଲେ କି ତାହାର ବିଷୟବସ୍ତୁ କ’ଣ । ସେ କହିଲେ, “ହେ ମହାନ୍ ପଣ୍ଡିତଗଣ, ତୁମେମାନେ ଏଠାକୁ ଆସିବାରୁ ମୋର ପୁରୁଣା ସନ୍ଦେହ ଦୂର ହେଲା । ମୁଁ ବହୁତ ଚେଷ୍ଟା କଲେ ମଧ୍ୟ ଆଜିପର୍ଯ୍ୟନ୍ତ ମୋର ମୋକ୍ଷପ୍ରାପ୍ତି ହୋଇପାରୁ ନଥିଲା, କାରଣ ମୁଁ କ୍ରୋଧର ବଶ ଥିଲି । ମୁଁ ମୋର ସେହି କ୍ରୋଧ ଯୋଗୁଁ ଅନ୍ୟକୁ ଶାପ ଦେଇ କଷ୍ଟ ଦେଉଥିଲି । କିନ୍ତୁ କିଛିଦିନ ହେବ ମୋର ଆଉ କୌଣସି ପ୍ରକାର କ୍ରୋଧ ନାହିଁ । ଭାବିଲି ଏହା କିପରି ସମ୍ଭବ ହେଲା, ଦେଖିଲି ଏହି ଗ୍ରନ୍ଥଟି ସେସବୁର ମୂଳ କାରଣ ।”

                ପଣ୍ଡିତମାନେ ଅନୁରୋଧ କରି ପଚାରିଲେ “ଏହା କିପରି ସମ୍ଭବ ହେଲା? କୃପା କରି ଆମକୁ ତାହା ବୁଝାଇ ଦିଅନ୍ତୁ ।”

                ନିର୍ବାସ ମୁନି ଅଳ୍ପ ହସି କହିଲେ, “ତମେମାନେ ବିଦ୍ୱାନ, ଅଧିକ ବୁଝାଇବା କିଛିବି ଦରକାର ନାହିଁ । ବାସ୍ତବରେ ଏ ଗ୍ରନ୍ଥଟି ଏମିତି କିଛି ମହାନ୍ ନୁହେଁ । ସାଧାରଣ ସ୍ତରର, ତେଣୁ ଏହାକୁ ଶୁଣି ରାଜା ତାଙ୍କର ପୂର୍ବରୂପ ଫେରି ପାଇଲେ । ଏହି ଦେଶର ଲୋକଙ୍କୁ ସେମାନଙ୍କର କର୍ମଫଳ ଭୋଗିବା ପାଇଁ ଭବିଷ୍ୟତରେ ମୋର ଅଭିଶାପ ଦେବାର ପ୍ରୟୋଜନୀୟତା ଆଦୌ ନାହିଁ । କାରଣ ଏହି ଗ୍ରନ୍ଥ ପଢିଲେହିଁ ସେମାନେ ସବୁକିଛି ବୁଝିପାରିବେ । ଭବିଷ୍ୟତରେ ମୁନିଋଷିଙ୍କୁ ଶାପ ଦେଇ ନିଜର ଆଧ୍ୟାତ୍ମ ଶକ୍ତି ହରାଇବାର ଆବଶ୍ୟକତା ଆଉ ପଡିବନାହିଁ । ଗ୍ରନ୍ଥରୁହିଁ ସବୁ ମିଳିବ ।”

                ସେତିକିବେଳେ ଆକାଶରେ ଏକ ଦିବ୍ୟବିମାନ ଦେଖା ଦେଲା । ସେଥିରେ ଥିଲେ ଦେବଦୂତମାନେ । ତାହା ଧୀରେ ଧୀରେ ତଳକୁ ଆସି ନିର୍ବାସ ମୁନିଙ୍କୁ ସେଥିରେ ବସାଇ ଉପରକୁ ଉଠିଗଲା । ବିମାନ ସମ୍ପୂର୍ଣ୍ଣ ଭାବରେ ଉଡିବା ପୂର୍ବରୁ ନିର୍ବାସ ମୁନି କହିଲେ, “ଏହି ଗ୍ରନ୍ଥ ଯୋଗୁଁ ମୋର କର୍ମଫଳ ସମାପ୍ତ ହେଲା । ମୋତେ ମୋକ୍ଷ ପ୍ରାପ୍ତ ହେଲା । ମୁଁ ଆଶୀର୍ବାଦ କରୁଛି  ତୁମେମାନେ ଭଲରେ ରହିଥାଅ ।” ତା’ପରେ ବିମାନଟି ଧୀରେ ଧୀରେ ଆକାଶ ମାର୍ଗରେ ଅଦୃଶ୍ୟ ହୋଇଗଲା ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ