ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶାଶୁଙ୍କ ଜୋଇଁ ଡାକରା

ଗୋପାଳ ଭାଣ୍ଡର ଛୋଟ ବଗିଚାଟିଏ । ଅନେକ ପ୍ରକାର ଫୁଲ ଫଳର ଗଛ ଅଛି, କିନ୍ତୁ ଗୋଟିଏ ଲେମ୍ବୁ ଗଛରେ ଅନେକ ଲେମ୍ବୁ ହୋଇ ଥିଲା । ଗୋପାଳ ଚତୁରତା କରି ଦିନେ ଜୋଇଁକୁ ଡାକି କହିଲେ – “ବାବୁ ଏ ବଗିଚାରୁ ଚୋର କିଏ ଲେମ୍ବୁ ଗୁଡାକ ଚୋରୀ କରି ନେଇ ଯାଉଛି । ଆଜି ମୁଁ ଘରେ ରହିବି କି ନାହିଁ ସନ୍ଦେହ । ଯାହା ହେଉ ତୁମ୍ଭେ ଆଜି ସଂନ୍ଧ୍ୟା ପୂର୍ବରୁ ବାଡିକି ଯାଇ ଗୋଟିଏ ଗଛ ମୂଳରେ ଲୁଚି କରି ବସି ଅନେଇ ଥାଅ ।” ଏଣେ ଗୋପାଳ ସଂନ୍ଧ୍ୟା ହେବା ଦେଖି ଘର ଭିତରକୁ ଯାଇ ତାର ସ୍ତ୍ରୀକି କହିଲା – “ରାଜାଙ୍କ ଘରକୁ ଯିବାକୁ ହେବ । ଚଂଚଳ ଭାତ ଦେବଟି ।” ଏହା ଶୁଣି ଗୋପାଳର ସ୍ତ୍ରୀ ତର ତର ହୋଇ ଭାତ ବାଢି ଦେଲା । ଗୋପାଳ କହିଲା – ଆରେ ପେଟଟା ଟିକେ ଗରମ ବୋଧ ହେଉଛି ଖାଇ ହେଉ ନାହିଁ । ଯାଆ ତୁ ଗୋଟିଏ ତଟକା ଲେମ୍ବୁ ନେଇ ଆସିବୁ । ଗୋପାଳର ସ୍ତ୍ରୀ ସଙ୍ଗେ ସଙ୍ଗେ ମିଟି ମିଟି ହୋଇ ଜଳୁଥିବା ବଇଠା ନେଇ ବଗିଚାକୁ ବାହାରିଲା । ଦୂଆର ମୁହଁ ଟପି ଯାଇଛି ପବନରେ ବଇଠା ଆଲୁଅଟା ଲିଭି ଗଲା । ସେ ଆଉ ଆଲୁଅ ଲଗାଇ କରି ଆଣିବାକୁ ବିଳମ୍ବ ହେବ ଭାବି ଲେମ୍ବୁ ଗଛ ନିକଟକୁ ଯାଇ ଦରାଣ୍ଡି କରି ଲେମ୍ବୁ ତୋଳୁଛି । ଏହି ସମୟରେ ଜୋଇଁ ତ ଏଣେ ଜଗି ଥିଲା ସେ ଏତେ କଥା କିପରି ଜାଣିବ, ଜୋଇଁ ଶାଶୁକୁ ଚୋର ମନେ କରି (ଜୋଇଁ ଶାଶୁକୁ) ମାଡି ବସି ଡାକ ପକାଇଲା । ଜୋଇଁର ଡାକ ଶୁଣି ଗୋପାଳ ଗୋଟିଏ ଆଲୁଅ ହାତରେ ଧରି ଲେମ୍ବୁ ଗଛ ନିକଟରେ ପ୍ରବେଶ ହେଲା । ଆଗେ ଆଲୁଅ ନେଇ ଜୋଇଁ ମୁହଁ ନିକଟରେ ଦେଖାଇ କହିଲା ବାଃ ଭଲ ଜୋଇଁଟାଏ ତୁମ୍ଭର ଏପରି ପୁଣି ଅନୀତି କାର୍ଯ୍ୟ । ପୁଣି ଶାଶୁ ମୁହଁ ନିକଟରେ ଆଲୁଅ ଦେଖାଇ କହିଲା ବେଶ୍ ବେଶ୍ ଭଲ କଥା, ଏଇଥି ସକାଶେ ଜୋଇଁକି ଡାକ ଡାକ ବୋଲି ଜିଦ୍ କରିଥିଲ ପରା । ଏଣେ ଶାଶୁ ଓ ଜୋଇଁ ଆଲୁଅରେ ମୁହଁ ଦେଖା ଦେଖି ହୋଇ ଦୁଇ ଜଣ ଯାକଙ୍କର ଲାଜରେ ଏକା ବେଳେ ତାଙ୍କ ମୁହଁ ଜଳି ଗଲା । ତା’ପର ଦିନ ଆଉ ଜୋଇଁ କାହାକୁ କିଛି କୁହା ବୋଲା ନକରି ପାହାନ୍ତାରୁ ଉଠି ଗ୍ରାମକୁ ପଳାଇଲା । ସେହି ଦିନ ଠାରୁ ମଧ୍ୟ ଶାଶୁ ଜୋଇଁକି ଆଣିବା କଥା ଦୂରେ ଥାଉ ଜୋଇଁ ନାଁ ସୁଦ୍ଧା ଧରିଲା ନାହିଁ, ଗୋପାଳ ମଧ୍ୟ ନିଶ୍ଚିତ ହୋଇ ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ