ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶାସନ କ୍ଷମତା

                ଅଜୟ କହିଲେ “ସାମର୍ଥ୍ୟ, ନିଃସ୍ୱାର୍ଥତା ଓ ବୈଦାନ୍ତିକ ଜ୍ଞାନ, ଏହି ତିନିଟି ଗୁଣ ସମଭାଗରେ ମିଶ୍ରିତ ହୋଇ ରହିଲେ ଜଣେ ଆଦର୍ଶ ଶାସକ ହୋଇ ପାରିବ । ମୋ ମଧ୍ୟରେ ରାଜ୍ୟ ପାଇବା ପାଇଁ ଆକାଂକ୍ଷା ନାହିଁ । କିନ୍ତୁ ମୁଁ ରାଜା ହେଲେ ଆମର ପିତା ଓ ପ୍ରଜାମାନେ, ଖୁବ୍ ଖୁସି ହେବେ ।”

                ଶେଷକୁ ରାଜା ବିକ୍ରମସେନ୍ ସ୍ଥିର କଲେ ଅଜୟଙ୍କୁ ରାଜା ଘୋଷିତ କରିବେ । ବିଜୟ ଏଥର ମା’ଙ୍କ ପାଖକୁ ଯାଇ କହିଲେ, “ମା, ମୋର ରାଜା ହେବା ପାଇଁ ବହୁତ ଇଚ୍ଛା ହେଉଛି, ମୋର ସେହି ଇଚ୍ଛା ପୂର୍ଣ୍ଣ ନହେଲେ ହୁଏତ ମୁଁ କେଉଁଦିନ ରାଜଦ୍ରୋହ କରି ବସିବି । ବଡଭାଇଙ୍କର ତ ରାଜ୍ୟ ପ୍ରତି ଆଦୌ ମୋହନାହିଁ, ତେଣୁ ବାବା ମୋତେ କାହିଁକି ରାଜା କରୁନାହାଁନ୍ତି?”

                ରାଣୀ ତାଙ୍କୁ ବୁଝାଇ କହିଲେ, “ରାଜଦ୍ରୋହ କଲେ, ତୋତେ ମୃତ୍ୟୁ ଦଣ୍ଡ ଭୋଗିବାକୁ ହେବ । ବ୍ୟର୍ଥ ଭାବରେ ନିଜ ପ୍ରାଣକୁ ନେଇ ଖେଳିବାର ଅଭ୍ୟାସ ଛାଡି ଦେ । ଜ୍ୟେଷ୍ଠ ପୁତ୍ର ରାଜଗାଦି ପାଇବାର ବିଧି ଅଛି ।” ବିଜୟ କହିଲେ, “ନାଁ, ସେପରି ତ କଦାପି ମଧ୍ୟ ହୋଇ ପାରିବ ନାହିଁ । ସେନା ବିଭାଗ ମଧ୍ୟରୁ ଅଧିକାଂଶ ମୋ ତରଫରେ ଅଛନ୍ତି । ରାଜ୍ୟରେ ମୋର ଅନେକ ବନ୍ଧୁ ଓ ମିତ୍ର ଅଛନ୍ତି । ତେଣୁ ରାଜଦ୍ରୋହ ହେଲେ ସେଥିରେ ଅବଶ୍ୟ ମୁଁ ହିଁ ଜିତିବି ।”

                ଏବେ ସେ ରାଣୀ ବିଚାରା କ’ଣ କରିବେ? ରାଜାଙ୍କୁ ଡାକି ସବୁ କଥା କହିଲେ । ସବୁଶୁଣି ରାଜା ବହୁତ ରାଗିଗଲେ ଓ ସେ ଦୁଇଭାଇଙ୍କୁ ପାଖକୁ ଡାକି ବିଜୟକୁ କହିଲେ ସେ ରାଜଦ୍ରୋହ କରିବାମାତ୍ରେ କାରାଗାରରେ ରହିବ ଓ ତାକୁ ଏଥିପାଇଁ ବହୁତ ଦଣ୍ଡ ମିଳିବ । କିନ୍ତୁ ଅଜୟ କହିଲେ, “ବାବା, ତା’ ଉପରେ ଯମାରୁ କ୍ରୋଧ କରନ୍ତୁ ନାହିଁ । ତା’ର ଇଚ୍ଛା ସ୍ୱାଭାବିକ । କିନ୍ତୁ ତାର ବନ୍ଧୁ ବା ମିତ୍ର ବୋଲି ସେ ଯେଉଁମାନଙ୍କୁ କହୁଛି ସେମାନେ ସବୁ ଯେ ମୋ ହାତରେ ଅଛନ୍ତି ସେକଥା ସେ ଜାଣେ ନାହିଁ ।” ରାଜା କହିଲେ, “କିନ୍ତୁ ରାଜଗାଦି ଉପରେ ତା’ର ପ୍ରବଳ ଲୋଭ ଯୋଗୁଁ ସେ ହୁଏତ କୌଣସି ଭୟଙ୍କର ବିଷୟ କରି ବସିବ ।”

                ଅଜୟ କହିଲେ, “ବାବା, ମୋର ରାଜଗାଦି ପ୍ରତି ପ୍ରକୃତରେ କୌଣସି ଆକାଂକ୍ଷା ନାହିଁ । ଆପଣ ବିଜୟକୁ ରାଜା କରିଦିଅନ୍ତୁ ଓ ବର୍ଷେ ପର୍ଯ୍ୟନ୍ତ ତାକୁ ଶାସନ କରିବାକୁ ଦିଅନ୍ତୁ । ସେହି ସମୟ ମଧ୍ୟରେ ସେ ଯଦି ପ୍ରଜା ମାନଙ୍କର ପ୍ରିୟ ହୋଇଉଠେ ତେବେ ବରାବର ତାକୁ ସିଂହାସନ ଛାଡି ଦିଅନ୍ତୁ, ମୁଁ ଏସବୁଥିରୁ ଟିକେ ମୁକ୍ତ ହୋଇ ଆନନ୍ଦରେ ଜଙ୍ଗଲକୁ ଯାଇ, ସେଠାରେ ତପସ୍ୟା କରିବି ।”

                ଅନିଚ୍ଛାପୂର୍ବକ ବିକ୍ରମସେନ୍ ଏକଥାରେ ରାଜି ହେଲେ । ବିଜୟ ବର୍ଷେପର୍ଯ୍ୟନ୍ତ ବହୁତ ସୁନ୍ଦର ଭାବରେ ରାଜ୍ୟ ଚଳାଇଲେ ଓ ବହୁତ ସୁଖ୍ୟାତି ଅର୍ଜନ କଲେ । ତା’ପରେ ଅଜୟ ଦରବାରରେ ଏକ ବଡ ସଭା ଡକାଇ କହିଲେ, “ବର୍ଷକ ମଧ୍ୟରେ ବିଜୟର ଶାସନ ସାଫଲ୍ୟ କରିଛି ଓ ସେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି । ତେଣୁ ସେହିଁ ଏ ରାଜ୍ୟ ଚଳାଉ । ମୁଁ ଭିନ୍ନ ପ୍ରକାରର ଲୋକ । ମୁଁ ଜଙ୍ଗଲକୁ ଯାଇ  ସେଠାରେ ତପସ୍ୟା କରିବି ।” ସଭାକୁ ଆସିଥିବା ଲୋକମାନେ କହିଲେ, “ଅଜୟଙ୍କ ଉପସ୍ଥିତି ଯୋଗୁଁ ବିଜୟ ଭଲ ଶାସନ କଲେ, ତେଣୁ ଅଜୟ ଜଙ୍ଗଲକୁ ଚାଲିଗଲେ ପୁଣି ସବୁ ଗୋଳମାଳ ହୋଇଯିବ । ଅଜୟହିଁ ସର୍ବପେକ୍ଷା ସକ୍ଷମ ଓ ସମର୍ଥ ବ୍ୟକ୍ତି, ତେଣୁ ସେ ଶାସନଭାର ନେବା ଉଚିତ୍ ।” ତା’ପରେ ଅଜୟ କହିଲେ, “ମୁହିଁ ଏହି ରାଜ୍ୟର ରାଜା । ବିଜୟ କେବଳ ମୋର ପ୍ରତିନିଧି ହୋଇ ଏଠାରେ ରହିବ । ମୁଁ ବନକୁ ଯାଇ, ତପସ୍ୟା କରି ଅତିନ୍ଦ୍ରିୟ ଶକ୍ତିସବୁକୁ କରଗତ କରି ରାଜ୍ୟର ମଙ୍ଗଳ ପାଇଁ ଉପଯୋଗ କରିବି । ଯଦି ବିଜୟ କିଛି ଅନ୍ୟାୟ କରେ ତେବେ ଆପଣମାନେ ମୋତେ ଖବର ଦେବେ ।”

                ବିଜୟ ରାଜା ହେଲେ । କିନ୍ତୁ ସେଥିରେବି ସେ ତୃପ୍ତ ହେଲେ ନାହିଁ; କାରଣ ସମସ୍ତେ କହୁଥିଲେ ଯେ ସେ କେବଳ ଅଜୟଙ୍କ ପ୍ରତିନିଧି । ସେ ଭାବିଲେ, “ଅଜୟ ତ ସହଜରେ ଶକ୍ତିମାନ । ପୁଣି ତପସ୍ୟା ଶକ୍ତି ସେଥିରେ ମିଶିଗଲେ ମୋ ପାଇଁ ତାହା ବଡ ବିପଦଜନକ ହେବ ।” ଏହିକଥା ମନ ମଧ୍ୟରେ ବାରମ୍ବାର ଆସିବା ପରେ ତାଙ୍କୁ ଏକ ଉପାୟ ଦିଶିଲା । ସେ କାରାଗାରରୁ କେତେକ ପାପୀ ଦୁରାଚାରୀ ବନ୍ଦୀଙ୍କୁ ଖଲାସ କରିଦେଇ ଅଜୟଙ୍କୁ ମାରିଦେବା ନିମନ୍ତେ ଗୁପ୍ତରେ ସେମାନଙ୍କୁ ଜଙ୍ଗଲ ପଠାଇ ଦେଲେ । କିନ୍ତୁ ଅଜୟଙ୍କର ଧାର୍ମିକ କଥା ସବୁ ଶୁଣି ସେମାନଙ୍କର ହୃଦୟ ପରିବର୍ତ୍ତନ ହେଲା ଓ ସେମାନେ ତାଙ୍କର ଶିଷ୍ୟ ହୋଇଗଲେ ।

ତା’ପରେ ବିଜୟ ଅଜୟଙ୍କର ତପସ୍ୟା ଭଙ୍ଗ କରିବା ସକାଶେ, ଅତି ସୁନ୍ଦରୀ କନ୍ୟା ସବୁକୁ ସେଠାକୁ ପଠାଇଲେ । ଅଜୟ ଖୁସି ହୋଇ ସେମାନଙ୍କୁ ନେଇ ନିଜର ଅବିବାହିତ ଶିଷ୍ୟଙ୍କ ସହିତ ବିବାହ ଦେଇଦେଲେ ଓ ବିଜୟଙ୍କୁ ଚିଠି ଲେଖିଲେ; ଆହୁରି ସୁନ୍ଦରୀ ଝିଅ ପଠାଅ, କାହିଁକିନା ଏଠାରେ ମୋର ଅନେକ ଅବିବାହିତ ଶିଷ୍ୟ ଅଛନ୍ତି ।”

ବିଜୟ ଏବେ ବୁଝିଗଲେ କି ଅଜୟଙ୍କୁ ପ୍ରତିହତ କରିବା ବଡ କଠିନ । ତା’ପରେ ସେ ରାଜ୍ୟରେ ଡେଙ୍ଗୁରା ପିଟି ଘୋଷଣା କଲେ କି ସେ ଏବେ ତାଙ୍କ ରାଜ୍ୟର ରାଜା, ଅଜୟଙ୍କ ପ୍ରତିନିଧି ନୁହଁନ୍ତି ।

ତାଙ୍କର ଏପ୍ରକାର ଘୋଷଣା ଶୁଣି ମନ୍ତ୍ରୀ ଓ କେତେକ ରାଜପ୍ରତିନିଧି ପ୍ରଭୃତି ଏହାର ବିରୋଧ କଲେ । ବିଜୟ ସେମାନଙ୍କୁ ରାଜ୍ୟରୁ ବାହାର କରିଦେଲେ । ଏହାପରେ ସେମାନେ ଅଜୟଙ୍କ ପାଖକୁ ଆସିଲେ । ଅଜୟ କହିଲେ, “ମୁଁ ବିଜୟର ରାଜ୍ୟ ଶାସନ ଉପରେ ହସ୍ତ କ୍ଷେପ କରିବି ନାହିଁ । ଆପଣମାନେ ତା’ର ଶାସନ ପଦ୍ଧତିରେ ସହମତ ନହେଲେ ଏହିଠାରେ ହିଁ ରହିଯାନ୍ତୁ ।”

ଧୀରେ ଧୀରେ ବିଜୟର ଶାସନରେ ଅତ୍ୟାଚାର ଦେଖାଦେଲା । ତେଣୁ ଅଧିକ ସଂଖ୍ୟାରେ ଲୋକ ରାଜ୍ୟ ଛାଡି ଜଙ୍ଗଲରେ ଯାଇ ରହିଲେ । ଏତେ ଲୋକଙ୍କୁ କିପରି ସମ୍ଭାଳିବେ । ତେଣୁ ସେ ଏକ ସୁନ୍ଦର ବିରାଟ ବଟବୃକ୍ଷ ନିଜ ତପସ୍ୟା ଶକ୍ତିରୁ ସୃଷ୍ଟି କଲେ । ତଦ୍ୱାରା ଅନେକ ସମସ୍ୟାର ସମାଧାନ ହେଲା ।

ଦିନେ ବିଜୟ ଅନେକ ସୈନ୍ୟ ଧରି ଅଜୟଙ୍କ ପାଖକୁ ଆସି କହିଲେ, “ତୁମେ ଏଠାରେ ଅପରାଧିମାନଙ୍କୁ ଆଶ୍ରୟ ଦେଉଛ ତେଣୁ ତୁମ ଉପରେ ରାଜଦ୍ରୋହ କରିବାର ଦୋଷ ଆରୋପ କରା ଯାଉଛି ।”

ବିଜୟଙ୍କର ଏହି କଥା ଶୁଣି ଅଜୟ ଗମ୍ଭୀର ହୋଇ କହିଲେ, “ମୁଁ ହେଉଛି ଏହି ଦେଶର ରାଜା । ମୁଁ ତୁମର ଏହି ମିଥ୍ୟା ଆରୋପ ବିଷୟରେ କୌଣସି ଉତ୍ତର ଦେବାକୁ ବାଧ୍ୟ ନୁହେଁ । ତମେ ଶୀଘ୍ର ରାଜ୍ୟ ଛାଡି ଚାଲିଯାଅ ।”

ବିଜୟ ନିଜର ସୈନିକ ମାନଙ୍କ ଦ୍ୱାରା ଅଜୟଙ୍କୁ ଓ ତାଙ୍କ ଲୋକମାନଙ୍କୁ ବନ୍ଦୀ କରିବାକୁ ଚାହିଁଲେ । କିନ୍ତୁ ଅଜୟ ଏକ ସଙ୍କେତ ଦେବାମାତ୍ରେ ବଟବୃକ୍ଷର ଶାଖାରୁ ଅନେକ ସୈନ୍ୟ ବାହାରି ବିଜୟ ଓ ତା’ର ସୈନିକଙ୍କୁ ବାନ୍ଧି ଦେଲେ । ତା’ପରେ ଅଜୟ ସେମାନଙ୍କୁ ଆଦେଶ ଦେଲେ, “ବିଜୟ ଦେଶ ଦ୍ରୋହୀ । ଏହାକୁ ରାଜ୍ୟର ସୀମା ପାର କରାଇ ଛାଡିଦେଇ ଆସ ।” ତା’ପରେ ଅଜୟ ଜଙ୍ଗଲ ଛାଡି ରାଜଧାନୀକୁ ଫେରି ଆସିଲେ ଓ ତାଙ୍କର ରାଜା ଭାବରେ ଅଭିଷେକ କରାଗଲା ।

ବେତାଳ ତା’ର ଗଳ୍ପଟି କହିସାରି ପଚାରିଲା, “ରାଜନ୍, ଏହି ଘଟଣାରୁ ମନେହୁଏ, ସଂଯମି ଓ ତପସ୍ୱୀ ଅଜୟଙ୍କର ହଠାତ୍ ପରିବର୍ତ୍ତନ ହେଲା । ଯିଏ ସାନଭାଇକୁ ବାରମ୍ବାର କ୍ଷମା କରିଛନ୍ତି, ସେ ପୁଣି କାହିଁକି ତାକୁ କ୍ରୋଧବଶରେ ରାଜ୍ୟରୁ ତଡି ନିଜେ ସିଂହାସନରେ ରାଜା ହୋଇ ବସିଲେ? ଏହା ଆଉ ତାଙ୍କର ରାଜଗାଦିର ପ୍ରଲୋଭନ ଯୋଗୁଁ ନୁହେଁ ତ? ଏକଥାର ସମାଧାନ ଜାଣି ଯଦି ତମେ ମୋତେ କିଛି ନ କହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମ କହିଲେ, “ସାମାନ୍ୟ ଲୋକଙ୍କ ପ୍ରତି ପ୍ରଜୁର୍ଯ୍ୟ କଥା ସବୁ ଜ୍ଞାନୀଙ୍କ ଉପରେ ଆରୋପ କରିବା କଥା ନୁହେଁ । ବହୁସମୟରେ ନିଜର ସଦ୍ଗୁଣକୁ ପଛରେ ରଖି ଜନତାଙ୍କ ପାଇଁ କଠୋର ହେବାକୁ ପଡେ । ଏଭଳି ପରିସ୍ଥିତିରେ ଚୁପ୍ ହୋଇ ରହିଲେ, ତାଙ୍କର ବିବେକ ଓ ଜ୍ଞାନ ନାହିଁ ବୋଲି କୁହାହେବ । ପ୍ରଥମେ ବିଜୟଙ୍କର ରାଜ୍ୟ ଆକାଂକ୍ଷା ବ୍ୟକ୍ତିଗତ ଥିଲା । କିନ୍ତୁ ସେ ଯେବେ ଜାଣିଲେ ତାଙ୍କ ଭାଇ ରାସ୍ତାରେ ବାଧା ସୃଷ୍ଟି କରୁଛନ୍ତି, ସେତେବେଳେ ସେ ଅତ୍ୟାଚାର କରିବାକୁ ଲାଗିଲେ । ଅଜୟ ତାଙ୍କର ପରିବର୍ତ୍ତନ ପାଇଁ ବାରମ୍ବାର ତାଙ୍କୁ ସୁଯୋଗ ଦେଉଥିଲେ କିନ୍ତୁ ତାହା ବ୍ୟର୍ଥ ହେଲା । ତେଣୁ ବାଧ୍ୟ ହୋଇ ତାଙ୍କ ଭାଇକୁ ସେ ରାଜ୍ୟରୁ ବହିଷ୍କାର କଲେ ।”

ରାଜଦ୍ରୋହରେ ବିଜୟଙ୍କୁ କେତେକ ମୁଷ୍ଟିମେୟ ଲୋକ ସାହାଯ୍ୟ କଲେ ମଧ୍ୟ ସମଗ୍ର ରାଜ୍ୟର ପ୍ରଜାମାନେ ତାଙ୍କୁ ମୋଟେ ପସନ୍ଦ କରୁନଥିଲେ । ସେଥିପାଇଁ ଅଜୟ ନିଜର ଉଚ୍ଚସ୍ତରର ଜୀବନରେ ଜଳାଞ୍ଜଳି ଦେଇ ନିଃସ୍ୱାର୍ଥପର ଭାବରେ ରାଜ୍ୟଶାସନ କରିବା ପାଇଁହିଁ କ୍ଷମତା ହାତକୁ ନେଲେ ।”

ରାଜାଙ୍କର ମୌନ ଭଙ୍ଗ ହୁଅନ୍ତେ ବେତାଳ ସଙ୍ଗେସଙ୍ଗେ ରାଜାଙ୍କ କାନ୍ଧରୁ ଖସି ପୂର୍ବୋକ୍ତ ଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ