ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶାଶୁଙ୍କ ଚିକିତ୍ସା

ସୁରେଶ ଓ ତା’ର ବାପା ଏଥର ମନୋରମାଙ୍କୁ ନେଇ ଗୁହାଳରେ ସେହି ଖଟିଆରେ ଛାଡି ଆସିଲେ । ରାଧା ବି ଠିକ୍ ଆଗପରି ଖାଇବା ନେଇ ଦେଉଥାଏ । ଦିନେ ମନୋରମା ରାଧାକୁ କହିଲେ, “ଝିଅ ମୋତେ ଏଠୁ ଘରକୁ ନେଇ ଯା । ମୁଁ ଆଉ ଏଠାରେ ରହିପାରିବି ନାହିଁ ।”

ତହୁଁ ରାଧା ତା’ ମାଆକୁ କହିଲା, “ଜେଜେମାଙ୍କର ଏମିତି କାଶ ହେବାରୁ ଏଠାରେ ତାଙ୍କୁ ରଖା ଯାଇଥିଲା । ଏବେ ତୁମକୁ ମଧ୍ୟ ଏଠାରେ ରହିବାକୁ ହେବ । କାହିଁକିନା ତାଙ୍କପରି ତୁମର ମଧ୍ୟ ଡିଆଁ ରୋଗ ହୋଇଛି ।”

ଋାଧାର ବାପା ବଳରାମ ସେଠାକୁ ଆସି କହିଲେ, “ଏବେ ତୁମକୁ ତୁମର କରିଥିବା କର୍ମର ଫଳ ହିଁ ଭୋଗ କରିବାର ସମୟ ଆସିଛି । ଏଥିରେ ତୁମର ରାଗିବାର କୌଣସି ଅଧିକାର ନାହିଁ । ପିଲା ବଡଙ୍କଠାରୁ ହିଁ ସବୁକିଛି ଶିଖନ୍ତି । ତୁମଠାରୁ ଏ ବିଦ୍ୟା ଶିଖି ତୁମ ଝିଅ ଯଦି ତା’ଶାଶୁଘରେ ସେପରି କରେ ତେବେ ତା’ର କିଛି ବି ଦୋଷ ନାହିଁ । ତୁମେ ତୁମ ଶାଶୁ ସହିତ ଯେଉଁ ବ୍ୟବହାର କରିଛ ତୁମ ବୋହୁ ମଧ୍ୟ ସେଇଟା ବହୁତ ଶୀଘ୍ର ଶିଖିଗଲା । ତୁମେ ଯେଉଁ ସମ୍ମାନ ନିଜ ଶାଶୁକୁ ଦେଇଛ, ତାହାହିଁ ତୁମେ ତୁମ ବୋହୁଠାରୁ ପାଇବ । ସେଥିରେ ବୋହୁର କିଛି ବି ଦୋଷ ନାହିଁ । ଏ କ୍ଷେତ୍ରରେ ମୁଁ ବା ସୁରେଶ କିଛି ହେଲେ ବି କରିପାରିବୁ ନାହିଁ ।” ଏତିକି କହି ବଳରାମ ସେଠାରୁ ଚାଲିଯିବାକୁ ଉଠିଲେ ।

ତିନିଦିନ କାଳ ଗୁହାଳ ଘରେ ମନୋରମା ପଡିଥାନ୍ତି । ସେ ଖିଆପିଆ ପ୍ରାୟ ଛାଡି ଦେଇଥିଲେ । ସେଥିଯୋଗୁଁ ସେ ବହୁତ ଦୁର୍ବଳ ହୋଇ ପଡିଲେ । ପ୍ରାୟ ମୁର୍ଚ୍ଛାବସ୍ଥା ହେବାର ଉପକ୍ରମ । ଚାରିପାଖରେ ଗୋବରର ଦୁର୍ଗନ୍ଧ । ସେପରି ବାତାବରଣରେ ତାଙ୍କ ପକ୍ଷେ ନିଶ୍ୱାସ ନେବା ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇ ଉଠିଲା । ଏବେ ସେ ଉପଲବ୍ଧି କଲେ ଯେ, ଗୁହାଳରେ ରହିବା କେତେ କଷ୍ଟ ଓ ସେ ତାଙ୍କ ଶାଶୁଙ୍କୁ କେତେ କଷ୍ଟ ଦେଇଛନ୍ତି । ସେ ନିଜ ବ୍ୟବହାର ଯୋଗୁଁ ଦୁଃଖିତା ହେଲେ ଓ ପଶ୍ଚାତାପ ବି କଲେ ।

ଚତୁର୍ଥ ଦିନ ପୁଅବୋହୁ ତାଙ୍କୁ ନେବାକୁ ଆସିଲେ । ସେତେବେଳେ ରାଗିଯାଇ ସେ କହିଲେ, “ମୋତେ ଆଉ କୁଆଡକୁ ନେବା ଦରକାର ନାହିଁ । ମୁଁ ଏଇଠି ମରିବି ।”

ମା’ଙ୍କ କଥା ଶୁଣି ସୁରେଶ କହିଲା, “ତମେ ଯଦି ଏଠାରେ ରହିବାକୁ ଚାହଁ ତ ଆମର କିଛିବି ଆପତ୍ତି ନାହିଁ । କିନ୍ତୁ ଶୁଣ, ତୁମେ ଏଠାକୁ ଆସିବା ଦିନଠାରୁ ଜେଜେମା ଖିଆପିଆ ଛାଡିଲେଣି । ତୁମ ପାଇଁ ସେ ସର୍ବଦା ଚିନ୍ତା କରୁଛନ୍ତି ଯେ ତୁମେ ଏ ଗୋବର ଗନ୍ଧରେ କିମିତି ରହିବ । ସେ ଖଟ ଉପରେ ସେମିତି ପଡି ରହିଛନ୍ତି । ତୁମକୁ ଆମେ ଘରକୁ ନ ନେଲେ ସେ ନ ଖାଇ ନ ପିଇ ହୁଏତ ମରିଯିବେ ।”

ଏସବୁ କଥା ଶୁଣି ମନୋରମାଙ୍କ ଆଖିରେ ଲୁହ ହଠାତ୍ ଭରି ଉଠିଲା । ତାଙ୍କର ମନ ଦୁଃଖ ହେଲା ଏଇକଥା ଭାବି ଯେ ଏତେ ଭଲ ଶାଶୁକୁ ସେ ଏପରି ଖରାପ ବ୍ୟବହାର କରିଛନ୍ତି । ତା’ପରେ ସେ ଘରକୁ ଫେରିବାକୁ ଖୁବ୍ ବ୍ୟସ୍ତ ହୋଇ ପଡିଲେ ।

ଘରେ ପହଁଚି ପ୍ରଥମେ ସେ ତାଙ୍କ ଶାଶୁଙ୍କୁ ଯାଇ କ୍ଷମା ମାଗିଲେ । ବୋହୁ ଘରକୁ ଫେରିବାର ଦେଖି ସେ ଖୁସି ହେଲେ ଓ ମନଖୁସିରେ ପେଟପୁରା ଖାଇଲେ ।

ସୁମତି ଜାଣିଲା ଯେ ଶାଶୁଙ୍କର ବଦଭ୍ୟାସ ରୂପକ ରୋଗ ଭଲ ହୋଇ ଯାଇଛି । ତାଙ୍କ ମନ ସଂପୂର୍ଣ୍ଣ ପରିବର୍ତ୍ତନ ହୋଇସାରିଲାଣି । ତେଣୁ ସେ ସୁବିଧା ଦେଖି ଭାଇ ଦେଇଥିବା ଦ୍ୱିତୀୟ ବଟିକାଟି ଚୂର୍ଣ୍ଣ କରି ଶାଶୁଙ୍କୁ ଖାଦ୍ୟରେ ଦେଇଦେଲା । ଶାଶୁଙ୍କ କାଶ ଭଲ ହେଲା ଓ ତାଙ୍କ ପ୍ରକୃତି ମଧ୍ୟ ଭଲ ହୋଇଗଲା । ଏବେ ସେ ଘରେ ସମସ୍ତେ ଖୁସି ।


ଗପ ସାରଣୀ

ତାଲିକାଭୁକ୍ତ ଗପ