ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିଆଳ ରାଜା କଥା

       ଏପରି ଅଣନିଃଶ୍ୱାସୀ ହୋଇ ଦୌଡୁ ଦୌଡୁ ଚଣ୍ଡରବ ନାମକ ବିଲୁଆଟି ଗୋଟିଏ ଧୋବା ସାହିରେ ପହଁଚିଲା । ଧୋବା ଗୋଟିଏ ବଡ କୁଣ୍ଡରେ ପାଣି ଭର୍ତିକରି ନୀଳ ପକାଇଥିଲା । ତା’ ପରଦିନ ଲୁଗା ସଫାକରି ନୀଳପାଣିରେ ବୁଡାଇବା ପାଇଁ । ବିଲୁଆଟି ଦୌଡି ଦୌଡି ଆସି ସେହି ନୀଳଭିଜା ହୋଇଥିବା କୁଣ୍ଡରେ ଗଳି ପଡିଲା । ନୀଳପାଣିରେ ପଡିବାଟା ତା’ ପାଇଁ ବହୁତ ଭଲ ହେଲା । ବିଲୁଆଟି ନାକଟିକୁ ଉପରକୁ ରଖି ସମ୍ପୂର୍ଣ୍ଣ ଶରୀରଟିକୁ ନୀଳପାଣିରେ ବୁଡାଇ ଚୁପ୍ଚାପ୍ ରହିଲା । ପଛରେ ଗୋଡାଇଥିବା କୁକୁରମାନେ ବିଲୁଆକୁ ନ ପାଇବାରୁ ଭୋ ଭୋ ହୋଇ ଇଆଡେ ସିଆଡେ ଅନାଇ ନିରାଶ ହୋଇ ଫେରିଗଲେ । ବିଲୁଆଟି ନୀଳକୁଣ୍ଡରେ ପଡି ରାତି ପାହିବାରୁ ଧୋବା ଲୁଗା କାଚିବାକୁ ଆସିଲା । ଧୋବାକୁ ଦେଖି ବିଲୁଆ ମଲାଙ୍କ ଭଳି ପଡିରହିଲା । ଧୋବା ଦେଖିଲା ବିଲୁଆଟି ମରିଯାଇଛି । ତାକୁ କୁଣ୍ଡରୁ କାଢି ପଡିଆରେ ଶୁଆଇ ଦେଇ କିଛି ବାଟ ଆସିଲାପରେ ଦେଖିଲା ବିଲୁଆଟି ସେଠାରେ ନାହିଁ ।

       ଏତେବଡ ବିପଦରୁ ରକ୍ଷା ପାଇଥିବାରୁ ଚଣ୍ଡରବ ଭଗବାନ୍ଙ୍କୁ ଧନ୍ୟବାଦ ଜଣାଇଲା । ପ୍ରାଣ ବିକଳରେ ଦୌଡି ଦୌଡି ଆସି ଜଙ୍ଗଲରେ ଥିବା ନିଜ ଆତ୍ମୀୟମାନଙ୍କ ନିକଟରେ ପହଁଚିଲା । ଚଣ୍ଡରବ ନୀଳରଙ୍ଗ ଓ ବିଲୁଆ ପରି ଦେଖାଯାଉଥିଲା । ଏପରି ବିଚିତ୍ର ଜୀବକୁ ଜଙ୍ଗଲରେ ଦେଖି ଜଙ୍ଗଲର ପଶୁମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବାକୁ ଲାଗିଲେ, “ କିଏ ଜାଣେ, ଏ କେଉଁ ଏକ ଭୀଷଣ ଜନ୍ତୁ । ଜନ୍ମରୁ ତ ଆମେ ଏପରି ପଶୁ ଦେଖି ନାହୁଁ ।”

       ଜଙ୍ଗଲର ପଶୁମାନଙ୍କର ହାବଭାବ ଦେଖି ଚଣ୍ଡରବ ଲକ୍ଷ୍ୟ କଲା ଯେ, ଜଙ୍ଗଲର ପଶୁମାନେ ତାକୁ ଚଣ୍ଡରବ ବୋଲି ଚିହ୍ନିପାରୁ ନାହାଁନ୍ତି । ସିଂହ, ବାଘ, ଚିତାବାଘ, ଆଦି ତାକୁ ଦେଖି ଭୟ କରୁଛନ୍ତି ।

       ଦିନେ ଜଙ୍ଗଲର ସମସ୍ତ ପଶୁ ଦଳବଦ୍ଧ ହୋଇ କହିଲେ, “ ପ୍ରଭୁ ! ଆପଣ କିଏ? ଆପଣ କେଉଁଠାରୁ ଆସିଛନ୍ତି । ”

       ଚଣ୍ଡରବ ମନେ ମନେ ଖୁସିହୋଇ ଗମ୍ଭୀର ଭାବରେ କହିଲା, “ ମୁଁ ସ୍ୱର୍ଗରୁ ଆସିଛି । ମୋର ନାମ କକୁଦ୍ରୁମ । ସ୍ୱୟଂ ବ୍ରହ୍ମା ମୋତେ ଏଠାକୁ ପଠାଇଛନ୍ତି । ସେ କହିଛନ୍ତି, ହେ କକୁଦ୍ରୁମ ! ପଶୁମାନଙ୍କର ରାଜା ନାହାଁନ୍ତି । ତୁମେ ଯାଇ ସେମାନଙ୍କୁ ପାଳନ କର । ”

       କକୁଦ୍ରୁମର କଥା ଶୁଣି ବନ୍ୟଜନ୍ତୁମାନେ ଏକସ୍ୱରରେ କହି ଉଠିଲେ, “ ମହାରାଜ କକୁଦ୍ରୁମଙ୍କର ଜୟ ହେଉ । ମହାରାଜ ଆମେ ସମସ୍ତେ ଆପଣଙ୍କର ପ୍ରଜା । ଆମେମାନେ ଆପଣଙ୍କର ଆଜ୍ଞାବହ ଭୃତ୍ୟ । ”

       କକୁଦ୍ରୁମ ସ୍ମିତହାସ୍ୟ କରି ପ୍ରଜାମାନଙ୍କର ଅଭିବାଦନ ଗ୍ରହଣ କଲା । ଏବେ ଚଣ୍ଡରବ ପୂର୍ବ ଚଣ୍ଡରବ ନୁହେଁ । ଏବେ ସେ ନୀଳବର୍ଣ୍ଣ ପଶୁରାଜ କକୁଦ୍ରୁମ । ତା’ ପରେ କକୁଦ୍ରୁମ ସୁଖରେ ରାଜତ୍ୱ କରିବାକୁ ଲାଗିଲା । ବାଘସିଂହ ପ୍ରଭୃତି ଭଲ ଭଲ ଶିକାର ଧରି ରାଜା କକୁଦ୍ରୁମକୁ ଉପହାର ଦେଉଥା’ନ୍ତି । କକୁଦ୍ରୁମ ସେଥିରୁ କିଛି ଖାଇ ଅବଶିଷ୍ଟ ବାଂଟିକରି ପ୍ରଜାମାନେ ପ୍ରସାଦ ଖାଆନ୍ତି ।

       ଦିନେ ସଭାକାର୍ଯ୍ୟ ଚାଲିଥାଏ । ମହାରାଜ କକୁଦ୍ରୁମ ରାଜସଭାରେ ବସିଥା’ନ୍ତି । ବାଘ, ସିଂହ, ଗଧିଆ ଆଦି ମହାରାଜ କକୁଦ୍ରୁମଙ୍କ ଚତୁର୍ଦ୍ଧିଗରେ ଘେରି ବସିଥାନ୍ତି । ସନ୍ଧ୍ୟା ନଇଁ ଆସୁଥାଏ । ସଭାକାର୍ଯ୍ୟ ଶେଷ ପ୍ରାୟ । ପଶୁମାନେ ସମସ୍ତେ ଉଠ ଉଠ ହେଉଥାନ୍ତି । ଏହି ସମୟରେ ଦଳେ ବିଲୁଆ ଦୂରରୁ ଭୂକି ଉଠିଲେ – ହୁକେ ହୋ, ହୁକେ ହୋ, ହୁକେ ହୋ, ହୁକେ ହୋ… ।

       ସ୍ୱଜାତିର ରାବ ଶୁଣି କକୁଦ୍ରୁମ ଇତସ୍ତତଃ ହେବାକୁ ଲାଗିଲା । କୌଣସିମତେ ସେ ନିଜକୁ ସମ୍ଭାଳି ନେଲା । ବିଲୁଆମାନେ ପୁଣି ଭୂକିଲେ – ହୁକେ ହୋ, ହୁକେ ହୋ… ।

       କକୁଦ୍ରୁମ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ । ସେ କାନକୁ ଠିଆକରି ଉଠିପଡିଲା । ସଭାରେ କୌତୁହଳ ସୃଷ୍ଟି ହେଲା । ଉପସ୍ଥିତ ପଶୁମାନେ ପରସ୍ପରର ମୁହଁକୁ ଚାହିଁବାକୁ ଲାଗିଲେ ।

       ବିଲୁଆମାନେ ପୁଣି ଭୂକିଲେ – ହୁକେ ହୋ, ହୁକେ ହୋ । ଜାତି, ଧର୍ମ ଓ ସ୍ୱଭାବକୁ ଆଉ ଲୁଚାଇବା ସମ୍ଭବ ହେଲା ନାହିଁ । ଜାତିକୁଟୁମ୍ବର ଡାକ ଶୁଣି କକୁଦ୍ରୁମ ବଡ ପାଟିରେ ଭୂକି ଉଠିଲା, ହୁକେ ହୋ… ହୁକେ ହୋ… ।

       “ ଆରେ ଆରେ ମିଥ୍ୟାବାଦୀ ପ୍ରବଂଚକ ବିଲୁଆ । ” ଏହା କହି ବାଘ, ଭାଲୁ, ସିଂହ ପ୍ରଭୃତି ମହାରାଜ କକୁଦ୍ରୁମ ଓରଫ୍ ଚଣ୍ଡରବ ଉପରକୁ ଝାମ୍ପି ପଡି ତାକୁ ଖଣ୍ଡ ଖଣ୍ଡ କରି ମାରିଦେଲେ ।

       ନିଜର ଜ୍ଞାତିକୁଟୁମ୍ବଙ୍କ ପାଖରେ ଶଠତା ଆଚରଣ କରିବା ଉଚିତ୍ ନୁହେଁ । ମିଥ୍ୟାବାଦୀ ସର୍ବଦା ଦଣ୍ଡପାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ