ପାରସ୍ୟ ଦେଶର କଥା । ସେଠାକାର ଲୋକଙ୍କ ବିଶ୍ୱାସ ଅଛିଯେ, ସେମାନଙ୍କୁ ଅଗ୍ନିର ବ୍ୟବହାର ଶିଖାଇଥିଲେ ‘ନୁର୍’ ନାମକ ଜଣେ ମହାପୁରୁଷ ।
ପ୍ରଥମେ ନୁର୍ ତାଙ୍କର କିଛି ଶିଷ୍ୟଙ୍କୁ ଅଗ୍ନି ସୃଷ୍ଟିର ଗୋପନ କଥା କହିଥିଲେ । ଏହି ବିଦ୍ୟା ହାସଲ କରିବା ପରେ ଶିଷ୍ୟମାନେ ପାରସ୍ୟର ବିଭିନ୍ନ ଅଂଚଳକୁ ଯାଇ ସେ ବିଦ୍ୟା ଶିକ୍ଷା ଦେଲେ । କେତେକ ସେଇ ବିଦ୍ୟାକୁ କେବଳ ବଡବଡିଆ ଧନୀକ ଶ୍ରେଣୀର ଲୋକଙ୍କୁ ଶିଖାଇଲେ । ସେମାନଙ୍କୁ ସେହି ବିଦ୍ୟା ହାସଲ କରିବା ପାଇଁ ମୁଖସ୍ଥ କରିବାକୁ କହିଲେ । ଆଉ କେତେକ ଶିଷ୍ୟ ସେହି ବିଦ୍ୟା ଶିଖାଇଥିବା ମହାପୁରୁଷ ‘ନୁର୍’ଙ୍କର ଗୁଣକୀର୍ତନ କରିବାରେ ଲାଗିଗଲେ ।
ଏହିଭଳି ଅନେକ ବର୍ଷ ବିତିଗଲା । ଏକଦା ଅନ୍ୟଦେଶର ଜଣେ ସନ୍ଥ ତାଙ୍କର କେତେକ ଶିଷ୍ୟଙ୍କୁ ନେଇ ପାରସ୍ୟ ଭ୍ରମଣରେ ବାହାରିଲେ । ସେ ପାରସ୍ୟରେ ପହଂଚି ଦେଖିଲେ, ପାରସ୍ୟ ଯେମିତି ପୂର୍ବଭଳି ଅଗ୍ନି ବିବର୍ଜିତ ଥିଲା, ଏବେ ବି ଠିକ୍ ସେହିଭଳି ଅଛି । ଯେଉଁ ବଡବଡିଆ ଲୋକେ ଏହାକୁ ଶିଖିଲେ ସେମାନେ ଏହି ଅଗ୍ନି ବିଦ୍ୟାର ବିଶେଷ ଗୁରୁତ୍ୱ ନ ବୁଝି ବିଳାସ ବ୍ୟସନରେ ମଜ୍ଜିରହି ବିଦ୍ୟାକୁ ଭୁଲିଗଲେଣି । ଆଉ ଯେଉଁମାନେ ଅଗ୍ନିର ବ୍ୟବହାର ପଦ୍ଧତିକୁ ମୁଖସ୍ଥ କରିଥିଲେ, ସେମାନେ କର୍ମ କାଣ୍ଡବାଦୀ ହେଲେସିନା, ବାସ୍ତବରେ ନିଆଁ ବାହାର କରି ପାରିଲେ ନାହିଁ । ଯେଉଁମାନେ ‘ନୁର୍’ଙ୍କୁ ପୂଜା କରୁଥିଲେ, ସେମାନେ ନିଆଁ ବାହାର କରିବାକୁ ଭୟ କଲେ । ସେହି ବିଦ୍ୟାକୁ ଏକ ପବିତ୍ର ବିଦ୍ୟାବୋଲି ବିଚାରି ତାକୁ ପ୍ରୟୋଗ କଲେ ନାହିଁ ।
ପାରସ୍ୟବାସୀଙ୍କ ଏଭଳି ଅବସ୍ଥା ଦେଖି ସନ୍ଥ କହିଲେ, “ଶିକ୍ଷକ ଶିକ୍ଷା ଦେବା ସହିତ ତାକୁ ଛାତ୍ରମାନେ କିଭଳି କାମରେ ଲଗାଇବେ ସେ ବାଟ ମଧ୍ୟ ବତାଇ ଦେବା ଆବଶ୍ୟକ । ତା’ ନହେଲେ ଶିକ୍ଷାର ସୁଫଳ ମିଳି ନଥାଏ ।”