ଜେଜେମାଙ୍କର ଏ ଅବସ୍ଥା ଦେଖି ସୁମତିର ଆଖିରେ ହଠାତ୍ ଲୁହ ଆସିଗଲା । ବୁଢୀ ରାଧାକୁ ଦେଖୁ ଦେଖୁ ଖଟିଆ ତଳେ ଥିବା ଏକ ଅପରିଷ୍କାର ମାଟିପାତ୍ର ଉଠାଇ ଆଣିଲେ । ରାଧା ସେଇଥିରେ ଖାଦ୍ୟ ଢାଳିଦେଲା । ସୁମତିକୁ ଏସବୁ ମୋଟେ ଭଲ ଲାଗିଲା ନାହିଁ । ସେ ବୁଢୀ ପାଖକୁ ଯାଇ ପ୍ରଣାମ କଲା । ବୁଢୀ ସୁମତିକୁ ବଡ ଆଶ୍ଚର୍ଯ୍ୟ ହୋଇ ଚାହିଁ କହିଲେ, “ରାଧା, ଇଏ ସୁରେଶର ସ୍ତ୍ରୀ ନା?”
ଏକଥା ଶୁଣି ରାଧା ମୁଣ୍ଡ ହଲାଇ ‘ହଁ’ କଲା । ବୁଢୀ ସୁମତିର ମୁଣ୍ଡରେ ହାତ ରଖି ତାକୁ ଆଶିର୍ବାଦ ଦେଇ କହିଲେ, “ଏଣିକି ତୁ ସୁରେଶର ଯତ୍ନ ନେବୁ ।”
ହଠାତ୍ ରାଧା କହିଲା, “ଭାଉଜ, ଆମକୁ ଶିଘ୍ର ଏଠାରୁ ଯିବାକୁ ପଡିବ । ମା’ ଜାଣିଲେ ରାଗିବେ ।”
ଦୁହେଁ ସେଠାରୁ ଲେଉଟି ଆସିଲେ । ବାଟରେ ସୁମତି ରାଧାକୁ ପଚାରିଲା, “ଜେଜେମାଙ୍କୁ କାହିଁକି ଗୁହାଳ ଘରେ ରଖା ହୋଇଛି?”
ତହୁଁ ସେ ରାଧା କହିଲା, ଜେଜେମାଙ୍କର କିଛି ଗୋଟେ ଡିଆଁରୋଗ ଅଛି । ଆମ ସହିତ ରହିଲେ କାଳେ ଆମକୁ ମଧ୍ୟ ସେଇ ରୋଗ ଧରିବ । ସେଥିପାଇଁ ତାଙ୍କୁ ଏଠାରେ ରଖା ହୋଇଛି ।”
ଦୁଇଦିନ ପରେ ଖବର ଆସିଲା ସୁମତିର ଶାଶୁ ମନୋରମାଙ୍କ ମା’ ଅସୁସ୍ଥ । ସେ ତାଙ୍କୁ ଦେଖିବାକୁ ଚାହାଁନ୍ତି । ତେଣୁ ଯିବା ସମୟରେ ଶାଶୁ ସବୁ ଚାବି ସୁମତି ହାତରେ ଦେଇ ସବୁ ବୁଝାଇ ଦେଇ ଗଲେ । ଇତିମଧ୍ୟରେ ସୁମତିର ଭାଇ ସୁଦର୍ଶନ ସେଠାକୁ ଆସିଥିଲେ । ସେ ଜଣେ ବଡ ବୈଦ୍ୟ । ସୁମତି ଭାଇଙ୍କୁ କହି ଜେଜେମାଙ୍କର ଚିକିତ୍ସା କରାଇଲା ।
ବୁଢୀଟିକୁ ପରୀକ୍ଷା କରି ସୁଦର୍ଶନ କହିଲେ, “ଏହାଙ୍କର ତ କିଛିହେଲେ ବି ରୋଗ ନାହିଁ । ଅଳ୍ପ ଔଷଧ ଖାଇଲେ ସେ ପୁରାପୁରି ଠିକ୍ ହୋଇଯିବେ । କିନ୍ତୁ ତାଙ୍କୁ ଏ ଗୁହାଳ ଘରୁ ନେଇ ଭଲ ପରିସ୍କାର ସ୍ଥାନରେ ରଖ ।”
ସୁମତି ସବୁକଥା ନିଜ ସ୍ୱାମୀକୁ ବୁଝାଇଲା ଓ ବୁଢୀକୁ ଘରକୁ ନେଇ ଆସିଲା । ତାଙ୍କର ଯତ୍ନ ନେଲା ଓ ତାଙ୍କୁ ଠିକ୍ ସମୟରେ ଔଷଧପତ୍ର ବି ଖୁଆଇଲା । ଫଳରେ ଖୁବ୍ ଅଳ୍ପ ଦିନରେ ସେ ବୁଢୀ ଚେଙ୍ଗା ହୋଇ ଉଠିଲା ।
ସୁଦର୍ଶନ ଫେରିବା ବେଳେ ସୁମତିକୁ ଦୁଇଟି ବଟିକା ଦେଇ ଆସିଲା । ଆଉ ଭଲକରି ବୁଝାଇ ଦେଲା କିପରି ସେ ତା’ ଶାଶୁକୁ ଶିକ୍ଷା ଦେବ ।
ମନୋରମା ଘରକୁ ଫେରି ଶାଶୁବୁଢୀକୁ ଦେଖି ରାଗରେ ଚିତ୍କାର କରି କହିଲେ, “ଏ ବୁଢୀକୁ ଘରକୁ କିଏ ଆଣିଲା? ତାଙ୍କର ତ ଡିଆଁ ରୋଗ ଅଛି ।”
ସୁମତି ପ୍ରଥମେ ତା’ ଶାଶୁଙ୍କ ରାଗ ଥଣ୍ଡା ହେବାକୁ ଦେଲା । ତା’ପରେ ଯାଇ ସେ କହିଲା, “ମା’ ମୋର ବଡଭାଇଙ୍କୁ ଜାଣିଛ; ସେ ଜଣେ ବଡ ବୈଦ୍ୟ । ସେ ଏଠାକୁ ଆସିଥିଲେ । ଜେଜେମାଙ୍କର ଚିକିତ୍ସା କଲେ ଓ ଜେଜେମା ସଂପୂର୍ଣ୍ଣ ସୁସ୍ଥ ହୋଇଗଲେ । ତେଣୁ ଆମେ ତାଙ୍କୁ ଘରକୁ ନେଇ ଆସିଲୁ ।”
ସବୁ କଥା ଶୁଣି ମନୋରମା ଆଉ କିଛି ବି କହିଲେ ନାହିଁ, ଚୁପ୍ ରହିଲେ । ଦୁଇଦିନ ପରେ ଭାଇ ଦେଇଥିବା ବଟିକାରୁ ଗୋଟିଏ ଖାଦ୍ୟରେ ଗୋଳାଇ ସୁମତି ତା’ ଶାଶୁକୁ ଦେଲା । ତା’ପରେ ତା’ ଶାଶୁ ତ କାଶି କାଶି ବେଦମ୍ । ଏସବୁ ଦେଖି ସୁମତି ପାଟିକରି କହିଲା, “ଆରେ ଦେଖ, ମାଙ୍କର ଏମିତି କ’ଣ ହେଲା । ଏ କାଶ ତ ଆଉ ସାଧାରଣ କାଶ ନୁହେଁ, ଡିଆଁ ରୋଗ । ଏବେ କ’ଣ କରାଯିବ? ସମସ୍ତେ କାଶ ଭୋଗିବେ ତ ଏ ଘର ଚଳିବ କେମିତି?”