ଏହା ପରେ ଶିକାରୀଟି ଚିନ୍ତାକଲା, “ଅନ୍ୟ କେହି ରାଜାଙ୍କୁ ଏ କଥା ଜଣାଇବା ପୂର୍ବରୁ ମୁଁ ଏହି ଅଦ୍ଭୂତ ପକ୍ଷୀଟିକୁ ନେଇ ରାଜାଙ୍କୁ ଉପହାର ଦେବି । ମନେ ମନେ ଏହା ସ୍ଥିର କରି ଶିକାରୀ ପକ୍ଷୀଟିକୁ ନେଇ ରାଜାଙ୍କ ନିକଟରେ ପହଁଚିଲା, ଏବଂ ସମସ୍ତ ଘଟଣା ବର୍ଣ୍ଣନା କଲା । ଶିକାରୀଟିର କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କର ପାରିଷଦବର୍ଗଙ୍କୁ କହିଲେ, ଏହି ପକ୍ଷୀଟିକୁ ଭଲଭାବରେ ପରୀକ୍ଷା କର । ତା’ପରେ ଆମେ ଏହାକୁ ମହଲରେ ରଖିବା । ରାଜାଙ୍କର ଏତାଦୃଶ କଥା ଶୁଣି ଜଣେ ମନ୍ତ୍ରୀ କହିଲେ, “ମହାରାଜ! ଆପଣ କିପରି ଏହି ଶିକାରୀଟିର କଥାକୁ ବିଶ୍ୱାସ କରୁଛନ୍ତି”? ଗୋଟିଏ ପକ୍ଷୀର ମଳ ସୁନାରେ ପରିଣତ ହେବା କଥା କେବେ ଦେଖିଛନ୍ତି? ଆମ୍ଭେମାନେ ଆପଣଙ୍କୁ ଏକ ଉପଦେଶ ଦେଉଛୁ । ଏହି ପକ୍ଷୀଟିକୁ ଆପଣ ପିଞ୍ଜରାରୁ ମୁକ୍ତ କରିଦିଅନ୍ତୁ । ମନ୍ତ୍ରୀମାନଙ୍କର ଉପଦେଶ ଶୁଣିବାପରେ ରାଜା ସଂଗେ ସଂଗେ ପକ୍ଷୀଟିକୁ ମୁକ୍ତ କରିଦେଲେ । ପିଞ୍ଜରାରୁ ମୁକ୍ତ ହୋଇ ପକ୍ଷୀଟି ରାଜ ଦରବାରର ଫାଟକ ଉପରେ ଯାଇ ବସିପଡିଲା । ସଂଗେ ସଂଗେ ସେଠାରେ ସେ ମଳତ୍ୟାଗ କରିଦେଲା । ତା’ର ମଳ ତତ୍କ୍ଷଣାତ୍ ସେଠାରେ ସୁନାରେ ପରିଣତ ହୋଇଗଲା ।
ରାଜା ଏହା ଦେଖିବା ମାତ୍ରକେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ସମୟରେ ପକ୍ଷୀଟି ରାଜାଙ୍କୁ କହିଲା, “ମୁଁ ହେଉଛି ପ୍ରଥମ ବୋକା ଏହାପରେ ଶିକାରୀଟି । ଶିକାରୀ ପରେ ଆପଣଙ୍କ ମନ୍ତ୍ରୀମାନେ ବୋକା, ଶେଷରେ ଆପଣ ମଧ୍ୟ ବୋକା । ଆମେ ସମସ୍ତେ ଗୋଟିଏ ସ୍ଥାନରେ ଏକଜୁଟ୍ ହୋଇଛୁ ।” କାହାଣୀଟି କହିସାରି ‘ରକ୍ତାକ୍ଷ’ କହିଲେ, ଆମ୍ଭେମାନେ ଏହି ଶତ୍ରୁକୁ ଏଠାରେ ଆଶ୍ରୟ ଦେଇଥିବାରୁ ସମସ୍ତେ ବୋକା । ତେଣୁ ଆମ୍ଭେମାନେ ଏହାକୁ ମାରିବା ଉଚିତ୍ । ରକ୍ତାକ୍ଷଙ୍କର ଉପଦେଶ ପ୍ରତି ସେତେବେଳେ କେହି କର୍ଣ୍ଣପାତ କଲେ ନାହିଁ । ଭବିଷ୍ୟତରେ ବିପଦ ଆଶଙ୍କାକରି ‘ରକ୍ତାକ୍ଷ’ ତାଙ୍କର ଅନୁଚରବର୍ଗଙ୍କୁ କହିଲେ, “ଆମେ ସମସ୍ତେ ଚାଲଏହି ସ୍ଥାନ ତ୍ୟାଗ କରି ଅନ୍ୟ କେଉଁଠାକୁ ଚାଲିଯିବା । ଏହା କହିସାରି ରକ୍ତାକ୍ଷ ପୁଣି ଏକ କାହାଣୀ କହିବାକୁ ଆରମ୍ଭ କଲେ ।”