ଶ୍ରୀପୁର ଗ୍ରାମରେ ଭୂଷଣ ନାମକ ଜଣେ ଚାଷୀ ରହୁଥାଏ । ତା’ସ୍ତ୍ରୀ ରେବତୀ ବଡ କଟୁ ସ୍ୱଭାବର ଥିଲା । ଭୂଷଣ ତା’ ସ୍ତ୍ରୀକୁ ନିଜ ଅଧୀନରେ ରଖିବାକୁ ଚାହୁଁଥିଲା । କିନ୍ତୁ ରେବତୀ ତା’ର ନରମ ସ୍ୱଭାବର ଲାଭ ଉଠାଇଲା ଓ ସଦା ସର୍ବଦା ହୁକୁମ ଦେଇ ଚାଲିଲା । ବିଚାରା ଭୂଷଣ କ’ଣ କରିବ? ଚୁପ୍ ରହିଥାଏ ।
ସେମାନଙ୍କର ତିନି ଝିଅ ଓ ଗୋଟିଏ ପୁଅ ଥିଲେ । ବଡ ଦୁଇଝିଅ ଓ ପୁଅ ମା’ କଥାରେ ଚାଲନ୍ତି । ସେମାନେ ପଦେବି କଥା ମଧ୍ୟ ମା’ ପାଖରେ କହିବାକୁ ଆଦୌ ସାହସ କରନ୍ତି ନାହିଁ । ସେମାନଙ୍କ ପାଇଁ ରେବତୀ ନିଶ୍ଚିନ୍ତ । କିନ୍ତୁ ସାନଝିଅ ଚନ୍ଦନାର ସ୍ୱଭାବ ଠିକ୍ ତା’ ବାପ ପରି ଥିଲା । ସେ କାହା ସହିତ ବେଶି କଥାବାର୍ତ୍ତା କରେନାହିଁ । କଥା କହିଲେ ସେ ଅଳ୍ପ କୁହେ । ତେଣୁ ମା’ ଚାହିଁଲା ସାନଝିଅକୁ କିପରି ନିଜ ପରି ସେ କରିବ । ବହୁଚେଷ୍ଟା କରି ମଧ୍ୟ ସେଥିରେ ସେ ସଫଳ ହେଲା ନାହିଁ । ତେବେ ବାରମ୍ବାର କହିବା ଦ୍ୱାରା ତା’ଭିତରେ କିଛିଟା ପରିବର୍ତ୍ତନ ହେଲା । ସେ ଚାକର ଚାକରାଣୀଙ୍କୁ ଅଳ୍ପ ଭୂଲ୍ କଲେ, ଗାଳିଦିଏ । କଥା କଥାକେ ଭୂଲ୍ ବାଛେ । ବଡମାନଙ୍କ ସହିତ ସମ୍ମାନ ନ ରଖି ସେ କଥା କହେ । ସେମାନଙ୍କୁ ସେ ଅବହେଳା କରେ । ତା’ର ଏପରି ପରିବର୍ତ୍ତନରେ ଭୂଷଣ ବହୁତ ଦୁଃଖିତ ହେଲା ।
ଚନ୍ଦନା ତ ଏବେ ବଡ ହୋଇଗଲାଣି । ତା’ ମା’ ନିଜ ସ୍ୱାମୀକୁ ନ ପଚାରି କେଶବ ନାମକ ଏକ ଯୁବକ ସହିତ ଚନ୍ଦନାର ବିବାହ ସ୍ଥିର କରି ଦେଲା । କେଶବ ପଢାପଢି କରିଛି । ଚାକିରୀ ବି କରିଛି । ତା’ ବାପା ତ କେବେଠାରୁ ମରି ଗଲେଣି । ତା’ର ମା’ଟିଏ ଓ ଭଉଣୀଟିଏ ଥିଲେ । ଭଉଣୀ ମଧ୍ୟ କେବେଠୁ ବାହା ହୋଇ ଗଲାଣି । କେଶବ ବେଶି ଧନୀ ନଥିଲା, ହେଲେ କୌଣସି ସାମାଜିକ ବୋଝ ମଧ୍ୟ ତା’ଉପରେ ନଥିଲା । ତେଣୁ ରେବତୀ ଭାବିଲା ସେଇଠି ବାହା ହେଲେ ଝିଅ ସୁଖୀ ହେବ କାରଣ ଶାଶୁ ତ ଜଣେ ମାତ୍ର ଲୋକ ଯାହାକୁ ହାତରେ ରଖିଲେ ଜୀବନସାରା ଚନ୍ଦନା ଖୁସିରେ ରହିବ । ଆଉ ଶାଶୁକୁ କତୃତ୍ୱ ଅଧୀନରେ ରଖିବାକୁ ମା’ସବୁ ମନ୍ତ୍ର ଫୁଙ୍କି ଦେବ ନାହିଁକି?
ଦିନେ ଚନ୍ଦନାର ସାଙ୍ଗ ବିମଳା ତାକୁ ଦେଖା କରିବାକୁ ଆସିଲା । ବର୍ଷେ ପୂର୍ବରୁ ବିମଳାର ବିବାହ ହୋଇଥିଲା । ଦୁହେଁ ଖୁବ୍ ଗଳ୍ପ କରିବାରେ ମଗ୍ନ ଥିବା ସମୟରେ ରେବତୀ ଆସି ପଚାରିଲା “ବିମଳା, ତୋ ଶାଶୁଘରର ପରିବାର କେମିତି? ଚଳାଚଳି ଭଲ ତ? ଶାଶୁ ସହିତ ତୋର ସମ୍ପର୍କ କିପରି? ବହୁତ ଖଟାଏ ନା ତୋତେ ଭଲ ପାଏ?”
ବିମଳା କହିଲା ତା’ ଶାଶୁଘର ଓ ସ୍ୱାମୀ ସବୁ ଭଲ । କିନ୍ତୁ ରେବତୀ ସେଥିରେ ସନ୍ତୁଷ୍ଟ ନହୋଇ ପ୍ରଶ୍ନ ପରେ ପ୍ରଶ୍ନ କରି ତା’ଠାରୁ ପ୍ରକୃତ କଥା ସବୁ ଆଦାୟ କଲା । କଥା ଆଦାୟ କରିବାରେ ରେବତୀର ପଟୁତା ବହୁତ ବେଶି । ଶେଷକୁ ସବୁ ଖବର ସେ ବାହାର କଲା । ତାହା ହେଉଛି ଏହିପରି; ବିମଳାର ଶାଶୁକୁ କୌଣସି କଥା ମୋଟେ ଭଲ ଲାଗେ ନାହିଁ । ବିମଳାର କାମ ତାଙ୍କର ଆଦୌ ପସନ୍ଦ ନୁହେଁ । ବିମଳା ସବୁ ସହିଯାଏ । କାରଣ ଶାନ୍ତିରେ ଥିବା ପରିବାର ମଧ୍ୟରେ ସେ ବା ଅଶାନ୍ତି ସୃଷ୍ଟି କରିବ କାହିଁକି; କିନ୍ତୁ ଏମିତି ଆଉ ସେ କେତେଦିନ ଚାପିରଖିବ । ଦିନେ ସେ ତା’ ସ୍ୱାମୀକୁ ସବୁକଥା କହିଲା । ସବୁଣୁଣି ସ୍ୱାମୀ କହିଲେ “ମା ଯାହା କହୁଛି ସେହିଭଳି ଭାବରେ କାମ କର ।”
ଏକଥା ଶୁଣି ରେବତୀ ଚନ୍ଦନାକୁ କହିଲା, “ଶାଶୁ ଘରେ ବହୁତ କଡା ଭାବରେ ଚଳିବା କଥା । ପଥରର ଜବାବ୍ ପଥରରେହିଁ ଦେବ । ଆରମ୍ଭରୁ ଢିଲା କରିଦେଲେ ପରେ ସାରା ଜୀବନ କଷ୍ଟ ସହିବ । ବୁଝିଲୁ ତୁ ଯଦି ବିମଳା ପରି ଚୁପ୍ ରହିବୁ, ତେବେ ଜୀବନସାରା ଖାଲି କଷ୍ଟହିଁ ସହିବୁ ।”
ଚନ୍ଦନାର ବାହାଘର ବଡ ଧୁମ୍ଧାମ୍ରେ ହେଲା । ସେ ଶାଶୁଘରକୁ ଯାଇ ଦେଖିଲା ତା’ ଶାଶୁ ବଡ ସ୍ନେହଶୀଳା । କିନ୍ତୁ ଭୂଲ୍ ବା ଅସତ୍ୟ କଥା ତାଙ୍କର କେବେବି ପସନ୍ଦ ନୁହେଁ । ଯେଉଁଦିନ ଚନ୍ଦନା ଯାଇ ତା’ଶାଶୁଘରେ ପହଁଚିଲା ସେଦିନ ତା’ ଶାଶୁ ରୋଷେଇ କାମରେ ଲାଗି ଥା’ନ୍ତି । ସେଇଠି ଥାଇ ସେ ବୋହୁକୁ କହିଲେ, “ଅନ୍ଧାର ହେବାକୁ ଯାଉଛି, ଦୀପ ଜଳା ।”
ଚନ୍ଦନା କିନ୍ତୁ ଦୀପ ଜଳାଇଲା ନାହିଁ । କିଛି ସମୟ ପରେ ଶାଶୁ ବାହାରକୁ ଆସି ନିଜେ ଦୀପ ଜଳାଇ କହିଲେ, “ବୋହୁ, ତୁ କାହିଁକି ଦୀପ ଜଳାଇଲୁ ନାହିଁ? ଶୁଣିପାରିଲୁ ନାହିଁକି?”
ଚନ୍ଦନା କହିଲା, “କାହିଁକି ଶୁଣି ପାରିଲିନାହିଁ? ମୁଁ କ’ଣ କାଲ? ମୋ ମା ତ ମୋତେ ଏସବୁ କିଛି କାମ କରାଇ ନାହିଁ ସେଥିପାଇଁ ଚୁପ୍ ହୋଇ ବସିଛି ।” ଶାଶୁ କହିଲେ, “ଦେଖ, ବାପଘର କଥା ଅଲଗା ଓ ଶାଶୁ ଘର କଥା ଅଲଗା । ସେଠାରେ ତୁ ସାନ ଝିଅ ଅତି ଆଦରରେ ବଢିଛୁ କାମ ନକଲେ ଚଳିବ, କିନ୍ତୁ ଏଠାରେ ତ ତୁ ଏକମାତ୍ର ବୋହୁ । ତୁ ନକଲେ କାମ କିପରି ଚଳିବ? ଆରମ୍ଭ କର, ଆସ୍ତେ ଆସ୍ତେ ଶିଖିଯିବୁଯେ ।”
ସେହି ପ୍ରଥମ ଦିନରୁହିଁ ଶାଶୁବୋହୁ ଛୋଟ ଛୋଟ କଥାରେ ଯୁକ୍ତିତର୍କ କରିବା ଆରମ୍ଭ କଲେ । ଶାଶୁ ଯାହା କରିବାକୁ କହିବେ ବୋହୁ ହଁ କରି ଆଉ କରିବ ନାହିଁ । ଠିକ୍ ସେମିତି ଶାଶୁ ମଧ୍ୟ ଗାଳି ଦେବେ । କେଶବ ସବୁକଥା ଜାଣି ପାରିଲା; ସେ ଜାଣିଥିଲା ଯେ ସବୁ ଦୋଷ ତା’ ସ୍ତ୍ରୀର । ତେଣୁ ତାକୁ ଗାଳିଦେଲେ ସେ ମଧ୍ୟ ରୁଷିଯାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବି ଝଗଡା ହୁଏ ।
ଏଭଳି ପରିସ୍ଥିତି ମଧ୍ୟରେ ଦିନେ ବିମଳା ଚନ୍ଦନାର ଶାଶୁ ଘରକୁ ଦେଖିବାକୁ ଆସିଲା ଯେ ଚନ୍ଦନା ତା’ ଶାଶୁ ସହିତ କିପରି ଚଳୁଛି? ଚନ୍ଦନା କିଛି ନ ଲୁଚାଇ ସବୁ ବିମଳାକୁ ଖୋଲି କହିଲା । ସେ କହିଲା, “ମୋ ଶାଶୁ ସହିତ ଝଗଡା ହେବା ଯୋଗୁଁ ସ୍ୱାମୀ ସହିତ ମଧ୍ୟ ଝଗଡା ହେଉଛି ।”
ବିମଳା କହିଲା, “ତୁ ମୋତେ ଯେତେ କଥା କହିଗଲୁ, ସେଥିରୁ ମନେହୁଏ ଯେ ତୋର ଶାଶୁ ଅତ୍ୟନ୍ତ ଭଲ ଲୋକ । ଭାଗ୍ୟରେ ଥିଲେ ଏପରି ଶାଶୁ ମିଳେ । କିନ୍ତୁ ତୁ ତାଙ୍କ ସହ ଏଭଳି ନିର୍ଦ୍ଦୟ ବ୍ୟବହାର କରୁଛୁ । ପରିସ୍ଥିତି ବୁଝି ତୋର କାମ କରିବା ଉଚିତ୍ । ମନେରଖ ତାଙ୍କ ଘରେ ତୁ ଏକମାତ୍ର ବୋହୁ । ତୁ କାମ ନକରି ସେ କାମ କରିବାଟା କ’ଣ ତୋତେ ସୁନ୍ଦର ଦିଶୁଛି? ତୁ ବରଂ ତାଙ୍କ ହାତରୁ ଛଡାଇ କାମ କରନ୍ତୁ । ସେ ଭଲ ମଣିଷ । ମା’ ସନ୍ତୁଷ୍ଟ ରହିଲେ, ତାଙ୍କ ଆଶିର୍ବାଦରୁ ତୋର ମଧ୍ୟ ସବୁକିଛି ମଙ୍ଗଳ ହେବ ।”
ଚନ୍ଦନା ଟିକିଏ ଥମିଯାଇ କହିଲା, “ତୋର କ’ଣ ମନେ ନାହିଁକି ମୋ ବାହାଘର ପୂର୍ବରୁ ଥରେ ଆମ ଘରକୁ ଯାଇଥିଲୁ ଓ ତୁ ତୋ ଶାଶୁ କଥା କହିଲୁ । ମୋ ମା’ କହିଲା “ଶାଶୁଘର ଯିବୁ ମାନେ ଶାଶୁକୁ ନିଜକର୍ତୁତ୍ୱ ଭିତରେ ରଖିବୁ । ନହେଲେ ଶାଶୁ ମୁଣ୍ଡ ଉପରେ ବସିବ । ତା’କଥା ସବୁବେଳେ ମାନିବୁ ନାହିଁ ।” ମୁଁ ତ ସେଇଆ ମାନି ଚଳୁଛି ।
ଏକଥା ଶୁଣି ବିମଳା ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲା, “ମୋ ଶାଶୁ ଓ ତୋ ଶାଶୁ ମଧ୍ୟରେ ବହୁତ ପାର୍ଥକ୍ୟ । ଶାଶୁଘରକୁ ଆସିବା ପରେ ମା କଥା ବା ବାପଘର କଥା ଭୂଲିଯାଇ ଏଠିକାର ପରିସ୍ଥିତି ସଙ୍ଗେ ଖାପ ଖୁଆଇ ଚଳିବୁ ।” ଚନ୍ଦନା କହିଲା, “ଆଚ୍ଛା, କିଛିଦିନ ମା’ କଥାରେ ଚଳିଲି । ତା’ପରେ ଏବେ ତୋ କଥାରେ ଚଳିବି । ଦେଖି ଫଳ କ’ଣ ହେଉଛି ।”
ପରଦିନ ସକାଳେ ଚନ୍ଦନା ସକାଳୁ ଉଠି ନିତ୍ୟକର୍ମ ସାରି ଘରକାମ ସବୁ ଶେଷକଲା ଓ ଶାଶୁ ଉଠିବା ପୂର୍ବରୁହିଁ ରାନ୍ଧିବା କାମ ଆରମ୍ଭ କରିଦେଲା । ପରଦିନ ପାର୍ବତୀ ଅଗଣା ସଫା କରି ଲିପି ପୋଛି ଚିତା ଦେବାକୁ ଗଲାବେଳେ ଚନ୍ଦନା ତାଙ୍କ ହାତରୁ ଛଡାଇ କାମ କଲା । ଶାଶୁ ଏତେ ଖୁସି ହୋଇଗଲେ ଯେ ରାସ୍ତାରେ ଯିଏ ଯାଉଛି, ତାକୁ ସେ ଡାକି କହିଲେ, “ଦେଖ, ମୋ ବୋହୁ କିପରି ସବୁ ପରିଷ୍କାର ରଖିଛି ।” ଶାଶୁଙ୍କର ଏକଥା ଶୁଣି ଚନ୍ଦନାର ମନବି ବହୁତ ଖୁସି ହୋଇ ଗଲା । ସେ ଅନୁଭବ କଲା, ତା ଶାଶୁହିଁ ଜଣେ ଆଦର୍ଶ ଶାଶୁ ।
ଚନ୍ଦନାର ହଠାତ୍ ଏପରି ପରିବର୍ତ୍ତନରେ ତା’ ଶାଶୁ ମହାଖୁସି । ଆନନ୍ଦରେ ତାଙ୍କର ମନ ଫୁଲି ଉଠୁଥାଏ କିଛିଦିନ ପରେ ଜଣାଗଲା ଚନ୍ଦନାର ପିଲା ହେବାକୁ ଯାଉଛି । ତା’ ପୂର୍ବରୁ ତା’ ଶାଶୁ ସବୁ କାମ କରୁଥା’ନ୍ତି ଏବେ କେତେଦିନ ହେବ ଚନ୍ଦନା ସବୁ ହାତରୁ ଛଡାଇ କାମ କରୁଥିଲା କିନ୍ତୁ ପିଲା ହେବା କଥା ଶୁଣି ଶାଶୁ ତାକୁ ଆଦୌ କଷ୍ଟକାମ କରିବାକୁ ଦେଲେ ନାହିଁ । ସବୁ ନିଜେ ସେ କରୁଥା’ନ୍ତି । ଉପରନ୍ତୁ, ଭଲ ଭଲ ସ୍ୱାଦିଷ୍ଟ ଖାଦ୍ୟମାନ ବନାଇ ତାକୁ ଖାଇବାକୁ ଦେଉଥା’ନ୍ତି । ଚନ୍ଦନା ଦିନେ ହସି ହସି କହିଲା, “ମା, ମୁଁ ଖାଇପାରିବି ନାହିଁ ଭାବି ଆପଣ ନିଜ ହାତରେ ମୋତେ ଖୁଆଉଛନ୍ତି ।”
ପାର୍ବତୀ ଅଳ୍ପ ହସି କହିଲେ, “ହଁ, ଚନ୍ଦନା, ତୋ ପରି ଭଲ ବୋହୁ ମିଳିଗଲେ, ଶାଶୁ ଖୁସିରେ ନିଶ୍ଚୟ ସବୁ କାମ କରିପକାଇବ ।” ପୁଣି ଏବେ ତୋ ଯୋଗୁଁ ମୁଁ ମଧ୍ୟ ଜେଜେମା ହେବାକୁ ଯାଉଛି ।